ଚିତ୍ରିତ ଅନ୍ଧାର

## ଚିତ୍ରିତ ଅନ୍ଧାର ##

ମୁଁ ଖୋଜୁଛି ମୋ ଚରିତ୍ରର
ଚିତ୍ରିତ ଅନ୍ଧାର
କେତେ ପାପ କେତେ ପୂଣ୍ୟ
ବୈଭବ ଓ ବୈରାଗ୍ୟ ର
ମିଶାଣ ଫେଡାଣ,
ପଳାଶ ବନେ ଖୋଜୁଛି
ବାସନାର ବିମୁଗ୍ଧ ଜୁଆର
ଜୁଆରରେ ମୋତି ଭର୍ତ୍ତି
ଶାମୁକାର ନିଶବ୍ଦ କମ୍ପନ ।।

ମୁଁ ଖୋଜୁଛି ମୋ ଛାଇରେ
ଆଲୁଅ କୁ ପିଠିକରି
ପାପାସକ୍ତ ପିଶାଚର ନିଷିକ୍ତ ନିଶାଣ ,
ନିଦ୍ରିତ ପୃଥିବୀର ଅବଚେତନରୁ
ଚୈତନ୍ୟର ଚମତ୍କାରୀ ଉପାଦାନ ମାନ ।।

ମାପୁଛି ମୁଁ ପାପ ଠାରୁ
ପୂଣ୍ୟ ର ଦୂରତ୍ବ
ପ୍ରଭେଦର ମିଛ ଶୂନ୍ୟ ସ୍ଥାନ,
ସବୁକିଛି ଆପେକ୍ଷିକ
ମନ୍ଦ ଶୂନ୍ୟ ମାଂଗଳିକ
ନିରପେକ୍ଷ ଆବେଗର ନିଭୃତ ସ୍ପନ୍ଦନ ।।

ପାପ ଏକ ନିଷ୍କରୁଣ ମନର ବିକାର ଅପ୍ରତ୍ୟୟ ଜୈବିକ ଯଂତ୍ରଣା,
ପୂଣ୍ୟ ଏକ ପ୍ରତ୍ୟୟର ବୌଦ୍ଧିକ ଦର୍ଶନ
କମନୀୟ ଶୁଦ୍ଧ ପ୍ରତାରଣା ।।

ଶ୍ରଦ୍ଧା ର ସହ
ଭକ୍ତ ଚରଣ ମଲ୍ଲ
ନେମ୍ବରା , କେନ୍ଦ୍ରାପଡା ।

Leave a Reply

Your email address will not be published. Required fields are marked *