ପାରିବାରିକ କଳହର ପରିଣତି, ପୁଅଝିଅଙ୍କୁ ମାରିବା ପରେ ମାଆ କଲା ଆତ୍ମହତ୍ୟା

ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ କପାଣି ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ପାରିବାରିକ କଳହରୁ ଜଣେ ମାଆ ନିଜର ୭ ବର୍ଷର ଝିଅ, ଅଢ଼େଇ ବର୍ଷର ପୁଅଙ୍କୁ ମାରି ଘରେ ଟାଙ୍ଗି ଦେବା ପରେ ନିଜେ ମଧ୍ୟ ବେକରେ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, କପାଣି ଗାଁର ଭୀକାରୀ ରଣା ପ୍ରାୟ ୮ ବର୍ଷ ତଳେ ତାଙ୍କ ମାମୁଁ ଝିଅ ସୁନତାକୁ ବିବାହ କରିଥିଲେ। ସେମାନଙ୍କ ଠାରୁ ୭ ବର୍ଷର ଝିଅ ଲିପ୍‌ସା ଓ ଅଢ଼େଇ ବର୍ଷର ପୁଅ ଲିକେଶ ଜନ୍ମ ନେଇଥିଲେ। ତେବେ ଆଜି ସକାଳୁ ଭିକାରୀ ରଣା କାଠ କାଟିବାକୁ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କ ମାଆ ଓ ଭଉଣୀ ମହୁଲ ଫୁଲ ତୋଳିବାକୁ ଚାଲିଯାଇଥିଲେ। ତେବେ କିଛି ସମୟ ପରେ ଗାଁର ଜଣେ ମହିଳା ଭିକାରୀଙ୍କ ଘରକୁ ଆସି ଦେଖିଥିଲେ ସେ ସୁନତା, ଲିପ୍‌ସା ଓ ଲିକେଶଙ୍କ ମୃତଦେହ ଘରେ ଝୁଲୁଛି। ଏ ନେଇ ଭିକାରୀଙ୍କୁ ଖବର ଦିଆଯିବାରୁ ଭିକାରୀ ଘରେ ପହଞ୍ଚି ନିଜ ଦୁଇ ପୁଅଝିଅଙ୍କ ସହିତ ସ୍ତ୍ରୀ ସୁନତାଙ୍କ ଝୁଲନ୍ତା ମୃତଦେହ ଦେଖି ହତବାକ ହୋଇଯାଇଥିଲେ। ଏ ନେଇ ଗ୍ରାମବାସୀ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହରୁ ସୁନତା ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ପୁଅଝିଅଙ୍କୁ ହତ୍ୟା କରି ଟାଙ୍ଗି ଦେବା ସହିତ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହଉଛି।

Leave a Reply

Your email address will not be published. Required fields are marked *