ମାଆକୁ ହତ୍ୟା କରି ପୁଅ ଫେରାର

ଘଟଣା ଟି ଘଟିଛି ରାଉରକେଲା ସେକ୍ଟର୍‌ ୭ ଥାନା ଅନ୍ତର୍ଗତ ମହିମା ଆଶ୍ରମ ନିକଟବର୍ତ୍ତୀ ବିଦ୍ୟାନଗରୀ ବସ୍ତିରେ।

ଜଣେ ପୁଅ ତା’ର ମାଆକୁ ହତ୍ୟା କରିଥିବା କଥା ଅଭିଯୋଗ ହୋଇଛି। ହତ୍ୟାକାରୀ ପୁଅ ସନ୍ତୋଷ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଆଜି ସକାଳେ ବନ୍ଦ ହୋଇଥିବା ଘରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ବାସିନ୍ଦା ପୁଲିସରେ ଖବର ଦେଇଥିଲେ। ପୁଲିସ ଘର ଖୋଲି ଆନୁମାନିକ ୬୦ ବର୍ଷ ବୟସ୍କା ବୁଇ ପଞ୍ଚଭାୟାଙ୍କ ଗଳିତ ଶବ ଉଦ୍ଧାର କରିଛି।

ବୁଇଙ୍କର ସ୍ୱାମୀ ରାଉରକେଲା ଇସ୍ପାତ କାରଖାନାରେ କାମ କରି ୨୦୦୭ରେ ଅବସର ଗ୍ରହଣ କରିଥିଲେ। ୨୦୦୮ ତାଙ୍କର ଦେହାନ୍ତ ହୋଇ ଯାଇଥିଲା। ଆର୍‌ଏସ୍‌ପିରୁ ପାଇଥିବା ଅବସରକାଳୀନ ଅର୍ଥରୁ କିଛି ସେ ନିଜ ଝିଅମାନଙ୍କ ମଧ୍ୟରେ ବାଣ୍ଟି ଥିଲେ ଏବଂ ବାକି ଅର୍ଥ ନିଜ ପରିବାର ପାଇଁ ରଖିଥିଲେ। ସେ ମରିଯିବା ପରେ ଅର୍ଥ ବାଣ୍ଟକୁଣ୍ଟ ପାଇଁ ତାଙ୍କର ବଡ଼ପୁଅ ଚିତ୍ତରଞ୍ଜନ, ସାନପୁଅ ସନ୍ତୋଷ ଏବଂ ମାଆଙ୍କ ମଧ୍ୟରେ ବିବାଦ ଉପୁଜୁ ଥିଲା।

ଶନିବାର ସନ୍ଧ୍ୟାରେ ସନ୍ତୋଷ ସେହି ବସ୍ତିରେ ରହୁଥିବା ନିଜ ବଡ଼ଭଉଣୀ ସୁଶୀଳା କୁମ୍ଭାରଙ୍କ ସହ ମଧ୍ୟ ବାପାଙ୍କ ଠାରୁ ପାଇଥିବା ପଇସାପତ୍ର କଥା ନେଇ ଝଗଡ଼ା କରିଥିଲା। ଏହି କାରଣରୁ ସେ ସେଦିନ ମାଆକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ମାଆଙ୍କୁ ହତ୍ୟା କରାଯାଇଥିବା ଖବର ପାଇ ବଡ଼ପୁଅ ଚିତ୍ତରଞ୍ଜନ ମଧ୍ୟ ଘରେ ପହଞ୍ଚିଛି।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *