ଓଡ଼ିଆ ଭାଷାବିତ୍ ଡ଼ଃ ଅଭିମନ୍ୟୁ ବରାଳଙ୍କୁ ପ୍ରଥମ କୁଳପତି ଭାବେ ନିଯୁକ୍ତି ଦେବାକୁ ଦାବୀ

ଓଡ଼ିଆ ଭାଷା ସାହିତ୍ୟର ଏନ୍ତୁଡ଼ିଶାଳ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଏହାର ପ୍ରଥମ କୁଳପତି ଭାବେ ସତ୍ୟବାଦୀ ମାଟିର ପୁଅ ତଥା ସାହିତ୍ୟିକ ଡକ୍ଟର ଅଭିମନ୍ୟୁ ବରାଳଙ୍କୁ ଏହାର ପ୍ରଥମ କୁଳପତି କରାଯିବା ନେଇ ଦାବି ଉଠିଛି। ଏନେଇ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ ଟ୍ୱିଟ କରିଛନ୍ତି I

ସାକ୍ଷୀଗୋପାଳରେ ଜନ୍ମିତ ଅଭିମନ୍ୟୁ ବରାଳ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତୋକତର ଡିଗ୍ରୀ ହାସଲ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ “ଓଡ଼ିଆ ରୀତିକାବ୍ୟ ପରମ୍ପରାରେ ବୈଦେହୀଶ ବିଳାସ” ଶୀର୍ଷକ ସନ୍ଦର୍ଭ ପାଇଁ ପି.ଏଚ.ଡି ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି I ଓ୍ଵିକିପେଡିଆ ଓ୍ଵେବସାଇଟ ଅନୁସାରେ ଭଞ୍ଜ ସାହିତ୍ୟରେ ଗବେଷଣା କରି ପିଏଚଡି ଲାଭ କରିବାରେ ସେ ହେଉଛନ୍ତି ୨ୟ ବ୍ୟକ୍ତି। ଏହାଛଡା ଓଡିଶା ସଂସ୍କୃତ ପରିଷଦ ପୁରୀଙ୍କ ଠାରୁ ମଧ୍ୟ ସଂସ୍କୃତ ସାହିତ୍ୟରେ ଶାସ୍ତ୍ରୀ ଡିଗ୍ରୀ ହାସଲ କରିଛନ୍ତି।

ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ଦୀର୍ଘ ୩୩ ବର୍ଷର ଅଧ୍ୟାପନା ସହିତ ଅଧ୍ୟକ୍ଷତାର ଅଭିଜ୍ଞତା ରହିଛି। ସାହିତ୍ୟ ବ୍ୟତୀତ ଧର୍ମ, ଦର୍ଶନ, ଶ୍ରୀରାମ ଚରିତ ମାନସ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦୀଗରେ ତାଙ୍କର ଅବଦାନ ବେଶ୍ ଉଲ୍ଲେଖନୀୟ। କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ତାଙ୍କର ଏତାଦୃଶ କାର୍ଯ୍ୟ ପାଇଁ ସେ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସମ୍ଵର୍ଦ୍ଧିତ ତଥା ସମ୍ମାନିତ ହୋଇଛନ୍ତି। ତନ୍ମଧ୍ୟରୁ ପୁରୀ ଶ୍ରୀରାମଦୟା ପରିଷଦ ଦ୍ଵାରା ମାନସ ସୁଧାକର ଉପାଧି ପ୍ରାପ୍ତ, ତୁଳସୀ ସାହିତ୍ୟ ସଂସଦ କଟକ ତରଫରୁ ତୁଳସୀ ସାହିତ୍ୟ ସମ୍ମାନରେ ସମ୍ମାନିତ, ଶ୍ରୀକୃଷ୍ଣ ଏକାଡେମୀ ଦ୍ଵାରା ମଞ୍ଜୁଭାସ ଉପାଧି ପ୍ରାପ୍ତ, ଢେ଼ଙ୍କାନାଳ ରାଣୀ ରତ୍ନପ୍ରଭାଙ୍କ ଦରବାରରୁ ଭାଗବତ କଳହଁସ ଉପାଧି ଅନ୍ୟତମ I

ଏହା ସହିତ ଶ୍ରୀଯୁକ୍ତ ବରାଳ ଜଣେ ଲୋକପ୍ରିୟ ସ୍ତମ୍ଭକାର ଏବଂ ପ୍ରାବନ୍ଧିକ ଭାବେ ବେଶ ଜଣାଶୁଣା I ଆକାଶବାଣୀ, କଟକର ସେ ସ୍ଵୀକୃତିପ୍ରାପ୍ତ ଗୀତିକାର। ତାଙ୍କ ରଚିତ ଗୀତ, ଛାନ୍ଦ, ଚମ୍ପୁ ଓ ଦେଶାତ୍ମବୋଧକ ସଂଗୀତ ସବୁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ବାରା ପ୍ରଚାରିତ ହୋଇଛି। ଆକାଶବାଣୀରେ ପ୍ରସାରିତ ଗୀତିନାଟ୍ୟ ‘ନୀଳାଦ୍ରି ବିଜେ’ ଓଡ଼ିଶାର ପୁରପଲ୍ଲୀରେ ବେଶ ଜନାଦୃତି ଲାଭ କରିଛି। ଦୂରଦର୍ଶନ ଓ ଆକାଶବାଣୀ ସମେତ ଓଡ଼ିଶାର ପ୍ରାୟ ସମସ୍ତ ଘରୋଇ ଟିଭି ଚାନେଲରେ ଆଧ୍ୟତ୍ମିକ ପ୍ରବଚନ ପ୍ରଦାନ କରିବା ସହିତ ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରିଆସୁଛନ୍ତି।

କବିତା ସଂକଳନ ‘ସଙ୍ଗୀତ କୌମୁଦୀ’ , ପ୍ରବନ୍ଧ ସଂକଳନ ‘କବି ଭାରତୀରେ ଶ୍ରୀଜଗନ୍ନାଥ’, ‘ରୀତିକାବ୍ୟ ଓ ବୈଦେହୀଶ ବିଳାସ’, ‘ଲାବଣ୍ୟବତୀର ଉପମା’ ଏବଂ ନାଟକ ‘ଶେଷ ଅଶ୍ରୁ’ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ସ୍ୱର୍ଣ୍ଣିମ ଉପହାର I ଏତଦବ୍ୟତୀତ ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ଏବଂ ଭଞ୍ଜସାହିତ୍ୟରେ ଡ଼ଃ ବରାଳଙ୍କର ଗବେଷଣା ଏଯାବତ ଜାରି ରହିଛି I ଯେଉଁ ମାଟିରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ହେବାକୁ ଯାଉଛି ସେଭଳି ମାଟିର ଏଭଳି ଜଣେ ସାହିତ୍ୟରଥିଙ୍କୁ ପ୍ରଥମ କୁଳପତି ଭାବେ ମନୋନୀତ କରିବାକୁ ସର୍ବସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି I

Leave a Reply

Your email address will not be published. Required fields are marked *