ମୋତେ ଭଲ କରିଦିଅ ନ ହେଲେ ମାରିଦିଅ

ଅସହ୍ୟ ଯୌବନ; ଦୁର୍ବିସହ ଜୀବନ !!! ମନରେ ଅକୁହା ବେଦନା ଆଉ କଥାରେ ଅସରନ୍ତି ବ୍ୟଥା। ଯୌବନ ତାଙ୍କ ପାଇଁ ଯେପରି ଅଭିଶାପ ପାଲଟିଛି । ଯନ୍ତ୍ରଣା ଜର୍ଜରିତ ଜୀବନରୁ ମୁକ୍ତିର ମାର୍ଗ ଖୋଜି ଚାଲିଛନ୍ତି ସେ । ଦୀର୍ଘ ୪ ବର୍ଷ ହେଲା ଘୁଷୁରି ଘୁଷୁରି କାଳ କାଟୁଛନ୍ତି ଆଉ ନୀରବରେ ଲୁହ ଗଡାଇ ଚାଲିଛନ୍ତି । ସମସ୍ତଙ୍କୁ ହାତ ଯୋଡ଼ି ସାହାଯ୍ୟ ପାଇଁ ଯେତେ ନେହୁରା ହେଲେ ବି ଶୁଣୁଛି କିଏ ? ଉପଯୁକ୍ତ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏ ହେଉଛନ୍ତି ସତ୍ୟବାଦୀ ବ୍ଳକ ମଧୁବନ ଗ୍ରା.ପ. ଅନ୍ତର୍ଗତ ଗୋଲବିଞ୍ଝେଇପଡା ଗ୍ରାମର ୨୮ ବର୍ଷୀୟ କାହ୍ନୁ ଚରଣ ବରାଳ।

୪ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ସେ ଏଭଳି ଅକର୍ମଣ୍ୟ ଜୀବନ ଯାପନ କରୁଛନ୍ତି। ଗୋଡ଼ ଦୁଇଟା ସମ୍ପୂର୍ଣ୍ଣ ଅଚଳ । ଠିଆହେବା ଓ ଚାଲିବା ତାଙ୍କ ପାଇଁ ସାତ ସପନ । ନିତ୍ୟକର୍ମ ପାଇଁ ସେ ଅନ୍ୟ ଉପରେ ନିର୍ଭରଶୀଳ । ଚିକିତ୍ସା ସକାଶେ ସରକାରୀ ଡାକ୍ତରଖାନାରେ ଆଇ.ସି.ୟୁ ନମିଳିବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର କିଛି ଦିନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବାପରେ ଆଉ ଟଙ୍କା ଯୋଗାଡ ନ କରିପାରି ବାଧ୍ୟ ହୋଇ ସେ ନିଜ ଇଚ୍ଛାରେ ଘରକୁ ଫେରି ଆସିଥିଲେ ଆଉ ଚିକିତ୍ସା ଅଧାରେ ହିଁ ରହିଗଲା ।

ପରିବାର କହିଲେ ରୋଗଣୀ ମା’ ଏବଂ ବଡଭାଇ। କିଏ ବା କେତେ କରିବେ? ସମସ୍ତେ ଅତିଷ୍ଠ ହୋଇସାରିଲେଣି। ସେ ମଧ୍ୟ ନିରାଶ ହୋଇ ଏମିତି ଜୀଇଁବା ଅପେକ୍ଷା ମରିଯିବା ଭଲ ବୋଲି କହୁଛନ୍ତି। କାହା ଉପରେ ବୋଝ ହେବାକୁ ଚାହୁଁ ନାହାଁନ୍ତି ସେ। ନିଜ କାମ ନିଜେ କରିବାକୁ ଚାହାଁନ୍ତି। ଡାକ୍ତର କହିଥିଲେ ଉପଯୁକ୍ତ ଚିକିତ୍ସା ହେଲେ ସେ ଭଲ ହୋଇପାରିବେ। ତେଣୁ ଆବଶ୍ୟକ ଚିକିତ୍ସାର ବନ୍ଦୋବସ୍ତ କରିବା ପାଇଁ ସେ ସରକାରଙ୍କୁ ଗୁହାରି କରିଛନ୍ତି। ଅନ୍ୟଥା ଜୀବନ ପ୍ରତି ବୀତସ୍ପୃହ ହୋଇପଡ଼ିଥିବା କାହ୍ନୁ ଏଭଳି ଅସହ୍ୟ ଅବସ୍ଥା ତାଙ୍କ ପାଇଁ ମରଣାନ୍ତକ ଯନ୍ତ୍ରଣାଦାୟକ ବୋଲି କହି ସେଥିରୁ ଅତିଶୀଘ୍ର ମୁକ୍ତି ପାଇବାକୁ ସରକାରଙ୍କୁ ବ୍ୟଥାଭରା କରୁଣ ନିବେଦନ ଜଣାଇଛନ୍ତି ।

ତେବେ ସୁସ୍ଥ ଜୀବନଯାପନ କରିବାର ସାମ୍ଵିଧାନିକ ତଥା ମୌଳିକ ଅଧିକାର ସବୁ ଯେମିତି ମୂଲ୍ୟ ହରେଇ ବସିଛି କାହ୍ନୁଙ୍କ ଜୀବନରେ। ଜରୁରୀକାଳୀନ ପରିସ୍ଥିତିରେ ତିନି ତିନୋଟି ସରକାରୀ ଚିକିତ୍ସାଳୟରେ ଶଯ୍ୟାର ଅଭାବ ସ୍ଵାସ୍ଥ୍ୟ ବ୍ୟବସ୍ଥାର ଶୋଚନୀୟ ସ୍ଥିତିକୁ ପଦାରେ ପକାଇଛି ।

ରୋଗୀସେବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରୋଗୀ କଲ୍ୟାଣକାରୀ ବିଭିନ୍ନ ଯୋଜନାର ସଫଳତା ବଖାଣି ଚାଲିଥିବା ବେଳେ କାହ୍ନୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ଏହାର ବିପରୀତ ଚିତ୍ର।ସ୍ଵାଧିନତାର ୭୫ ବର୍ଷ ପରେ ବି ଅର୍ଥାଭାବରୁ ସେ ଡାକ୍ତରୀ ଚିକିତ୍ସାରୁ ବଞ୍ଚିତ ହେବା ସରକାରଙ୍କର ସମସ୍ତ ଗରୀବ ଓ ରୋଗୀ କଲ୍ୟାଣ ଯୋଜନାକୁ ଉପହାସ କରିଛି I ସତ୍ୟବାଦୀ ରୁ ସ୍ୱତନ୍ତ୍ର ଉପସ୍ଥାପନା ରମାବଲ୍ଲଭ ବରାଳ I

Leave a Reply

Your email address will not be published. Required fields are marked *