ସ୍ମାର୍ଟ ସିଟି ନଂ-୧,ପ୍ରଶାସକ ନଂ-୧ ବମୀଖାଲ ନମ୍ବର-୨

ଭୁବନେଶ୍ୱର(ଦେବଦତ୍ତ ରଥ):ସ୍ମାର୍ଟ ସିଟିରେ ନମ୍ବର ୧,ପ୍ରଶାସକ ମଧ୍ୟ ନମ୍ବର ୧,କିନ୍ତୁ ଘଟିଯାଇଛି ବମୀଖାଲ ନମ୍ବର ୨।୮ମାସ ପରେ ବମୀଖାଲ ଓଭରବ୍ରିଜ ନିକଟରେ ଦୁତୀୟ ଥର ପାଇଁ ଦୁର୍ଘଟଣା ଘଟିଛି।ଏଥିରେ କାର୍ଯ୍ୟରତ ଜଣେ ଶ୍ରମିକର ମୃତ୍ୟୁ ଘଟିଛି।ମୃତ ଶ୍ରମିକ ସୁନ୍ଦରଗଡ ଲାଠିକଟା ଅଞ୍ଚଳର ଅଜୟ ଭୁମିଚ(୩୮) ବୋଲି ଜଣା ପଡ଼ିଛି।ଅନ୍ୟ ଦୁଇ ଜଣ ଶ୍ରମିକ ସୁନ୍ଦରଗଡ଼ ଦେଓଗାଁ ଅଞ୍ଚଳର ଆନନ୍ଦ କୁମାର ନାୟକ ଏବଂ ଅଜୟ କୁମାର ନାୟକ ଗୁରୁତ୍ୱର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ରାତି ପ୍ରାୟ ୯ଟା ୪୫ ସମୟରେ ବମୀଖାଲ ଓଭରବ୍ରିଜର ସନ୍ତୋଷୀ ମା’ ମନ୍ଦିର ସମ୍ମୁଖ ରିଟେନ ୱାଲ ନିର୍ମାଣ ବେଳେ ଏହି ଦୁର୍ଘଟଣା ଘଟିଛି।ରିଟେନ ୱାଲ ନିର୍ମାଣ ପାଇଁ ରଡ଼ ବନ୍ଧା ସରିଥିବା ବେଳେ ଢ଼ଳେଇ ପାଇଁ ସେଣ୍ଟ୍ରି କରା ଯାଉଥିଲା।ଏବଂ ଏହା ଭିତରେ ଫାଉଣ୍ଡେସନ ରଡ଼ ଭାରସାମ୍ୟ ହରାଇ ବ୍ରିଜର ଭିତର ପଟକୁ ଢଳି ଯାଇଥିଲା।ଏହି ସମୟରେ ୧୦/୧୨ ଜଣ ଶ୍ରମିକ କାର୍ଯ୍ୟରତ ଥିଲେ।ଏବଂ ୩ ଜଣ ଶ୍ରମିକ ଏହା ତଳେ ଚାପି ହୋଇ ଯାଇଥିଲେ।ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତ୍ୱର ଆହତ ହେଲେ।ଏହା ବିରୋଧରେ ତଥା ପଣ୍ଡା ଇନଫ୍ରାଷ୍ଟ୍ରକଚର ମାଲିକଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତା ରୋକ କରିଥିଲେ।ଏ ଭିତରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟଯନ୍ତ୍ରୀଙ୍କୁ ପୂର୍ତ୍ତ ବିଭାଗ ନିର୍ଦେଶ ଦେଇଛି।ଅନ୍ୟ ପକ୍ଷରେ ଏ ନେଇ ସଂପୃକ୍ତ ସଂସ୍ଥା ବିରୋଧରେ ମାମଲା ରୁଜୁ କରାଯାଇ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।

ତେବେ ଏପରି ଘଟଣା ଦୁତୀୟ ଥର ପାଇଁ ଘଟିଛି।୨୦୧୭ ସେପ୍ଟେମ୍ବର ୧୦ ତାରିଖରେ ନିର୍ମାଣଧିନ ଏହି ବ୍ରିଜର ଏକ ସ୍ଲାବ ଖସି ଯାଇ ଝାରପଡ଼ା ଅଞ୍ଚଳର ସତ୍ୟ ପଟ୍ଟନାୟକଙ୍କର ମୃତ୍ୟୁ ଘଟିଥିଲା।ଏଥିରେ ସତ୍ୟଙ୍କ ୮ ବର୍ଷର ଝିଅ ଶୀତଲଙ୍କ ସମେତ ସେଠାରେ କାର୍ଯ୍ୟରତ ପ୍ରାୟ ୧୫ ଜଣ ଶ୍ରମିକ ଗୁରୁତ୍ୱର ଆହତ ହୋଇଥିଲେ।ଝିଅ ଶୀତଲକୁ ବଞ୍ଚାଇ ବାପା ସ୍ଲାବ ତଳେ ଚାପି ହେବା ଘଟଣା ସେତେବେଳେ ବହୁ ଚର୍ଚ୍ଚିତ ହୋଇଥିଲା।
ବମିଖାଲ ଓଭରବ୍ରିଜ୍‌ ନିର୍ମାଣ କାମ ପଣ୍ଡା ଇନ୍‌ଫ୍ରା ଠିକା ସଂସ୍ଥା ୨୦୧୨ ମସିହାରେ ଆରମ୍ଭ କରିଥିଲା। ଏହାକୁ ୨୦୧୪ରେ ସାରିବାର ଥିଲା। କିନ୍ତୁ କାମରେ ବିଳମ୍ବ ହେବାରୁ ଏହାକୁ ଗତବର୍ଷ ଡିସେମ୍ବର ସୁଦ୍ଧା ସାରିବାକୁ ତରବରିଆ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ଯାଇଥିଲା।ଏବଂ ଗତ ସେପ୍ଟେମ୍ବର ୧୦ରେ ଓଭରବ୍ରିଜ୍ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ସେହିଦିନ ପୂର୍ତ୍ତ ବିଭାଗର ଦୁଇ ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କଲେ ସରକାର। ଏହାପରେ ପଣ୍ଡା ଇନ୍‌ଫ୍ରା ମୁଖ୍ୟ ପ୍ରତାପ ପଣ୍ଡା ଓ ଉପନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜଙ୍କୁ ପୁଲିସ୍ ଗିରଫ କଲା। ସେପ୍ଟେମ୍ବର ୧୨ରେ ଜେଲ୍ ଗଲେ ପଣ୍ଡା ଇନ୍‌ଫ୍ରାମୁଖ୍ୟ ପ୍ରତାପ ପଣ୍ଡା,ପ୍ରୋଜେକ୍ଟ ମ୍ୟାନେଜର ବିପୁଳ ଚକ୍ରବର୍ତ୍ତୀ ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର କିଶୋର ରାଉତ।ଏଥିସହ କମ୍ପାନୀର ଅନ୍ୟତମ ଦୁଇ ଫେରାର ବୋର୍ଡ ଡାଇରେକ୍ଟର ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡାଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା କମିଶନରେଟ ପୋଲିସ ।
ଅକ୍ଟୋବର ୧୬ରେ ପ୍ରତାପ ପଣ୍ଡାଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ।ନଭେମ୍ବର ୧୦, ୨୦୧୭ରେ ଆସିଥିବା ଦଦନ୍ତ ରିପୋର୍ଟରେ ଏସ୍ଓପି ପାଳନ କରାଯାଇ ନ ଥିବା ଦର୍ଶାଇ ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା,ଉପନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର କିଶୋର କୁମାର ରାଉତଙ୍କ ବିରୋଧରେ ଚାର୍ଜସିଟ୍ କରା ଯାଇଥିଲା।ଏବଂ ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ଇଣ୍ଡିଆ ଲିମିଟେଡକୁ କଳା ତାଲିକା ଭୁକ୍ତ କରାଯାଇଥିଲା।ତେବେ ଅଘଟଣର ୨ ମାସ ପରେ,ନଭେମ୍ବର ୧୦ରେ କଳା ତାଲିକାଭୁକ୍ତ ହେବା ସତ୍ତ୍ୱେ ପୁଣି ବ୍ରିଜ ନିର୍ମାଣ କାମ ଆରମ୍ଭ କରଥିଲା ପଣ୍ଡା ଇନଫ୍ରା।ଆଉ ଥରେ ଟେଣ୍ଡର କଲେ କାମ ବିଳମ୍ବ ହେବା ଆଶଙ୍କା ଦୃଷ୍ଟିରୁ ପଣ୍ଡା ଇନ୍‌ଫ୍ରାକୁ କାମ ସାରିବାକୁ ସୁଯୋଗ ଦିଆଯାଇଥିବା କୁହାଯାଇଥିଲା।ପ୍ରଥମ ଘଟଣା ସମୟରେ ପୂର୍ତ୍ତ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିଲା ଏବେ କିନ୍ତୁ ବିଭାଗ ଅନ୍ୟ ଜଣେ ମନ୍ତ୍ରୀଙ୍କ ପାଖରେ।ତେବେ ସ୍ମାର୍ଟ ସିଟିରେ ଭୁବନେଶ୍ୱର ନମ୍ବର-୧,ପ୍ରଶାସକ ମଧ୍ୟ ନମ୍ବର-୧,ଭିତରେ ବମୀଖାଲ ନମ୍ବର-୨ ହେଲା କିପରି?ଏଥିପାଇଁ କିଏ ଦାୟୀ?ସରକାର ଏ ନେଇ କିଛି ଦୃଢ଼ ପଦକ୍ଷେପ ନେବେ ନାଁ ଅପେକ୍ଷା କରିବା ଆଉ ଏକ ବମୀଖାଲ ଅଘଟଣ ନମ୍ବର-୩ କୁ?

Leave a Reply

Your email address will not be published. Required fields are marked *