ବାତ୍ୟା ଓ ମହାଦ୍ରୁମର ଆବଶ୍ୟକତା

ଓଡ଼ିଶା ଆଜି ପ୍ରକୃତିର କରାଳ କୋଳରେ କୋଳାଗ୍ରତ ।ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନର ଶିକାର ଆଜି ଓଡ଼ିଶା । ଫଳ ସ୍ୱରୂପ କେତେବେଳେ ବନ୍ୟା ତ କେତେବେଳେ ମହାବାତ୍ୟାକୁ ସାମ୍ନା କରୁଛି ଓଡ଼ିଶା ।ଧନଜୀବନ, ସମ୍ପତ୍ତିର ଆକଳନିୟ କ୍ଷତିରେ କ୍ଷତାକ୍ତ ହୋଇ ୨୦ ବର୍ଷ ତଳକୁ ଫେରି ଯାଉଛି ।ବିକାଶ ଆଜି ବିନାଶର କାରଣ ପାଲଟି ଯାଇଛି । ମଣିଷ ଗଛର ଡାଳରେ ବସି ଆଜି ସେହି ଗଛର ମୂଳକୁ କାଟିବାରେ ନିମଗ୍ନ ।କେତେବେଳେ ମହାବାତ୍ୟା ତ କେତେବେଳେ ହୁଡହୁଡ , ପୁଣି ପେଥୋଇ ତ କେତେବେଳେ ତିତିଲି , ଆଉ ଫନି ବି ।ଏଇ ତ ଗୋଟିଏ ଗୋଟିଏ ନାମ , ମାତ୍ର ଦୃଶ୍ୟ ଭୟଙ୍କର । ଆଜି ଏସବୁ ଆମ ପାଇଁ ନୂଆ ନୁହେଁ ।ଗରୁ ବି ଓଡ଼ିଶା ବାସୀ ଏଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରି ଆସିଛନ୍ତି ।ଅନେକ ଜୀବନ ଅଜସ୍ର ଧନସମ୍ପତ୍ତି ବିପର୍ଯ୍ୟୟକୁ ସାମ୍ନା କରି ନ ପାରି ନିଜର ସତ୍ତା ହରାଇ ବସିଛନ୍ତି । ଗତ କାଲି ଓ ଆଜି ଭିତରେ ଦୂରତା ବଢ଼ି ଯାଇଛି ।କାଲି ଅଜାଣତରେ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିଲୁ ଓ ଆଜି ପୂର୍ବ ପ୍ରସ୍ତୁତି ସହିତ ବିପର୍ଯ୍ୟୟକୁ ସାମ୍ନା କରୁଛୁ ।କାରଣ , ଏହାର ମୂଳରେ ରହିଛି ବିଜ୍ଞାନ । ସାଟେଲାଇଟର ଫୋଟକୁ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶ୍ଲେଷଣ ହେଉ ବା ଡପଲାର ଲାଡାରର ସୂଚନା ଆଜି ଆମକୁ ସତର୍କତା ଅବଲମ୍ବନ କରିବା ପାଇଁ ବାଟ କଢ଼େଇ ନେଉଛି ସତ , କିନ୍ତୁ, ବିପର୍ଯ୍ୟୟକୁ ଅଟକାଇ ପାରୁନାହିଁ । ବରଂ ବିପର୍ଯ୍ୟୟ ପରିଚାଳନାର ମୁକାବିଲା କରିବାରେ ଅଭିଜ୍ଞତା ସମ୍ପର୍ଣ୍ଣ ରାଜ୍ୟ ରୂପେ ପରିଗଣିତ ହୋଇ ପ୍ରଶଂସିତ ହୋଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ।

ବିପର୍ଯ୍ୟସ୍ତ କାଲିବି ଥିଲା , ଆଜି ବି ଅଛି , କାଲି ବି ଦେଖାଦେବ ।ଏହା ନିଃସନ୍ଦେହ । କେତେବେଳେ ଗଞ୍ଜାମ ତ କେତେବେଳେ ଗଜପତି, ଆଉ କେତେବେଳେ ପୁରୀ ତ କେତେବେଳେ ପାରାଦୀପ।ମନରେ ସ୍ୱତଃ ପ୍ରଶ୍ନ ଉଠେ ଯେ ବିପର୍ଯ୍ୟୟର ମୂଳତ୍ପାଟନ ସମ୍ଭବ ନା ଅସମ୍ଭବ ?? ଯଦି ଅସମ୍ଭବ ତେବେ ଭାଗ୍ୟକୁ ଆଦରି ନେବା
ବ୍ୟତୀତ ଆଉ କୌଣସି ଚାରା ନାହିଁ ।ଆଉ ଯଦି ସମ୍ଭବ ତେବେ ଆଜି ଠାରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦୀର୍ଘ ସ୍ଥାୟୀ ଯୋଜନାକୁ ଆପଣେଇ ନେବା ଉଚିତ ।ନେଡିଗୁଡ କହୁଣୀକୁ ବହିଗଲାଣି , ଆଉ ଚାଟିବା ପାଇଁ ଜୀଭ ପାଉନି ।
ବିପର୍ଯ୍ୟୟର କାରଣ ଦେଖିବା ପାଇଁ ଗଲେ ବିଭିନ୍ନ କାରଣରୁ ପ୍ରାକୃତିକ ବିପର୍ଯ୍ୟୟ ଘଟେ। ବିକାଶ ଓ ଚାହିଦା ଉଭୟଙ୍କ ଅବଦାନ ଅତୁଳନୀୟ ।ବିକାଶ ପାଇଁ ବୋଲି ଯୋଗାଯୋଗ ବ୍ୟବସ୍ଥା ଉପଯୁକ୍ତ ମାଧ୍ୟମ ବୋଲି ଧରାଯାଏ ।ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ଅନେକ ବୃକ୍ଷକୁ କାଟି ସଫା କରିବା ସହିତ ପିଚୁ ରାସ୍ତା ,କଙ୍କ୍ରିଟ ରାସ୍ତା ନିର୍ମାଣ କରିବାକୁ ପଡେ ।ଗୋଟିଏ ବୃକ୍ଷ କାଟିବା ପାଇଁ ଯେତିକି କମ୍ ସମୟ ଦରକାର ହୁଏ, ନୂତନ ବୃକ୍ଷ ଟିଏ ସୃଷ୍ଟି କରିବା ପାଇଁ ସେତିକି ସମୟ ଦିବାସ୍ୱପ୍ନ ଅଟେ ।

କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଦୈନିକ ଆବଶ୍ୟକତା ବା ଚାହିଦା ପୂରଣ କରିବା ପାଇଁ ଗଢ଼ି ଉଠୁଛି ଶିଳ୍ପ ସଂସ୍ଥା ।ଆଉ ଶିଳ୍ପ ସଂସ୍ଥାରୁ ନିର୍ଗତ ବିଷାକ୍ତ ଧୂଆଁ , ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ମିଶେ । ଉତ୍ତପ୍ତ ପରିବେଶରୁ ରକ୍ଷା ପାଇବା ପାଇଁ ଏସି ଲଗାଇ ଜୀବନକୁ ଉପଭୋଗ କରି ଚାଲୁଛୁ। ଏଥିରୁ ନିର୍ଗତ କ୍ଲୋରଫର କାର୍ବନ ବି ବାୟୁମଣ୍ଡଳରେ ମିଶେ। ବାୟୁମଣ୍ଡଳର ବୃଦ୍ଧି ପାଉଥିବା ଅଙ୍ଗାରକାମ୍ଳର ପରିମାଣ ହ୍ରାସ କରିବା ପାଇଁ ଆବଶ୍ୟକ ପରିମାଣର ବୃକ୍ଷର ସଂଖ୍ୟା ଦୃତ ଗତିରେ କ୍ଷୟ ହୋଇ ଚାଲିଛି ।ଅଙ୍ଗାରକାମ୍ଳ ଆଉ ଅମ୍ଳଜାନରେ ରୂପାନ୍ତରିତ ନ ହୋଇ ପାରି ଓଜୋନ ସ୍ତରରେ ହ୍ରାସ ଘଟାଉଛି। ଆଉ ଅତି ବାଇଗଣୀ ରଶ୍ମି ବାୟୁମଣ୍ଡଳକୁ ପଶି ଆସିବା ସହିତ ପୃଥିବୀର ବିନାଶ ବାଟକୁ ଟାଣି ନେଉଛି । ବୃକ୍ଷରୋପଣ ହେଉଛି ସତ ,କିନ୍ତୁ, ସଂଖ୍ୟା ଅତି ନଗଣ୍ୟ ।କାଟି ଚାଲୁଛୁ ମହାଦ୍ରୁମ , ଆଉ ପୋତି ଲାଗୁଛୁ ଦୁବ ।ପୁଣି ସେହି ଦୁବ ଆମ ପାଇଁ ପରବର୍ତ୍ତୀ ସମୟରେ ପାଲଟି ଯାଉଛି ବିପଦ । ଏହି ଗଛ ଗୁଡିକ ହେଲା ଚାଖୁଣ୍ଡା, କୃଷ୍ଣଚୁଡା, ନିମ୍ବ , କଦମ୍ବ , କରଞ୍ଜ , ଯାହା ଏବେ ବୃକ୍ଷ ରୋପଣ କରାଯାଉଛି । ରାସ୍ତା ପାର୍ଶ୍ବରେ ରୋପିତ ହୋଇ ଖୁବ୍ ଶୀଘ୍ର ବଢି ଯାଉଛନ୍ତି। ଗଛ ଗୁଡିକୁ ଛାଇ ବି ପ୍ରଦାନ କରି ପାରୁଛି।ସୌନ୍ଦର୍ଯ୍ୟ ବୃଦ୍ଧି ହେଉଛି, କିନ୍ତୁ, ତହିଁରୁ କେତେ ଗଛ ଗୁଡ଼ିକ ମଡକା, ବାତ୍ୟା ପବନ ସହ୍ଯ କରି ପାରିବା ଭଳି କ୍ଷମତା ବୋଧହୁଏ ଏହି ଗଛ ଗୁଡିକର ନାହିଁ। ତେଣୁ, ଝଡ଼ ବାତ୍ୟା ହେଲେ ଏଗୁଡିକ ରାସ୍ତାରେ ଭାଙ୍ଗି ରାସ୍ତା ଅବରୋଧ ସୃଷ୍ଟି କରୁଛି। ଏଗୁଡ଼ିକ ସ୍ଥାୟୀ ବୃକ୍ଷ ଭଳି ସମସ୍ୟା ସମାଧାନ ନ କରି ପାରିବା ପରି ମନେ ହୁଏ ନାହିଁ। ସାଧାରଣତଃ, ରାସ୍ତା ନିର୍ମାଣ ବେଳେ ମହାଦ୍ରୁମ ଓ ଦୀର୍ଘସ୍ଥାୟୀ ଗଛ ଗୁଡିକୁ ହିଁ ବଳି ପଡିଥାନ୍ତି ।ବଳି ପଡୁଥିବା ଗଛ ଗୁଡିକ ମଧ୍ୟରେ ରହିଛି, ବରଗଛ, ଅଶ୍ୱତଥ, ଆମ୍ବ, ପଣସ, ଶାଳ, ପିଆଶାଳ, ମହୁଲ, ତେନ୍ତୁଳି ,ଜାମୁକୋଳି ,ଡିମିରି ଭଳି ଅନେକ ରକମର ବୃକ୍ଷ। ଏହି ଗଛ ଗୁଡିକ ଶହ ଶହ ବର୍ଷ ଧରି ବଞ୍ଚିବା ସହିତ, ଝଙ୍କାଳିଆ, ହୋଇ କାୟା ବିସ୍ତାର ଲାଭ କରିବା ସହିତ ଛାୟା ପ୍ରଦାନ କରୁଛନ୍ତି। ଗଛ ଗୁଡିକ ମସକା ହୋଇଥିବା ଯୋଗୁଁ ଝଡ଼ ବାତ୍ୟାକୁ ବହୁ ସମୟ ଧରି ସାମ୍ନା କରି ପାରନ୍ତି। ରାସ୍ତା ଅବରୋଧ ଏ ଗଛ ଗୁଡିକ ଯୋଗୁଁ କମ ସୃଷ୍ଟି ହୋଇଥାଏ।ଏଣୁ, ବୃଷ ରୋପଣ ପାଇଁ ଏହି ଗଛ ଗୁଡିକ ଯଥା, ବରଗଛ, ଆମ୍ବ, ପଣସ, ବେଲ ଗଛ, ଅଶ୍ୱତଥ, ଶାଳ, ପିଆଶାଳ, ମହୁଲ, ତେନ୍ତୁଳି, କରଞ୍ଜ, ଜାମୁକୋଳି, ହରିଡା ବାହାଡା, ଅଁଳା, ଡିମିରି, ଶିମ୍ବିଳି ଭଳି ଦୀର୍ଘସ୍ଥାୟୀ ଗଛ ଲଗାଇବା ପାଇଁ ଉତ୍ସାହିତ ଓ ଯୋଜନା କରାଯିବା ଆବଶ୍ୟକ । ଝଡ଼ ବାତ୍ୟାରେ କେତେ ବରଗଛ, ତେନ୍ତୁଳି ଗଛ, ଅଶ୍ଵତଥ କ୍ଷତିଗ୍ରସ୍ତ ହୋଇଛି ତୁଳନା କଲେ ଆମ୍ଭେମାନେ ଜାଣିପାରିବା। ଝଡ଼ ବାତ୍ୟା କହିଲେ ମନରେ ଛନକା ପଶି ଯାଉଛି, ଅଂଶୁଘାତ ଶବ୍ଦ ଶୁଣିଲେ ଘରୁ ବାହାରିବାକୁ ଇଛା ହେଉନି, ଭୂମିକମ୍ପ ଶବ୍ଦ ଶୁଣିଲେ ଛାତି ଥରି ଉଠୁଛି, ବନ୍ୟା ଆଖିର ନିଦ ହଜାଇ ଦେଉଛି, ମରୁଡ଼ି ପେଟର ଭୋକକୁ ଦାଉ ସାଧୁଛି , ବାଦଲଫଟା ବର୍ଷା ଯାହା ଶୁଣୁଥିଲୁ ଏବେ ଆମ ପାଖରେ ଦୃଶ୍ୟମାନ, ଶଙ୍କା ଆଶଙ୍କା ବିତୁଛି ଏ ଜୀବନ। ଆମେ ଅନ୍ୟ ଗ୍ରହରେ ବସବାସ କରିବା ପାଇଁ ସ୍ୱପ୍ନ ଦେଖୁଛୁ, କିନ୍ତୁ, ଭାବିଲେ ଲାଗୁଛି ସତରେ କଣ ଆଉ ପୃଥିବୀରେ ଜୀବନ ଜିଇଁବା ସମ୍ଭବ ? ଆଉ ଆମ ପରବର୍ତ୍ତୀ ପିଢିଙ୍କ ପାଇଁ ଏ ପୃଥିବୀ କ’ଣ ଅନୁକୂଳ ଥିବ ତ ?
– ଦିଲ୍ଲୀପ କୁମାର ସାହୁ, ଦାରିଙ୍ଗବାଡ଼ି.

Leave a Reply

Your email address will not be published. Required fields are marked *