ମୋଦୀ ସରକାରଙ୍କର ୫ ଅମୂଲ୍ୟ ରତ୍ନ! ତେବେ ୫ ମୂଲ୍ୟହୀନ କିଏ?

ଭୁବନେଶ୍ୱର(ଦେବଦତ୍ତ ରଥ): ମୋଦୀ ସରକାରରେ ୫ ଜଣ ଅମୂଲ୍ୟ ରତ୍ନ।ଅର୍ଥାତ ସରକାରର ୫ ଜଣ ଯୋଗ୍ୟମନ୍ତ୍ରୀ।ତା’ ମଧ୍ୟରୁ ଆମ ଓଡ଼ିଶାର ଜଣେ।ସେ ହେଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଧର୍ମେନ୍ଦ୍ର ଯୋଗ୍ୟ ମନ୍ତ୍ରୀ ତାଲିକାରେ ୪ର୍ଥ ନମ୍ବରରେ ଅଛନ୍ତି।ଏହାକୁ ନେଇ ଓଡ଼ିଶା ବିଜେପିର ନେତାଏ ଭାରି ଖୁସି।ଏନେଇ ବହୁ ଉତ୍ସାହିତ ହୋଇ କେହି କେହି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରୁଛନ୍ତି।
ବାସ୍ତବରେ ଏହା ସରକାରୀ ତଥ୍ୟ ନୁହେଁ।ନାଁ ମୋଦୀ ସରକାରଙ୍କର ଆକଳନ ନାଁ ବିଜେପି ଦଳ ପକ୍ଷରୁ ଏପରି ଆକଳନ କରାଯାଇଛି।ଏହା ହେଉଛି ଏକ ନିଉଜ ଚ୍ୟାନେଲର ସର୍ଭେ।ନିଉଜ ଚ୍ୟାନେଲଟି ତା’ ନିଜସ୍ୱ ଶୈଳୀରେ ମୋଦୀ ସରକାରଙ୍କ ମନ୍ତ୍ରୀ ମାନଙ୍କର ଏହିପରି ଏକ ରିପୋର୍ଟ କାର୍ଡ ପ୍ରକାଶ କରିଛି।ଯେଉଁଥିରେ ଧର୍ମେନ୍ଦ୍ରଙ୍କ ନାଁ ରହିଥିବାରୁ ରାଜ୍ୟ ବିଜେପିର କିଛି ନେତା ଖୁସି ପ୍ରକଟ କରୁଛନ୍ତି।

କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଏହି ରିପୋର୍ଟ ବିଜେପି ପାଇଁ କିଛି ଲାଭ ଦାୟକ ନୁହେଁ।କେବଳ ନିର୍ଦିଷ୍ଟ କେତେକ ନେତା ଏବଂ ସେମାନଙ୍କର ଅନୁଗତଙ୍କୁ ହୁଏତ ଏହା ଆନନ୍ଦ ଦେଇପାରେ।ବିଜେପିକୁ ନୁହଁ।କାରଣ ଏହି ରିପୋର୍ଟରେ ୫ ଜଣ ଯୋଗ୍ୟ ମନ୍ତ୍ରୀଙ୍କ ସମେତ ୫ ଜଣ ସବୁଠାରୁ ଅଯୋଗ୍ୟ ମନ୍ତ୍ରୀ ମାନଙ୍କର ନାମ ମଧ୍ୟ ପ୍ରକାଶ କରାଯାଇଛି।ଗୋଟେ ସରକାର ସେତେବେଳେ ସଫଳ ହୁଏ ଯେତେବେଳେ ତାର ପ୍ରାୟ ସବୁ ମନ୍ତ୍ରୀ ସଫଳତାର ସହ କାମ କରନ୍ତି।ସଂପୃକ୍ତ ନିଉଜ ଚ୍ୟାନେଲ ରିପୋର୍ଟରେ ମୋଦୀ ସରକାର ଭିତରେ ଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ତୁଳନା କରିଛି।କୋଉ ବିରୋଧୀ କଂଗ୍ରେସ କିମ୍ବା ଆଉ କାହା ସହିତ ତୁଳନା କରିନି।
ସଂପୃକ୍ତ ନିଉଜ ଚ୍ୟାନେଲ ରିପୋର୍ଟ ଅନୁଯାୟୀ ଯୋଗ୍ୟମନ୍ତ୍ରୀ ୫ ଜଣଙ୍କ ମଧ୍ୟରେ ନିତିନ ଗଡ଼କରି,ରାଜନାଥ ସିଂ,ସୁଷମା ସ୍ୱରାଜ,ଧର୍ମେନ୍ଦ୍ର ପ୍ରଧାନ ଏବଂ ଏବଂ ନିର୍ମଳା ସିତାରମଣ ରହିଛନ୍ତି।ସେହିପରି ଅଯୋଗ୍ୟ ମନ୍ତ୍ରୀ ମାନଙ୍କ ମଧ୍ୟରେ ଆଗରେ ଉମା ଭାରତୀ,ଗିରିରାଜ ସିଂ,ସ୍ମୃତି ଇରାନୀ,କେ.ଜେ ଆଲଫୋନ୍ସ ଏବଂ ସନ୍ତୋଷ ଗ୍ୟାଙ୍ଗୱାର ରହିଛନ୍ତି।

ସଂପୂର୍ଣ ୧୦ ମାର୍କ ଭିତରୁ ନିତିନ ଗଡ଼କରି ୭.୧୪ ମାର୍କ ପାଇ ପ୍ରଥମ ସ୍ଥାନରେ,ରାଜନାଥ ସିଂ ୫.୯୫ ନମ୍ବର ପାଇ ଦୁତୀୟ ସ୍ଥାନରେ,ସୁଷମା ସ୍ୱରାଜ ୫.୮୪ ନମ୍ବର ପାଇ ତୃତୀୟ ସ୍ଥାନରେ, ଧର୍ମେନ୍ଦ୍ର ପ୍ରଧାନ ୫.୫୪ ମାର୍କ ପାଇ ଚତୁର୍ଥ ସ୍ଥାନରେ ଏବଂ ଏବଂ ନିର୍ମଳା ସିତାରମଣ ୫.୪୪ ନମ୍ବର ପାଇ ପଞ୍ଚମ ସ୍ଥାନରେ ରହିଛନ୍ତି।
ସେହିପରି ଖରାପ ପ୍ରଦର୍ଶନ କରି ସବୁଠାରୁ ଅଯୋଗ୍ୟ ମନ୍ତ୍ରୀ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ଉମା ଭାରତୀ।ସେହିପରି ଗିରିରାଜ ସିଂ ୩.୩୯ ମାର୍କ ପାଇ ଦୁତୀୟ ସ୍ଥାନରେ,ସ୍ମୃତି ଇରାନୀ ୩.୮୭ ମାର୍କ ପାଇ ତୃତୀୟ ସ୍ଥାନରେ,୩.୯୫ ନମ୍ବର ପାଇ କେ.ଜେ ଆଲଫୋନ୍ସ ଚତୁର୍ଥ ସ୍ଥାନରେ ଏବଂ ୪ ମାର୍କ ପାଇ ସନ୍ତୋଷ ଗ୍ୟାଙ୍ଗୱାର ପଞ୍ଚମ ସ୍ଥାନରେ ଅଛନ୍ତି।
ଅର୍ଥାତ ଗଡ଼କରୀ,ରାଜନାଥ, ସୁଷମା,ଧର୍ମେନ୍ଦ୍ର ଏବଂ ନିର୍ମଳା ଯେପରି ଯୋଗ୍ୟ ଉମା,ସ୍ମୃତି, ଗିରିରାଜ,ସନ୍ତୋଷ,ଆଲଫୋନ୍ସ ଆଦି ସେପରି ଅଯୋଗ୍ୟ।ଧର୍ମେନ୍ଦ୍ର ଯୋଗ୍ୟ ତାଲିକାରେ ଥିବାରୁ ଖୁସି ବ୍ୟକ୍ତ କରୁଥିବା ଓଡ଼ିଶା ବିଜେପିର କିଛି ନେତା କ’ଣ ସ୍ମୃତି,ଉମା,ଗିରିରାଜ ଆଦିଙ୍କ ଅଯୋଗ୍ୟତାକୁ ବି ସ୍ୱୀକାର କରୁଛନ୍ତି?ନାଁ କେବଳ ଧର୍ମେନ୍ଦ୍ରଙ୍କ ନାଁ ଲିଷ୍ଟରେ ଦେଖି ଖୁସି ହେଇଯାଇ ଦଳ କଥା ଭୁଲି ଯାଉଛନ୍ତି?ଏଠାରେ ସୂଚନାଯୋଗ୍ୟ ଯେ ଏହି ରିପୋର୍ଟ ପ୍ରକାଶ କରିଥିବା ସଂପୃକ୍ତ ନିଉଜ ଚ୍ୟାନେଲ ମୋଦୀ ବିରୋଧୀ,ରାଷ୍ଟ୍ର ବିରୋଧୀ କହି ମୋଦୀ/ବିଜେପି ସପକ୍ଷବାଦୀମାନେ ସେହି ଚ୍ୟାନଲ ବିରୋଧରେ ସୋସିଆଲ ମିଡିଆରେ ସବୁବେଳେ ପୋଷ୍ଟ କରୁଥିବା ଦେଖିବାକୁ ମିଳେ।

Leave a Reply

Your email address will not be published. Required fields are marked *