ଜିନ୍‌ପିଙ୍ଗ୍‌ ହେବେ ଚୀନ୍‌ ର ଆଜୀବନ ରାଷ୍ଟ୍ରପତି!

ବେଜିଂ : ଚୀନ୍‌ ସମ୍ବିଧାନରେ ଐତିହାସିକ ସଂଶୋଧନ ହୋଇଛି। ଜଣେ ବ୍ୟକ୍ତି ସର୍ବାଧିକ ଦୁଇଥର ରାଷ୍ଟ୍ରପତି ହୋଇପାରିବେ ବୋଲି ପୂର୍ବରୁ ଥିବା ନିୟମକୁ ହଟାଇ ଦିଆଯାଇଛି। ଫଳରେ ବର୍ତ୍ତମାନର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ(୬୪) ଜୀବିତ ଥିବା ଯାଏ ଏହି ପଦରେ ରହିବାର ବାଟ ଫିଟି ଯାଇଛି। ମାଓ ସେ ତୁଙ୍ଗ୍‌ଙ୍କ ପରେ ଜିନ୍‌ ପିଙ୍ଗ ଦେଶର ଦ୍ୱିତୀୟ ଶକ୍ତିଶାଳୀ ନେତା ଭାବେ ପରିଗଣିତ ହେବାକୁ ଯାଉଛନ୍ତି।

ମାଓ ସେ ତୁଙ୍ଗ ୧୯୬୬ରୁ ୧୯୭୬ ଯାଏଁ ଦେଶର ଶାସନ ଗାଦିରେ ବସିବା ପରେ ଏହି ପ୍ରଥାକୁ ରୋକିବା ପାଇଁ ୧୯୮୨ ମସିହାରେ ରାଷ୍ଟ୍ରପତି ଡେଙ୍ଗ ଜାଓପିଙ୍ଗ୍‌ ଏକ ବିଧେୟକ ପାରିତ କରି କୌଣସି ରାଷ୍ଟ୍ରପତି ଦୁଇଥରରୁ ଅଧିକ ସମୟ ପଦରେ ରହିପାରିବେନି ବୋଲି ସମ୍ବିଧାନ ସଂଶୋଧନ କରିଥିଲେ। ଗତ ବର୍ଷ ଜିନ୍‌ପିଙ୍ଗ୍‌ଙ୍କ ନିକଟତର ଓ୍ଵାଙ୍ଗ୍‌ କି ସାନ୍‌(୬୯) ବୟସାଧିକ୍ୟ କାରଣରୁ ଇସ୍ତଫା ଦେବା ପରେ ଚଳିତବର୍ଷ ପୁନର୍ବାର ତାଙ୍କୁ ସାଂସଦ ଭାବେ ନିର୍ବାଚିତ କରାଯାଇଛି। ତେବେ ଓ୍ଵାଙ୍ଗ୍‌ କି ସାନ୍‌ଙ୍କୁ ଦେଶର ଉପରାଷ୍ଟ୍ରପତି ଭାବେ ଘୋଷଣା କରାଯିବା ନେଇ କଳ୍ପନା ଜଳ୍ପନା ଚାଲିଛି।

ଜିନ୍‌ପିଙ୍ଗଙ୍କ କାର୍ଯ୍ୟକାଳ ୨୦୨୩ ମସିହାରେ ଶେଷ ହେବାକୁ ଥିବା ବେଳେ ଶାସକ କମ୍ୟୁନିଷ୍ଟ ପାର୍ଟି ସଂସଦରେ ଆଗତ ହୋଇଥିବା ସମ୍ବିଧାନ ସଂଶୋଧନ ବିଲକୁ ଆଜି ଗୃହୀତ କରାଇ ନେଇଛି। ଏଣିକି ଆଜୀବନ ରାଷ୍ଟ୍ରପତି ରହିବାରେ ଜିନ୍‌ପିଙ୍ଗ୍‌ଙ୍କ ପାଇଁ ଆଉ କୌଣସି ସମସ୍ୟା ନାହିଁ। ଏହି ସମ୍ବିଧାନ ସଂଶୋଧନ ପ୍ରକ୍ରିୟା ପାଇଁ ବିରୋଧୀମାନଙ୍କ ସ୍ୱରକୁ ଦବାଇବା ପାଇଁ ବ୍ୟାପକ ପ୍ରୟାସ ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ଏହି ପଦକ୍ଷେପ ବିରୋଧରେ ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ୨୦୧୨ରେ କମ୍ୟୁନିଷ୍ଟ ନେତା ଜିନ୍‌ପିଙ୍ଗ ପ୍ରଥମ ଥର ପାଇଁ ରାଷ୍ଟ୍ରପତିଭାବେ ନିର୍ବାଚିତ ହୋଇଥିଲେ। ଗତବର୍ଷ ଜିନ୍‌ପିଙ୍ଗଙ୍କ କାର୍ଯ୍ୟକାଳର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ତାଙ୍କୁ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିଲା।

 

Leave a Reply

Your email address will not be published. Required fields are marked *