ମ୍ୟାଟ୍ରିକ୍ ପରିକ୍ଷା ପରେ କଣ ପଢିବେ,ଶିକ୍ଷା ଗ୍ରହଣରେ ଶିଳ୍ପ ତାଲିମ ଅନୁଷ୍ଠାନର ଭୂମିକା

ଏବେ ପ୍ରାୟତଃ ପରୀକ୍ଷା ଋତୁ ଶେଷ ହୋଇ ଯାଇଛି ।କାଁ ଭାଁ ବାକି ଅଛି। ଯାହାଙ୍କ ପାଇଁ ଚିନ୍ତା ନାହିଁ। ଯେଉଁ ମାନଙ୍କ ପାଇଁ ଚିନ୍ତା ଲାଗିଛି ସେମାନେ ଏବେ ଦ୍ୱନ୍ଦରେ। କେଉଁ ଡାଳ ଧରିବେ। କାହାକୁ ଛାଡ଼ିବେ। ମାଧ୍ୟମିକ ଶିକ୍ଷା ଗ୍ରହଣ ସମୟରେ ସବୁ ବିଷୟରେ ପଢାଯାଏ। ଯଥା, ସାହିତ୍ୟ, ଇଂରାଜୀ, ଇତିହାସ, ଭୂଗୋଳ, ବିଜ୍ଞାନ, ଗଣିତ ଇତ୍ୟାଦି ଇତ୍ୟାଦି। ଏଥିରେ କୃତକାର୍ଯ୍ୟ ହେଲା ପରେ ପରେ ଆସ୍ତେ ଆସ୍ତେ ଗୋଟିଏ ଗୋଟିଏ ବିଷୟ ପ୍ରତି ଧ୍ୟାନ ଦିଆଯିବା ସହିତ ନିଜ ରୁଚି ଅନୁସାରେ ପଢ଼ିବାକୁ ପଡେ।ଦଶମ ପରୀକ୍ଷା ଶେଷ ହେବା ପରେ ଦୋଛକିରେ ଠିଆ ହୋଇ ଚିନ୍ତା କରିବା ପାଇଁ ପଡେ ଯେ ୟା ପରେ ସାଧାରଣ ଶିକ୍ଷା ନା ବୈଷୟିକ ଶିକ୍ଷା ଗ୍ରହଣ କରିବ ।କାହିଁକି ଏଠି ଭବିଷ୍ୟତକୁ ଅନାଇ ଆଗକୁ ବଢିବାର ଅଛି ନଚେତ୍ ଭୂଲ ଚୟନ ବେଳେ ବେଳେ ବୁମେରାଂ ସାବ୍ୟସ୍ତ ହୋଇଥାଏ।
ମୁଁ +୩ ପ୍ରଥମ ବର୍ଷ କଳାରେ ନୃତତ୍ତ୍ବ (Anthropology Honours) ରେ ଅଧ୍ୟୟନ କରୁଥାଏ। ମୋର ଜଣେ ସହପାଠୀ ଯିଏ Anthropology pass ରେ ପଡୁଥାନ୍ତି ସେ + ୩ ଛାଡ଼ି ନିକଟସ୍ଥ ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ନାମ ଲେଖାଇଲେ। ମୁଁ ସେତେବେଳେ ITI ବୋଲି କିଛି ଅନୁଷ୍ଠାନ ଅଛି ସେ ବିଷୟରେ କୌଣସି ଜ୍ଞାନ ନ ଥିଲା। ତାପରେ + ୩ ଶେଷ କଲାପରେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟରୁ ଗୋଟିଏ ସାଙ୍ଗ ସହିତ ITI ଦେଖିବାକୁ ଯାଇଥିଲୁ। ଏଠି କ’ଣ ଓ କେଉଁ ବିଷୟରେ ପାଠ ପଢାହୁଏ ବୋଲି କାହାକୁ ପଚାରି ବୁଝିଥିଲି ।ସେ ମୋତେ କହିଲେ ଏଠି ଛୁଞ୍ଚି ଠାରୁ ହେଲିକପ୍ଟର ପର୍ଯ୍ୟନ୍ତ ତିଆରି ହୁଏ। ଭିତରକୁ ଯାଇ ଦେଖେତ ଖାଲି ଢଣଢାଣ ଶବ୍ଦ ଓ ଲୁହା ଉପରେ ଘଷୁଥିବା ଘସ ଘସ ଶବ୍ଦ ଆସୁଥିଲା ।କିଛି ନ ବୁଝି ଫେରି ଆସିଲି। ଏ ଥିଲା ୧୯୯୯ ମସିହାର କଥା। ୧୯୯୯ ରୁ ୨୦୦୨ ପର୍ଯ୍ୟନ୍ତ ଏକ ଭୂଲ ପଥରୁ ବିଚ୍ୟୁତ ହୋଇ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ସେହି ଶିଳ୍ପ ତାଲିମ ଅନୁଷ୍ଠାନରେ ଶିକ୍ଷା ଅଧ୍ୟୟନ କଲା ପରେ ମୋ ଜୀବନର ମୋଡ ବଦଳିଯାଇଥିଲା।ଶିଳ୍ପ ତାଲିମ ଅନୁଷ୍ଠାନ ( ITI – INDUSTRIAL TRAINNING INSTITUTE) ଏହା ଏକ ବୈଷୟିକ ଶିକ୍ଷା ଅନୁଷ୍ଠାନ । ଏଥିରେ ବିଭିନ୍ନ ବିଷୟରେ ( TRADE ) ପଢାଯାଏ। ନିଜ ପସନ୍ଦ , ରୁଚି ସହିତ ଦଶମ ଶ୍ରେଣୀର ମାର୍କ ଅନୁସାରେ ବିଭିନ୍ନ ଟ୍ରେଡରେ ସ୍ଥାନ ମିଳିଥାଏ। ଦଶମ ଫେଲ ଠାରୁ ଆରମ୍ଭ କରି ସର୍ବୋଚ୍ଚ ଶିକ୍ଷା ଲାଭ କରିଥିବା ଛାତ୍ରଛାତ୍ରୀ ମାନେ ଏଠି ପଢି ପାରିବେ। ସେଥି ମଧ୍ୟରୁ ବିଭିନ୍ନ ଟ୍ରେଡ ଗୁଡିକ ହେଲା
ELECTRICIAN, ELECTRONICS MECHANIC, WIREMAN, FITTER, COPA, MECANIC IN MOTER VEICLE (MMV) DRAUGHTSMAN (CIVIL), DRAUGHTSMAN (MECHANICAL), WELDER, PLUMBER, PAINTER ଭଳି ଆଉ ଅନେକ

(୧) ELECTRICIAN TRADE( 2 YEAR ) :-

ଏଥିରେ ଜଣେ ଦଶମ ଓ ତଦୁର୍ଦ୍ଧ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଏହି ଶିକ୍ଷା ଲାଭ କରି ପାରିବେ ।ବିଦ୍ୟୁତ ସମ୍ବନ୍ଧୀୟ ମୂଳ ତତ୍ତ୍ଵ (Theory) ଓ ପ୍ରାକ୍ଟିକାଲ ( Practical) ଶିକ୍ଷା ଗ୍ରହଣ କରି ପାରିବେ। ଶିକ୍ଷା ଗ୍ରହଣ ପରେ ସେ ସରକାରୀ ଓ ବେସରକାରୀ ଶିଳ୍ପ ସଂସ୍ଥାରେ ନିଯୁକ୍ତି ନିମନ୍ତେ ସୁଯୋଗ ରହିଛି। ଘରେ ଘରେ ବିଜୁଳି ଚାହିଦା ବୃଦ୍ଧି ପାଉ ଥିବାରୁ ଜଣେ ଶିକ୍ଷ୍ୟାର୍ଥି ଆରାମରେ ଅର୍ଥ ରୋଜଗାର କରି ପାରିବ। ଅତି ଅଳ୍ପ ପୁଞ୍ଜିନିବେଶ କରି ବିଦ୍ୟୁତ ମରାମତି, ଘର ୱାଇରିଂ, ମଟର ୱାଇଣ୍ଡିଂ,ଏସି ,ଫ୍ରିଜ ଭଳି ଅନେକ ସରଞ୍ଜାମ ମରାମତି କାର୍ଯ୍ୟ କରି ସ୍ୱାବଲମ୍ବୀ ହୋଇ ଜୀବନକୁ ଉପଭୋଗ କରି ପାରିବ।
(୨ ) WIREMAN( 2 YEAR) :-ଏହି ଟ୍ରେଡରେ ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ପାରି ନ ଥିବା ଛାତ୍ର ଛାତ୍ରୀ ପଢିପାରିବ। ELECTRICIAN ଟ୍ରେଡ ଭଳି ଶିକ୍ଷା ଲାଭ କରି ଅନୁରୂପ ଭାବରେ ଲାଭ ଉଠାଇ ପାରିବେ ।
( ୩)ELECTRONICS MECHANIC ( 2 YEAR) :-

ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଏଠି ପଢି ପାରିବେ। ଏଠି ଇଲେକ୍ଟ୍ରୋନିକ୍ସ ଶିକ୍ଷାର୍ଥୀ ଟିଏ ଟିଭି, କମ୍ପ୍ୟୁଟର, ଭଳି ଅନେକ ସରଞ୍ଜାମ ତିଆରି ଓ ମରାମତି ବିଷୟରେ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ଅଧ୍ୟୟନ କରି ଉଭୟ ସରକାରୀ ଓ ବେସରକାରୀ ଭାବରେ ରୋଜଗାର କ୍ଷମ ହୋଇ ପାରିବ। କମ୍ ପୁଞ୍ଜିନିବେଶ କରି ସ୍ୱାବଲମ୍ବୀ ହୋଇ ପାରିବ।
(୪) WELDER (1 YEAR) :

ଏଠି ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ନ ଥିବା ଛାତ୍ର ପଢି ପାରିବେ। ଲୁହା ଓ ଷ୍ଟିଲରେ ଝରକା କବାଟ ତିଆରି ଏବଂ ମରାମତି ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥାଏ। ଉଭୟ ମୂଳତତ୍ତ୍ବ ଓ ପ୍ରୟୋଗଶାଳାରେ ଶିକ୍ଷା ଲାଭ କଲାପରେ ଉଭୟ ସରକାରୀ ଓ ବେସରକାରୀ ଶିଳ୍ପ ଅନୁଷ୍ଠାନ ଗୁଡିକରେ ନିଯୁକ୍ତି ସୁଯୋଗ ରହିଛି। ଆଖି ଦୃଶିଆ ପୁଞ୍ଜିନିବେଶ କରି ସ୍ୱାବଲମ୍ବୀ ହୋଇ ରୋଜଗାର କରି ଅନ୍ୟକୁ ମଧ୍ୟ ରୋଜଗାରକ୍ଷମ କରେଇ ପାରିବେ।

(୫) FITTER ( 2 YEARS ):-ଏହି ଟ୍ରେଡରେ ଶିକ୍ଷା ଗ୍ରହଣ କରିବା ପାଇଁ ଦୁଇ ବର୍ଷୀୟା ଅବଧି ରହିଛି ।ଏଠି ସଂସାରରେ ନୂତନ ଭାବରେ ନିର୍ମାଣ କାର୍ଯ୍ୟ ପାଇଁ ଯେ କୌଣସି ଯାନ୍ତ୍ରିକ ଉପକରଣ ତିଆରି କରିବା ବିଷୟରେ ଶିକ୍ଷା ଦିଆଯାଇଥାଏ ।ଉଭୟ ମୂଳତତ୍ତ୍ଵ ଓ ପ୍ରୟୋଗ ଶାଳାରେ ପ୍ରସ୍ତୁତ କରାଯାଏ ।ଦଶମ ଶ୍ରେଣୀ ତଥା ତଦୁର୍ଦ୍ଧ କୃତକାର୍ଯ୍ୟ ହୋଇ ଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ।ସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ରହିଥିବା ବେଳେ ବେସରକାରୀ ଶିଳ୍ପ ସଂସ୍ଥାରେ ନିଯୁକ୍ତିରେ ପର୍ଯ୍ୟାପ୍ତ ସୁଯୋଗ ଭରି ରହିଛି ।ଗୋଟିଏ ଶିଳ୍ପ ସଂସ୍ଥା ଫିଟର କାରିଗରୀ ବିନା ଗଢ଼ି ଉଠିବା ଅସମ୍ଭବ । ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟକୁ ନିଯୁକ୍ତି ଦେଇ ପାରିବ ।

(୬) PLUMBER (1 YEAR ) :-

ମାଟ୍ରିକ ପରବର୍ତ୍ତୀ ଶିକ୍ଷାର୍ଥୀ ଏଠି ଉଭୟ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରି ପାରିବେ ।ପାଇପ ଲାଇନ ଯଥା ଗ୍ୟାସ ,ତେଲ , ପାଣି ପାଇପ ତିଆରି କିମ୍ବା ମରାମତି ଉପରେ ସମ୍ପର୍କରେ ଶିକ୍ଷା ଅଧ୍ୟୟନ କରି ସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ପାଇ ପାରିବା ସହିତ ବେସରକାରୀ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିବେ ।ଆତ୍ମନିର୍ଭରଶୀଳ ହୋଇପାରିବା ସହିତ ଅନେକ ବେକାରୀକୁ ନିଯୁକ୍ତି ନିମନ୍ତେ ସୁଯୋଗ ଦେଇ ଅର୍ଥ ରୋଜଗାର କରି ପାରିବେ ।

(୭ ) MECHANIC IN MOTER VEHICLE ( MMV) :- (2 YEAR):

ମାଟ୍ରିକ କିମ୍ବା ତଦୁର୍ଦ୍ଧ ଶିକ୍ଷା ଗ୍ରହଣ କରି ସାରି ଥିବା ଛାତ୍ର ଛାତ୍ରୀ ଏଠି ପଢି ପାରିବେ। ଯେ କୌଣସି ଯାନବାହାନ ନୂତନ ଭାବେ ତିଆରି କରିବା ଓ ମରାମତି ପାଇଁ ଉଭୟ ଶିକ୍ଷା ପ୍ରଦାନ କରାଯାଇଥାଏ। ଶୀତତାପ ନିୟନ୍ତ୍ରିତ ଯାନ, ଯାନ ବିଦ୍ୟୁତିକରଣ ଭଳିକାର୍ଯ୍ଯ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ଅଟୋମୋବାଇଲ ସେକ୍ଟରରେ ନିଯୁକ୍ତି ପାଇ ପାରିବ। । ବର୍ତ୍ତମାନ ସମାଜରେ ଗାଡ଼ି ମଟରର ଚାହିଦା ବୃଦ୍ଧି ପାଉଥିବାରୁ ବେସରକାରୀ ଭାବରେ ୱାର୍କସପ ଖୋଲି ନିଜେ ରୋଜଗାର କରି ଅନ୍ୟକୁ ମଧ୍ୟ ରୋଜଗାରକ୍ଷମ କରେଇ ପାରିବ। ଉଚ୍ଚ ଶିକ୍ଷା ମଧ୍ୟ ଏ କ୍ଷେତ୍ରରେ ଗ୍ରହଣ କରି ସୁନ୍ଦର ଭବିଷ୍ୟତ ଗଠନ କରିବାରେ ସାହାଯ୍ୟ କରିବ ।

(୮) DRAUGHTSMAN (CIVIL) (2 YEAR) :-
ଏହି ଟ୍ରେଡରେ ମଧ୍ୟ ଦଶମ ଶ୍ରେଣୀ କିମ୍ବା ତଦୁର୍ଦ୍ଧ ଶିକ୍ଷା ଗ୍ରହଣ କରି ସାରିଥିବା ଛାତ୍ର ଛାତ୍ରୀ ଅଧ୍ୟୟନ କରି ପାରିବେ। ସାଧାରଣତଃ, ବଡ଼ ବଡ଼ ଉଚ୍ଚ ଅଟ୍ଟାଳିକା,ବ୍ରିଜ ,ରାସ୍ତା ଭଳି ଅନେକ ସିଭିଲ ୱାର୍କସ ନିର୍ମାଣ କରିବା ପାଇଁ ପ୍ରଥମେ ନକ୍ସା ପ୍ରସ୍ତୁତ କରାଯାଏ। ସେହି ନକ୍ସା ତିଆରି ଏହି ଟ୍ରେଡରେ ଉଭୟ ମୂଳତତ୍ତ୍ଵ ଓ ପ୍ରୟୋଗଶାଳାରେ ଶିକ୍ଷା ମିଳିଥାଏ।ଏଠି ଅଧ୍ୟୟନ ପରେ ଉଚ୍ଚ ଶିକ୍ଷା ନେଇ ପାରିବା ସହିତ ଆତ୍ମନିର୍ଭରଶୀଳ ହୋଇ ପାରିବ।
(୯) DRAFTSMAN (MECHANIC) (2 YEAR) :ଦଶମ ଶ୍ରେଣୀ କିମ୍ବା ତଦୁର୍ଦ୍ଧ ଶିକ୍ଷା ଗ୍ରହଣ କରି ସାରି ଥିବା ଛାତ୍ରଛାତ୍ରୀ ଏହି ଟ୍ରେଡରେ ପଢି ପାରିବେ। ବିଜ୍ଞାନ ଯୁଗରେ ଅନେକ ଯନ୍ତ୍ରପାତିର ବିକଶିତ କରାଯାଉଛି। ଆଳସ୍ୟ ପ୍ରକୃତି ଯୋଗୁଁ ଆଜି ଆଉ ଲୋକଙ୍କ ପାଖରେ ଶ୍ରମଦାନର ଘୋର ଅଭାବ ପରିଲକ୍ଷିତ ହେଉଛି। ତେଣୁ ଯନ୍ତ୍ରପାତି ଆବଶ୍ୟକତା ବଢି ଯାଇଛି। କମ୍ ସମୟରେ ଅଧିକ କାର୍ଯ୍ୟ ସାଧିତ ହୋଇ ପାରୁଛି। ସେହି ଯନ୍ତ୍ରପାତି ନିର୍ମାଣ ପାଇଁ କିଛି ମୂଳ ନକ୍ସା ପ୍ରସ୍ତୁତ କରିବା ହେଉଛି ଏହି ଛାତ୍ର ଛାତ୍ରୀ ମାନଙ୍କ କାମ ହୋଇଥାଏ। କମ୍ପାନୀ ଗୁଡ଼ିକରେ ନିଯୁକ୍ତି ସୁଯୋଗ ମିଳିଥାଏ।
(୧୦) COMPUTER OPERATER & PROGRRAMING ASSISTANT ( COPA) :- 1 YEAR :ଦଶମ ଶ୍ରେଣୀ କିମ୍ବା ତଦୁର୍ଦ୍ଧ ଶିକ୍ଷା ଗ୍ରହଣ କରି ସାରି ଥିବା ଛାତ୍ର ଛାତ୍ରୀ ଏଠି ପଢି ପାରିବେ। ଆଜି ତ ପ୍ରତ୍ୟେକ ମୂହୁର୍ତ୍ତରେ କମ୍ପ୍ୟୁଟର ବ୍ୟବହାର ହେଉଛି। ତାହା ବିନୁ କୌଣସି ବିକାଶ ଅସମ୍ଭବ। ଏହି ଏକ ବର୍ଷ ଅବଧି ମଧ୍ୟରେ କମ୍ପ୍ୟୁଟର ମାଧ୍ୟମରେ ବିଭିନ୍ନ ଶିକ୍ଷା ଯଥା HARDWARE, WORD, EXCELL, POWER POINT, ENTERNET BROWGING WITH NETWORKING, HTML, JAVA, DOS, E- COMMERCE କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ନେଇପାରିବା ସହିତ ବେସରକାରୀ ଭାବେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇ ଅନେକଙ୍କୁ ନିଯୁକ୍ତି ଦେଇ ପାରିବେ।

(୧୧) PAINTER :ଏହି ପାଠ୍ୟକ୍ରମରେ ଉଭୟ ମାଟ୍ରିକ ଓ ନନ୍ ମାଟ୍ରିକ ଶିକ୍ଷାର୍ଥୀ ନାମ ଲେଖାଇ ମଧ୍ୟ ଉଚ୍ଚ ଅଟ୍ଟାଳିକା , ଯନ୍ତ୍ରପାତି , ଯାନବାହାନ ପ୍ରଭୃତି କ୍ଷେତ୍ରରେ ଆକର୍ଷଣୀୟ ରଙ୍ଗ କାର୍ଯ୍ୟ କରି ଆତ୍ମନିର୍ଭରଶୀଳ ହୋଇ ପାରିବ । ଅନ୍ୟକୁ ନିଯୁକ୍ତି ପ୍ରଦାନ କରି ପାରିବେ ।ସରକାରୀ ସ୍ତରରେ ମଧ୍ୟ ନିଯୁକ୍ତି ଯଥା ରେଲୱେ ଭଳି ସଂସ୍ଥାରେ ସୁଯୋଗ ମିଳିବାର ସମ୍ଭାବନା ରହିଛି ।

ଶିଳ୍ପ ତାଲିମ ଅନୁଷ୍ଠାନ ଗୁଡିକରେ ଉପରୋକ୍ତ ବିଭିନ୍ନ ଟ୍ରେଡରେ ଉଭୟ ମୂଳତତ୍ତ୍ଵ (THEORY) ଓ ପ୍ରୟୋଗଶାଳା (PRACTICAL) ରେ ତାଲିମ ପ୍ରଦାନ କରାଯାଇଥାଏ। ଏହି ବିଷୟରେ ମୁଁ କିଛି ସମ୍ୟକ ସୂଚନା ପ୍ରଦାନ କରିବା ପାଇଁ ଚେଷ୍ଟା କରିଛି। ମୁଁ କ’ଣ ପଢିବି, କେଉଁ ଲାଇନରେ ଗଲେ ଭବିଷ୍ୟତ ଉଜ୍ଜ୍ୱଳ ହେବ ଏହି ଦ୍ୱନ୍ଦରେ ରହୁଥିବା ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ଗୋଟିଏ ବାଟ ଦେଖାଇ ପାରିବେ। ରୁଚି ରଖୁଥିବା ଟ୍ରେଡ ଚୟନ କରି ଶିକ୍ଷା ଲାଭ କରି ପାରିଲେ ଭବିଷ୍ୟତରେ ସରକାରୀ ,ବେସରକାରୀ ଓ ଆତ୍ମନିର୍ଭରଶୀଳ ହୋଇ ଜୀବନକୁ ଉପଭୋଗ କରି ପାରିବେ। ଏତଦବ୍ୟତୀତ ITI ପାଠ ଅଧ୍ଯୟନ କରି ସାରିବା ପରେ ଡିପ୍ଲୋମା ପାଠ୍ୟକ୍ରମରେ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ଦୁଇ ବର୍ଷରେ ଡିପ୍ଲୋମା ଶିକ୍ଷା ଶେଷ କରି ପାରିବେ । CTTC ରେ ମଧ୍ୟ ଅଧିକ କୁଶଳୀ ଜ୍ଞାନ ଆହରଣ କରି ପାରିବେ ।ରାଜ୍ୟରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଗୁଡିକରେ ଅନେକ ସୁବିଧା ଯୋଗାଇ ଦିଆଯାଉଛି। ଏହି କ୍ଷେତ୍ରରେ ମଧ୍ୟ ଆମେ ନିଜ କେରିଅର ଗଠନ କରି କୁଶଳୀ କାରିଗରୀ ହିସାବରେ ପରିଚୟ ସୃଷ୍ଟି କରି ପାରିବା ।
– ଦିଲ୍ଲୀପ କୁମାର ସାହୁ, ପୂର୍ବତନ ଛାତ୍ର, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଫୁଲବାଣୀ

Leave a Reply

Your email address will not be published. Required fields are marked *