ସତରେ କାଳିଆର ଲୀଳା ବଡ ଅଦଭୂତ :ଅନୁଭୂତି

(ଉପସ୍ଥାପନା :ଗୋପାଳ ଚନ୍ଦ୍ର )କିଏ କହେ ସେ ଜଗତର ନାଥ କିଏ କହେ ଭାବବିନୋଦିଆ କିନ୍ତୁ ଭକ୍ତ ପାଇଁ ସେ କେତେବେଳେ ଭଗବାନ ତ ଆଉ କେତେବେଳେ ସଖା ସହୋଦର I ଭକ୍ତ ପାଇଁ ସେ ବାଲିର ରଥରେ ବିଜେ କରିପାରେ ବଡଦାଣ୍ଡ ର ରଥଯାତ୍ରା କୁ ତୁଚ୍ଛ କରି ତ ଆଉ କେତେବେଳେ ଦାସିଆ ବାଉରୀ ହାତରୁ ନଡ଼ିଆ ବି ଛଡେଇ ନେଇଥାଏ I କିଏ ବା ବୁଝିବ କାଳିଆ ର ଲୀଳାକୁ I କେଜାଣି କାଳିଆ ସହିତ ଭାବ ଟା ଭାରି ଅନ୍ତରଙ୍ଗ ହୁଏତ କାହା ପାଇଁ ଗପ ହେଇପାରେ ତ ଆଉ କାହାପାଇଁ ବାସ୍ତବ ଅନୁଭୂତି Iବ୍ରାହ୍ମଣ ଘରେ ଜନ୍ମ ପରେ ବି ପିଲାଦିନେ ଭାରି ନାସ୍ତିକ ଥିଲି ଜଗନ୍ନାଥ ଯେ କେବଳ ଏକ କାଠ ପିତୁଳା ଏ ଭାବନା ମୋ ମନରୁ କେହି ବି ଦୂରେଇବାରେ ସକ୍ଷମ ହେଉପାରୁନଥିଲେ ବରଂ ମୋ ଶାଣିତ ଯୁକ୍ତିରେ ଗାଲୁଆଟା ଭାବି ଅଧିକ ଯୁକ୍ତି ନକରି ଚୁପ ରହୁଥିଲେ I ଧୀରେ ଧୀରେ ସମୟ ବଦଳିବା ସହିତ ବଦଳିଥିଲା ସମୟର ଚକ Iବିଗତ ପାଞ୍ଚ ବର୍ଷ ତଳେ ଡିପ୍ଲୋମା ଇଞ୍ଜିନିଅରିଙ୍ଗ ପରେ ପ୍ରଥମେ ପୁରୀରେ ପୋଷ୍ଟିଙ୍ଗ ପରେ କେଜାଣି କାହିଁକି ଇଛା ହେଇଥିଲା କାଳିଆ ର ଦର୍ଶନ ପାଇଁ ବାଧ୍ୟବାଧକତା ରେ I ସିଂହଦ୍ୱାର ରୁ ଶ୍ରୀମନ୍ଦିର ର 22ପାହାଚ ଡେଇଁ ଜଗାର ରତ୍ନ ସିଂହାସନ ଉପରେ କାଳିଆ କୁ ଦେଖିଲା ପରେ କେଜାଣି କାହିଁକି ପ୍ରଥମ ଥର ପାଇଁ ସବୁ ରାଗ ଅଭିମାନ ଆଖି ଦେଇ ବୋହିଯାଇଥିଲା I କେଜାଣି କି ମାୟା ଲଗାଇଦେଲା କାଳିଆଟା ଲାଗୁଥିଲା ସତେ ଯେପରି ସବୁ ତୁଚ୍ଛ କେବଳ ମିଛ ଦୁନିଆରେ ଗୋଟିଏ ସତ ସେ ହେଉଛି ଜଗନ୍ନାଥ I ଗୋଟେ ନାସ୍ତିକ ଯେ କେତେବେଳେ ଆସ୍ତିକ ରେ ପରିଣତ ହେଇଗଲା ଜଣା ନଥିଲା I ବାସ ତାପରେ ଯେବେ ବି ସମୟ ମିଳେ ଧାଇଁଯାଏ ତା ପାଖକୁ ଟିକେ ତା ଦର୍ଶନ ପାଇଁ I ମନ ଶାନ୍ତି ହେଇଯାଏ ସବୁ ଆବିଳତା ଦୂରେଇଯାଏ ,ଛାଟିତଳେ ଥିବା ଯନ୍ତ୍ରଣା ସବୁ କେଜାଣି ନିମିଷକ ମଧ୍ୟରେ ଦୂର ହେଇଯାଏ I ୟା ମଧ୍ୟରେ ପୁରୀ ରୁ ସାକ୍ଷୀଗୋପାଳ ବଦଳି ହେବା ପରେ ଜଗା ସହିତ ଭେଟ ହେବାରେ ପ୍ରତିବନ୍ଧକ ଲାଗିଥାଏ ସତ କିନ୍ତୁ କୁହାଯାଏ ଦୂରେ ରହିଲେ ଅଧିକ ମନେପଡେ ,ହଁ ଯେବେ ଜଗା ଠୁ ଦୂରତା ବଢ଼ିଲା ସେତେ ଅଧିକ ତା ପ୍ରତି ଆକର୍ଷଣ ବଢ଼ିବାରେ ଲାଗେ I କେଜାଣି କାହିଁକି ଯେବେ ଜଗା କଥା ମନେପଡେ କୌଣସି ନା କୌଣସି ବାହାନା ର ସୁଯୋଗ ମିଳିଯାଏ ଜଗାକୁ ଦେଖା କରିବାକୁ I

ଗତକାଲି କାର୍ତିକ ମାସ ଏକାଦଶୀ ଥିଲା ,ହବିଷ୍ୟାଳି ମା ମାନଙ୍କୁ କମ୍ପାନୀ ତରଫରୁ ଫଳ ବଣ୍ଟନ ରେ ଯୋଗ ଦେବାକୁ ପୁରୀରେ ପହଂଚିବା ପରେ ଭାରି ଇଛା ହେଉଥିଲା ଜଗା କୁ ଟିକେ ମୁଁହ ପୁରେଇ ଦେଖିବାକୁ ହଠାତ ପାତ୍ର ସାର ଡାକିଲେ ମନ୍ଦିର କୁ ଯିବାକୁ I ପ୍ରବଳ ଭିଡ଼ ଥିଲା ,ଧାଡି ଲାଗିଥାଏ ପାଖାପାଖି 15/20 ହଜାର ଲୋକଙ୍କର Iଯଦିଓ ଷ୍ଟାଫ କିମ୍ବା କାହାର ସାହାରା ନେଇଥିଲେ ମନ୍ଦିର ଭିତରକୁ ଯାଇପାରିଥାନ୍ତୁ ତଥାପି ଜଣେ ସାଧାରଣ ଭକ୍ତ ଭାବରେ ଦର୍ଶନ କରିବାକୁ କାହାର ସାହାଯ୍ୟ ଉଚିତ ମନେ କଲୁ ନାଂହୁ I ଜଗା ପାଖକୁ ତା ଭକ୍ତ ଯିବ ସେଥିରେ ଅନ୍ୟର ସାହାରା କଣ ଦରକାର ଯେ ?? ପଞ୍ଚୁକ ରେ ଏକାଦଶୀ ଭିଡ଼ ତ ସ୍ୱାଭାବିକ ତଥାପି ସାହସ ବାନ୍ଧି ମୋବାଇଲ ରଖିବାକୁ ଷ୍ଟାଣ୍ଡ କୁ ଯିବା ସମୟରେ ବିଳମ୍ବ ହେବାରୁ ଆମ ପାଖରେ ସମୟ ନଥିବାରୁ ବାଧ୍ୟ ହୋଇ ଧାଡି ରେ ନଯାଇ ପତିତପାବନ ଙ୍କୁ ଦର୍ଶନ କରି ଫେରି ଆସିବାକୁ ମନସ୍ତ କରିଥିଲୁ I କିନ୍ତୁ କେଜାଣି କାହିଁକି ହଠାତ ଦକ୍ଷିଣ ଦ୍ୱାର ଆଡେ ଟିକେ ଯିବାକୁ ଇଛା ହେଲା ,ଶୁଣିଥିଲୁ ଜଗାକୁ ଦେଖିବାକୁ ହେଲେ କୁଆଡେ ପୂର୍ବ ଦ୍ୱାରକୁ ଛାଡି ଅନ୍ୟ ତିନି ଦ୍ୱାରରେ ସ୍ଥାୟୀ ବାସିନ୍ଦାର ପରିଚୟ ପତ୍ର ଦେଖାଇବାକୁ ପଡେ ,ଧନ୍ୟରେ ବିଚାର ?? ଭକ୍ତ ଭଗବାନ ଙ୍କ ପାଖକୁ ଦର୍ଶନ ନିମନ୍ତେ ଯିବା ବାଟରେ ବି ତାର ପରିଚୟ ପତ୍ର ଦରକାର Iତେବେ ଦକ୍ଷିଣଦ୍ୱାର ରେ ପହଁଚିବା ପରେ ନିଜ ଆଖିକୁ ବିଶ୍ୱାସ କରିହେଉନଥିଲା ,ଏତେ ବଡ ଭିଡରେ ସେ ପୁଣି ପଞ୍ଚୁକ ର ପ୍ରଥମ ଦିନରେ ଦକ୍ଷିଣ ଦ୍ୱାର ରେ କେବଳ ସୁରକ୍ଷା କର୍ମଚାରୀ ଙ୍କୁ ଛାଡି କୌଣସି ବି ଭକ୍ତ ନଥିଲେ ସେହି ସ୍ଥାନରେ I ମନ୍ଦିର ଭିତରକୁ ଯାଇ ଜଗା ର ଦର୍ଶନ କଲୁ ,କେଜାଣି ଆଖି ଛଳ ଛଳ ହେଇଯାଇଥିଲା ଜଣାନଥିଲା ଅଭିମାନରେ କି ଖୁଶିରେ Iମନରେ କିଛି ଦ୍ଵନ୍ଦ ,ପ୍ରଶ୍ନ ଥିଲା କିନ୍ତୁ ମନ୍ଦିର ରୁ ବାହାରିଲା ବେଳେ ମୋ ଉତ୍ତର ପଇସାରିଥିଲି , ଫେରିଲା ବେଳକୁ ପାତ୍ର ସାର କହୁଥିଲେ ସେ ପରା ଭକ୍ତିର ଠାକୁର ,ଯଦି ଭକ୍ତି ର ସହିତ ତା ପାଖକୁ ଆସିଛ ସେ କେଭେଁବି ଖାଲି ହାତରେ ଫେରେଇଦେବନି I

Leave a Reply

Your email address will not be published. Required fields are marked *