ବିଦ୍ୟୁତସେବା ବିକାଶର ମାପଦଣ୍ଡ ;ସ୍ୱତନ୍ତ୍ର ଉପସ୍ଥାପନା

electricity service is the yardstik of development

ବିଦ୍ୟୁତ ଏକ ଜରୁରୀକାଳୀନ ସେବା ଅଟେ I ବିଦ୍ୟୁତ ବିନା ଜୀବନ ବଂଚିବା ଅସମ୍ଭବ I ଗତ ଫଣୀ ବାତ୍ୟା ସମୟରେ ବିଦ୍ୟୁତ ବିନା ମଣିଷର ଜୀବନ କିପରି ଦୁର୍ବିସହ ହୋଇପଡେ ତାହା ଓଡିଶାବାସି ବାତ୍ୟା ଗଲାପରେ ଭଲ ଭାବରେ ହୃଦୟଙ୍ଗମ କରିଛନ୍ତି I ଓଡିଶା ରାଜ୍ୟ ଓ ଜନଗଣଙ୍କର ବିକାଶ, ଜାତୀୟ ହାରାହାରି ବିକାଶ ଅନୁପାତରେ ତ୍ୱରାନ୍ୱିତ କରିବାକୁ ହେଲେ ବିଦ୍ୟୁତ କ୍ଷେତ୍ରକୁ ପ୍ରାଥମିକତା ଦେଇ ବିକାଶ କରିବା ଅପରିହାର୍ଯ୍ୟ ଅଟେ I ବିଦ୍ୟୁତସେବା ବିକାଶର ମାପଦଣ୍ଡ କୁ ଯଦି ଆମେ ପର୍ଯ୍ୟାଲୋଚନା କରିବା ତାହା ହେଉଛି ଏହି ସେବା ସହ ଜଡିତ ଥିବା ସମସ୍ତ ଅନୁଷ୍ଠାନର ସୁପରିଚାଳନା ତଥା ଓଡ଼ିଶାର କୋଣ ଅନୁକୋଣରେ ଥିବା ଶିଳ୍ପ, ଚାଷ, ବାଣିଜ୍ୟ ଅନୁଷ୍ଠାନ ଓ ବସବାସ କରୁଥିବା ସମସ୍ତ ଜନଗଣଙ୍କୁ ଚବିଶ ଘଣ୍ଟିଆ ନିରବଛିନ୍ନ ବିଦ୍ୟୁତ ସେବା ଠିକ ଭୋଲ୍ଟେଜରେ ଓ ସୁଲଭ ମୂଲ୍ୟରେ ଯୋଗାଇଦେବା ଓ ତତସହିତ ଏହାର ବାର୍ଷିକ ଉପୋଭୋକ୍ତା ଖର୍ଚର ଅଭିବୃଦ୍ଧି I
କୌଣସି ରାଜ୍ୟର ବିକାଶର ଅସଲି ଚିତ୍ର ତାର ମୁଣ୍ଡପିଛା ହାରାହାରି ବିଦ୍ୟୁତ ଖର୍ଚ୍ଚରୁ ଜଣାପଡେ I ଓଡ଼ିଶାର ହାରାହାରି ମୁଣ୍ଡପିଛା ବିଦ୍ୟୁତ ଖର୍ଚ ଆଜିଯାଏ ରାଜ୍ୟ ସରକାର ହିସାବ କରିବାକୁ ଅକ୍ଷମ ଅଛନ୍ତି ତାହାର ମୁଖ୍ୟ କାରଣ ହେଉଛି ଗ୍ରୀଡ଼କୋ ରେ ଘଟୁଥିବା ଘୋର ପରିଚାଳନାର ଅନିୟମିତା I କେନ୍ଦ୍ର ସରକାରଙ୍କ ବେସଜଡ଼ା ତଥ୍ୟ ଅନୁସାରେ ଓଡ଼ିଶାର ମୁଣ୍ଡପିଛା ହାରାହାରି ବିଦ୍ୟୁତ ଖର୍ଚ ୧୧୦୦ ୟୁନିଟ ଅଟେ ଯାହା ଜାତୀୟ ହାରାହାରି ଖର୍ଚ ଠାରୁ ବି କମ I ତେଣୁ ଓଡିଶା ସରକାର ଆଗେଇ ଆସି ଆମ ରାଜ୍ୟରେ ସମସ୍ତ ସୂତ୍ରରୁ ମିଶାଇ କେତେ ବିଦ୍ୟୁତ ଉତ୍ପାଦନ ହେଉଛି ଓ ଓପିଟିସିଏଲ ଲାଇନ ଓ ଗ୍ରୀଡ଼ ରେ କେତେ ବିଦ୍ୟୁତ ପ୍ରବାହିତ ହେଉଛି ତାର ହିସାବ ମାଗନ୍ତୁ ଓ ଓଡିଶାର ବାସ୍ତବ ମୁଣ୍ଡପିଛା ହାରାହାରି ବିଦ୍ୟୁତ ଖର୍ଚକୁ ନିରୂପଣ କରନ୍ତୁ ତଥା ବିକାଶର ମାପଦଣ୍ଡ କୁ ନଜର ଦିଅନ୍ତୁ I
ଓଡିଶା ବିଦ୍ୟୁତ କ୍ଷେତ୍ର ମୁଖ୍ୟତ କୋଇଲା ଭିତିକ ତାପଜ ବିଦ୍ୟୁତ କେନ୍ଦ୍ର ଉପରେ ନିର୍ଭର କରେ ଯାହା ରାଜ୍ୟର ସମୁଦାୟ ବିଦ୍ୟୁତ ଉତ୍ପାଦନର ୮୦% ଅଟେ, ବାକିଥିବା ୨୦% ରୁ, ଜଳ ବିଦ୍ୟୁତ ୧୮% ଓ ଅନ୍ୟାନ ଅଖୟ ଶକ୍ତିରୁ ୨% ବିଦ୍ୟୁତ ଶକ୍ତି ଉତ୍ପାଦିତ ହୁଏ I ଆଜି ଓଡ଼ିଶାରେ ସମସ୍ତ ସୂତ୍ରରୁ (ଯଥା ରାଜ୍ୟ ସରକାରଙ୍କର ଜଳ ବିଦ୍ୟୁତ ଓ ତାପଜ ବିଦ୍ୟୁତ କେନ୍ଦ୍ର, କେନ୍ଦ୍ର ସରକାରଙ୍କର ଜଳ ବିଦ୍ୟୁତ ଓ ତାପଜ ବିଦ୍ୟୁତ କେନ୍ଦ୍ର, ଘରୋଇ ସ୍ୱାଧୀନ ତାପଜ ବିଦ୍ୟୁତ କେନ୍ଦ୍ର, ଶିଳ୍ପ ମାନଙ୍କର ନିଜସ୍ୱ ତାପଜ କେନ୍ଦ୍ର ଓ ଅନ୍ୟାନ) ମିଶାଇ ୨୨୦୦୦ MWର ବିଦ୍ୟୁତ ଉତ୍ପାଦନର କ୍ଷମତା ଅଛି I ତେଣୁ ଓଡିଶା ହେଉଛି ଏକ ବିଦ୍ୟୁତ ବଳକା ରାଜ୍ୟ କାରଣ ଓଡିଶାର ବିଦ୍ୟୁତ ଉପୋଭୋକ୍ତା ମାନେ ବାର୍ଷିକ ଅତିବେଶୀରେ ୫୦୦୦ MW ର ବିଦ୍ୟୁତ ଶକ୍ତି ଆବଶ୍ୟକ କରିଥାନ୍ତି I
ଓଡିଶା ବିଦ୍ୟୁତ କ୍ଷେତ୍ର ବହୁତ ଶକ୍ତିଶାଳୀ ଅଟେ କାରଣ ଏହାର ବାର୍ଷିକ କାରବାରର ମୂଲ୍ୟ ଓଡିଶା ବଜେଟର ପ୍ରାୟ ଅର୍ଦ୍ଧାଧିକ ହେବ I ମାନନୀୟ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରକାଶିତ ବିଭିନ୍ନ ବିଜ୍ଞପ୍ତି ତଥ୍ୟ ଅନୁସାରେ ଓଡିଶା ବିଦ୍ୟୁତର ପାଇକାରୀ ମୂଲ୍ୟ ୟୁନିଟ ପିଛା ଟ୨.୭୦ ପଇସା, ପରିବହନ ବା ସରାବରାହ ଖର୍ଚ ମୂଲ୍ୟ ୟୁନିଟ ପିଛା ୨୫ ପଇସା ଓ ଖୁଚୁରା ବିକ୍ରୟର ହାରାହାରି ମୂଲ୍ୟ ୫ (ପାଞ୍ଚ) ଟଙ୍କା ଅଟେ I ଆମର ସମୁଦାୟ ଉତ୍ପାଦନ କ୍ଷମତା ଥିବା ୨୨୦୦୦ MW ବିଦ୍ୟୁତକୁ ନେଇ ବିଚାର କଲେ ଜଣାପଡେ ଯେ ଓଡ଼ିଶାରେ ଅତିକମରେ ପ୍ରାୟ ୧୫୦୦୦୦ (ଏକ ଲକ୍ଷ ପଚାଶ ହଜାର ) ମିଲିଅନ ୟୁନିଟ ବିଦ୍ୟୁତ ଓପିଟିସିଏଲ ଲାଇନ ଓ ଗ୍ରୀଡ଼ରେ ବାର୍ଷିକ ପ୍ରବାହିତ ହେଉଛି ଯାହାର ବାର୍ଷିକ କାରବାରର ମୂଲ୍ୟ, ହାରାହାରି ଖୁଚୁରା ବିକ୍ରୟ ମୂଲ୍ୟ ୫ ଟଙ୍କା ବିଚାରକୁ ନେଇ ହିସାବ କଲେ ଜଣାପଡେ ଯେ ଆମର ବାର୍ଷିକ ୭୫୦୦୦ କୋଟି ଟଙ୍କାର ବିଦ୍ୟୁତ କାରବାର ହେଉଛି କିନ୍ତୁ ଦୁଃଖର କଥା ଗ୍ରୀଡ଼କୋ ମାତ୍ର ୩୦୦୦୦ (ତିରିଶ ହଜାର) ମିଲିଅନ ୟୁନିଟର ହିସାବ ପ୍ରକାଶ କରିପାରୁଛି ଯାହାମାତ୍ର ୯୦୦୦ (ନ ହଜାର) କୋଟି ଟଙ୍କା ମଧ୍ୟରେ ସୀମିତ ଯେଉଁଥିରେ କି ୩୫% ବିଦ୍ୟୁତ କ୍ଷତି ଅନ୍ତର୍ଭୁକ୍ତ I
ବିଦ୍ୟୁତ କ୍ଷେତ୍ରକୁ ଠିକ କରିବାକୁ ହେଲେ ଏହାର ପରିଚାଳନାକୁ ଠିକ କରିବାକୁ ପଡିବ I ଓଡିଶା ବିଦ୍ୟୁତ କ୍ଷେତ୍ରର ସଂସ୍କାର ପରେ ମୁଖ୍ୟତ ଯେଉଁ ୯ ଗୋଟି ପୁରାତନ କମ୍ପାନୀ (ଯଥା ଓପିଜିସି, ଓ଼ଏଚପିସି, ଓପିଟିସିଏଲ, ଏସଏଲଡ଼ିସି, ଗ୍ରୀଡ଼କୋ, ସେସୁ, ୱେସ୍କୋ, ନେସ୍କୋ ଓ ସାଉଥକୋ) କାର୍ଯ୍ୟ କରୁଛନ୍ତି, ସମସ୍ତଙ୍କ କେନ୍ଦ୍ରରେ ଗ୍ରୀଡ଼କୋର ହିଁ ମୁଖ୍ୟ କାର୍ଯ୍ୟ, ତେଣୁ ବିଦ୍ୟୁତ କ୍ଷେତ୍ରର ବିକାଶ କଥା ଆଲୋଚନା କଲେ ଆମକୁ ମୁଖ୍ୟତ ଗ୍ରୀଡ଼କୋର ସୁପରିଚାଳନା ଓ ବିକାଶ ଉପରେ ଦୃଷ୍ଟିନିବଧ କରୁ I ନବଗଠିତ ବିଦ୍ୟୁତ କମ୍ପାନୀ ଯଥା ଜେଡକଲ,ଓଟିପିସି, ଓସିପିଏଲ ଓ ଅନ୍ୟାନ ମାନେ ବି ଗ୍ରୀଡ଼କୋର ପରିଚାଳନାରେ ପ୍ରଭାବିତ I
ଗତ ଦଶ ବର୍ଷ ଭିତରେ ଓଡିଶା ବିଦ୍ୟୁତ କ୍ଷେତ୍ର ପାଇଁ ପ୍ରାୟ ୨୦୦୦୦ (କୋଡିଏ ହଜାର) କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି, ଯାହାକି ଗ୍ରୀଡ଼କୋରେ କାର୍ଯ୍ୟକରୁଥିବା ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକଙ୍କ ଦସ୍ତଖତରେ କରାଯାଇଛି I ଏତେ ପୁଞ୍ଜି ବିନିଯୋଗ ପରେ ବି ଓ ହାତ ଆଙ୍ଗୁଠି ଉପରେ ସମସ୍ତ ତଥ୍ୟ ଥାଇ ବି ଗ୍ରୀଡ଼କୋ ଆଜିଯାଏ କେତେ ବିଦ୍ୟୁତ ଶକ୍ତି ଓପିଟିସିଏଲ ର ଉଚକ୍ଷମତା ସମ୍ପର୍ଣ ଲାଇନି ଓ ଗ୍ରୀଡ଼ରେ ରେ ପ୍ରବାହିତ ହେଉଛି ତାହା ପ୍ରକାଶ କରି ପାରିଲେ ନାହିଁ I ଗ୍ରୀଡ଼କୋ ୨୦୦୫ ମସିହାରୁ ବଣ୍ଟନ କମ୍ପାନୀ ମାନଙ୍କୁ ନିଁର୍ଧେଶ ଦେଇଆସୁଛି ତାଙ୍କର ଶକ୍ତି ସମୀକ୍ଷା ଓ ଯାଞ୍ଚ (Energy audit ) କରିବା ପାଇଁ କିନ୍ତୁ ନିଜର ଶକ୍ତି ସମୀକ୍ଷା ଓ ଯାଞ୍ଚ କରୁ ନାହାନ୍ତି, ଯାହାପାଇଁ କେଉଁ ସୂତ୍ରରୁ କେତେ ବିଦ୍ୟୁତ ଉତ୍ପାଦନ ହେଲା, ଓପିଟିସିଏଲ ଲାଇନ ଓ ଗ୍ରୀଡ଼କୁ କେତେ ବିଦ୍ୟୁତ ଆସିଲା, କେତେ ବିଦ୍ୟୁତ ପିଜିସିଆଇଏଲ ଲାଇନ ରେ ପ୍ରବାହିତ ହେଲା, କାହାଠାରୁ ଆସିଲା, କେତେ ବିଦ୍ୟୁତ ଓଡିଶାରେ ବିନିଯୋଗ ହେଲା, କେତେ ସରାବରାହ କ୍ଷତି ହେଲା ଓ ବାକି ବିଦ୍ୟୁତ କୁଆଡେ ଗଲା ତାହା ଆଜି ଓଡିଶା ଜନଗଣଙ୍କ ପାଇଁ ଅଗୋଚର ହୋଇ ରହିଛି I ଗ୍ରୀଡ଼କୋ ଏକ ଶକ୍ତି ଟ୍ରେଡର ହିସାବରେ ଓପିଟିସିଏଲ ର ଲାଇନି ଓ ଗ୍ରୀଡ଼ରେ ପ୍ରବାହ ହେଉଥିବା ସମସ୍ତ ବିଦ୍ୟୁତ ଶକ୍ତିର ମାଲିକ ଅଟେ I କିନ୍ତୁ ଗ୍ରୀଡ଼କୋ ଉକ୍ତ ୧୫୦୦୦୦ (ଦେଢ଼ ଲକ୍ଷ) ମିଲିଅନ ୟୁନିଟ (ଯାହାର ଆନୁମାନିକ ମୂଲ୍ୟ ୭୫୦୦୦ କୋଟି ଟଙ୍କା) ବିଦ୍ୟୁତ ପ୍ରବାହର ହିସାବ ପ୍ରକାଶ କରିବାକୁ ଅକ୍ଷମ ହେଉଛି, କେବଳ ମାତ୍ର ଉକ୍ତ ୩୦୦୦୦ (ତିତିସ ହଜାର) ମିଲିଅନ ୟୁନିଟର ହିସାବ ଦେଉଛି, ଯାହା ଚାରୋଟି ବିଦ୍ୟୁତ ବଣ୍ଟନ କମ୍ପାନୀ ( ଯଥା ସେସୁ, ୱେସ୍କୋ, ନେସ୍କୋ, ସାଉଥକୋ) ମାନଙ୍କୁ ବିକ୍ରି କରୁଛି ଓ ଉକ୍ତ କମ୍ପାନୀ ମାନେ ଉପୋଭୋକ୍ତା ମାନଙ୍କୁ ବିକ୍ରୟ କରୁଛନ୍ତି, ବାକି ୧୨୦୦୦୦ (ଏକ ଲକ୍ଷ କୋଡିଏ ହଜାର) ମିଲିଅନ ୟୁନିଟ ବିଦ୍ୟୁତର ହିସାବ ପ୍ରକାଶ କରିବାକୁ ଅକ୍ଷମ, ଯାହା ଓଡିଶା ବିଦ୍ୟୁତ କ୍ଷେତ୍ର ପାଇଁ ଏକ ଅଭିଶାପ ସ୍ୟାବସ୍ତ ହୋଇଛି I
ଏହା ସତ୍ୟ ଯେ ଗତ ଦଶ ବର୍ଷ ଭିତରେ ଓଡିଶା ବିଦ୍ୟୁତ କ୍ଷେତ୍ରରେ ବହୁତ ପ୍ରଯୁକ୍ତି ବିଦ୍ୟାର ଯନ୍ତ୍ରପାତି ପ୍ରୟୋଗ କରାଯାଇଛି I ଓପିଟିସିଏଲ ଲାଇନ ଓ ଗ୍ରୀଡ଼ ଯେଉଁଠି ଅନ୍ୟ କମ୍ପାନୀ ମାନଙ୍କର ଲାଇନ ସହିତ ଯୋଡାଯାଇଛି (ଇଣ୍ଟରଫେସ ସ୍ଥାନ) ସେହି ସ୍ଥାନ ମାନଙ୍କରେ ଡିଜିଟାଲ ଓ ସ୍ମାର୍ଟ ମିଟର ବସାଯାଇଛି I ତେଣୁ ସେହି ଉଚ୍ଚ କ୍ଷମତାସମ୍ପର୍ଣ ଲାଇନ ରେ କେତେ ବିଦ୍ୟୁତ ପ୍ରବାହ ହେଉଛି ତାର ତଥ୍ୟ ଆଙ୍ଗୁଠି ଉପରେ ଅଛି I ତେଣୁ ପ୍ରଶ୍ନ ଉଠୁଛି ଯଦି ଉକ୍ତ ଲାଇନରେ ହେଉଥିବା ବିଦ୍ୟୁତ ପ୍ରବାହର ତଥ୍ୟ ହାତ ପାହାନ୍ତାରେ ଅଛି, ତେବେ ଗ୍ରୀଡ଼କୋ ତାକୁ ପ୍ରକାଶ କରିବାକୁ ଅକ୍ଷମ କାହିଁକି? ବିଗତ ଦିନ ମାନଙ୍କରେ ଆମେ ଦେଖୁଛୁ ସରକାର କେତେ ଗଛ ଫଣୀ ବାତ୍ୟାର ନଷ୍ଟ ହେଲା ତାକୁ ଗଣି ଦେଉଛନ୍ତି, ଚିଲିକାକୁ କେତେ ପକ୍ଷୀ ଆସିଲେ ତାକୁ ବି ଗଣି ଦେଉଛନ୍ତି, ବାଘ ଭାଲୁ ଓ ହାତୀ ବି ଗଣନା କରାଯାଇପାରୁଛି କିନ୍ତୁ ଓପିଟିସିଏଲ ଲାଇନ ରେ କେତେ ବିଦ୍ୟୁତ ପ୍ରବାହିତ ହେଉଛି ତାକୁ ଗଣି ହିସାବ କରିପାରୁ ନାହାନ୍ତି , ତାର ତଥ୍ୟ ପ୍ରକାଶ କରିବାକୁ କାହିଁକି ଗ୍ରୀଡ଼କୋ ଅସମର୍ଥ ତାହା ତଦନ୍ତ ସାପେକ୍ଷ I
ବିଦ୍ୟୁତ ନିୟାମକ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ୨୦୧୯-୨୦ ଆର୍ଥିକ ବର୍ଷର ତଥ୍ୟ ଅନୁସାରେ, ଗ୍ରୀଡ଼କୋ ର ହାରାହାରି ୟୁନିଟ ପିଛା ପାଇକାରୀ ମୂଲ୍ୟ ହେଉଛି ଟ୨.୭୦ ପଇସା , ତେଣୁ ଗ୍ରୀଡ଼କୋ ପାଖରେ ମାତ୍ର ୮୧୦୦ (ଆଠ ହଜାର ଏକ ସତ) କୋଟି ଟଙ୍କାର ହିସାବ ଅଛି ବୋଲି ପ୍ରକାଶ କରୁଛି I ଗ୍ରୀଡ଼କୋ ପାଖରେ ବିଦ୍ୟୁତ ବେପାର କରିବାର ଅସୀମ ସମ୍ଭବ ଓ ସମ୍ଭାବନା ଥିବା ସତ୍ୱେ ବି ଏହାର ଅପରିଚାଳନା ଓ ଅଦୂରଦୃଷ୍ଟିତା ଏହାକୁ ତଳିତଳାନ୍ତ କରି ଚାଲିଛି I ନିୟାମକ ଆୟୋଗଙ୍କ ମଧ୍ୟ ଦେଇ ଗ୍ରୀଡ଼କୋ କୁ ଉକ୍ତ ବିଦ୍ୟୁତ ର ହିସାବ ମଗାଯିବା ପରେ ବି ଗ୍ରୀଡ଼କୋ ତାର ହିସାବ ପ୍ରକାଶ କରିପାରୁନାହିଁ I ତେଣୁ ୟୁନିଟ ପିଚା ଟ ୨.୭୦ ପଇସା ପାଇକାରୀ ମୂଲ୍ୟ କୁ ବିଚାରକୁ ନେଇ ଉକ୍ତ ବେହିସାବ ୧୨୦୦୦୦ (ଏକ ଲକ୍ଷ କୋଡିଏ ହଜାର) ମିଲିଅନ ୟୁନିଟ ମୂଲ୍ୟ ହିସାବ କଲେ ଜଣାପଡେ ଯେ ୩୨୪୦୦ (ବତିଶ ହଜାର ଚାରି ସତ ) କୋଟି ଟଙ୍କାର ବିଦ୍ୟୁତ ହିସାବ ଗ୍ରୀଡ଼କୋ ପ୍ରକାଶ କରିପାରୁ ନାହିଁ ଯାହା ଓଡିଶା ରାଜ୍ୟର ପ୍ରଗତି ପାଇଁ ବାଧକ ସାଜିଛି ଓ ତାହା ଚିନ୍ତାର ବିଷୟ I
ଅନ୍ୟ ଦିଗରୁ ତର୍ଜମା କଲେ ଜଣାପଡେ ଯେ ଓପିଟିସିଏଲ ତାର ପରିବହନ ଖର୍ଚ ପାଇଁ ୟୁନିଟ ପିଛା ୨୫ (ପଚିଶ) ପଇସା ହିସାବରେ ଉକ୍ତ ୩୦୦୦୦ ମିଲିଅନ ୟୁନିଟ ବଣ୍ଟନ କମ୍ପାନୀ ମାନଙ୍କ ପାଇଁ ପରିବହନ ବା ସରାବରାହ କରି ୭୫୦ (ସାତ ସହ ପଚାଶ) କୋଟି ଟଙ୍କା ବାର୍ଷିକ ରାଜସ୍ଵ ପ୍ରାପ୍ତ କରୁଛି ଓ ସେହି ରାଜସ୍ଵ ରେ ତାଙ୍କର ୫୦୦୦ କର୍ମଚାରୀ ସୁରୁଖୁରୁରେ କାର୍ଯ୍ୟ କରୁଛନ୍ତି I କିନ୍ତୁ ଚିନ୍ତାର ବିଷୟ ହେଉଛି ବାକି ରହିଥିବା ୧୨୦୦୦୦ ମିଲିଅନ ୟୁନିଟର ବିଦ୍ୟୁତ ଓପିଟିସିଏଲ ସରାବରାହ କରୁଛି ସତ କିନ୍ତୁ ତା ପାଇଁ ସେ କିଛି ରାଜସ୍ଵ ପାଉନାହିଁ I ହିସାବ କଲେ ଜଣାପଡେ ଯେ ଉକ୍ତ ୟୁନିଟ ହିସାବକୁ ନ ଆସିବା କାରଣରୁ ଓପିଟିସିଏଲ ବାର୍ଷିକ ପ୍ରାୟ ୩୦୦୦ (ତିନି ହଜାର ) କୋଟି ଟଙ୍କା ପରିବହନ ଚାରଜେସ ବାବଦକୁ ରାଜସ୍ୱ କ୍ଷତି ସହୁଛି, ଯାହା ରାଜ୍ୟ ପାଇଁ ଘୋର ପରିତାପର ବିଷୟ ଅଟେ I
ବିଦ୍ୟୁତ ସେବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ I ଓଡିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ପୁସ୍ତିକା “ଓଡିଶା କ୍ଲାଏମେଟ ଚେଞ୍ଜ ଆକ୍ସନ ପ୍ଲାନ (୨୦୧୮-୨୩)ର ୪୦ ନମ୍ବର ପୃଷ୍ଠାରେ ସରକାର ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି ଯେ ଓଡିଶା ବିଦ୍ୟୁତ, ଓଡିଶାରୁ ନିର୍ଗମନ ହେଉଥିବା ସମୁଦାୟ ସବୁଜ ଘର ଗ୍ୟାସ (Green House Gas )ର ୬୨% ନିର୍ଗମନ କରୁଛି I ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ବିଦ୍ୟୁତ କ୍ଷେତ୍ର କେତେ ସ୍ପର୍ଶକାତର ପ୍ରସଙ୍ଗ I ଓଡିଶା ବିଦ୍ୟୁତ ମୁଖ୍ୟତ କୋଇଲା ଭିତିକ ତାପଜ ବିଦ୍ୟୁତ କେନ୍ଦ୍ର ଉପରେ ନିର୍ଭରଶିଳ I ଓଡ଼ିଶାରେ ମହଜୁଦ ଥିବା ଦେଶର ଏକ-ଚତୁର୍ଥାଂଶ କୋଇଲାର ତାପଜ ବିଦ୍ୟୁତ ପାଇଁ ଉପାଦେୟ, ତେଣୁ କୋଇଲାର ପ୍ରବଳ ମାତ୍ରାରେ ଦହନ କରାଯାଇ ଉକ୍ତ ୨୨୦୦୦ MW ର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ମାନ ବସା ଯାଇଛି ଓ ସେଥିରୁ ବିଦ୍ୟୁତ ଉତ୍ପାଦନ କରା ଯାଉଛି I ଦୁଃଖର ବିଷୟ ହେଉଛି ଯାହା ବିଦ୍ୟୁତ ଉତ୍ପାଦନ ହେଉଛି ତାର ସଠିକ ହିସାବ ନାହିଁ ଓ ତତସହିତ ୩୫% ବଣ୍ଟନ କ୍ଷତି ଓଡିଶା ପରିବେଶ ଉପରେ ବହୁତ ଭାରି ପଡୁଛି I ବିଦ୍ୟୁତ କ୍ଷେତ୍ରର କୁପରିଚାଳନା ପାଇଁ ଓଡିଶାର ପରିବେଶ ଓ ପାଣିପାଗ ବହୁତ ମାତ୍ରାରେ ପ୍ରଭାବିତ ହୋଇ ରାଜ୍ୟ ଅର୍ଥନୀତି କୁ ଦୋହଲାଇ ଦେଉଛି I ଓଡିଶା ବିଦ୍ୟୁତ କ୍ଷେତ୍ରର ସବୁଜ ଘର ଗ୍ୟାସ ଏତେ ନିର୍ଗମନ ହେଉଛି ଯେ ତାହା ଜାତୀୟ ହାରାହାରି ନିର୍ଗମନ ଠାରୁ ଅଧିକ ଅଟେ I ଗତ ସାତ ବର୍ଷ ଭିତରେ ଓଡିଶାକୁ ଚାରୋଟି ଭୟଙ୍କର ବାତ୍ୟା ଯଥା ଫାଇଲିନି, ହୁଡହୁଡ, ତିତିଲି ଓ ଫଣୀ ଆସିଛି I ଉକ୍ତ ଭୟଙ୍କର ବାତ୍ୟା ସୂଚାଉଛି ଯେ ଆମର ବାୟୁମଣ୍ଡଳ କେତେ ପ୍ରଦ୍ୟୁସିତ ଅଛି ଓ କେତେ ଭାରସାମ୍ୟ ହରାଇଛି I ବର୍ଷା, ଶୀତ ଓ ଖରା ରୀତୁ ର କିଛି ଠିକ ଠିକଣା ରହୁ ନାହିଁ ଯାହାପାଇଁ ଉଦ୍ଭିଦ ଜଗତ, ଚାଷ ଓ ଜଳଭଣ୍ଡାର ଗୁଡିକ ପ୍ରଭୂତ କ୍ଷତି ସହୁଛନ୍ତି I ଭୟଙ୍କର ବାତ୍ୟା ଆସିବା ଦ୍ୱାରା ପ୍ରବଳ ମାତ୍ରାରେ ଉଦ୍ଭିଦ ଜଗତର କ୍ଷତି ସାଧନ କରୁଛି ଯାହାପାଇଁ ବାୟୁ ମଣ୍ଡଳ ଆହୁରି ପ୍ରଦ୍ୟୁସିତ ହେଉଛି ଓ ଅନ୍ୟ ଏକ ନୂତନ ଭୟଙ୍କର ବାତ୍ୟାକୁ ଜନ୍ମ ଦେଉଛି I ତେଣୁ ବିଦ୍ୟୁତ କ୍ଷେତ୍ରର କୁପରିଚାଳନା ପାଇଁ ଓଡିଶା ଏକ ମରଣ ଯନ୍ତାରେ ପଡି ଯାଇଛି, ଉଦ୍ଧାର ନହେଲେ ନିସ୍ତାର ନାହିଁ I
ଓଡିଶା ଓ ଓଡିଶା ବାହାରେ ଥିବା କୋଇଲା ଭିତିକ ତାପଜ ବିଦ୍ୟୁତ କେନ୍ଦ୍ର ମାନଙ୍କର କୋଇଲା ଦହନ ତଥ୍ୟ ତଥା ରାଜ୍ୟ ଓ କେନ୍ଦ୍ର ବିଦ୍ୟୁତ ନିୟାମକ ଆୟୋଗଙ୍କ ତଥ୍ୟକୁ ବିଚାର କରି ଆମ ସମୀକ୍ଷାରୁ ଜଣାପଡିଛି ଯେ ଗୋଟିଏ ୟୁନିଟ ବିଦ୍ୟୁତ ଉତ୍ପାଦନ ପାଇଁ ୬୦୦ (ଛ ସତ) ଗ୍ରାମରୁ ୯୦୦ (ନ ସତ) ଗ୍ରାମ ପର୍ଯ୍ୟନ୍ତ କୋଇଲା ଆବଶ୍ୟକ ହୋଇଥାଏ କାରଣ କୋଇଲାର ଗ୍ରେଡ଼ ଓ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ମାନଙ୍କର ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଭିନ୍ନ ଭିନ୍ନ ଅଟେ I ତେଣୁ ହାରାହାରି ଭାବରେ ଗୋଟିଏ ୟୁନିଟ ବିଦ୍ୟୁତ ଉତ୍ପାଦନ ପାଇଁ ୭୫୦ (ସାତ ସତ ପଚାଶ) ଗ୍ରାମର କୋଇଲା ଆବଶ୍ୟକ ହୋଇଥାଏ I ଆମେ ପାଠକ ମାନକୁ ଜଣାଇ ଦେଉଛୁ ଯେ ଏକ ମିଲିଅନ ୟୁନିଟ ବିଦ୍ୟୁତ ହେଉଛି ୧୦୦୦୦୦୦ (ଦଶ ଲକ୍ଷ) ୟୁନିଟ ଓ ଓଡ଼ିଶାରେ ବାର୍ଷିକ ଉକ୍ତ ୧୫୦୦୦୦୦୦ (ଏକ ଲକ୍ଷ ପଚାଶ ହଜାର) ମିଲିଅନ ୟୁନିଟ ବିଦ୍ୟୁତ ଓପିଟିସିଏଲ ଲାଇନ ରେ ସରାବରାହ କରୁଛି I ଏଥିରୁ ଆପଣ ସହଜରେ ଅନୁମାନ କରିପାରୁଥିବେ ଯେ ଓଡ଼ିଶାରେ ପ୍ରତିଦିନ କେତେ କେତେ କୋଇଲା ଦହନ କରାଯାଉଛି ଓ ସେଥିରୁ କେତେ କେତେ ସବୁଜ ଘର ଗ୍ୟାସ ନିର୍ଗମନ ହୋଇ ଆମ ବାୟୁମଣ୍ଡଳକୁ ଦୂଷିତ କରୁଛି, ଯାହା ପାଇଁ ଆମେ ଖୁବ କମ ସମୟ ମଧ୍ୟରେ ଚାରୋଟି ମହାବାତ୍ୟାର ସମ୍ମୁଖୀନ ହେଲେଣି I ଓଡିଶାର ଦୁଃଖ ଏତିକିରେ ସରିନାହିଁ, ଆଗକୁ ଦେଖିଲେ ଜଣାପଡେ ଯେ ଯାହା ବିଦ୍ୟୁତ ଉତ୍ପାଦନ ହେଲା ତାହାର ହିସାବ ଆମ ପାଖରେ ନାହିଁ ଓ ବଣ୍ଟନ କମ୍ପାନୀ ମାନେ ୩୫% ବଣ୍ଟନ କ୍ଷତି ସହୁଛନ୍ତି ଯାହାର ହିସାବ ନାହିଁ I ବିଭିନ୍ନ ସମର୍ଥିତ ସୂତ୍ରରୁ ତଥ୍ୟ ହେଉଛି ଯେ ଭାରତର ହାରାହାରି ବିଦ୍ୟୁତ ବଣ୍ଟନ କ୍ଷତି କମିକମି ଆସି ୧୭%ରେ ପହଂଚିଛି ମାତ୍ର ଓଡିଶାର ୩୫% ବିଦ୍ୟୁତ କ୍ଷତି ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସର୍ବାଧିକ, ଯାହାକି ଘୋର ପରିତାପର ବିଷୟ I
ବିଦ୍ୟୁତ ରୁପି ମରଣ ଯନ୍ତାରୁ ଓଡିଶାକୁ ଉଦ୍ଧାର କରିବାକୁ ହେଲେ ପ୍ରଥମତଃ ଗ୍ରୀଡ଼କୋର ସୁପରିଚାଳନା କରି ଓପିଟିସିଏଲ ବିଦ୍ୟୁତ ଲାଇନ ଓ ଗ୍ରୀଡ଼ରେ ସମୁଦାୟ କେତେ ବିଦ୍ୟୁତ ପ୍ରବାହିତ ହେଉଛି, ତାର ଟିକିନିକି ହିସାବ ନିହାତି କରିବା ଆବଶ୍ୟକ I ତାହା କରାଗଲେ ଉକ୍ତ ସଂସ୍ଥା ମାନଙ୍କର ରାଜସ୍ୱ ପ୍ରବଳ ମାତ୍ରାରେ ବୃଦ୍ଧି ଘଟିବ ଓ ବିଦ୍ୟୁତ କ୍ଷତି କମିବାକୁ ଆରମ୍ଭ କରିବ I ଉକ୍ତ ୩୫% ବଣ୍ଟନ କ୍ଷତି ପାଇଁ ଖାଳିତ ରାଜସ୍ୱ ହାନି ହେଉନି, ଅନ୍ୟପକ୍ଷରେ ଉପୋଭୋକ୍ତା ମାନଙ୍କୁ ନିରବଛିନ୍ନ ବିଦ୍ୟୁତସେବା ବି ଯୋଗାଯାଇପାରୁନି ଓ ବିଦ୍ୟୁତ ଏକ ସ୍ପର୍ଶକାତର ପ୍ରସଙ୍ଗ ତାହା ବି ଉପୋଭୋକ୍ତା ମାନଙ୍କୁ ମାଲୂମ ପଡୁନି I
ଏଣୁ ଆଜି ଓଡିଶା ଏକ ଘଡ଼ିସନ୍ଧି ମୁହୂର୍ତ ଦେଇ ଗତି କରୁଛି, ଏହି ମୁହୂର୍ତ୍ତରୁ ଉଦ୍ଧାର ପାଇବାକୁ ହେଲେ ବିଦ୍ୟୁତ କ୍ଷେତ୍ରର ସୁପରିଚାଳନା ନିଶ୍ଚୟ କରିବା ଜରୁରୀ ଅଟେ I ବିଦ୍ୟୁତ କ୍ଷେତ୍ରର ସୁପରିଚାଳନା ଓଡିଶା ବିକାଶ ଓ ପ୍ରଗତି ପାଇଁ ପଥ ପରିସ୍କାର କରିବ I ବିଦ୍ୟୁତ କ୍ଷେତ୍ର ଅନ୍ୟ କ୍ଷେତ୍ର ମାନଙ୍କ ଠାରୁ ଅଲଗା ଅଟେ, ତେଣୁ ସେଥିପାଇଁ ବିଦ୍ୟୁତ କ୍ଷେତ୍ର ପାଇଁ ଲାଗୁ ହୋଇଥିବା ନୀତି, ନିୟମ ଓ ଆଇନି ଅନ୍ୟ କ୍ଷେତ୍ର ଠାରୁ ଭିନ୍ନ ଅଟେ I ତେଣୁ ଏହି କ୍ଷେତ୍ରର ବିକାଶ ସମୀକରଣ ଉପରେ ଧ୍ୟାନ ଦିଆଯାଇପାରେ, ଯଥା ବିଦ୍ୟୁତ ସେବା ଯୋଗାଣ ଓ ମୂଲ୍ୟ ନିର୍ଧାରଣ ପରସ୍ପର ବିପରୀତ ଗାମୀ ଅଟନ୍ତି, ବିଦ୍ୟୁତସେବାର ମାନ ବଢିଲେ ବିଦ୍ୟୁତର ହାରାହାରି ଖାଉଟି ମୂଲ୍ୟ କମିବାକୁ ଆରମ୍ଭ କରେ ଓ ବିଦ୍ୟୁତ ସେବାର ଗୁଣାତ୍ମକ ମାନ କମିଲେ ଏହାର ହାରାହାରି ଖାଉଟି ବିକ୍ରି ମୂଲ୍ୟ ପ୍ରଭାବିତ ହୋଇ ବଢିବାକୁ ଆରମ୍ଭ କରେ I ଆଜି ଓଡିଶା ବିଦ୍ୟୁତ କ୍ଷେତ୍ର ବିଯୁକ୍ତାତ୍ମକ ପଥରେ ଅଗ୍ରସର, ସେଥିପାଇଁ ସେବାର ଗୁଣାତ୍ମକ ମାନ କମୁଛି ଓ ହାରାହାରି ଖାଉଟି ମୂଲ୍ୟ ପ୍ରତିବର୍ଷ ବଢି ଚାଲିଛି I ସମୟ ଆସିଛି ବିଯୁକ୍ତାତ୍ମକ ପଥରେ ଗତି କରୁଥିବା ବିଦ୍ୟୁତ କ୍ଷେତ୍ର ଉପରେ ପୂର୍ଣ୍ଣଛେଦ ଟାଣିବା I ତେଣୁ ଓଡିଶା ରାଜ୍ୟ ସରକାର ଏହି ସଂକଟମୟ ପରିସ୍ତିତିକୁ ଭଲ ଭାବରେ ହୃଦୟଙ୍ଗମ ଓ ଅନୁଧ୍ୟାନ କରନ୍ତୁ ଓ ତତସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗ୍ରୀଡ଼କୋର ସୁପରିଚାଳନା କରିବା ପାଇଁ ଉଚିତ ପଦ୍ଧକ୍ଷେପ ଗ୍ରହଣ କରନ୍ତୁ ଯାହା ରାଜ୍ୟ ବିକାଶ ପାଇଁ ଖୁବ ମାତ୍ରାରେ ସହାୟକ ହେବ I
ଆନନ୍ଦ ମହାପାତ୍ର, ଶକ୍ତି ସମୀକ୍ଷକ, ଭୁବନେଶ୍ୱର, ଦୂରଭାଷ ନମ୍ବର: ୮୮୯୫୪୧୮୧୬୯

Leave a Reply

Your email address will not be published. Required fields are marked *