ଅନାଥ:-ଏକ ହୃଦୟ ଛୁଆଁ କାହାଣୀ

ଉପସ୍ଥାପନା : ଗୋପାଳ ଚନ୍ଦ୍ର:-ବଡ଼ଦେଉଳ ଜଗା ସାମ୍ନାରେ ଠିଆ ହେଇଥାଏ ହତଭାଗା କାଳିଆ ଗୋଟେ କାଳିଆ ଆଗରେ ଆଉ ଜଣେ କାଳିଆ ଆସିଛି ତା ଦୁଃଖ ବଖାଣିବାକୁ ,କେଜାଣି କାହିଁକି ପିଲାଦିନର ବିତିଯାଇଥିବା ସେ ଅଭୁଲା ସ୍ମୃତି ଗୁଡାକ ଗୋଟି ଗୋଟି କରି ନାଚିଯାଉଥିଲା ତା ଆଖି ସାମ୍ନାରେ I ଛୋଟ ଟେ ହେଇଥାଏ ବୋଉ ତାର ଚାଲିଗଲା ଆରପାରିକୁ ଭାଇ ଭଉଣୀ ଦୁଇଜଣଙ୍କୁ ଏକା କରି I ତା ପଛେ ପଛେ ବାପା ବି ଚାଲିଗଲେ କେଉଁ ଏକ ଅଜଣା ରାଜ୍ୟକୁ ଦୁଇଜଣଙ୍କୁ ଅନାଥ କରି I ନାଲି ଗୁଲୁ ଗୁଲୁ ନିରୀହ ଓଠରେ କୁଆଁ କୁଆଁ କାନ୍ଦ ର ଶବ୍ଧ ଥରାଇ ଦେଇଥିଲା ବଡ଼ ମା ର ହୃଦୟକୁ Iକୋଳେଇ ନେଇଥିଲା ଦୁଇ ଅନାଥ ଶିଶୁ କୁ I

ବଡବାପା କିନ୍ତୁ ଗ୍ରହଣ କରିପାରିନଥିଲେ କାଳିଆକୁ , ଜଣା ନାହିଁ କାହିଁକି କିନ୍ତୁ ସମସ୍ତେ କହୁଥିଲେ ଏଥିପାଇଁ କାଳିଆ ହିଁ ଦୋଷୀ , ସେ ଏକ ଅଶୁଭ ସନ୍ତାନ ଜନ୍ମ ହେଉ ହେଉ ବାପା ବୋଉ ଦୁହିଁଙ୍କୁ ଖାଇଲା Iସେଥିପାଇଁ ବଡ ଭାଇ ଏବଂ ଭଉଣୀ ( ବଡ ବାପା ଙ୍କ ଅନ୍ୟ ପୁଅ ଝିଅ ) ଦୁରେଇ ରହୁଥିଲେ କାଳିଆଠୁ , ନଚେତ ତା ଅଶୁଭ ନଜର କୁଆଡେ ସେମାନଙ୍କ ଉପରେ ବି ପଡିବ I ଏତେବଡ ଦୁନିଆରେ କାଳିଆର ନିଜର କହିଲେ କେବଳ ତା ବଡ ଭଉଣୀ ଆଉ ବଡ ମା Iବୋଉ କହିଲେ ସେ ବୁଝୁଥିଲା ମା କୁ I କିନ୍ତୁ ବୋଉ ତ ସବୁବେଳେ ବୋଉ ନା , ତା ଜାଗା କଣ କିଏ ନେଇପାରିବ ? ଯେତେବେଳେ ଟିକେ ବଡ ହେଲା ବୋଉ କୁ ଖୋଜିଲେ ବଡ ଭଉଣୀ ଛାତ ଉପରକୁ ନେଇଯାଇ ଆକାଶ କୁ ଦେଖାଇଦେଉଥିଲା , ଆଉ କହୁଥିଲା ଦେଖ ସେ ଯୋଉ ବଡ ତାରା ଟା ଚିକ ଚିକ କରୁଛି ସେ ଆମ ବୋଉ I

ଇଛା ହେଉଥିଲା ଛାତଉପରୁ ସିଧା ଆକାଶ କୁ ଡେଇଁପଡ଼ନ୍ତା କାଳିଆ ଆଉ ତା ବୋଉ ପାଖରେ ପହଞ୍ଚିଯାଅନ୍ତା I କିନ୍ତୁ ସେମିତି ହୁଏନି I ବୋଉର ଚେହେରା ତାର ମନେ ନଥିଲା ତଥାପି ସବୁବେଳେ ବୋଉର ଅଭାବ କୁ ସେ ଅନୁଭବ କରିପାରୁଥିଲା Iସାରେ ମାନେ କୁହନ୍ତି ବୋଉର ପଣତ କୁଆଡେ ସରଗଠୁ ବଡ, ସେ ତା ପଣତରେ ଦୁନିଆର ସବୁ ଦୁଃଖକୁ ଦୂର କରିଦେଇପାରେ I ତା ପଣତରେ ଥାଏ ସରଗଠୁ ଖୁଶି , କିନ୍ତୁ ତା ବୋଉ ତ ସରଗକୁ ଚାଲିଯାଇଛି , ତଥାପି ବଡ଼ମା ର ପଣତ ରେ ବୋଉର ଉପସ୍ତିତି କୁ ଖୋଜେ ହେଲେ ଏକଥା ବଡ ଭାଇ ନଜରକୁ ଆସିଲେ ବିଧା ଗୋଇଠା ମାରିକି ଡରାଏ , ଆଉ ସତର୍କ ବି କରିଦିଏ ଯେମିତି ତା ବୋଉ ପାଖକୁ ସେ ନଯାଏ , କି ଏକଥା ବୋଉ କୁ ନକୁହେ I ମାଡ ଖାଇ ଚୁପ ରହେ କାଳିଆ , ମା କୁ ବି ଜଣାଏ ନାହିଁ , ବୋଧହୁଏ ସେ ବୁଝିସାରିଥିଲା ତାର ଜାଗା କୋଉଠି !! କାନ୍ଦି କାନ୍ଦି ବଡ ଭଉଣୀ କୋଳରେ ମୁଣ୍ଡ ରଖି ସୋଇପଡ଼େ କାଳିଆ I

ଏମିତି ଭାବରେ କଟିଯାଏ କିଛି ବର୍ଷ , କାଳିଆର ବଡ ଭଉଣୀ ର ବାହାଘର ହେଇଯାଏ ଅନେକ ଦୂରରେ ,ଏତେବଡ ଦୁନିଆରେ ନିଜର କହିଲେ ତ କାଳିଆର କେବଳ ତା ଭଉଣୀ ଆଉ ମା , ବଡ ଭଉଣୀ କାଳିଆ କୁ ନେଇଯାଏ ତା ପାଖକୁ Iବୋଉର ଇଛାକୁ ପୂର୍ଣ୍ଣ କରିବାକୁ , ବୋଉର ଶେଷ ବେଳକୁ ବଡ ଭଉଣୀ ହାତରେ କାଳିଆର ହାତ ଦେଇଯାଇଥିଲା ବୋଉ କହିଥିଲା ମୋ କାଳିଆ ତତେ ଲାଗିଲା , ତାକୁ ମଣିଷ କରିବୁ I ସେବେଠୁ ବଡ ଭଉଣୀ ଆଖିରେ କେବେ ଲୁହ ଦେଖିନି କାଳିଆ I ଶାଶୁଘରେ ଅଭାବ ଭିତରେ ଥାଇ ମଧ୍ୟ ପାଠ ପଢାଇ ନିଜ ଭାଇକୁ ମଣିଷ କରିବାକୁ ସବୁ ଚେଷ୍ଟା କରିଛି ବଡ ଭଉଣୀ I କଲେଜ ରେ ଅନ୍ୟ ସାଙ୍ଗ ମାନଙ୍କୁ ଭଲ ଡ୍ରେସ , ଗାଡି ସହିତ ଦେଖିଲେ , ନିଜକୁ କଷ୍ଟ ଲାଗେ , ବେଶୀ କଷ୍ଟ ଲାଗେ ଭଉଣୀ ର ଅଭାବ ଦେଖିକି I କିଛି କରିପାରେନାହିଁ , ନିଜ କଷ୍ଟକୁ ନିଜ ଭିତରେ ଲୁଚାଇ ରଖିବାକୁ ଚେଷ୍ଟା କରେ , ବେଶୀ କଷ୍ଟ ଲାଗିଲେ ବାଥରୁମ ଭିତରେ କବାଟ ଦେଇ ଭୋ ଭୋ କରି କାନ୍ଦେ କାଳିଆ , ଆଉ ମୁଂହ ଧୋଇ ବାହାରକୁ ଚାଲିଆସେ I ଯେତେ ଚେଷ୍ଟା କରେ ଲୁଚାଇବାକୁ କିନ୍ତୁ ତା କାନ୍ଦ କାନ୍ଦ ମୁଁହ ବଡ ଭଉଣୀ ଦେଖିବା ମାତ୍ରେ ଧରାପଡିଯାଏ ସେ I

ନକାନ୍ଦିବାକୁ ରାଣ ନିୟମ ପକାଏ ବଡ ଭଉଣୀ , ବୁଝାଏ , ପାଗେଲା ତା କାଇଁ କାନ୍ଦୁଛୁ କହିଲୁ , ତୁ ଚାକିରୀ କଲେ ଆମର ସବୁ କଷ୍ଟ ଦୂର ହେଇଯିବ I ୟା ଭିତରେ ପାଠ ପଢା ସରିବା ପରେ ଏକ କମ୍ପାନୀ ରେ ଚାକିରୀ କରେ କାଳିଆ, ସେ ପୁଣି କାଳିଆର ଜାଗା ପୁରୀରେ I ଖୁଶିରେ ବଡ ଭଉଣୀ ର ପାଦ ତଳେ ଲାଗୁନଥାଏ I ମାନସିକ କରିପକାଉଥାଏ କେତେ ଠାକୁର ଠାକୁରାଣୀ ଙ୍କ ପାଖରେ , କାହାକୁ ବୋଦା ବଳି ଦେବ , କାହାକୁ ନଡ଼ିଆ ଦେବ ..ଇତ୍ୟାଦି I ହଠାତ ଯେମିତି କଳାହାଣ୍ଡିଆ ମେଘ ଘୋଟିଆସିଲା କାଳିଆ ଜୀବନରେ I ବ୍ଲଡ଼ କ୍ୟାନ୍ସର ରେ କାଳିଆ ର ବଡ ଭଉଣୀ ଚାଲିଗଲା ଆରପାରିକୁ I ପାଦତଳୁ ମାଟି ଖସିଗଲା କାଳିଆର I ରାଗ ଏବଂ ଘୃଣା ଲାଗୁଥିଲା ନିଜ ଜୀବନ ଏବଂ କାଳିଆ ଠାକୁର ଉପରେ I ପରେ ଜଣାପଡିଲା ଯେ ତା ବଡ ଭଉଣୀ କୁ ବହୁ ଆଗରୁ ବ୍ଲଡ଼ କ୍ୟାନ୍ସର ହେଇଥିଲା କିନ୍ତୁ କାଳେ ଏକଥା ଜଣାପଡିଲେ ଚିକିସ୍ଥା ପାଇଁ ଅଧିକ ଟଙ୍କା ଲାଗିବ ଆଉ କାଳିଆର ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବ ସେଥିପାଇଁ କାହାକୁ ଜଣାଉନଥିଲା ସେ I ପୁଣିଥରେ ଅନାଥ ହେଇଯାଇଥିଲା କାଳିଆ I ବୋଉ କୁ ତ ଦେଖିନଥିଲା କିନ୍ତୁ ବୋଉ କଣ ସେ ଅନୁଭବ କରିପାରିଥିଲା ବଡ଼ଭଉଣୀ ର ସ୍ନେହରେ I ସତରେ କଣ ସେ ଅଶୁଭ ପୁତ୍ର ? ଯେଉଁଥିପାଇଁ ବାପା , ବୋଉ ଆଉ ତା ଅତି ଆପଣାର ବଡ଼ଭଉଣୀ ବି ଚାଲିଗଲେ ତା ପାଖରୁ ?
ବୋଉ ମାନେ ହିଁ ଏଇଆ , ନିଜ କଷ୍ଟକୁ ନିଜ ମନରେ ଲୁଚାଇ ରଖି ସନ୍ତାନ ପାଇଁ ହସୁଥିବେ I
ହଠାତ ମନ୍ଦିର ଭିତରେ କାହାର ଡାକରେ ପ୍ରକୁସ୍ତିତ ହେଲା କାଳିଆ, ନିଜ ଅଜାଣତରେ ଛଳ ଛଳ ଆଖିରୁ ଦୁଇଧାର ଲୁହ ବୋହିଯିବାକୁ ଚେଷ୍ଟା କରୁଥିଲେ , ଅମାନିଆ ଲୁହକୁ ଅଟକାଇବାକୁ ଚେଷ୍ଟା କରୁଥିଲା କାଳିଆ , କାହିଁକିନା ପୁରୁଷ ପୁଅ ଆଖିରେ ଲୁହ ଶୋଭା ପାଏନି କୁଆଡେ !!

କିନ୍ତୁ ବୋଲ ନମାନି ଚିବୁକ ଦେଇ ବୋହିଯାଇଥିଲେ ଦୁଇଧାର ଲୁହ , ପଛ ପାକେଟ ରୁ ରୁମାଲ କାଢି ଲୁଚାଇ ନିଜ ଲୁହ ପୋଛିଲା କାଳିଆ , ଚାରିଆଡ଼କୁ ଅନଉଥିଲା କେହି ତା ଆଖିର ଲୁହ ଦେଖିନି ତ ? କେହି ଜଣେ କିନ୍ତୁ କହୁଥିଲା ସେ ଅମାନିଆ ଲୁହ କୁ ବୋହିବାକୁ ଦେ , ମନଟା ହାଲକା ଲାଗିବ I ଚମକି ପଡିଲା କାଳିଆ ,ସାମ୍ନାରେ ଦେଖିଲା ଜଣେ ବୃଦ୍ଧା ସ୍ତ୍ରୀ ଲୋକ , ହାତ ଦୁଇଟି ନାହିଁ , କାଳିଆର ଦର୍ଶନ ପାଇଁ ଆସିଛି I ହାତ ନଥିଲେ ବି ମନରେ ଦୁଃଖ ନଥିଲା ବୃଦ୍ଧାଙ୍କର I ବୃଦ୍ଧା କହିଲେ ବାପରେ ତୁ କିଏ ? କାହିଁକି କାନ୍ଦୁଛୁ ? କାଳିଆ ପାଟିରୁ ବାହାରିପଡିଲା ମାଉସୀ ମୁଁ ଜଣେ ଅନାଥ !! ଜୀବନ ଟା ବହୁତ କଷ୍ଟ, କାଳିଆଠୁ ହିସାବ ମାଗୁଛି ହେଲେ ଉତ୍ତର ପାଉନି I

ହସିଲେ ବୃଦ୍ଧା ଜଣକ ଆଉ କହିଲେ ବାପରେ ସେ ତ ଜଗତର ନାଥ , ଆଉ ତୁ ଅନାଥ ହେଲୁ କିପରି ? ତୋ କଷ୍ଟ କଣ ମୋଠୁ ଅଧିକ ? ଥରେ ଦେଖ ତ ମୋତେ , ମୋର ତ ଦୁଇ ହାତ ନାହିଁ ,ମୋ କଷ୍ଟ ଠାରୁ କଣ ତୋ କଷ୍ଟ ଅଧିକ ? ମୁଁ କଣ କେବେ କାଳିଆକୁ ଗାଳି ଦେଇଛି , ସବୁ ପରା ତାରି ମାୟା, କାଳିଆର ଲୀଳା କୁ କିଏ ବା ବୁଝିପାରିବ ? I ହଠାତ ଯେମିତି ଦିବ୍ୟ ଜ୍ଞାନ ପାଇଲା କାଳିଆ , ଆଖି ବୁଜି ନମସ୍କାର କରି ଚାହିଁଲା ବେଳକୁ ବୃଦ୍ଧା ଜଣଙ୍କ ନଥିଲେ ବହୁତ ଖୋଜିଲା କିନ୍ତୁ ପାଇଲା ନାହିଁ ତାଙ୍କୁ I ଜୀବନ କୁ ଠିକ ଭାବରେ ବୁଝିପାରିଥିଲା ସେତେବେଳକୁ କାଳିଆ I ଅଟକି ଯାଇଥିବା ଆଖିରୁ ତାର ଧାର ଧାର ଲୁହ ବୋହିଯାଉଥିଲା , ସେ ନିଜେ ଜାଣିନଥିଲା ଏ ଲୁହ କେଉଁଥିପାଇଁ ?

Leave a Reply

Your email address will not be published. Required fields are marked *