ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ କ’ଣ ଉଦ୍ଦେଶ୍ୟ;କାହା ନିର୍ଦ୍ଦେଶ?

ଭୁବନେଶ୍ୱର(ଦେବଦତ୍ତ ରଥ):ଆଜି ଲୋଏର ପିଏମଜି ଛକରେ ବିଜେପି ମହିଳା ମୋର୍ଚ୍ଚା ବିକ୍ଷୋଭ ପ୍ରଦର୍ଶନ କରିବ।ରାଜ୍ୟରେ ବୃଦ୍ଧି ପାଉଥିବା କ୍ରମବର୍ଦ୍ଧିଷ୍ଣୁ ମହିଳା ଦୁଷ୍କର୍ମ ତଥା ବିଶେଷ କରି ନାବାଳିକା ଦୁଷ୍କର୍ମ ଘଟଣା ପ୍ରତିବାଦରେ ରାଜ୍ୟ ମହିଳା ମୋର୍ଚ୍ଚା ବିକ୍ଷୋଭ ପ୍ରଦର୍ଶନ କରିବ।ସାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ବିଜେପି ମହିଳା କାର୍ଯ୍ୟକର୍ତ୍ତା ମାନେ ଭୁବନେଶ୍ୱରରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ।ରାଜ୍ୟର ବିଭିର୍ଣ୍ଣ ଜିଲ୍ଲାରୁ କୋଉଠୁ କେତେ କାର୍ଯ୍ୟକର୍ତ୍ତା ଆସିବେ ସେ ନେଇ ବିଭିର୍ଣ୍ଣ ଜିଲ୍ଲାକୁ ସଂଖ୍ୟା ଟାର୍ଗେଟ ଦିଆସରିଛି।ରାଜ୍ୟରେ ବୃଦ୍ଧି ପାଉଥିବା ଦୁଷ୍କର୍ମ ଘଟଣା ବିଶେଷ କରି କୁନ୍ଦୁଲି ପରେ ସାଲେପୁର ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଏହି ବିକ୍ଷୋଭ ପ୍ରଦର୍ଶନ କରୁଛି।ତେବେ ସାଲେପୁର ଘଟଣାରେ ପ୍ରଥମେ ପିଡ଼ୀତାର ଆଶୁ ଆରୋଗ୍ୟ ପାଇଁ ଦୀପଦାନ କରିଥିବା ବେଳେ ତା’ ର ମୃତ୍ୟୁ ପରେ କଟକ, ଭୁବନେଶ୍ୱର ପରି ସ୍ଥାନରେ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲା ମହିଳା ମୋର୍ଚ୍ଚା।ଏବଂ ପୁଣି ସେହିଦିନ ସନ୍ଧ୍ୟାରେ ଭୁବନେଶ୍ୱରରେ ଏକ କ୍ୟାଣ୍ଡେଲ ଯାତ୍ରା ଆୟୋଜନ କରିଥିଲା।ଏବେ ପୁଣି ବିକ୍ଷୋଭ କରିବ ମହିଳା ମୋର୍ଚ୍ଚା।

କୌଣସି ଦଳରେ ତାର ମହିଳା ଏବଂ ଯୁବ ବିଭାଗ ହିଁ ମୁଖ୍ୟ ସହଯୋଗୀ ଶାଖା ହୋଇଥାଏ।ଦେଖିବାକୁ ଗଲେ ରାଜ୍ୟ ବିଜେପିରେ ଏବେ ମହିଳା ମୋର୍ଚ୍ଚା ସବୁଠାରୁ ଅଧିକ ସକ୍ରିୟ ଅଛି।ଓଡିଶା ବିଜେପିରେ ଯୁବ ମୋର୍ଚ୍ଚା ଏବେ ସବୁଠୁ ଦୁର୍ବଳ ସଙ୍ଗଠନ କୁହାଯାଉ ଥିବା ବେଳେ ଅନେକ ମୋର୍ଚ୍ଚା ଯେ କେବଳ କାଗଜ କଲମରେ ଚାଲିଛି।କିନ୍ତୁ ଅନ୍ୟାନ୍ୟ ମୋର୍ଚ୍ଚା ଠାରୁ ମହିଳା ମୋର୍ଚ୍ଚାକୁ ଅଧିକ ସକ୍ରିୟ ଥିବାର ଲକ୍ଷ କରା ଯାଉଛି।କୁନ୍ଦୁଲି ଘଟଣାକୁ ନେଇ ସାରା ରାଜ୍ୟରେ ମହିଳା ମୋର୍ଚ୍ଚା ହିଁ ସେହିପରି ବିକ୍ଷୋଭ ଆନ୍ଦୋଳନ କୋକେଇ ଯାତ୍ରା ଆଦି କରିଥିଲା।ତେବେ ଅନ୍ୟାନ୍ୟ ମୋର୍ଚ୍ଚା ଦୁର୍ବଳ ଥିବା ବେଳେ ଏବଂ କିଛି ପରିମାଣରେ କୃଷକ ମୋର୍ଚ୍ଚା ସକ୍ରିୟ ରହୁଥିବା ବେଳେ ମହିଳା ମୋର୍ଚ୍ଚା ଏବେ ସବୁଠୁ ସକ୍ରିୟ ଅଛି।ତେବେ ମହିଳା ମୋର୍ଚ୍ଚା ସଙ୍ଗଠନର ଯୋଜନା ଭିତରେ ଏ ସବୁ କାର୍ଯ୍ୟକ୍ରମ କରୁଛି ନାଁ ନିଜେ ବାଛିଥିବା ନେତାଙ୍କ ନିର୍ଦ୍ଦେଶରେ ଏପରି କରୁଛି କିଛି କଥାରୁ ତାହା ସନ୍ଦେହ ସୃଷ୍ଟି କରୁଛି।ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ବିକ୍ଷୋଭରେ ସାମିଲ ହେବାକୁ ଆହ୍ୱାନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ଏଥିରେ ତାଙ୍କ ନିଜ ଫଟୋ ରହିଥିବା ସହ ସାଙ୍ଗରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ବିଜୟ ରହାତକର,ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଫଟୋ ରହିଛି।ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କିମ୍ବା ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ଏପରିକି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସେଥିରେ ନାହାଁନ୍ତି।ବିକ୍ଷୋଭ ଏକ ସାଙ୍ଗଠନିକ କାର୍ଯ୍ୟକ୍ରମ।ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କିମ୍ବା ସହମତିରେ ହିଁ କୌଣସି ଆନ୍ଦୋଳନ,ବିକ୍ଷୋଭ ଆଦି କାର୍ଯ୍ୟକ୍ରମ ହେବା କଥା।କିନ୍ତୁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଏଠି ରାଜ୍ୟ ସଭାପତିଙ୍କୁ ଗୁରୁତ୍ୱ ମଣି ନାହାଁନ୍ତି।ଯାହା ଜଣା ପଡ଼ୁଛି, ସଙ୍ଗଠନ ଏବଂ ମିଶନ ୧୨୦ ନୁହଁ ସଭାନେତ୍ରୀ ମଧ୍ୟ ସେଇ ମିଶନ ମୁଖ୍ୟମନ୍ତ୍ରୀ ଯୋଜନାରେ ଗୋଷ୍ଠିବାଦ ଭିତରେ ରହି ଯାଇଛନ୍ତି।କେବଳ ଏବେ ନୁହେଁ,ରାଜ୍ୟ ସଭାପତି,ବିଧାୟକ ଦଳ ନେତା କିମ୍ବା ସଙ୍ଗଠନିକ ଅଧିକାରୀ ନୁହେଁ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଶାରାରେ ହିଁ ସଭାନେତ୍ରୀ ଯେ କାମ କରୁଛନ୍ତି ସେ ଏପରି ପ୍ରମାଣ ବାରମ୍ବାର ଦେଇ ସାରିଛନ୍ତି।ଏବେ ନିକଟରେ ସାଲେପୁର ଘଟଣା ନେଇ ଭୁବନେଶ୍ୱରରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିବାକୁ ଆହ୍ୱାନ କରିବା ଦିନ ସେ ନିଜ ପୋଷ୍ଟରେ ନିବେଦନ କରି କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ’ ହିଁ ଉଲ୍ଲେଖ କରିଛନ୍ତି।ଏମିତିରେ ତ’ ରାଜ୍ୟ ସଭାପତି ପ୍ରାୟ ନିରବ ରହୁଛନ୍ତି।ସେ କିଛି କେତେବେଳେ ବି ଯଦି କହୁଛନ୍ତି ନାଁ’ ମିଡିଆ ନାଁ’ ନିଜ କାର୍ଯ୍ୟକର୍ତ୍ତା ତାକୁ ଗୁରୁତ୍ୱ ଦେଉଛନ୍ତି।ଧର୍ମେନ୍ଦ୍ର ହିଁ କ’ଣ ପଦେ କହିଲେ ତାକୁ ହିଁ ଚାତକ ପରି ଅନାଇ ବସୁଛନ୍ତି।ରାଜ୍ୟ ସଭାପତି ପରିବର୍ତ୍ତନ ନେଇ ଏବେ ଦଳ ଭିତରେ ଆଲୋଚନା ଚାଲିଛି।ପ୍ରତାପ ଷଡ଼ଙ୍ଗୀଙ୍କୁ ସଂଘ ଏବଂ ସଙ୍ଗଠନ ସଭାପତି କରିବାକୁ ଚାହୁଁଛି।କିନ୍ତୁ ଧର୍ମେନ୍ଦ୍ର ଏବଂ ତାଙ୍କ ଗୋଷ୍ଠି ପ୍ରତାପଙ୍କୁ ସଭାପତି କରାଇ ଦେବାକୁ କୌଣସି ପରିସ୍ଥିତିରେ ଚାହୁଁ ନାହାଁନ୍ତି ବୋଲି ଆଲୋଚନା ହେଉଛି।ରାଜ୍ୟରେ ଥିବା ବିଜେପି ସଙ୍ଗଠନର ସବୁ ଶ୍ରେୟ ଯେ ଧର୍ମେନ୍ଦ୍ରଙ୍କର ବୋଲି ଏହା ସେ ସବୁବେଳେ ପ୍ରତିପାଦନ କରି ଆସୁଛନ୍ତି।ବିଜେପୁର ବିଫଳତା ପରେ ତାଙ୍କର ପ୍ରଭାବ କମି ଯାଇଛି ବୋଲି ଏମିତିରେ ଆଲୋଚନା ହେଉଛି।ତାଙ୍କ ନିଜ ଅକ୍ତିଆରରେ ଥିବା ଯୁବ ମୋର୍ଚ୍ଚା ସଙ୍ଗଠନ ଦୃବଳ ସ୍ଥିତି ତଥା ଗୋଷ୍ଠିବାଦ ନେଇ ଏବେ ଖୁବ୍ ସମାଲୋଚିତ ହେଉଛି।ଏବଂ ମହିଳା ମୋର୍ଚ୍ଚା ଅପେକ୍ଷାକୃତ ଭାବରେ ଭଲ ସ୍ଥିତରେ ଅଛି।ତେଣୁ ଏହାକୁ ସବୁ ଦେଖି ଏବଂ ରାଜ୍ୟ ସଭାନେତ୍ରୀଙ୍କ ପୋଷ୍ଟରୁ ଆଦିରୁ ଧର୍ମେନ୍ଦ୍ର ଯେ ନିଜ ପତିଆରା ଦେଖାଇବାକୁ ଏବେ ମହିଳା ମୋର୍ଚ୍ଚାକୁ ବ୍ୟବହାର କରୁଥିବା ଅନୁମାନ ହେଉଛି।

Leave a Reply

Your email address will not be published. Required fields are marked *