​ଲୁଲୁ ଏବଂ ପ୍ରତାପଙ୍କ ସମଦଶା! ଚକ୍ରାନ୍ତ କାହାର?

ଭୁବନେଶ୍ୱର(ଦେବଦତ୍ତ ରଥ): ସାଂପ୍ରତିକ ଓଡିଶା ରାଜନୈତିକ ଘଟଣାକୁ ଦେଖିଲେ କଂଗ୍ରେସର ଦିବ୍ୟଂଗତ ନେତା ଲୁଲୁ ମହାପାତ୍ରଙ୍କ ପରି ବିଜେପି ନେତା ପ୍ରତାପ ଷଢଙ୍ଗୀ ସମଦଶା ଭୋଗୁଥିବା ପରି ଅନୁଭବ ହେଉଛି।ଉଭୟଙ୍କ ନାମ ନିଜ ନିଜ ଦଳରେ ସଭାପତି ପାଇଁ ଚର୍ଚ୍ଚା ହୋଇଛି,ତୃଣମୂଳ ସଙ୍ଗଠନ ଚାହିଁଛି କିନ୍ତୁ ଶେଷ ସମୟରେ ବାତିଲ ହୋଇଛି।କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ନାମ ପ୍ରଦେଶ କଂଗ୍ରେସ ସଭାପତି ପାଇଁ ଆଲୋଚନା ଆଲୋଚନା ଭିତରେ ରହି ଯାଇଛି ଏବଂ ଏଭିତରେ ସେ ଏବେ ସ୍ୱର୍ଗଗାମୀ ହୋଇ ସାରିଛନ୍ତି।ଏବଂ ପ୍ରତାପଙ୍କ ନାମ ଏବେ ବିଜେପିରେ ଚର୍ଚ୍ଚାରେ ରହିଛି।
    ଲୁଲୁ ମହାପାତ୍ର ଜଣେ ଦକ୍ଷ ସଙ୍ଗଠକ ଥିଲେ।ଯୁବ ତଥା ଛାତ୍ର କଂଗ୍ରେସକୁ ସେ ସଙ୍ଗଠିତ କରି ରଖିଥିଲେ।ଦାୟିତ୍ୱରେ ଥିଲା ବେଳେ ଯୁବ ଏବଂ ଛାତ୍ର କଂଗ୍ରେସ ଯେପରି ତାଙ୍କ ନିୟନ୍ତ୍ରଣରେ ଥିଲା ଦାୟିତ୍ୱ ପରେ ମଧ୍ୟ ସେହିପରି ଥିଲା।ବୋଧହୁଏ ସେ ଓଡିଶା ରାଜନୀତିର ଏପରି ଏକ ନେତା ଥିଲେ ଯିଏ ରାଜ୍ୟର କୋଣ ଅନୁକୋଣରେ ଥିବା କଲେଜ ଗୁଡିକର ଛାତ୍ର ସଂସଦ ନିର୍ବାଚନ ଗୁଡିକୁ କଣ୍ଟ୍ରୋଲ କରୁଥିଲେ।ସାରା ରାଜ୍ୟର ଛାତ୍ର,ଯୁବ କଂଗ୍ରେସ ନେତା ମାନେ ଲୁଲୁଙ୍କ ସହ ସିଧା ସଳଖ ସଂପର୍କରେ ରହୁଥିଲେ।କଂଗ୍ରେସର ଅନେକ ବରିଷ୍ଠ ନେତା ମଧ୍ୟ ଲୁଲୁଙ୍କୁ ଖୁବ୍ ଗୁରୁତ୍ୱ ଦେଉଥିଲେ।କେବଳ ନିଜ ନିର୍ବାଚନୀ ମଣ୍ଡଳୀ ବ୍ରହ୍ମଗିରିରୁ ନୁହେଁ ସାରା ଓଡ଼ିଶାର ଅନେକ ଯୁବ/ଛାତ୍ର ନେତା ନିଜ ସମସ୍ୟା ନେଇ ଲୁଲୁଙ୍କ ପାଖକୁ ଆସୁଥିଲେ।ବାଣୀ ବିହାର ଛାତ୍ର ସଂସଦ ନିର୍ବାଚନ ସମେତ ଅନେକ କଲେଜରେ ଲୁଲୁଙ୍କ ପରୋକ୍ଷ ସମର୍ଥନରେ ଛାତ୍ର କଂଗ୍ରେସ ବିଜୁ ଛାତ୍ର ଜନତା ଦଳକୁ ପାଣି ପିଆଇ ଦେଇଥିବାର ଦେଖା ଯାଇଛି।ତୃଣମୂଳ ସ୍ତରରେ କଂଗ୍ରେସ ସଙ୍ଗଠନ ଲୁଲୁଙ୍କୁ ସଭାପତି ଭାବରେ ଚାହୁଁଥିଲେ।ଲୁଲୁ ହିଁ ନବୀନଙ୍କୁ ଚେକ୍ ଦେଇ ପାରିବେ ବୋଲି ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ମାନେ ମନେ କରୁଥିଲେ।କିନ୍ତୁ ସେପରି କିଛି ହେଲା ନାହିଁ।ତୃଣମୂଳ ସ୍ତରର ମତାମତକୁ କଂଗ୍ରେସ ଅଣଦେଖା କଲା।ଏପରିକି ଲୁଲୁଙ୍କୁ ଅବହେଳା କରାଯିବା,ଉଚିତ୍ ସମ୍ନାନ ନମିଳିବା ନେଇ ଅଭିଯୋଗ ମଧ୍ୟ ଉଠିଲା।ଏବଂ କଂଗ୍ରେସର ଏକ ଗୋଷ୍ଠି ତାଙ୍କୁ ସଭାପତି କରାଇ ଦେଲେ ନାହିଁ।ତେବେ ସେ ସମୟରେ ନବୀନଙ୍କ ଇଙ୍ଗିତରେ କଂଗ୍ରେସ ସଭାପତି ଚୟନ ହେବା କଥା ଉଠିଲା।ଏବଂ ଯେହେତୁ ପ୍ୟାରୀ ମହାପାତ୍ର ସେତେବେଳେ ନବୀନଙ୍କ ପରାମର୍ଶଦାତା ଥିଲେ ତେଣୁ କଥା ପ୍ୟାରୀଙ୍କ ଦିମାଗକୁ ଇଶାରା କରୁଥିଲା।

    ସେହି ସମ ପରିସ୍ଥିତି ଆଜି ବିଜେପିର ପ୍ରତାପ ଷଢ଼ଙ୍ଗୀଙ୍କ କ୍ଷେତ୍ରରେ।ରାଜ୍ୟ ବିଜେପିରେ ସଭାପତି ପରିବର୍ତ୍ତନ କଥା ଉଠୁଛି।ଏବଂ ଏଥିରେ ସର୍ବାଗ୍ରେ ପ୍ରତାପ ଷଢ଼ଙ୍ଗୀଙ୍କ ନାମ ଆଲୋଚନା ହେଉଛି।ସଂଘ ଏବଂ ତୃଣମୂଳ ସଙ୍ଗଠନ ମଧ୍ୟ ପ୍ରତାପ ଷଢ଼ଙ୍ଗୀଙ୍କୁ ସଭାପତି ରୂପେ ଦେଖିବାକୁ ଚାହୁଁଥିବା ଜଣାପଡ଼ୁଛି।କିନ୍ତୁ ଘୋଷଣା ହେଇ ପାରୁନି।ରାଜ୍ୟ ବିଜେପିରେ ଗାଦି ମାଡି ବସିଥିବା ଏକ କ୍ଷମତାଶାଳୀ ଗୋଷ୍ଠି ପ୍ରତାପଙ୍କୁ ଯେ କୌଣସି ପରିସ୍ଥିତରେ ସଭାପତି ନକରାଇ ଦେବା ପ୍ରୟାସରେ ରହିଥିବା ଆଲୋଚନା ହେଉଛି।ପ୍ରତାପ ଷଢ଼ଙ୍ଗୀ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଜଣେ ସ୍ୱୟଂ ସେବକ ।ସେ ରାଜ୍ୟ ବଜରଙ୍ଗ ଦଳ ସଂଯୋଜକ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି।।ବିଜେଡିର ପତିଆରା ଭିତରେ ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ବିଧାୟକ ନିର୍ବାଚିତ ହୋଇ ପାରିଛନ୍ତି।ସାରା ରାଜ୍ୟରେ ତାଙ୍କ ସମର୍ଥନରେ ତୃଣମୂଳ ସଙ୍ଗଠନ ରହିଛି।ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରତାପଙ୍କ ପ୍ରତି ଦୃଢ଼ ସମର୍ଥନ ରହିଛି।କିନ୍ତୁ ଘୋଷଣା ହୋଇପାରୁ ନାହିଁ।ଗତ ଥର ମଧ୍ୟ ପ୍ରତାପଙ୍କ ନାମ ସଭାପତି ଭାବରେ ଶୁଣା ଯାଉଥିଲା ବେଳେ ଶେଷ ସମୟରେ ବାତିଲ ହୋଇଗଲା।ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଲୁଲୁ ଏବଂ ପ୍ରତାପ ନିଜ ନିଜ ଦଳରେ ତୃଣମୂଳ ସ୍ତରରୁ ଦାବିଦାର ତେବେ ସଭାପତି ହେବାରେ ଅସୁବିଧା ରହୁଛି କେଉଁଠି?କଂଗ୍ରେସ ହେଉ ଅବା ବିଜେପି, ଦଳ ଭିତରେ କେଉଁ ସେହି ସ୍ୱାର୍ଥବାଦୀ ଗୋଷ୍ଠି ଏବଂ କ’ଣ ପାଇଁ ତୃଣମୂଳ ସ୍ତରର ଚିନ୍ତାଧାରାକୁ ଅଣଦେଖା କରୁଛନ୍ତି?ସେବେ କଂଗ୍ରେସ ସଭାପତି ଚୟନ ନବୀନଙ୍କ ସହମତି ବିନା ନହେଉଥିବା କଥା ଉଠିବା ପରି ଏବେ ଆଉ ଏକଥା ବିଜେପିରେ ଉଠିବନି ତ’?ସେବେ ତ’ ପରାମର୍ଶଦାତା ପ୍ୟାରୀ ଥିଲେ କିନ୍ତୁ ଏବେ କ’ଣ ଆକ୍ଷେପ ପାଣ୍ଡିଆନଙ୍କୁ କରାଯିବ?

Leave a Reply

Your email address will not be published. Required fields are marked *