ଏଣିକି ସହିଦ୍‌ ଯବାନଙ୍କ ପିଲାମାନଙ୍କର ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

 

ନୂଆଦିଲ୍ଲୀ: ଏଣିକି କେନ୍ଦ୍ର ସରକାର ସହିଦ୍‌ ଯବାନଙ୍କ ପିଲାମାନଙ୍କର ପାଠପଢ଼ାର ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିବେ। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ସହିଦ୍‌ ଯବାନଙ୍କ ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ବହନ କରୁଥିଲେ; ହେଲେ ପୂରା ଖର୍ଚ୍ଚ ବହନ କରୁ ନଥିଲେ। ଏବାବଦରେ ମାସିକ ମାତ୍ର ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରୁଥିଲେ ସରକାର ଏବଂ ଏହାକୁ ‘ଶିକ୍ଷା ରିହାତି’ ବୋଲି କୁହା ଯାଉଥିଲା।

ହେଲେ, ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତିରେ ସରକାର ଏହି ସିଲିଂକୁ ଉଠାଇ ଦେଇଛନ୍ତି। ଏଣିକି ସହିଦ୍‌ ଯବାନଙ୍କ ପିଲାମାନଙ୍କର ପାଠପଢ଼ା ବାବଦରେ ଯାହା ଯେତେ ପରିମାଣର ଖର୍ଚ୍ଚ ହେବ ସେ ସମସ୍ତ ଖର୍ଚ୍ଚକୁ କେନ୍ଦ୍ର ସରକାର ବହନ କରିବେ ବୋଲି କୁହାଯାଇଛି। ସଶସ୍ତ୍ର ବାହିନୀରେ କାର୍ଯ୍ୟରତ ଅଫିସର ର‍୍ୟାଙ୍କ୍‌ରୁ ତଳ ର‍୍ୟାଙ୍କ୍‌ରେ କାର୍ଯ୍ୟରତ ଯବାନ୍‌ମାନଙ୍କ ପିଲାମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁହେବ। କାର୍ଯ୍ୟରତ ଥିବା ସମୟରେ ସହିଦ୍‌ ହୋଇ ଯାଉଥିବା, ନିଖୋଜ ହୋଇ ଯାଉଥିବା ବା ଆଘାତପ୍ରାପ୍ତ ହୋଇ ଭିନ୍ନକ୍ଷମ ହୋଇ ପଡ଼ୁଥିବା ଯବାନ୍‌ମାନଙ୍କର ପିଲାମାନେ ଏହି ସୁବିଧା ଲାଭ କରି ପାରିବେ। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଦ୍ୱାରା ବର୍ତ୍ତମାନ ଦେଶରେ ଥିବା ୩,୪୦୦ ପିଲା ଉପକୃତ ହୋଇପାରିବେ ଏବଂ ଏବାବଦରେ ସରକାର ବାର୍ଷିକ ୫ କୋଟି ଟଙ୍କା ବ୍ୟୟ କରିବେ ବୋଲି ଜଣାପଡ଼ିଛି।

ତେବେ, ଏହି ସୁବିଧା କେବଳ ମାତ୍ର ସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ, ସୈନିକ ସ୍କୁଲ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତି ଓ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ, ସ୍ୱୟଂଶାସିତ ଶିକ୍ଷାନୁଷ୍ଠାନମାନଙ୍କରେ ଲାଗୁହେବ।

Leave a Reply

Your email address will not be published. Required fields are marked *