ରୁପାରେ ଝଲସିବ ଆମ କାଳିଆ ଠାକୁରଙ୍କର ଶ୍ରୀମନ୍ଦିରର ଦ୍ୱାର I ପ୍ରଥମ ଦଫାରେ ଶ୍ରୀମନ୍ଦିର ସିଂହଦ୍ୱାର, ଜୟବିଜୟ, କଳାହାଟ ଦ୍ୱାରର ପୁନଃ ନିର୍ମାଣ କରାଯିବ । ବର୍ମା ଟିକ୍ କାଠରେ ମୂଳଦ୍ୱାର ଫ୍ରେମ ନିର୍ମାଣ ହେବ । ଏହା ଉପରେ ୧୪ରୁ ୧୮ ଗଜ୍ ମୋଟେଇର ରୁପା ଚାଦର ବିଛା ଯିବ। ତିନି ଦୁଆରରେ ପାଖାପାଖି ୧୯୨୦ କିଲୋ ରୁପା ଲାଗିବ ବୋଲି ଆକଳନ କରାଯାଇଛି I ବୁଧବାର ଦିନ ମୁମ୍ବାଇରୁ ଆସିଥିବା ବିଶେଷଜ୍ଞ ଶ୍ରୀମନ୍ଦିର ପରିଦର୍ଶନ କରି ଫେରିଯାଇଛନ୍ତି I ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ପ୍ରତି ଦ୍ୱାରରେ ୬୪୦ କିଲୋ ଓଜନର ରୁପା ଲାଗିବ I
ତିନି ଦ୍ୱାର ରୁପାରେ ପୁନଃ ନିର୍ମାଣ ପରେ ବାହାର ରତ୍ନଭଣ୍ଡାର ଦ୍ୱାର, ଶ୍ରୀମନ୍ଦିର ସିଂହଦ୍ୱାର, ଉତ୍ତର ଦ୍ୱାର, ଦକ୍ଷିଣ ଦ୍ୱାର, ପଶ୍ଚିମ ଦ୍ୱାରରେ ବି ରୁପା ଚାଦରରେ କାରୁକାର୍ଯ୍ୟ କରାଯିବ I ବୁଧବାର ବିଶେଷଜ୍ଞଙ୍କ ସାଙ୍ଗରେ ଦୁଇ ଦାତା ଆସିଥିଲେ ଯେଉଁମାନେ ଏହି ରୁପା ଦାନ କରିବେ ଯାହାଙ୍କ ନାମ ବର୍ତ୍ତମାନ ସୁଦ୍ଧା ପ୍ରକାଶ କରାଯାଇନାହିଁ I ଶ୍ରୀମନ୍ଦିର ଦ୍ୱାର ରୁପାରେ ଝଲସିବ; ୟାଠୁ ବଡ ଖୁସି ଆଉ କଣ ଅଛି ? ତେବେ ଏହାରି ଭିତରେ ରହିଯାଇଛି ବିରାଟ ବଡ ପ୍ରଶ୍ନ I ଏହି ରୁପାର ଚିକିମିକି କାମ ସବୁ ରାଜସ୍ଥାନୀ କାରିଗରଙ୍କ ଦ୍ୱାରା ନିର୍ମାଣ କରାଯିବ। କଟକର ତାରକସି କାର୍ଯ୍ୟ ବିଶ୍ବ ପ୍ରସିଦ୍ଧ ହୋଇଥିବା ବେଳେ ଏହି କାର୍ଯ୍ୟକୁ ରାଜସ୍ଥାନୀ କାରିଗର ମାନଙ୍କ ଦ୍ୱାରା କରାଯିବା ପଛରେ ରହସ୍ୟ କଣ? ଏହାକୁ ନେଇ ଏବେ ତୀବ୍ର ଅସନ୍ତୋଷ ଦେଖାଯାଇଛି ପୁରୀରେ I ଏନେଇ ସତ୍ୟବାଦୀର ସମାଜସେବୀ ଦେବ ଲୋଭାନଙ୍କର ଏକ ସୋସିଆଲ ମିଡ଼ିଆ ପୋଷ୍ଟ ଭାଇରଲ ହେବା ପରେ Odisha Exclusive ତରଫରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା।
ସେ ଅତ୍ୟନ୍ତ କ୍ଷୋଭର ସହିତ ପ୍ରତିକ୍ରିୟା ରଖିଥିଲେ I ଦେବଙ୍କ କହିବାନୁଯାୟୀ ଓଡିଶାର ଗର୍ବ ତଥା ପରିଚୟ ଶ୍ରୀମନ୍ଦିର ଦ୍ଵାରକୁ ରୁପା ଚାଦରରେ ସଜ୍ଜିତ କରିବା, ଏହା କେବଳ ଆମ ପୁରୀବାସି ନୁହେଁ ସାରା ଓଡିଶା ପାଇଁ ଏକ ଖୁସିର ଖବର। କିନ୍ତୁ ଲକଡାଉନ ସମୟରେ ହାତ ବାନ୍ଧି ବସିଥିବା କଟକର ତାରକସି କାରିଗରଙ୍କୁ ଅଣଦେଖା କରି ରାଜସ୍ଥାନୀ କାରିଗରଙ୍କ ଦ୍ଵାରା ଏହି କାର୍ଯ୍ୟ କରାଯିବାର ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରୁପା ତାରକସି ପାଇଁ ଓଡ଼ିଶାର କଟକ କାରିଗର ସାରା ବିଶ୍ୱରେ ପ୍ରସିଦ୍ଧ I ଆର୍ଥିକ ଅନଟନ ଭିତରେ କାଳାତିପାତ କରୁଥିବା ଏହି କାରିଗର ମାନଙ୍କୁ କାମ ଦିଆଗଲେ ସେମାନେ ରୋଜଗାର ପାଇବା ସହ ଓଡ଼ିଆ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ଶ୍ରୀମନ୍ଦିର ଦ୍ୱାର ଦେଶରେ ପ୍ରତିଫଳିତ ହୋଇପାରିବ I ଯାହାଦ୍ୱାରା ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଓଡ଼ିଆ ଲୋକଙ୍କ ଚମତ୍କାରୀ କାରୁକାର୍ଯ୍ୟ ବିଷୟରେ ଅବଗତ ହେଇପାରିବେ I
ରାଜସ୍ଥାନୀ କାରିଗର ମାନେ କାମ କଲେ ଓଡିଶା କଳା ସଂସ୍କୃତି ପରିବର୍ତ୍ତେ ସେମାନଙ୍କର ରାଜ୍ୟର କଳା ସଂସ୍କୃତିକୁ ପ୍ରାଥମିକତା ଦେବାର ଯଥେଷ୍ଟ ସମ୍ଭାବନା ରହିଛି I କେବଳ ଏତିକି ନୁହେଁ ଦାତା କିଏ ସେମାନଙ୍କର ପରିଚୟ ଏଯାଏଁ ଘୋଷଣା ହେଉନି ଯାହାକି ଅନେକ ପ୍ରଶ୍ନ ସୃଷ୍ଟି କରୁଛି I ଯଦି ଦାତା ବ୍ୟକ୍ତିବିଶେଷ ହେଇଥାନ୍ତି ତେବେ ଠିକ୍ ଅଛି, କିନ୍ତୁ ଯଦି କୌଣସି ସଂସ୍ଥା ବା ଅନୁଷ୍ଠାନ ହୋଇଥାଏ ଏବଂ ତାଙ୍କର ପ୍ରଚାର ପ୍ରସାର ଉଦେଶ୍ୟରେ ଏଭଳି କରୁଥାନ୍ତି, ତେବେ ତାହା ଆଦୌ ଗ୍ରହଣୀୟ ହେବନାହିଁ।
ଏସବୁ ପରେ ରାଜ୍ୟ ପ୍ର୍ରଶାଶନ ଏବଂ ସଂସ୍କୃତି ବିଭାଗ ସହିତ ଶ୍ରୀମନ୍ଦିର ପ୍ରସାଶନଙ୍କୁ ଅନୁରୋଧ କରାଯାଉଛି ଶ୍ରୀମନ୍ଦିର ଦ୍ୱାରର ରୁପା କାର୍ଯ୍ୟକୁ ରାଜସ୍ଥାନୀ କାରିଗରଙ୍କୁ ଦିଆନଯାଇ ଓଡିଶାର ବିଶ୍ୱ ପ୍ରସିଦ୍ଧ କଟକି କାରିଗରଙ୍କୁ ଦିଆଯାଉ I ଆପଣ ବି ଆପଣଙ୍କର ମତାମତ ଦେଇପାରିବେ ଏବଂ ଶେୟାର କରି ସମସ୍ତଙ୍କ ପାଖରେ ଏହାକୁ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ I