ଭାଇ ଆଗରେ ଭଉଣୀକୁ ଦୁଷ୍କର୍ମ ଉଦ୍ୟମ: ୨ ଯୁବକ ଅଟକ, ଅପହରଣରେ ବ୍ୟବହୃତ କାର୍‌ ଜବତ

ଛତିଶଗଡ଼ ବିଜାପୁର ଅଞ୍ଚଳର ଜଣେ ଯୁବକ ଏବଂ ତାଙ୍କ ଭଉଣୀଙ୍କୁ ଅପହରଣ । ଛୁରୀ ଦେଖାଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଏଭଳି ଅଭିଯୋଗରେ ୨ ଜଣଙ୍କୁ ଅଟକ ରଖିଛି ଟାଉନ ପୁଲିସ । ସେମାନଙ୍କ ପାଖରୁ ଜବତ ହୋଇଛି ଏକ କାର୍‌ । ନାବାଳିକାକୁ ଉଦ୍ଧାର କରାଯାଇଛି । ଅପହରଣ ଉଦ୍ୟମର ଶିକାର ହୋଇଥିବା ଯୁବକ ଏବଂ ତାଙ୍କ ଭଉଣୀ ହେଉଛନ୍ତି ଛତିଶଗଡ ଗୌରାହର ଅଞ୍ଚଳର । ଏ ସମ୍ପର୍କରେ ଥାନାରେ ମାମଲା ରୁଜୁ ହୋଇଥିବା ଆଇଆଇସି ବାଲେଶ୍ୱର ଗିଦ୍ଧି କହିଛନ୍ତିି ।

ଅପହୃତ ଯୁବକ କୁନାଲ (ଛଦ୍ମନାମ)ଙ୍କ ସୂଚନା ଅନୁଯାୟୀ, ଶନିବାର ସେ ଏବଂ ତାଙ୍କ ୧୬ ବର୍ଷୀୟା ନାବାଳିକା ଉଉଣୀ ବିଶାଖାପାଟଣା ଯିବା ଲାଗି ବାହାରିଥିଲେ । ଛତିଶଗଡ଼ ଜଗଦଲପୁରରୁ ଏକ ଅଟୋରେ ଜୟପୁର ଆସିଥିଲେ। ସ୍ଥାନୀୟ ଟ୍ରାଫିକ ଛକରେ ପହଞ୍ଚିବା ବେଳକୁ ରାତି ୯ଟା ହୋଇଯାଇଥିଲା। ବିଶାଖାପାଟଣା ଯିବାକୁ ଗାଡି ନମିଳିବାରୁ ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡ ପାଖରେ ଥିବା ଏକ ହୋଟେଲରେ ଖାଇଥିଲେ। ରାତି ପ୍ରାୟ ୧୧ଟା ବେଳକୁ ଉଭୟ ଭାଇଭଉଣୀଙ୍କ ପାଖରେ ପହଞ୍ଚିଥିଲେ ୨ ଅଜଣା ଯୁବକ। ରାତିରେ ବାହାରେ ନରହି ହୋଟେଲରେ ରହିବାକୁ ପରାମର୍ଶ ଦେଇଥିଲ। ହୋଟେଲ ବୋଲି କହି ସରକାରୀ ବସଷ୍ଟାଣ୍ଡ ପାଖରେ ଥିବା ଏକ ଘରକୁ ଡାକି ନେଇଥିଲେ। ଉପର ମହଲାରେ ପହଞ୍ଚିବା ପରେ ଜଣେ ଯୁବକ ତାଙ୍କ ଭଉଣୀକୁ ଟଣାଓଟରା କରିଥିଲା। ଏହାକୁ ନେଇ ଧସ୍ତାଧସ୍ତି ହୋଇଥିଲା । ଏହାପରେ ପୁଣିଥରେ ସେମାନେ ଟଣାଓଟରା କରିବାରୁ ସେ ବିରୋଧ କରିଥିଲେ । ସନ୍ଦିଗ୍ଧ ଯୁବକମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। କୌଣସି ପ୍ରକାରେ ଚେଷ୍ଟା କରି ସେମାନେ ସେଠାରୁ ମୁକୁଳିଥିଲେ । କିନ୍ତୁ ପିଛା ଛାଡିନଥିଲେ ସନ୍ଦିଗ୍ଧମାନେ। ରାସ୍ତାକୁ ଆସିବା ପରେ ଛୁରୀ ଦେଖାଇ ପୁଣିଥରେ ଏକ କାର୍‌ ଭିତରକୁ ଟାଣି ନେଇଥିଲେ ।

ସେଠାରୁ ସହର ଉପକଣ୍ଠ ଏକ ନିଛାଟିଆ ଜାଗାକୁ ନେଇ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ସେ (କୁନାଲ) ବିରୋଧ କରିବାରୁ ଛୁରୀ ଦେଖାଇ ମାରିଦେବାକୁ ଧମକ ଦେଇଥିଲେ। ଧକ୍କାମାରି ତାଙ୍କ ଭଉଣୀ ପାଖରେ ଥିବା ଏକ ବୁଦୁବୁଦୁକିଆ ଜଙ୍ଗଲକୁ ଚାଲିଯାଇଥିଲେ। ପ୍ରାଣ ବିକଳରେ ସେ ସହର ଆଡକୁ ଦୌଡ଼ିଥିଲେ। ରାତି ପ୍ରାୟ ଗୋଟାଏରେ ରାସ୍ତାରେ କାନ୍ଦିକାନ୍ଦି ଆସୁଥିବା ବେଳେ ଜଣେ ଭଦ୍ରବ୍ୟକ୍ତିଙ୍କୁ ଏ ସମ୍ପର୍କରେ କହିଥିଲେ। ଭଦ୍ରବ୍ୟକ୍ତି ଜଣଙ୍କ ତାଙ୍କୁ ଟାଉନ ଥାନାରେ ଆଣି ଛାଡିଥିଲେ। ତୁରନ୍ତ ପୁଲିସ ଘଟଣାସ୍ଥଳକୁ ଯାଇଥିଲା। ସେଠାରେ କିନ୍ତୁ କାହାକୁ ନପାଇ ଫେରିଆସିଥିଲା। ପାହାନ୍ତିଆରୁ ପୁଣି ଥରେ ପୁଲିସ ସେଠାକୁ ଯାଇଥିଲା। ନାବାଳିକାଙ୍କ ନାଁ ଧରି ଡାକିଥିଲେ ବି କୌଣସି ଉତ୍ତର ମିଳିନଥିଲା। ଅନ୍ୟ ଏକ ଗାଡିରେ ସେ(କୁନାଲ) ସେଠାରେ ପହଞ୍ଚି ଡାକିବାରୁ ପାଖ ବୁଦାରୁ ତାଙ୍କ ଭଉଣୀ ବାହାରିଥିଲେ। ତାଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଥିଲା ।

ଏ ସମ୍ପର୍କରେ ଆଇଆଇସି ଶ୍ରୀ ଗିଦ୍ଧି କହିଛନ୍ତି, ଅପହରଣ ଏବଂ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି । କାରବାରରେ ବ୍ୟବହୃତ ଏକ କାର( ଓଆର ୧୦ସି-୭୧୭୭)କୁ ଜବତ କରାଯାଇଛି । ସିସିଟିଭି ଫୁଟେଜକୁ ଆଧାର କରି ଅଧିକ ତଦନ୍ତ ଜାରି ରହିଛି । ତଦନ୍ତରେ ବାଧା ଉପୁଜିବା ଆଶଙ୍କା ଥିବାରୁ ଅଟକଙ୍କ ପରିଚୟ ଗୋପନ ରଖାଯାଇଛି । ରାତିରେ ସନ୍ଦିଗ୍ଧମାନେ ଉଭୟ ଭାଇଭଉଣୀଙ୍କୁ ଜୟନଗର-ଫାମ୍ପୁଣୀ ରାସ୍ତାରେ ଥିବା ପାୱାରଗ୍ରୀଡ ନିକଟକୁ ନେଇଥିଲେ । ସେଠାରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା । ଉଭୟ ଭାଇଭଉଣୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯାଇଛି । ଏସ୍‌ଆଇ ବିଷ୍ଣୁଚରଣ ବେହେରା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Leave a Reply

Your email address will not be published. Required fields are marked *