ସରକାରୀ ଅଫିସର ଙ୍କୁ ଅଫିସରୁ ଘୋଷାଡ଼ି ବାଡେ଼ଇଲେ ବିଜେଡି ନେତା

ଓଡିଶା ମାନଚିତ୍ରରେ ସତ୍ୟବାଦୀର ଛବି ଏକ ସ୍ୱତନ୍ତ୍ର I ନିକଟ ଅତୀତରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀରେ ହେବାପାଇଁ ଘୋଷଣା କରାଯାଇଛି I ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଏହାର ସ୍ଥାନ ସ୍ୱତନ୍ତ୍ର। ରାଜ୍ୟରେ ବିଜେଡି ହାୱା ବହିଚାଲୁଥିବା ବେଳେ ଗତ ନିର୍ବାଚନରେ ପୂର୍ବତନ ବିଧାୟକ ରମା ରଞ୍ଜନଙ୍କୁ ପରାଜୟର ସ୍ୱାଦ ଚଖାଇବାରେ ସତ୍ୟବାଦୀବାସୀ ସଫଳ ହୋଇଥିଲେ ଏବଂ ସ୍ୱାଧୀନ ଭାବେ ଉମା ସାମନ୍ତରାୟଙ୍କୁ ବିଜୟ ଟୀକା ପିନ୍ଧାଇଥିଲେ। ପରମୁହୂର୍ତ୍ତରେ ଯଦିଓ ଶ୍ରୀ ଉମା ସାମନ୍ତରାୟ ବିଜେଡିରେ ଯୋଗ ଦେଇଥିଲେ ତୃଣମୂଳ ସ୍ତରର କର୍ମୀମାନଙ୍କ ଦ୍ଵାରା ଆଦୃତ ହୋଇପାରିଲେ ନାହିଁ। ଯାହା ଫଳରେ ବିଜେଡି ମଧ୍ୟରେ ଥିବା ଦଳୀୟ କନ୍ଦଳ ଏବେ ପଦାରେ ପଡି ଘାଟରେ ଗଡୁଛି। ନିକଟରେ ବିଧାୟକଙ୍କ ଏକଚାଟିଆ ଶାସନକୁ ବିରୋଧ କରି ଦୁଇ ବ୍ଲକ ସଭାପତି ସାଂସଦଙ୍କ ପାଖରେ ଫେରାଦ ହେବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା I

ଯାହାଦ୍ଵାରା ସତ୍ୟବାଦୀ ବିଜେଡିରେ ସବୁକିଛି ଠିକ ଠାକ ଚାଲୁନଥିବା ଜଣାପଡିଥିଲା I ଏବେ ପୁଣି ସାମ୍ନାକୁ ଆସିଛି ବିଜେଡି କର୍ମୀଙ୍କ ନାମରେ ଏକ ସାଙ୍ଘାତିକ ଅଭିଯୋଗ I ଖୋଦ୍ ବିଧାୟକଙ୍କ ସମର୍ଥିତ 31 ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟାଙ୍କ ପୁଅ ଦେବାଶିଷ ରାୟ (ଲିକୁ )ଙ୍କ ନାମରେ I

ଦିନ ଦିପହରେ ଜଣେ କର୍ତବ୍ୟରତ ଦାୟିତ୍ୱବାନ ସରକାରୀ କର୍ମଚାରୀଙ୍କୁ ଅଫିସ ଭିତରୁ କଲର ଧରି ଘୋଷାଡ଼ି ଆଣି ନିର୍ଘାତ ମାଡ ମାରିବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ I ଏନେଇ ସତ୍ୟବାଦୀ ଥାନାରେ ସଂପୃକ୍ତ ଅଧିକାରୀ ଲିଖିତ ଅଭିଯୋଗ କରିଛନ୍ତି I ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଲକର ଶୁକଳ ଗ୍ରାମ ପଂଚାୟତରେ ଶ୍ରୀଯୁକ୍ତ ପ୍ରଭାତ କୁମାର ବଳ(54) କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ I ଶୁକଳ ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଥିଲା। କୋଠା ବାଡ଼ି ତଥା ଆର୍ଥିକ ସ୍ଵଚ୍ଛଳତା ଥିବା ବ୍ୟକ୍ତିବିଶେଷଙ୍କୁ ହିତାଧିକାରୀ ଭାବେ ଚୟନ କରାଯାଇଥିବା ଜଣାପଡିବା ପରେ ଏକ ତିନିଜଣିଆ କମିଟି ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅନ୍ୟମାନଙ୍କୁ ଆବାସ ଯୋଜନାରୁ ବାଦ ଦିଆଯାଇଥିଲା I

କିନ୍ତୁ ଏଥିରେ ଜିଲ୍ଲାପରିଷଦଙ୍କ ପୁଅ ଦେବାଶିଷ ଉତକ୍ଷିପ୍ତ ହୋଇ ତାଙ୍କ ନିଜ ସମର୍ଥିକ ମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଅଡ଼ି ବସିଥିଲେ I
ବାଁ ବରଡ଼ା ଗ୍ରାମ 6ନମ୍ବର ୱାର୍ଡର ଗଙ୍ଗାଧର ପରିଡାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ ଦାବି କରିଥିଲେ ସେ। କିନ୍ତୁ ଶ୍ରୀ ପରିଡାଙ୍କର କୋଠାଘର ଏବଂ ଆର୍ଥିକ ସମ୍ବଳ ଥିବା ହେତୁ ଶ୍ରୀ ବଳ ମନା କରିଦେଇଥିଲେ I

ଫଳରେ ବିଜେଡି ବିଧାୟକଙ୍କ ଅତ୍ୟନ୍ତ ଘନିଷ୍ଠ ତଥା ଜିଲ୍ଲପରିଷଦଙ୍କ ପୁତ୍ର ଦେବାଶିଷ ଗତ 16 ତାରିଖ ଅପରାହ୍ଣ 5ଟା ସମୟରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବ୍ଲକ ଅଫିସ ଭିତରୁ କଲର ଧରି ଘୋଷାଡ଼ି ଆଣି ନିର୍ଘାତ ମାଡ ମାରିବା ସହିତ ଅତି ଅଶ୍ଳୀଳ ଏବଂ କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ I ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ସମୟରେ ଶ୍ରୀ ବଳ ଜୀବନ ବଞ୍ଚାଇ ଖସି ପଳାଇଥିଲେ I ଏନେଇ ସେ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ସତ୍ୟବାଦୀର ଥାନାଧିକାରୀ ଶ୍ରୀଯୁକ୍ତ କୃଷ୍ଣ ସେଠି IPCର ଧାରା 341,294, 323, 353 ଏବଂ 506 ଅନୁଯାୟୀ ଏକ ମାମଲା ଋଜୁ କରିଥିବା ଜଣାପଡିଛି I

କିନ୍ତୁ ବର୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ, ଯଦିଓ ଅଭିଯୁକ୍ତ ଜଣଙ୍କ ଖୁଲମଖୁଲା ବୁଲୁଛନ୍ତି I ଦିନ ଦ୍ଵିପହରେ ବ୍ଲକ ଅଫିସ ଭିତରୁ ଜଣେ ସରକାରୀ କର୍ମଚାରୀଙ୍କୁ ଏପରି ମାଡ ମରାଯିବା ଘଟଣାକୁ ବିରୋଧ କରି ଅଭିଯୁକ୍ତ ଶ୍ରୀ ଦେବାଶିଷ ରାୟଙ୍କ ଗିରଫ ଦାବିରେ ସମସ୍ତ ବ୍ଲକ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ ଚାଲୁରହିଛି।

ଯାହାଫଳରେ ବିଭିନ୍ନ କାର୍ଯ୍ୟ ନେଇ ଦୂର ଦୂରାନ୍ତରରୁ ଆସୁଥିବା ସାଧାରଣ ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି।ଆନ୍ଦୋଳନକୁ ତିନିଦିନ ବିତିଯାଇଥିଲେ ହେଁ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପୋଲିସର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସବୁ ମହଲରେ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଉଥିବା ବେଳେ ବାରମ୍ଵାର ଏଭଳି ଗୁଣ୍ଡାଗିରୀ କରି ଆସୁଥିବା ଦେବାଶିଷଙ୍କ ଉପରେ ପୋଲିସ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି, ତାହା ଏବେ ସାଧାରଣ ଲୋକଙ୍କୁ ବିସ୍ମିତ କରିଛି I ତେବେ ଅଭିଯୁକ୍ତ ବିଧାୟକଙ୍କର ଅତି ଖାସ୍ ହୋଇଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଦେବାଶିଷ ବିଧାୟକ ଶ୍ରୀ ସାମନ୍ତରାୟଙ୍କର ଅତ୍ୟନ୍ତ ଅନୁଗତ ଯାହାର ପ୍ରମାଣ ଆପଣ ଏହି ଫଟରୁ ଜାଣିପାରୁଥିବେ I

କିନ୍ତୁ ଯଦି ଅଭିଯୁକ୍ତଙ୍କୁ ଗିରଫ କରାନଯାଏ ଏହା ଆଗାମୀ ନିର୍ବାଚନରେ ଯେ ବିଜେଡିକୁ ଅଡୁଆରେ ପକାଇବ ଏହା ନିଃସନ୍ଦେହ I ଏହା ପ୍ରଥମ ନୁହେଁ ଗତ ମେ ମାସରେ ବ୍ଲକରେ ଏହିଭଳି ଏକ ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଜନୈକ କାର୍ଯ୍ୟନିର୍ବିହୀ ଅଧିକାରୀଙ୍କୁ ମାଡମାରି ଜୋର ଜବରଦସ୍ତ ତାଙ୍କ ପକେଟରେ ଟଙ୍କା ପୁରାଇ ଭିଜିଲାନ୍ସ ହାତରେ ଧରାଇ ଦେଇଥିଲେ ଦେବାଶିଷ। ଯାହାର ପ୍ରତିବାଦରେ ସମସ୍ତ କର୍ମଚାରୀ କଲମଛାଡ ଆନ୍ଦୋଳନ କରିଥିଲେ କିନ୍ତୁ ମାନ୍ୟବର ବିଧାୟକ ହସ୍ତକ୍ଷେପ କରି ଅଭିଯୁକ୍ତକୁ ଘଣ୍ଟ ଘୋଡାଇ ସମସ୍ତ ମାମଲା ରଫାଦଫା କରିଦେଇଥିବା ଅଭିଯୋଗ ହୋଇଥିଲା I

ଏବେ ଦେଖିବାର ଅଛି ପୋଲିସ ଅଭିଯୁକ୍ତଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି? ଘଟଣା ଉପରେ ବିଧାୟକଙ୍କର କି ଭୂମିକା ରହୁଛି? ସର୍ବୋପରି ଦଳର ଶୀର୍ଷ ନେତୃତ୍ଵ ଘଟଣାକୁ ନେଇ କି ଆଭିମୁଖ୍ୟ ରଖୁଛନ୍ତି, ତାହା ଦେଖିବାକୁ ସତ୍ୟବାଦୀ ବାସୀ ଅପେକ୍ଷାରତ ସତ୍ୟବାଦୀ ରୁ ରିପୋର୍ଟର ଲକି @ଓଡିଶାExclusive

Leave a Reply

Your email address will not be published. Required fields are marked *