ଚାଲ୍ ଫେରିଯିବା ଗାଆଁ କୁ -ଦୁର୍ଗା ଶଙ୍କର

ଆ ଫେରିଯିବା ଗାଆଁ କୁ
ଆପଣେଇ ମାଟି ମାଆ କୁ
ସହରୀ ଜୀବନ ସଙ୍କଟ ରେ ଏଠି
ରୋଗୀ ସେବା ଖାଲି ନାଆଁ କୁ ।

ଅମ୍ଳଜାନ କିଲୋ ହଜାରେ
ସହଜେ ମିଳୁନି ବଜାରେ
ପ୍ରଦୂଷିତ ବାୟୁ ପ୍ରଶ୍ୱାସରେ ନେଉ
ତୁଣ୍ଡି ବାନ୍ଧି ନିଜ ମୁହଁରେ ।

କଳ କାରଖାନା ଚାଲୁନି
ଦୋକାନ ବଜାର ଖୋଲୁନି
ଖଟିଲେ ଖାଇବୁ ଘରଭଡା ଦେବୁ
କାମକୁ କେହିବି ଡାକୁନି ।

ଭୋକ ଉପାସରେ ମରୁଛୁ
କରୋନା ଭୟରେ ଥରୁଛୁ
ଲକ ଡାଉନ, ସଟ ଡାଉନ
ପୋଲିସି ପାହାର ଡରୁଛୁ ।

ଗାଁ ଟା ଆମର ବଢ଼ିଆ
ଚାରିକଡେ ଖୋଲା ପଡ଼ିଆ
ଚଲା ବୁଲା ପାଇଁ କଟକଣା ନାହିଁ
ନାହିଁ ଗଣ୍ଡଗୋଳ ଅଡୁଆ ।

ସକାଳ ସିନାନ ନଈ ରେ
ଖରାବେଳେ ତୋଟା ଛାଇରେ
ସଜ ପଖାଳକୁ ସଜନା ଛୁଇଁ
ଖାଇକି ମାରିବା ହାଇରେ ।

କଷି ତାଳ ସଜ ଡାକୁଛି
ନାଲି କୃଷ୍ଣଚୂଡା ହସୁଛି
ଠାକୁରାଣୀ ମାଳ କାଠ ଚମ୍ପାଫୁଲ
ମହ ମହ ହୋଇ ବାସୁଛି ।

ସଞ୍ଜୁଆ ଶୀତଳ ପବନ
ଦେହକୁ ମଳୟ ଚନ୍ଦନ
ଯୁଇ, ଜାଇ, ହେନା, ମଲ୍ଲୀ, ମାଳତୀ ରେ
ସାଉଁଟିବା ସୁଖ ସପନ ।

ଚାଉଳ ମିଳୁଛି ଟଙ୍କାରେ
ବିରି ଓ କୋଳଥ ଛୁଙ୍କରେ
ଚେପଟା କଦଳୀ, ପଣସ କଠା
ଅମୃତଭଣ୍ଡା ବାଡ଼ିରେ ।

ତାତି ଲାଗିବନି ଗାଆଁ ରେ
ମାଟି ଘର ନଡ଼ା ଛାଆରେ
ଘରେ ଘରେ କୂଅ ବାଡ଼ିରେ ପୋଖରୀ
ସୁଲୁ ସୁଲିଆ ବାଆରେ ।

ପ୍ରକୃତି କୋଳରେ ବଞ୍ଚିବା
ବିଷ ବଳୟରୁ ଘୁଞ୍ଚିବା
ମୁକ୍ତ ଆଲୋକ, ଶୁଦ୍ଧ ଅମ୍ଳଜାନ
ବଳକା ଆୟୁଷ ସଞ୍ଚିବା ।

ଖଟିବା ଆପଣା ଭୂଇଁରେ
ଦାଦନ କୁ ଯିବା କାହିଁରେ
ପରିଶ୍ରମ କରି ସୁନା ଫଳାଇବା
ଅଭାବ ରହିବ ନାହିଁରେ ।

ଜନମିଛି ଯେଉଁ ମାଟିରେ
ଅଭାବ ହେବନି ରୁଟିରେ
ସାଇ,ଭାଇ,ବନ୍ଧୁ ଶହେ କାନ୍ଧ ଦେବେ
ମରିଗଲେ ତା’ ର ପିଠିରେ ।

ପରିବାର ପିଲା ଛୁଆଙ୍କୁ
ଦେଖୁଥିବା ତାଙ୍କ ମୁହଁକୁ
ଦିନକୁ ପଛକେ ବଖତେ ଖାଇବା
ଆ ଫେରିଯିବା ଗାଆଁ କୁ ।
ଦୁର୍ଗା ଶଙ୍କର ଦାଶ, ଦାଶ ବିଦ୍ଯାଧର ପୁର, ସାକ୍ଷୀଗୋପାଳ, ପୁରୀ

Leave a Reply

Your email address will not be published. Required fields are marked *