ବିଜେପି ନେତୃତ୍ୱ ପରିବର୍ତ୍ତନରେ ଉପୁଜୁଛି ବାଧା! ପଲା ପଲଟି ଯାଇପାରେ

ଭୁବନେଶ୍ୱର(ଦେବଦତ୍ତ ରଥ):ଓଡିଶା ବିଜେପିରେ ନେତୃତ୍ୱ ପରିବର୍ତ୍ତନ ନେଇ ଏବେ କିଛି ଦିନ ହେଲା ଆଲୋଚନା ଚାଲିଛି।ଏବଂ ଅଚାନକ ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ହେବା ପରେ ଏହି ଆଲୋଚନା ଏବେ ଆହୁରି ଜୋର ଧରିଛି।କିନ୍ତୁ ଏ ଭିତରେ ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂ ଏପରି କିଛି ପରିବର୍ତ୍ତନ ହେଉଥିବା କଥାକୁ ଖଣ୍ଡନ କରିଛନ୍ତି। ଓଡିଶା ପ୍ରଭାରୀ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କଥାକୁ ଖଣ୍ଡନ କରିଥିଲେ ମଧ୍ୟ ନେତୃତ୍ୱ ଯେ ପରିବର୍ତ୍ତନ ହେବାକୁ ଯାଉଛି ନେଇ ଦଳ ଭିତରେ ଆଲୋଚନା ଜାରି ରହିଛି।କେବଳ ଯେ ନେତୃତ୍ୱ ନୁହେଁ ରାଜ୍ୟ ବିଜେପିରେ ଏକ ଆମୂଳଚୂଳ ପରିବର୍ତ୍ତନ ହେବାକୁ ଯାଉଛି ନେଇ ଆଲୋଚନା ହେଉଛି।ପରିବର୍ତ୍ତନ କଥାକୁ ଅସ୍ବୀକାର କରୁଥିବା ପ୍ରଭାରୀ ଖୋଦ ଅରୁଣ ସିଂ ମଧ୍ୟ ସେ ପରିବର୍ତ୍ତନ ସୂଚୀରେ ଥିବା କୁହାଯାଉଛି। ଏକଦା ଗୁଜୁରାଟ ପରେ ଓଡିଶାକୁ ବିଜେପିର ପ୍ରୟୋଗଶାଳା ବୋଲି କୁହା ଯାଉଥିଲା।ସଂଘ ଏବଂ ବିଜେପି କେନ୍ଦ୍ରୀୟ ସଙ୍ଗଠନ ଓଡିଶାରୁ ବେଶୀ କିଛି ଆଶା ରଖିଥିଲା।କିନ୍ତୁ ନିରାଶା ହେଲା।ବିଶେଷତଃ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ ଓଡିଶା ବିଜେପି ନିଜର ନିଜତ୍ବ ହରାଇ ବସିଲା।କ୍ଷମତା ଲୋଭରେ ରାଜ୍ୟ ବିଜେପିର ନେତା ମାନେ ମେଣ୍ଟ ଭାଙ୍ଗିଲେ ନାହିଁ।କିନ୍ତୁ ପରବର୍ତ୍ତୀ ନିର୍ବାଚନ ବେଳକୁ ବିଜେଡି ବିଜେପିକୁ ଧକ୍କା ମାରି ମେଣ୍ଟ ଭାଙ୍ଗିଲା।ବିଜେପି ବାରମ୍ଭାର ସଲାସୁତୁରା ପାଇଁ ଚାହିଁ ଚନ୍ଦନ ମିତ୍ରଙ୍କୁ ପଠାଇଥିବା ବେଳେ ବିଜେଡି ତାଙ୍କୁ ଅପମାନିତ କରି ଫେରାଇଲା।ଏବଂ ଏହା ପରେ ନିର୍ବାଚନରେ ବିଜେଡି ଅଧିକ ସଫଳତା ପାଇ ସରକାର ଗଢିଲା।କୁହାଯାଏ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ନେଇ ଓଡ଼ିଶାରେ ଯେଉଁ ଆକ୍ରୋଶ ଦେଖାଯାଇଥିଲା ଯଦି ସେ ସମୟରେ ବିଜେପି ନେତା ମାନେ ନିଜ ଆଡୁ ମେଣ୍ଟ ଭାଙ୍ଗି ଇସ୍ତଫା ଦେଇ ଥାଆନ୍ତେ,ତେବେ ହୁଏତ ଓଡିଶା ଗୈରିକକରଣ ହୋଇଯାଇ ଥାଆନ୍ତା।କିନ୍ତୁ ବିଜେପିର କ୍ଷମତା ଲୋଭୀ ନେତା ମାନେ ଓଡିଶାରେ ବିଜେପି ପ୍ରତି ଏକ ନକରାତ୍ମକ ମନୋଭାବ ସୃଷ୍ଟି କରାଇଲେ।ଏଣେ ବିଜେପି ସାଂପ୍ରଦାୟିକ ଦଳ ବୋଲି ବିଜେଡି ପ୍ରଚାର କରାଇଲା ତେଣେ ବିଜେପି ନେତା ମାନେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ପ୍ରତି ବିଶ୍ଵାସଘାତ କଲେ ବୋଲି ଏକ ଧାରଣା ସୃଷ୍ଟି ହେଲା।

ଏହାକୁ ସବୁ ଦେଖି ବୋଧେ କେନ୍ଦ୍ର ନେତୃତ୍ୱ ଓଡିଶା ବିଜେପିର ପାରିବା ପଣିଆ ଜାଣି ସାରିଥିଲା।ସେଥିପାଇଁ ବୋଧହୁଏ ଚନ୍ଦନ ମିତ୍ରଙ୍କୁ ଦୂତ ଭାବରେ ପଠାଇବା ସହ ମେଣ୍ଟ ପାଇଁ ବାରମ୍ବାର ଚେଷ୍ଟା କରିଥିଲା।ଏ ଭିତରେ ୨୦୧୪ ନିର୍ବାଚନରେ ବିଜେପି ସଫଳତା ପାଇଲା।କିନ୍ତୁ ଓଡିଶା ବିଜେପି ପୁଣି ଫେଲ ହେଲା।ବିଧାୟକ କଥା ଛାଡ଼ନ୍ତୁ କଷ୍ଟେ ମଷ୍ଟେ ମାତ୍ର ଗୋଟିଏ ସାଂସଦ ଜିତି ପାରିଲା।ତଥାପି ମୋଦୀ ବଦାନ୍ୟତା ଦେଖାଇ ଦୁଇ ଜଣଙ୍କୁ ମନ୍ତ୍ରୀ କରାଇଲେ।ଆଗକୁ ଓଡ଼ିଶାରୁ କିଛି ଆଶା ରଖିଥିଲେ।କିନ୍ତୁ ଫଳ ଓଲଟା ହେଲା।ଦୁଇ ମନ୍ତ୍ରୀ ମଧ୍ୟରୁ ଧର୍ମେନ୍ଦ୍ର ନିଜକୁ ମୋଦୀ,ଅମିତ ଶାହାଙ୍କ ପାଖ ଲୋକ ଦେଖାଇ ଧୀରେ ଧୀରେ ଓଡିଶା ସଙ୍ଗଠନକୁ ନିଜ ନିୟନ୍ତ୍ରଣକୁ ଆଣିଲେ।ବସନ୍ତ ପଣ୍ଡା ସିନା ସଭାପତି ହେଲେ,କିନ୍ତୁ ନାମକୁ ମାତ୍ର।ସବୁ ଧର୍ମେନ୍ଦ୍ରଙ୍କ ଇଶାରାରେ ଚାଲିଲା।ଦଳରେ ବିଭିର୍ଣ୍ଣ ମୋର୍ଚ୍ଚା ଏବଂ ଅନ୍ୟ ସଙ୍ଗଠନ ଦାୟିତ୍ୱ ଗୁଡିକରେ ନିଜ ଲୋକଙ୍କୁ ଧର୍ମେନ୍ଦ୍ର ରଖାଇଲେ।ଅମିତ ଶାହା ସିନା ଆସି ମିଶନ-୧୨୦ କଥା କହିଲେ କିନ୍ତୁ ଧର୍ମେନ୍ଦ୍ର ଏବଂ ତାଙ୍କ ଗୋଷ୍ଠି ମିଶନ ୧୨୦ ବଦଳରେ ମିଶନ-ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପାଇଁ କାମ କରିଲେ।କେବଳ ଧର୍ମେନ୍ଦ୍ରଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ ପ୍ରଚାର କରାଇଲେ।ଏପରିକି ଏଥିପାଇଁ ଅନ୍ୟତମ ମନ୍ତ୍ରୀ ତଥା ଏକ ମାତ୍ର ନିର୍ବାଚିତ ସାଂସଦ ଜୁଏଲ ଓରାମଙ୍କୁ ଅଣଦେଖା କଲେ।ସାଙ୍ଗଠନିକ ତଥା ବିଭିର୍ଣ୍ଣ ମୋର୍ଚ୍ଚା ଦାୟିତ୍ୱରେ ଥିବା ନେତା ସେମାନଙ୍କ ପୋଷ୍ଟର/ପୋଷ୍ଟରେ କେବଳ ଧର୍ମେନ୍ଦ୍ରଙ୍କୁ ବଡ଼ କରି ଦେଖାଇଲେ।କେନ୍ଦ୍ରରେ ନରେନ୍ଦ୍ର,ୟୁପିରେ ଯୋଗେନ୍ଦ୍ର,ରାଜ୍ୟରେ ଧର୍ମେନ୍ଦ୍ର ବୋଲି ‘ନ୍ଦ୍ର’ କୁ ନେଇ ଏକ ହାସ୍ୟାସ୍ପଦ ସ୍ଲୋଗାନ ଆରମ୍ଭ କଲେ।କଂଗ୍ରେସର ଦୁର୍ବଳ ସ୍ଥିତିରୁ ଜିଲ୍ଲା ପରିଷଦ ନିର୍ବାଚନରେ କିଛିଟା ସଫଳତା ପାଇ ବିଜେପି ନିଜକୁ ନିଜେ ପ୍ରଶଂସା କଲା।ଏବଂ ଏହାର ସବୁ ଶ୍ରେୟ ଧର୍ମେନ୍ଦ୍ରଙ୍କୁ ଦେଲା। ବିଜେପୁର ନିର୍ବାଚନ ମଧ୍ୟ ଧର୍ମେନ୍ଦ୍ର ପୁରା ନିୟନ୍ତ୍ରଣ କରୁଥିଲେ।ଏବଂ ବିଫଳ ହେଲେ।କିନ୍ତୁ ବିଫଳତାର ଦୋଷ ଆଉ ମୁଣ୍ଡକୁ ନେଲେ ନାହିଁ।ଦିଲ୍ଲୀ ଚାଲିଗଲେ।ଏହାପରେ ପୁଣି ଏବେ ଅମିତ ଶାହା ଆସି ମିଶନ ୧୨୦ କଥା କହୁଥିବା ବେଳେ ତେଣେ ପୌର ନିର୍ବାଚନରେ ବିଜେପି ମାତ୍ର ଗୋଟିଏ ଜିତି ପାରିଲା। ଅନ୍ୟାନ୍ୟ ରାଜ୍ୟରେ ବିଜେପିର ସଫଳତାକୁ ଦେଖିଲେ ଜଣାପଡେ ମଜଭୁତ ସଙ୍ଗଠନ ଏବଂ ମୋଦୀଙ୍କ ଚେହେରା ହିଁ ସଫଳତା ଦେଇଛି।ତେଣୁ ପ୍ରାୟ ପ୍ରତ୍ୟକ ସ୍ଥାନରେ କାହାରିକୁ ସ୍ଥାନୀୟ ଚେହେରା କରାଯାଉ ନାହିଁ।କିନ୍ତୁ ସେଥିରୁ ଓଡିଶା ବ୍ୟତିକ୍ରମ।ଓଡିଶା ବୋଧେ ଏପରି ଏକ ରାଜ୍ୟ ଯେଉଁଠି ବିଜେପିର କିଛି ଗୋଷ୍ଠି ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଚାର କରାଉଛନ୍ତି। ତେବେ ଏ ଭିତରେ ଓଡିଶା ବିଜେପିରେ ଏବେ ନେତୃତ୍ୱ ପରିବର୍ତ୍ତନ କଥା ଉଠୁଛି।ଏବଂ ଏହା ସାଙ୍ଗେ ଦଳରେ ଆମୁଳଚୁଳ ପରିବର୍ତ୍ତନ କଥା ମଧ୍ୟ ଉଠୁଛି।ସଭାପତି ଭାବରେ ପ୍ରତାପ ଷଢଙ୍ଗୀଙ୍କୁ ସଂଘ ଏବଂ ତୃଣମୂଳ ସଙ୍ଗଠନ ଚାହୁଁଛି।କିନ୍ତୁ ଧର୍ମେନ୍ଦ୍ର ଏବଂ ତାଙ୍କ ଗୋଷ୍ଠି ନିଜ ସମର୍ଥିତ ଜଣେ ନେତାଙ୍କୁ ସଭାପତି କରାଇବାକୁ ଚାହୁଁଛନ୍ତି।କିନ୍ତୁ ଏହାର ମାନେ କିଛି ନାହିଁ।କଥା ଯେସାକୁ ତେସା ରହିବ।ସେହିପରି ଗୋଷ୍ଠିବାଦ,ଆତ୍ମପ୍ରଚାର ଚାଲୁ ରହିବ।ଏବଂ ମିଶନ ୧୨୦ର ସ୍ୱପ୍ନ ସ୍ୱପ୍ନରେ ରହିଯିବ।

ଅବଶ୍ୟ ଏସବୁ ଆଲୋଚନା ପରେ ରାଜ୍ୟ ବିଜେପି ନେତାଙ୍କ ଭିତରେ ଏକ ପରିବର୍ତ୍ତନ ଦେଖା ଦେଇଛି।ଅନେକ ଏବେ ଟିକେ ସତର୍କ ହୋଇ ଚଳୁଛନ୍ତି।ଧର୍ମେନ୍ଦ୍ରଙ୍କୁ ଏକ ମାତ୍ର ନେତା ଭାବରେ ଚିତ୍ରଣ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଏହି ଗୋଷ୍ଠି ଏବେ ଟିକେ ଜଗି ରଖି ପୋଷ୍ଟ କରୁଥିବା ଦେଖା ଯାଉଛି।ଅବଶ୍ୟ କେତେଜଣ ଏବେ ବି ନିଜର ସ୍ଵଭାବ ଛାଡି ପାରୁ ନାହାଁନ୍ତି।ତେବେ ଏ ଭିତରେ ସଭାପତି ପରିବର୍ତ୍ତନ ଏବଂ ଘୋଷଣା ବିଳମ୍ବ ହେଉଛି।ପ୍ରତାପ ଷଢଙ୍ଗୀଙ୍କୁ ଯେ କୌଣସି ପରିସ୍ଥିରେ ସଭାପତି କରାଇଦେବାକୁ ରାଜ୍ୟ ବିଜେପିର ସେହି ପ୍ରଭାବଶାଳୀ ଗୋଷ୍ଠି ଚାହୁଁ ନାହାଁନ୍ତି।କାରଣ ବାସ୍ତବରେ ସେମାନେ ନିଜର ଅସ୍ତିତ୍ୱକୁ ନେଇ ସନ୍ଦିହାନ ହୋଇ ପଡିଛନ୍ତି।ତେଣୁ ଏହି ପ୍ରଭାବଶାଳୀ ଗୋଷ୍ଠୀର ବିରୋଧ ଭିତରେ ବୋଧେ ସଭାପତି ପରିବର୍ତ୍ତନ ବିଳମ୍ବ ହେଉଛି। କେହି କେହି କହୁଛନ୍ତି ଯେ ପ୍ରତାପ ସମସ୍ତଙ୍କୁ ନେଇ ସାଙ୍ଗରେ ଯାଇ ପାରିବେ ନାହିଁ।ଏବଂ ଓଡିଶା ବିଜେପିରେ ଧର୍ମେନ୍ଦ୍ର ଏବଂ ତାଙ୍କ ଗୋଷ୍ଠୀର ଏକ ବଡ଼ ପ୍ରଭାବ ରହିଛି।ଏବଂ ବିଜେପିର ବଡ଼ ଗୋଷ୍ଠିଟି ଧର୍ମେନ୍ଦ୍ରଙ୍କ ସପକ୍ଷରେ ଅଛି।ତେଣୁ ଧର୍ମେନ୍ଦ୍ରଙ୍କୁ ଅସନ୍ତୁଷ୍ଟ କରି ପ୍ରତାପଙ୍କୁ ସଭାପତି କରିବା ଦଳ ପାଇଁ ଘାତକ ହେବ।କିନ୍ତୁ ଏପରି ମତ ରଖୁଥିବା ନେତା ମାନେ ବୋଧେ ସଂଘ ଏବଂ ବିଜେପିକୁ ଭଲ ଭାବରେ ଜାଣିପାରି ନାହାଁନ୍ତି।ବାଜପେୟୀଙ୍କ ପରେ ଦିନେ ଆଡ଼ଭାନୀଙ୍କ ହାତରେ ସଂପୂର୍ଣ୍ଣ କ୍ଷମତା ଥିଲା।ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ି ବିଜେପି ବିଫଳ ହେଲା।ଏବଂ ଏହାପରେ ତୃଣମୂଳ ସ୍ତରରୁ ମୋଦୀଙ୍କ ସପକ୍ଷରେ ଜନମତ ସୃଷ୍ଟି ହେଲା।ସଂଘ ମଧ୍ୟ ମୋଦୀଙ୍କୁ ଚାହୁଁଥିଲା।

କିନ୍ତୁ ଆଡ଼ଭାନୀଙ୍କ ସପକ୍ଷରେ ଦଳ ଭିତରେ ଏକ ଶକ୍ତିଶାଳୀ ଗୋଷ୍ଠି ରହିଥିଲେ।ନିଜେ ଧର୍ମେନ୍ଦ୍ର ମଧ୍ୟ ଆଡ଼ଭାନୀଙ୍କ ଗୋଷ୍ଠୀରେ ଥିଲା ପରି ଜଣା ପଡୁଥିଲା।ବରଂ ବିହାର ବିଜେପି ପ୍ରଥମେ ମୋଦୀଙ୍କ ସମର୍ଥନରେ ଆସିଥିଲା।ନୀତିଶ କେବଳ ମୋଦୀଙ୍କୁ ହିଁ ବିରୋଧ କରି ମେଣ୍ଟରୁ ଓହରିଲେ।ଦେଖିବାକୁ ଗଲେ ସଂଘ ଏବଂ ତୃଣମୂଳ ସଙ୍ଗଠନ ମୋଦୀଙ୍କୁ ଚାହୁଁଥିଲା।କିନ୍ତୁ ବିଜେପିର କିଛି ପ୍ରଭାବୀ ନେତା ଆଡ଼ଭାନୀଙ୍କୁ ଚାହୁଁଥିଲେ।ଏତେ ବିରୋଧ ଭିତରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରାଗଲା।ଏବଂ ଧର୍ମେନ୍ଦ୍ରଙ୍କ ସମେତ ପ୍ରାୟ ସମସ୍ତ ନେତା ପଟ ପରିବର୍ତ୍ତନ କଲେ।ସଙ୍ଗଠନ ସାଙ୍ଗରେ ରହିଲେ।ବିଜେପିର ବିଜୟ ହେଲା।ଠିକ୍ ସେହି ପ୍ରକ୍ରିୟା ଓଡ଼ିଶା ପାଇଁ ମଧ୍ୟ ପ୍ରଯୁଜ୍ୟ। ଥରେ ସଭାପତି ଘୋଷଣା ହୋଇଯିବା ପରେ ଗୋଷ୍ଠିବାଦ ଭିତରେ ଥିବା ଦଳର ଅନେକ ନେତା ପଟ ପରିବର୍ତ୍ତନ କରି ସଙ୍ଗଠନ ସାଙ୍ଗକୁ ଚାଲି ଆସିବେ।ଏବଂ କେନ୍ଦ୍ର ବିଜେପି ପରି ଓଡିଶା ବିଜେପିକୁ ସଫଳତା ମିଳିବା ନେଇ ଆଶା କରାଯାଇ ପାରିବ।

Leave a Reply

Your email address will not be published. Required fields are marked *