ଆପ କୁ ବଡ ଝଟକା :-ଦିଲ୍ଲୀ ଆମ ଆଦମୀ ପାର୍ଟି  ର ୨୦ ବିଧାୟକଙ୍କୁ    ଅଯୋଗ୍ୟ ଘୋଷିତ କଲେ   ନିର୍ବାଚନ ଆୟୋଗ

ଦିଲ୍ଲୀ ଆମ ଆଦମୀ ପାର୍ଟି (ଆପ)ର ୨୦ ବିଧାୟକଙ୍କୁ ନିର୍ବାଚନ ଆୟୋଗ  ଆଜି  ଅଯୋଗ୍ୟ ଘୋଷିତ କରିଛନ୍ତି । ‘ଲାଭ ଜନକ ପଦ’ ମାମଲାର ବିଚାର କରି ନିର୍ବାଚନ ଆୟୋଗ ଦିଲ୍ଲୀର ଶାସକ ଦଳ ଆପ ବିରୋଧରେ ରାୟ ଦେଇଛନ୍ତି । ଅଯୋଗ୍ୟ ଘୋଷିତ ବିଧାୟକମାନେ ଆଉ ‘ଲାଭ ଜନକ ପଦ’ରେ ରହିବେ ନାହିଁ । ନିର୍ବାଚନ ଆୟୋଗ ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରପତିଙ୍କ ପାଖକୁ ଚୂଡାନ୍ତ ମୋହର ପାଇଁ ପଠାଇ ଦେଇଛି । ଏହା ଦିଲ୍ଲୀର ଅରବିନ୍ଦ କେଜେରିୱାଲଙ୍କ ନେତୃତ୍ୱାଧୀନ ଶାସକ ଦଳ ଆପକୁ ବଡ଼ ଝଟକା ଦେଇଛି । ଅପରପକ୍ଷରେ ଆପ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ରାୟକୁ ବିରୋଧ କରାଯାଇଛି । ନିର୍ବାଚନ ଆୟୋଗ ଏହି ମାମଲାର ଶୁଣାଣି କରିପାରିବେ ନାହିଁ; ଏହାର ଶୁଣାଣି ଅଦାଲତରେ ହେବା ଆବଶ୍ୟକ ବୋଲି ଆପ ପକ୍ଷରୁ କୁହାଯାଇଛି । ପ୍ରକାଶ ଯେ ଦିଲ୍ଲୀ ସରକାର ୨୦୧୫ ମାର୍ଚ୍ଚ ମାସରେ ୨୧ ବିଧାୟକଙ୍କୁ ସଂସଦୀୟ ସଚିବ ପଦରେ ନିଯୁକ୍ତ କରିଥିଲେ । ଏହାକୁ ଲାଭ ଜନକ ପଦ ବୋଲି ଅଭିଯୋଗ କରି ପ୍ରଶାନ୍ତ ପଟେଲ ନାମକ ଜଣେ ଆଇନଜୀବୀ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲେ । ପଟେଲ ଏହି ବିଧାୟକମାନଙ୍କ ସଦସ୍ୟତାକୁ ରଦ୍ଦ କରିବାକୁ ଦାବି କରିଥିଲେ । ଗତବର୍ଷ ବିଧାୟକ ଜାରନୈଲ ସିଂହ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ମମାଲାରେ ବିଧାୟକଙ୍କ ସଂଖ୍ୟା ୨୦କୁ ଖସି ଆସିଥିଲା । ସେପଟେ କେନ୍ଦ୍ର ସରକାର ମଧ୍ୟ ବିଧାୟକଙ୍କୁ ସଂସଦୀୟ ସଚିବ କରାଯିବାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ଦିଲ୍ଲୀରେ କେବଳ ଜଣେ ସଂସଦୀୟ ସଚିବ ହୋଇପାରିବେ, ଯାହା ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବ । ବିଧାୟକମାନଙ୍କୁ ଏହି ପଦ ଦେବାର କୌଣସି ସାମ୍ବିଧାନିକ ପ୍ରବାଧାନ ନାହିଁ । ସମ୍ବିଧାନର ଧାରା ୧୦୨(୧)(କ) ଏବଂ ୧୯୧(୧)(କ) ଅନୁସାରେ ସଂସଦ କିମ୍ବା ବିଧାନସଭାର କୌଣସି ସଦସ୍ୟ ଯଦି କୌଣସି ପ୍ରକାର ଲାଭଜନକ ପଦରେ ରହନ୍ତି, ତେବେ ତାଙ୍କ ସଦସ୍ୟତା ରଦ୍ଦ ହୋଇପାରେ । ଏହି ମାମଲାରେ ନିର୍ବାଚନ ଆୟୋଗ ୨୧ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ । ଏହାପରେ ୨୦୧୭ ଜୁନ ମାସରେ ତାଙ୍କ ବିରୋଧରେ ଥିବା ‘ଲାଭ ଜନକ ପଦ’ ମାମଲାକୁ ଖାରଜ କରିଦେବାକୁ ବିଧାୟକମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ଆବେଦନ କରିଥିଲେ । ମାତ୍ର ନିର୍ବାଚନ ଆୟୋଗ ବିଧାୟକଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ବିଧାୟକମାନେ ମାମଲାର ଶୁଣାଣି ଉପରେ ସ୍ଥଗିତାଦେଶ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟ ମଧ୍ୟ ବିଧାୟକଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ନିର୍ବାଚନ ଆୟୋଗଙ୍କ ନିକଟରେ ଏହି ମାମଲାର ଶୁଣାଣି ଚାଲିଥିବାରୁ ଏହା ଉପରେ ସ୍ଥଗିତାଦେଶ ଲଗାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିଲେ । ସୂଚନା ଅନୁଯାୟୀ ଦିଲ୍ଲୀ ଆପ ଦଳର ବିଧାୟକ ପ୍ରବୀଣ କୁମାର, ଶରଦ କୁମାର, ଆଦର୍ଶ ଶାସ୍ତ୍ରୀ, ମଦନ ଲାଲ, ଚରଣ ଗୋଏଲ, ସରିତା ସିଂହ, ନରେଶ ଯାଦବ, ରାଜେଶ ଗୁପ୍ତା, ଅଳକା ଲାମ୍ବା, ନୀତୀନ ତ୍ୟାଗୀ, ସଂଜୀବ ଝା’, କୌଳାସ ଗେହଲୋଟ, ବିଜେନ୍ଦ୍ର ଗାର୍ଗ, ରାଜେଶ ଋଷି, ଅନୀଲ କୁମାର ବାଜପେୟୀ, ସୋମଦତ୍ତ, ସୁଲବୀର ସିଂହ ଡାଲା, ମନୋଜ କୁମାର, ଅବତାର ସିଂହଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି ।

Leave a Reply

Your email address will not be published. Required fields are marked *