ପୁଲିସର ଦବଙ୍ଗ ଗିରୀ,ଥାନା ଭିତରେ ମହିଳାଙ୍କୁ ମାଡ଼: ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ମହିଳା ମୋର୍ଚ୍ଚା

ଭୁବନେଶ୍ୱର(ଦେବଦତ୍ତ ରଥ): ଓଡ଼ିଶାରେ ମହିଳା ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠିଥିବା ବେଳେ ଖୋଦ ରକ୍ଷକ ମଧ୍ୟ ଭକ୍ଷକ ସାଜୁଛି।ପୁଲିସ୍ କରୁଛି ଦବଙ୍ଗଗିରୀ।ମହିଳାଙ୍କୁ ଥାନା ଭିତରେ ଆଣି ପିଟୁଛି ପୁଲିସ୍।ଏପରି ଏକ ଘଟଣା ସମ୍ମାକୁ ଆସିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ।
ରାଜ୍ୟରେ ମହିଳା ସମ୍ମାନ, ନାରୀ ସୁରକ୍ଷା ପାଇଁ ଗତ କାଲି ଭୁବନେଶ୍ୱର ଲୋଏର ପିଏମଜିରେ ବିଜେପି ମହିଳା ମୋର୍ଚ୍ଚା କରୁଥିଲା ବିକ୍ଷୋଭ।ନେତୃତ୍ୱ ନେଇଥିଲେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା।କିନ୍ତୁ କାଲି ହିଁ ପ୍ରଭାତୀଙ୍କ ନିର୍ବାଚନ ମଣ୍ଡଳୀ କ୍ଷେତ୍ର ନିମାପଡ଼ାରେ ଜଣେ ମହିଳା ହେଉଥିଲେ ନିର୍ଯ୍ୟାତନାର ଶିକାର।ନିମାପଡ଼ାର ପୁଲିସ ଆଇଆଇସି କାଲି ଜଣେ ମହିଳାଙ୍କୁ ରାତି ୧୧ଟାରେ ନେଇ ଥାନା ଭିତରେ ବାଡଉଥିଲେ।

ଦେଖନ୍ତୁ ସୋସିଆଲ ମିଡିଆରେ ଭାଇରାଲ ଏକ ଭିଡିଓରେ ସଂପୃକ୍ତ ମହିଳା ଜଣଙ୍କ କ’ଣ କହୁଛନ୍ତି ଏବଂ ପଢ଼ନ୍ତୁ ଏ ନେଇ କ’ଣ କହୁଛି ବିଜେପି ମହିଳା ମୋର୍ଚ୍ଚା…
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏନେଇ ଜାରି କରାଯାଇଥିବା ପ୍ରେସ ରିଲିଜ ଅନୁଯାୟୀ,ରାଜ୍ୟରେ ପୋଲିସର ବର୍ବର କାଣ୍ଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଏହି ବିଭାଗର ଅଫିସରମାନେ ନିଜକୁ ସର୍ବଶକ୍ତିମାନ ବୋଲି ଭାବୁଛନ୍ତି। ଆଇନକୁ ହାତକୁ ନେଇ ବେଆଇନ କାର୍ଯ୍ୟ କରିବାରେ ବେଶ୍ ଧୁରନ୍ଧର ହୋଇଛି ଓଡିଶା ପୋଲିସ୍। ଅପରାଧୀମାନଙ୍କୁ ସୁରକ୍ଷା ଦେବା ଏବଂ ଆଇନ ଉଲ୍ଲଘଂନ କରିବା ପୋଲିସର ନିତିଦିନିଆ ଅଭ୍ୟାସରେ ପରିଣତ ହେଲାଣି। ପୂର୍ବରୁ ଥାନା ହାଜତରେ ଅପରାଧିମାନଙ୍କୁ ମାଡ ମାରି ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି। ସେହିପରି ନିରୀହ ସାଧାରଣ ଲୋକଙ୍କୁ ଥାନାରେ ଧମକ ଦେବା, ମାଡ ମାରିବା, କେସ୍ ରଫାଦଫା କରିବା ପାଇଁ ଲାଂଚ ନେବା ଆଦି ଘଟଣା ସଂପର୍କରେ ସମସ୍ତେ ଅବଗତ। ଗତକାଲି ଏକ ମାମଲାରେ ନିମାପଡା ଥାନା ଆଇଆଇସି ଏକ ୭୪ ବୟସ୍କା ବୃଦ୍ଧାଙ୍କୁ ମାଡମାରି ଲହୁ ଲୁହାଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପୋଲିସର ଏଭଳି ବର୍ବର କାଣ୍ଡକୁ ବିଜେପି ମହିଳାମେର୍ଚ୍ଚା ପକ୍ଷରୁ ତ୍ରୀବ୍ର ନିନ୍ଦା କରାଯିବା ସହ ସଂପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ରାଜ୍ୟରେ ମହିଳାମାନଙ୍କ ପ୍ରତି ହିଂସା ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନାରୀମାନଙ୍କୁ ସମ୍ମାନ ଦେବାର ନାରା ଦେଉଥିବା ସମୟରେ ତାଙ୍କ ବିଭାଗର ଅଫିସରମାନେ ମହିଳାମାନଙ୍କୁ ମାଡ ମାରି ଅପମାନିତ କରୁଛନ୍ତି। ଏହା ଓଡିଶା ପାଇଁ ଏକ ଲଜ୍ଜାର ବିଷୟ। ସାଧାରଣ ମହିଳା ଏଠି ନ୍ୟାୟ ପାଇବାରୁ ବଂଚିତ ହେଉଛି। ନାବାଳିକା ମାନେ ଦୁଷ୍କର୍ମର ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା ଭଳି ପଦେକ୍ଷପ ଗ୍ରହଣ କରୁଛନ୍ତି। ପୋଲିସ ଉପରେ ସାଧାରଣ ଜନତା ଆସ୍ଥା ହରାଇ ସାରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛନ୍ତି। ରାଜ୍ୟରେ ନାବାଳିକା ଠାରୁ ବୃଦ୍ଧା ପର୍ଯ୍ୟନ୍ତ କେହି ନିଜକୁ ସୁରକ୍ଷିତ ମଣୁନାହାଁନ୍ତି।

ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ଥିବା ପୋଲିସ୍ ଏଠି ରକ୍ଷକ ନୁହେଁ ବରଂ ଭକ୍ଷକ ସାଜିଛି। ମହିଳା ମୋର୍ଚ୍ଚା ତରଫରୁ ଏଭଳି ଘଟଣାକୁ ଦୃଢ ନିନ୍ଦା କରାଯାଇଛି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ସୁରକ୍ଷା ପାଇଁ ଜିରୋ ଟଲେରାନ୍ସ ଗ୍ରହଣ ନକରିଲେ ରାଜ୍ୟର ସମସ୍ତ ମହିଳା ରାଜରାସ୍ତାକୁ ଓହ୍ଲାଇବେ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *