ସଲମାନଙ୍କୁ ୫ ବର୍ଷ ଜେଲ୍

 

ବଲିଉଡ୍ ଷ୍ଟାର ସଲମାନ ଖାନଙ୍କୁ ପାଞ୍ଚ ବର୍ଷ ଜେଲ୍। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ ସଲମାନଙ୍କୁ ପାଞ୍ଚ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସବୁ ଅଭିଯୁକ୍ତ ସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି।

୧୯୯୮ ମସିହା ଅକ୍ଟୋବର ୨ ତାରିଖରେ ଯୋଧପୁରରେ କୃଷ୍ଣସାର ମୃଗ ଶିକାର ହୋଇଥିଲା। ସଲମାନଙ୍କ ସମେତ ଅନ୍ୟ କଳାକାରମାନେ ହିନ୍ଦୀ ଫିଲ୍ମ ‘ହମ୍ ସାଥ ହେ’ର ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ନେଇ ଅଭିଯୋଗ ହୋଇଥିଲା

ଏହି କେସ୍‌ର ଯାଞ୍ଚ ଭାର ରାଜସ୍ଥାନର ପୂର୍ବତନ ବନ ବିଭାଗ ଅଧିକାରୀ ଲଲିତ୍ ବୋରାଙ୍କୁ ଦିଆଯାଇଥିଲା। ପ୍ରଥମେ ସେ ହିଁ ସଲମାନଙ୍କୁ ଫିଲ୍ମ ‘ହମ୍ ସାଥ ହେ’ର ସୁଟିଙ୍ଗ୍ ସେଟ୍‌ରୁ ଗିରଫ୍ କରିଥିଲେ। ପରେ ୨୦୦୨ ମସିହାରେ ସେ ବନ ବିଭାଗ କାର୍ଯ୍ୟ ଛାଡ଼ି ଦେଇଥିଲେ। ଏକ ଗଣମାଧ୍ୟମ ପତ୍ରିକାକୁ ସାକ୍ଷାତକାର ଦେଇ ସେ କହିଥିଲେ, ୧୯୯୮ ମସିହା ଅକ୍ଟୋବର୨ ତାରିଖ ଦିନ ଯୋଧପୁର ଜିଲ୍ଲାର ଗୁଡା ବିଶ୍ନୋଇ ଗାଁର ଲୋକମାନେ ବନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ୨ଟି କୃଷ୍ଣସାର ମୃଗ ଶିକାର କରାଯାଇଥିବା ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ପ୍ରଥମେ ସେମାନେ ଗୁଳିର ଶବ୍ଦ ଶୁଣିଥିଲେ। ପରେ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଦୁଇଟି କୃଷ୍ଣସାର ମୃଗ ମରି ପଡ଼ିଥିବା ଦେଖିଥିଲେ। ପରେ ସେମାନେ ସଲମାନଙ୍କ ଗାଡ଼ିର ପିଛା କରିଥିଲେ ହେଲେ ତାଙ୍କୁ ଧରିବାକୁ ସଫଳ ହୋଇ ନଥିଲେ। କିନ୍ତୁ ଗ୍ରାମବାସୀ ଗାଡ଼ି ନମ୍ବର ଟିପି ନେଇଥିଲେ। ଏହି ଗାଡ଼ି ନମ୍ବରରୁ ଗାଡ଼ି ମାଲିକଙ୍କ ଠିକଣା ମିଳିଥିଲା। ସେ କହିଥିଲେ ଯେ ସେ ଗାଡ଼ି ସୁଟିଂ ପାଇଁ ଭଡ଼ାରେ ଦେଇଥିଲେ। ପରେ ମାଲିକଙ୍କ ମାଧ୍ୟମରେ ଗାଡ଼ି ଚାଳକ ‘ହରିଶ ଦୁଲାନୀ’ଙ୍କର ମଧ୍ୟ ଠିକଣା ମିଳିଥିଲା। ପଚରା ଉଚରା କଲାପରେ ସେ ବୟାନ ଦେଇଥିଲେ ଯେ ସଲମାନ ଓ ସୈଫ୍ ଗାଡ଼ିର ଆଗ ସିଟ୍‌ରେ ବସିଥିଲେ। ପଛ ସିଟ୍‌ରେ ବସିତିଲେ ତବୁ, ସୋନାଲି ବେନ୍ଦ୍ରେ ଓ ନିଲମ୍। ଜଙ୍ଗଲୀ ପଶୁଙ୍କ ଶିକାର କରିବା ସମୟରେ ସଲମାନ ଯେତେବେଳେ ବିଫଳ ହେଉଥିଲେ, ସୈଫ୍ ତାଙ୍କୁ ଫୋକସ୍ କରିବାକୁ କହୁଥିଲେ। ଦୁଲାନୀଙ୍କ ଏହି ବୟାନ ଆଧାରରେ ସଲମାନଙ୍କୁ ସୁଟିଙ୍ଗ୍ ସେଟ୍‌ରୁ ଆରେଷ୍ଟ କରାଯାଇଥିଲା।

Leave a Reply

Your email address will not be published. Required fields are marked *