କଦଳୀ ପତ୍ର ରେ ଖାଇବା ଦ୍ୱାରା ମିଳିଥାଏ ଏତେ ସବୁ ଫାଇଦା ,ସୁନା ଥାଳି ଠାରୁ କମ ନୁହେଁ କଦଳୀ ପତ୍ର

ଭାରତୀୟ ସଂସ୍କୃତିର ବ୍ୟାପକତା ଓ ମହନୀୟତା ସର୍ବଦା ଜନାଦୃତ ହୋଇ ରହିଛି । ତ୍ରିକାଳଦର୍ଶୀ ମୂନୀ ଋଷି ମାନଙ୍କର ଅବଦାନ ମାନବ ସମାଜ ପାଇଁ କଲ୍ୟାଣକାରୀ ସାବ୍ୟସ୍ତ ହୋଇଛି । କିନ୍ତୁ, ପ୍ରାଚୀନ ସଂସ୍କୃତିର ଚାଲିଚଳନ, ଖାଦ୍ୟପେୟ ଓ ଜୀବନଶୈଳୀ ଆଧୁନିକତାର କରାଳ ପଞ୍ଝାରେ ଡୁବିବାକୁ ବସିଲାଣି । ପ୍ରାତଃ କାଳରେ ନିଦ୍ରା ଭଙ୍ଗ ଠାରୁ ନିଦ୍ରା ଜନିତ ଚକ୍ଷୁ ମୁଦ୍ରିତ ହେବା ପର୍ଯ୍ୟନ୍ତ ଦୈନିକ ଜୀବନଚର୍ଯ୍ୟା ପାଇଁ ଏକ ଆଚାର ସଂହିତା ମନୁଷ୍ୟ ପାଇଁ ରହିଛି । କିନ୍ତୁ, ଅଜ୍ଞାନତା ଓ ଆଧୁନିକତାର ମୋହ ବିଗତ ଦିନର ସଂସ୍କୃତିକୁ ପୁରୁଣା କାଳିଆ ଓ ମାନ୍ଧାତା ଅମଳର ବୋଲି ଆମ ନୂତନ ପିଢ଼ି ଦ୍ଵାରା ବର୍ଜିତ ହେଉଛି ।ଆଉ ସୀମା ଆରପାରିର ସଂସ୍କୃତି ଓ ଚାଲିଚଳନକୁ ଆଲିଙ୍ଗନ କରି ଗୌରବାନ୍ବିତ ମନେ କରୁଛୁ । ଫଳତଃ, ଆମ ଜୀବନଶୈଳୀ ଉପରେ ନକରାତ୍ମକ ପ୍ରଭାବ ପଡ଼ୁଛି ।ଅତଃ , ପୁଣି ଥରେ ସେହି ପୁରୁଣା ସଂସ୍କୃତିକୁ ଅନୁସରଣ କରିବା ପାଇଁ ପାଦ ଚାପି ଚାପି ଫେରିବାକୁ ଇଛା ଜାଗ୍ରତ ହେଲାଣି ।
ସାଧାରଣତଃ, ଖାଦ୍ୟ ପ୍ରସ୍ତୁତ ବେଳେ ପ୍ରସ୍ତୁତକର୍ତ୍ତାଙ୍କ ମନୋଭାବ ଓ ଭୋଜନ ବେଳେ ମନର ଅବସ୍ଥା ହିଁ ମନର ପରବର୍ତ୍ତୀ ମାନସିକତା ସହିତ ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ତେଣୁ, ରାଜ ପରିବାରର ସମ୍ଭ୍ରାନ୍ତ ବଂଶଧର ମାନେ ଖାଦ୍ୟ ଓ ପାନୀୟ ପାଇଁ ବିଭିନ୍ନ ପ୍ରକାର ପାତ୍ର ଯଥା ସୁନାଥାଳି , ରୂପାଥାଳି ,ତମ୍ବାପାତ୍ର ବ୍ୟବହାର କରୁଥିଲେ ।ସୁନା ଓ ରୂପା ଥାଳିରେ ଖାଦ୍ୟ ଭୋଜନ ମନୁଷ୍ୟର ମାନସିକତାକୁ ଶାନ୍ତି ପ୍ରଦାନ କରୁଥିବା ବେଳେ ତାମ୍ରପାତ୍ର ଶରୀରର ପେଟ ସମ୍ବନ୍ଧୀୟ ରୋଗରୁ ରକ୍ଷା କରୁଥିଲା। ମଧ୍ୟବର୍ଗର ଜନସାଧାରଣ ଭୋଜନ ପାଇଁ କଂସାପାତ୍ର ଓ ନିମ୍ନବିତ୍ତ ଶ୍ରେଣୀର ସଦସ୍ୟ ମାନେ ଶାଳ ଓ ଶିଆଳି ପତ୍ରରେ ତିଆରି ପାତ୍ର ବ୍ୟବହାର କରୁଥିଲେ । ଯଦ୍ୱାରା ସେମାନେ ସମୃଦ୍ଧ, ସୁସ୍ଥ ଓ ନିରୋଗ ଜୀବନଯାପନ କରୁଥିଲେ ।
ଅଧୁନା ସୁନାଥାଳି,ରୂପାଥାଳି,ତମ୍ବାପାତ୍ର , କଂସାପାତ୍ର ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ତାଲିକାରୁ ଉଭାନ ହୋଇ ଗଲାଣି । କିନ୍ତୁ, ଆଜିର ପିଢ଼ି ରସ (ଆଲୁମିନିୟମ) ଷ୍ଟିଲ , ସୋଲ ,ଫାଇବର ପ୍ରଭୃତି ପାତ୍ର ବ୍ୟବହାର ଅଗ୍ରାଧିକାର ଭିତ୍ତିରେ କରୁଛନ୍ତି । ଏହି ପାତ୍ର ଗୁଡ଼ିକ ଶରୀର ପାଇଁ କୌଣସି ଅବଦାନ ନାହିଁ କେବଳ ଖାଦ୍ୟ ରଖି ଖାଇବା ଏକ ଆବଦ୍ଧ ପାତ୍ର ।
କଦଳୀ ବୃକ୍ଷ ସାଧାରଣତଃ ପବିତ୍ର ଓ ପୂଜନୀୟ ।ଆମ ଶରୀର ପାଇଁ କଦଳୀ ପତ୍ର ବହୁତ ଉପକାରୀ । ଯଦି ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ ଏହା ଆମକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ସାହାଯ୍ୟ କରିଥାଏ । ଆସନ୍ତୁ ଏହାର ଉପାଦେୟତା ଓ ଗଠନ ଶୈଳୀ ବିଷୟରେ ଅବଗତ ହେବା । ଏହି ଗଛର ପତ୍ର ଚଉଡ଼ା , ଲମ୍ବାଳିଆ ଓ ଆକାରରେ ବଡ଼ । ତେଣୁ ଏକତ୍ର ଖାଦ୍ୟ ଖାଇବାକୁ ଉପଯୁକ୍ତ ।ଗରମ ଗରମ ଖାଦ୍ୟ ପରଷି ଏହି ପତ୍ରରେ ଖାଇବା ସର୍ବଦା ବାଞ୍ଛନୀୟ । କାରଣ ପତ୍ରରେ ଥିବା ପୋଷକ ତତ୍ତ୍ଵ ଖାଦ୍ୟ ମାଧ୍ୟମରେ ଶରୀରକୁ ଆସିଥାଏ ।
ପଲିଫେନୋଲ ନାମକ ଏକ ରସାୟନ ତତ୍ତ୍ଵ ରହିଥାଏ । ସ୍ବାସ୍ଥ୍ୟବର୍ଦ୍ଧକ ଏହି ପୋଷକ ତତ୍ତ୍ଵ ରେ ଆଣ୍ଟିଅକ୍ସିଡାଣ୍ଟର ଗୁଣ ରହିଛି । ଯାହାକି ଶରୀରର ତ୍ବଚା ,ଘନକେଶ ପାଇଁ ଉପଯୋଗୀ ସାବ୍ୟସ୍ତ ହେବା ସହିତ ,ପେଟ ସମ୍ବନ୍ଧୀୟ ରୋଗ, କୋଷ୍ଠକାଠିନ୍ୟ, ଏସିଡିଟି ,ବଦହଜମିରୁ ଉପଶମ ମିଳିଥାଏ। କଦଳୀ ପତ୍ରରେ ବହୁତ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହି ରସାୟନ ତତ୍ତ୍ଵ ପତ୍ରରୁ କ୍ଷରିତ ହେବା ପାଇଁ ୮୦° ସେଣ୍ଟିଗ୍ରେଡ ତାପମାତ୍ରା ଆବଶ୍ୟକତା ରହିଛି । ତେଣୁ ଡାଲି, ତରକାରୀ ରାନ୍ଧିଲା ବେଳେ କଦଳୀ ପତ୍ରର କିଛି ଅଂଶ କାଟି ଆଣି ପ୍ରେସର୍ କୁକର କିମ୍ବା ରନ୍ଧାଯାଉଥିବା ହାଣ୍ଡିରେ ପକାଇ ଦିଅନ୍ତୁ । ଏହି ତତ୍ତ୍ଵ ସ୍ବାଦିଷ୍ଟ ଡାଲି ତରକାରୀ ମାଧ୍ୟମରେ ଆମ ଶରୀରକୁ ଆସିଥାଏ । ଫଳରେ ଶରୀରରେ ଥିବା ବିଷାକ୍ତ ତତ୍ତ୍ଵ ନଷ୍ଟ ହୁଏ ।

ଶରୀର ମଧ୍ୟରେ ସକ୍ରିୟ ଥିବା କ୍ଷତିକାରକ ଜୀବାଣୁ ମଧ୍ୟ ପ୍ରଭାବ ଶୂନ୍ୟ ହୁଅନ୍ତି । ଆଜିକାଲି ଫସଲରେ ରାସାୟନିକ ଉର୍ବରକ ଓ କୀଟନାଶକ ଔଷଧ ଅଧିକ ମାତ୍ରାରେ ବ୍ୟବହୃତ ହେଉଛି । ଉତ୍ପନ୍ନ ଶସ୍ୟରେ ମଧ୍ୟ ଅନେକ ବିଷାକ୍ତ ତତ୍ତ୍ଵ ଖାଦ୍ୟରେ ମିଶି ଆମଶରୀରକୁ କ୍ଷତି ଘଟାଇଥାଏ ।ଏହାର କୁପ୍ରଭାବରୁ ନିସ୍ତାର ପାଇବା ପାଇଁ କଦଳୀ ପତ୍ର ବହୁତ ଉପକାରୀ। ସପ୍ତାହକୁ ଥରେ ଏପରି କଲେ ତାର ସୁରକ୍ଷା କବଚ ସପ୍ତାହ ପର୍ଯ୍ୟନ୍ତ ରହିଥାଏ।ମନରେ ଶାନ୍ତି ଆସିଥାଏ । ତେଣୁ ସୁନାଥାଳି ଖାଇବା ଯାହା କଦଳୀ ପତ୍ରରେ ଖାଇବା ସମାନ । ତେଣୁ କଦଳୀ ପତ୍ରକୁ ସୁବର୍ଣ୍ଣ ଥାଳିର ମାନ୍ୟତା ଦିଆଯାଇଛି । ଏତଦବ୍ୟତୀତ ଠାକୁରଙ୍କ ପାଖରେ କଦଳୀ ପତ୍ରରେ ଅନ୍ନ ପ୍ରସାଦ ଭୋଗ ଲାଗି ମଧ୍ୟ କରାଯାଇଥାଏ ।
ଏଥିରେ କିପରି ଖାଦ୍ୟ ଖାଇବା ତାହାର ଏକ ବିଧି ରହିଛି ।
ଚକାମାଡ଼ି ତଳେବସି କଦଳୀପତ୍ରରେ ଭୋଜନ କରାଯାଏ । କଦଳୀପତ୍ରରେ ଆମିଷ ଭୋଜନ ସର୍ବତ୍ର ବର୍ଜିତ । ଚାମଚ ଛୁରି ଓ କଣ୍ଟା ଏଥିରେ ଖାଇଲା ବେଳେ ବ୍ୟବହାର କରାଯାଏ ନାହିଁ I କଦଳୀପତ୍ର ପକାଇବାର ମଧ୍ୟ ବିଧି ରହିଛି। ପତ୍ରର ଚଉଡ଼ା ଭାଗ ଆମର ଡ଼ାହାଣ ପଟକୁ ଓ ଅଣଓସାରିଆ ଭାଗ ବାମ ପଟକୁ ରଖିଲେ ଡ଼ାହାଣ ହାତରେ ଭୋଜନ କରିବା ସୁବିଧା ହୁଏ ।ମୂଳଭାଗରେ ଅନ୍ନ ଓ ଅଗ୍ରଭାଗରେ ବ୍ୟଞ୍ଜନ ବଢ଼ାଯାଇଥାଏ I କଦଳୀପତ୍ରକୁ ଭୋଜନ ପରେ ଭାଙ୍ଗିବା ଛାଡ଼ି ଅଗମୂଳ ଧରି ଉଠେଇ ଫିଙ୍ଗାଯାଏ । ତେଣୁ କଦଳୀ ପତ୍ରରେ ଖାଦ୍ୟ ଖାଇବା ଶରୀର ଓ ମନ ପାଇଁ ଖାଲି ସଂସ୍କୃତିର ଝଲକ ନୁହେଁ ବରଂ ଜରୁରୀ ବୋଲି ହୃଦୟଙ୍ଗମ କରନ୍ତୁ ।ଉପସ୍ଥାପନା – ଦିଲ୍ଲୀପ କୁମାର ସାହୁ, ଦାରିଙ୍ଗବାଡି କନ୍ଧମାଳ ।

Leave a Reply

Your email address will not be published. Required fields are marked *