କେଜ୍ରିଓ୍ଵାଲ୍‌ଙ୍କୁ ଓକିଲ ଙ୍କ ରୋକଠୋକ ମନା: ଲଢ଼ିବେନି ଆଉ କେସ

ଅଦାଲତରେ ନିଜ ପକ୍ଷ ରଖିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ବିରୋଧରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଦାଏର କରିଥିବା ମାନହାନି ମାମଲା ଆଉ ଲଢ଼ିବେନି ବୋଲି ତାଙ୍କ ଓକିଲ ଅନୁପ ଜର୍ଜ ଚୌଧୁରି ଘୋଷଣା କରିଛନ୍ତି। ଗତ ୧୨ ତାରିଖରେ ଏହି ମାମଲାର ଶୁଣାଣି ବେଳେ ନିଜର ଯୁକ୍ତି ଉପସ୍ଥାପନ ପାଇଁ ତାଙ୍କ ପାଖରେ ଆବଶ୍ୟକ ତଥ୍ୟର ଅଭାବ ଥିଲା। ଫଳରେ ଅଦାଲତରେ ତାଙ୍କୁ ଅପଦସ୍ଥ ହେବାକୁ ପଡ଼ିଥିଲା। ମାମଲା ସମ୍ପର୍କରେ ତାଙ୍କୁ ଯଥେଷ୍ଟ ପରିମାଣରେ ଅବଗତ କରାଯାଇନଥିବାରୁ ଏପରି ଅପ୍ରୀତିକର ପରିସ୍ଥିତି ହେଲା ବୋଲି ଦର୍ଶାଇ ଶ୍ରୀ ଚୌଧୁରି ଆଉ କେଜ୍ରିଓ୍ଵାଲ୍‌ଙ୍କ ପାଇଁ ଏହି ମାମଲା ଲଢ଼ିବେନି ବୋଲି ରୋକଠୋକ ମନା କରିଦେଇଛନ୍ତି।

ସୂଚନା ଥାଉ କି, ଦିଲ୍ଲୀ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ)ର ମୁଖ୍ୟ ଥିବା ବେଳେ ଅରୁଣ ଜେଟ୍‌ଲି ବ୍ୟାପକ ଦୁର୍ନୀତି କରିଥିଲେ ବୋଲି ଆମ୍‌ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ଅଭିଯୋଗ ଉଠିଥିଲା। ତେବେ ଏପରି ଅଭିଯୋଗକୁ ଜେଟ୍‌ଲି ଖଣ୍ଡନ କରିବା ସହ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏବଂ ଦଳର ଅନ୍ୟ ୫ ଜଣ ନେତାଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମୋକଦ୍ଦମା ଦାଏର୍‌ କରିଥିଲେ। ଏହି ମାମଲାରେ କେଜ୍ରିଓ୍ଵାଲ୍‌ଙ୍କ ପକ୍ଷରୁ ଲଢ଼ୁଥିବା ଜେଠାମାଳିନୀ ଅଦାଲତରେ ଜେଟ୍‌ଲିଙ୍କୁ ଜେରା ବେଳେ ‘ବଦମାସ'(କ୍ରୁକ୍‌) ବୋଲି ଆକ୍ଷେପ କରିଥିଲେ। ଏଥିରେ ଆପତ୍ତି ଉଠାଇ ଅଦାଲତ ଜେଠାମାଳିନୀଙ୍କୁ ତାଙ୍କ ମହକିଲ ଏଭଳି ଶବ୍ଦ ବ୍ୟବହାର ପାଇଁ କହିଥିଲେ କି ବୋଲି ପ୍ରଶ୍ନ କରିଥିଲେ। କେଜ୍ରିଓ୍ଵାଲ୍‌ଙ୍କ ପରାମର୍ଶ କ୍ରମେ ସେ ସବୁ କଥା କହୁଛନ୍ତି ବୋଲି ଜେଠାମାଳିନୀ ଅଦାଲତକୁ ଜଣାଇଥିବା ବେଳେ କେଜ୍ରିଓ୍ଵାଲ୍‌ କିନ୍ତୁ ଏପରି ଆପତ୍ତିଜନକ ଶବ୍ଦ ବ୍ୟବହାର ପାଇଁ କହିନଥିବା ସ୍ପଷ୍ଟ କରିଥିଲେ। ଏହାଦ୍ୱାରା ଜେଠାମାଳିନୀ ମଧ୍ୟ ଏକପ୍ରକାର ଅପଦସ୍ଥ ହୋଇ କେଜ୍ରିଓ୍ଵାଲ୍‌ଙ୍କ ପାଇଁ ମାମଲା ଲଢ଼ିବାରୁ ବିରତ ହୋଇଥିଲେ।

Leave a Reply

Your email address will not be published. Required fields are marked *