ସଦଗୁରୁ ଯେବେ ମାରେ ଗୋଇଠା, ଅନ୍ଧାର ଘରେ ଜଳେ ବଇଠା

କଥାରେ ଅଛି ” ସଦଗୁରୁ ଯେବେ ମାରେ ଗୋଇଠା, ଅନ୍ଧାର ଘରେ ଜଳେ ବଇଠା ” ।ଗୁରୁଙ୍କ ଦିଗଦର୍ଶନ ଓ ଆଶୀର୍ବାଦ ବିନା ସଂସାରରେ କେହି ସତମଣିଷ ହୋଇ ନାହାନ୍ତି। ଜୀବନର ପ୍ରଥମ ଗୁରୁ ପିତାମାତା ହୋଇ ଥିବା ବେଳେ ଦିତୀୟ ଗୁରୁ ଭାବରେ ଶିକ୍ଷକଙ୍କୁ ପାଇଥାଉ। ଗୁରୁ ଜୀବନରେ ଗ୍ରହଣ କରିଥିବା ଶିକ୍ଷା ବା ଜ୍ଞାନ ସେତେବେଳେ ସାର୍ଥକତା ଲାଭ କରିଥାଏ ଯେତେବେଳେ ଶିଷ୍ୟ ମାନଙ୍କ ସାମ୍ନାରେ ଉପଯୁକ୍ତ ଢଙ୍ଗରେ ତାହା ପ୍ରକାଶିତ ହୋଇଥାଏ।  ଗୁରୁଙ୍କ ଗୁରୁତ୍ବ କାହିଁ ଅନାଦି କାଳରୁ ରହି ଆସିଛି ଓ ରହିବ ମଧ୍ୟ। ଗୁରୁଙ୍କ ଗୁରୁତ୍ବ ଓ ଶିଷ୍ୟଙ୍କ ଶିଷ୍ୟତ୍ବ ବଜାୟ ରଖିବା ହେଉଛି ସବୁଠାରୁ ଶ୍ରେଷ୍ଠ ବନ୍ଧନ ।ଗୁରୁଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା, ଗୁରୁଙ୍କୁ ଭକ୍ତିପୂତ ସମ୍ମାନ ପ୍ରଦର୍ଶନ କରିବା ହେଉଛି ଗୋଟିଏ ଶ୍ରେଷ୍ଠ ଶିଷ୍ୟର ଲକ୍ଷଣ। ଉଭୟଙ୍କ ପାର୍ଶ୍ଵରୁ ସୁସ୍ଥ ବାତାବରଣ ବଜାୟ ରହିଲେ ହିଁ ଶୈକ୍ଷିକ ପରିବେଶ ସୃଷ୍ଟି ହୋଇ ପାରିବ।

ବର୍ତ୍ତମାନ ନୈତିକ, ଶୃଙ୍ଖଳିତ ଶିକ୍ଷା ଉପରେ ଅଶିକ୍ଷାର ପ୍ରାଦୁର୍ଭାବ ଓ ପରୀକ୍ଷା ନିରୀକ୍ଷା ଆଜି ଏକ ଲକ୍ଷ୍ୟହୀନ ସମାଜ ଆଡକୁ ବାଟ କଢାଇ ନେଉଛି।ଗୁରୁ ମାନଙ୍କ ଗୋଡ଼ରେ ବେଢି ଓ ହାତରେ କଡିର ବନ୍ଦୋବସ୍ତ ଶିକ୍ଷାଦାନରେ କେବଳ ଔପଚାରିକତା ପୂରଣ କରିବାରେ ସହାୟକ ହେଉଛି। ଅବାଟରେ ଯାଉଥିବା ଶିଷ୍ୟ,ନିର୍ଦ୍ଦେଶକୁ ଅବମାନନା କରୁଥିବା ଛାତ୍ରଛାତ୍ରୀଟିଏ, ଘରେ ପାଠ ପଢି ଆସୁ ନ ଥିବା ଶିକ୍ଷାର୍ଥୀକୁ ଅବାଟରୁ ବାଟକୁ ଆଣିବା ପାଇଁ ଶିକ୍ଷକଙ୍କ ପାଖରେ କୌଣସି ଭାଷା ନାହିଁ କି ଅସ୍ତ୍ରଟିଏ ବି ନାହିଁ। ନିରସ୍ତ୍ର ଗୁରୁ ମାନଙ୍କ ଦ୍ୱାରା ନିର୍ମିତ ଶୃଙ୍ଖଳିତ ସମାଜଟିଏ ତେବେ ତାଙ୍କ ଠାରୁ ଆଶା କରିବା କିପରି ? ସତରେ କ’ଣ ସୁସ୍ଥ ସବଳ ସମାଜ ଭବିଷ୍ୟତରେ ବି ସମ୍ଭବ ?


ଗୋଟିଏ ଗୁରୁହିଁ ଶିଷ୍ୟର ଜୀବନରେ ସ୍ୱପ୍ନ ଦେଖାଇବା ଠାରୁ ଆରମ୍ଭ କରି ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ପଛରେ ଗୁରୁଙ୍କ ହିଁ ହାତ ରହିଥାଏ। ଶିକ୍ଷକଙ୍କ ସହିତ ରହିବା ହେଉଛି ସମୁଦ୍ର ସହିତ ରହିବା ପରି | ତୁମେ ଯେତେ ଗଭୀରତାକୁ ଯିବ ସେତେ ଅଧିକ ମୂଲ୍ୟବାନ ଜ୍ଞାନ ହାସଲ କରିପାରିବ |
ଦିନକର କଥା। ବିଜ୍ଞାନ ଶ୍ରେଣୀ ଚାଲିଥାଏ। ଗୁରୁଙ୍କ ସାମ୍ନାରେ ଅନେକ ଶିଷ୍ୟ ବସିଥାନ୍ତି। ସେହି ପିଲାଙ୍କ ମଧ୍ୟରେ ଥାଆନ୍ତି ଅବଦୁଲ କଲାମ। ସେଦିନର ଶ୍ରେଣୀରେ ଅଧ୍ୟୟନର ବିଷୟ ବସ୍ତୁ ଥାଏ ” ପକ୍ଷୀର ଉଡାଣ ଓ ଗଠନ ” ।

ପକ୍ଷୀ ଉଡ଼ିପାରେ କିନ୍ତୁ , ମଣିଷ ଉଡ଼ି ପାରେ ନାହିଁ କାହିଁକି ? ସମସ୍ତ ବିଷୟ ପଢାଇ ସାରି ଶିକ୍ଷକ ପଚାରିଲେ କିଏ ବୁଝି ପାରିଲ ନାହିଁ ଠିଆ ହୁଅ। କେବଳ ସେଦିନ ଜଣେ ହିଁ ଠିଆ ହୋଇ ଥିଲେ ସେ ହେଲେ କାଲାମ। ସେ କେଉଁଠି ରହନ୍ତି ବୋଲି ଶିକ୍ଷକ କାଲାମକୁ ପଚାରିଲେ।ସମୁଦ୍ର କୂଳ ନୋଳିଆ ବସ୍ତିରେ ରହୁଥିବା କଥା ପ୍ରକାଶ କଲେ କାଲାମ। ତା’ପର ଦିନ ସକାଳୁ ସମୁଦ୍ର କୂଳରେ ପହଞ୍ଚିବା ପାଇଁ କହିଲେ କାଲାମକୁ। ଠିକ୍ ତାପର ଦିନ ଉଭୟ ଶିକ୍ଷକ ଓ କାଲାମ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଲେ। ଉଭୟ ଶିକ୍ଷକ ଓ କାଲାମ ମୁହଁକୁ ଉପର କରି ଚିତ୍ ହୋଇ ଶୋଇଲେ।ଉଦ୍ଦେଶ୍ୟ ପକ୍ଷୀର ଉଡ଼ିବାର ଶୈଳୀକୁ ନିରୀକ୍ଷଣ କରିବା। ନିରୀକ୍ଷଣ କରି ସାରିବା ପରେ ଶିକ୍ଷକ ପଚାରିଲେ ଏଥର ବୁଝି ପାରିଲ କାଲାମ।

ହଁ , ମୁଁ ଅଧା ବୁଝିଲି ବୋଲି କହିଲେ କାଲାମ। ତାପରେ ଆଉ ଅଧାକ ଶିକ୍ଷକ ଓଦା ବାଲିରେ ଚିତ୍ର ଆଙ୍କି ବୁଝାଇ ଦେଲେ। ଛାତ୍ର ଜଣକ ପକ୍ଷୀର ଉଡ଼lଣ ଓ ଗଠନ ବିଷୟରେ ସମ୍ପୂର୍ଣ୍ଣ ବୁଝି ପାରିଲେ ଏବଂ ସେଦିନ ହିଁ ଶିକ୍ଷକଙ୍କ ପାଦ ସ୍ପର୍ଶ କରି ଶପଥ ନେଲେ ଯେ ଜୀବନରେ ଜଣେ ପାଇଲଟ ନିଶ୍ଚୟ ହେବେ। ସେଦିନ ହିଁ କାଲାମଙ୍କ ଜୀବନରେ ସ୍ୱପ୍ନ ଟିଏ ଅଙ୍କୁରିତ ହୋଇଥିଲା।ପରବର୍ତ୍ତୀ ସମୟରେ ଆମ ସମସ୍ତଙ୍କ ଅତି ପରିଚିତ ଅବଦୁଲ କାଲାମ ପାଇଲଟ ହେଲେ ତ ହେଲେ ଜଣେ ଶ୍ରେଷ୍ଠ ମିଜାଇଲ ମେନ ହେବା ସହିତ ଦେଶର ସର୍ବୋଚ୍ଚ ପଦବୀ ମଧ୍ୟ ମଣ୍ଡନ କରିବାକୁ ସକ୍ଷମ ହୋଇଥିଲେ।
ଜ୍ଞାନ ଏବଂ ଅଧ୍ୟୟନ ହେଉଛି ଆକାଶ ସଦୃଶ୍ୟ । ଜଣେ ଚାହିଁଲେ ନିଜକୁ ଭୂମିରୁ ଯେତେ ଉପରକୁ ଉଠାଇଲେ ମଧ୍ୟ ଆକାଶ ସବୁବେଳେ ଦୂରରେ ରହିଥାଏ | ଜ୍ଞାନ ଓ ଅଧ୍ୟୟନକୁ ଯିଏ ଯେତିକି ଗଭୀରତାକୁ ମାପି ପାରେ ସେ ହିଁ ନିଜକୁ କେତେ ଅଶିକ୍ଷିତ ଏବଂ ଜ୍ଞାନବାନ ତାହା ହୃଦୟଙ୍ଗମ କରିପାରେ ।
ଗୁରୁ ଓ ଈଶ୍ୱରଙ୍କ ମଧ୍ୟରେ ଶ୍ରେଷ୍ଠ କିଏ ? ଉତ୍ତର ନିଶ୍ଚିତ ଭାବେ ଗୁରୁ ହେବ । କାରଣ ଗୁରୁ ହିଁ ଈଶ୍ୱରଙ୍କୁ ପାଇବା ପାଇଁ ବାଟ ଦେଖାନ୍ତି । ଈଶ୍ୱର କିଏ , ଈଶ୍ୱର କ’ଣ, କେଉଁଠି ରହନ୍ତି ତାହାର ଠିକଣା ଗୁରୁଙ୍କ ବିନା ପାଇବା ସମ୍ଭବ ନୁହେଁ । ତେଣୁ ତ କହନ୍ତି
” ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର,
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମେଶ୍ରୀ ଗୁରୁବେ ନମଃ”
ଜ୍ଞାନ ଏମିତି ଏକ ବସ୍ତୁ ଯାହା ଗୁରୁଙ୍କ ଚରଣ ସ୍ପର୍ଶରୁ ମିଳିଥାଏ । ଗୁରୁଙ୍କ ଦ୍ଵାରା ମାର୍ଗଦର୍ଶନରେ ଚାଲିଥିବା ଶିଷ୍ୟ କେବେବି ଲକ୍ଷ୍ୟଭ୍ରଷ୍ଟରୁ ବଞ୍ଚିତ ନ ହୋଇ ଲକ୍ଷ୍ୟ ଆଡ଼କୁ ପାଦ ଥାପିଥାଏ

” Teacher always shows the path to new knowledge , when you are find a right teacher what desires would be remain “

ଶିକ୍ଷକଟିଏ ଯଦି ସ୍ୱପ୍ନଟିଏର ମଞ୍ଜି ଶିଷ୍ୟ ମାନଙ୍କ ମନରେ ବୁଣି ନ ପାରିବ ଓ ଶିଷ୍ୟ ମାନଙ୍କ ମନ ସ୍ୱପ୍ନର ମଞ୍ଜିକୁ ବାସ୍ତବ ରୂପ ଦେବା ପାଇଁ ଉର୍ବର ମସ୍ତିଷ୍କ ବିକଶିତ କରି ପାରିବ ନାହିଁ, ତେବେ ଶୃଙ୍ଖଳିତ ସମାଜ ଗଠନ ଓ ତାର ବିକାଶ ନିଶ୍ଚିତ କଷ୍ଟକର ବ୍ୟାପାର। ଖାଲି ଯେ ଛାତ୍ରଟିଏ ଶୈଶବରେ ଗୁରୁଙ୍କୁ ପାଇଥାଏ ତାହା ନୁହେଁ, ନିଜ କର୍ମକ୍ଷେତ୍ର ଠାରୁ ଆରମ୍ଭ କରି ଜୀବନରେ ଉତ୍ତମ ଚରିତ୍ର ଗଠନ ଭଳି ପ୍ରତ୍ୟେକ ମୂହୁର୍ତ୍ତରେ ଗୁରୁ ଓ ସଦଗୁରୁଙ୍କ ଆବଶ୍ୟକତା ପଡିଥାଏ, ଏଥିରେ ଦ୍ୱିମତ ନାହିଁ।ସାମାଜିକ ଓ ସରକାରୀ ବିଧିବ୍ୟବସ୍ଥା ଅନୁସାରେ ଶିକ୍ଷକ ମାନଙ୍କୁ ଆର୍ଥିକ ଦୁସ୍ଥିତିରେ ରଖାଯିବା ଏବଂ ଶିକ୍ଷାଦାନକୁ ଏକ ବ୍ୟବସାୟୀକ ଦୃଷ୍ଟିକୋଣରୁ ତଦୁର୍ଦ୍ଧ୍ବରେ ରଖାଯିବା ସର୍ବଦା ବାଞ୍ଛନୀୟ ।
ଉପସ୍ଥାପନା : ଦିଲ୍ଲୀପ କୁମାର ସାହୁ, ଦାରିଙ୍ଗବାଡ଼ି ,କନ୍ଧମାଳ

Leave a Reply

Your email address will not be published. Required fields are marked *