ସାମ୍ପ୍ରତିକ ପରିସ୍ଥିତିରେ ଓଡିଶା ରାଜନୀତି ର ଭିତିରି କଥା

ଭୁବନେଶ୍ୱର(ଦେବଦତ୍ତ ରଥ):ସାଧାରଣ ନିର୍ବାଚନ ଆଉ କିଛି ଦିନ ବାକି ରହିଥିବା ବେଳେ ବିଭିର୍ଣ୍ଣ ଦଳ କିନ୍ତୁ ଏବେଠାରୁ କସରତ ଆରମ୍ଭ କରିଦେଲେଣି।କେନ୍ଦ୍ର ତଥା ବିଭିର୍ଣ୍ଣ ରାଜ୍ୟ ସମେତ ଓଡ଼ିଶାରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳିଲାଣି।
   ଅତି ଦୁର୍ବଳ ସ୍ଥିତି ଭିତରେ କଂଗ୍ରେସ ଏବେ ବିଭିର୍ଣ୍ଣ ରାଜ୍ୟରେ ମେଣ୍ଟ କରିବା ପ୍ରୟାସ ସମେତ ମୋଦୀ ସରକାରଙ୍କୁ ଟାର୍ଗେଟ କରିବା,ଦଳିତ ତଥା ଜାତିବାଦ କାର୍ଡ ଖେଳିବା ଆଦି ପରି ରଣନୀତି ଜାରି ରଖିଛି।ବିଜେପି ମୋଦୀଙ୍କ ଚେହେରା ସମେତ ବିକାଶ ଆଦି ନାମରେ ତାର ରଣନୀତି ଚଲାଇଥିବା ବେଳେ ବିଜେଡି ମଧ୍ୟ ଓଡ଼ିଶାରେ ନବୀନଙ୍କ ଲୋକ ପ୍ରିୟତା ଅକ୍ଷୁର୍ଣ୍ଣ ରହିଥିବା ସହ ବିକାଶର କଥା କହୁଛି।

    କିନ୍ତୁ ଏସବୁ ଭିତରେ ଦେଖିବାକୁ ଗଲେ ଓଡ଼ିଶାରେ ଯେ ବାସ୍ତବରେ ବିଜେଡି ବଢୁଛି ଏବଂ କଂଗ୍ରେସ ଛିଡୁଛି।ସତେ ଯେପରି ମୋଦୀ/ଅମିତ ଶାହାଙ୍କ କଂଗ୍ରେସ ମୁକ୍ତ ଭାରତ ନ୍ୟାରାକୁ ନବୀନ କାର୍ଯ୍ୟକାରୀ କରୁଛନ୍ତି।ଏବଂ ଏ ଭିତରେ ବିଜେପି ଓଡ଼ିଶା ଅସ୍ଥିରତା ଭିତରେ ରହିଛି।କେନ୍ଦ୍ରରେ କଂଗ୍ରେସର ଅତ୍ୟନ୍ତ ଦୃବଳ ସ୍ଥିତି ଭିତରେ ପ୍ରଦେଶ କଂଗ୍ରେସରେ ଗୋଷ୍ଠି ବିବାଦ ଲାଗି ରହିଛି।ଅବଶ୍ୟ ଏବେ କଂଗ୍ରେସର ନବ ନିଯୁକ୍ତ ଓଡ଼ିଶା ପ୍ରଭାରୀ ସଭାପତି ସମେତ ଦଳରେ ଆମୂଳଚୂଳ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। କିନ୍ତୁ ନେଡି ଗୁଡ଼ କହୁଣୀକୁ ବହି ଗଲା ପରି ଏ ଭିତରେ ଅନେକ ନେତା କଂଗ୍ରେସରେ ନିଜ ଭବିଷ୍ୟତକୁ ନେଇ ଆଉ ସୁରକ୍ଷିତ ମଣୁ ନାହାଁନ୍ତି।ଫଳ ସ୍ୱରୂପ ଅନେକ ଦଳ ପରିବର୍ତ୍ତନ କରୁଛନ୍ତି ଏବଂ କେତେ ଅନାଇ ବସିଛନ୍ତି। ଏହାର ଭରପୁର ଫାଇଦା ନେଉଛି ବିଜେଡି।ଗୋଟେ ପରେ ଗୋଟେ ପ୍ରଭାବୀ ନେତାଙ୍କୁ ଦଳରେ ସାମିଲ କରୁଛି।ପୂର୍ବରୁ ବିରୋଧୀ ଦଳ ନେତା ଭୁପେନ୍ଦର ସିଂ,ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ସାହୁ,କଂଗ୍ରେସର ଜଣେ ଭଲ ପ୍ରବକ୍ତା ସୁଲୋଚନା ଦାସ ଆଦିଙ୍କୁ ଦଳରେ ସାମିଲ କରି ସାରିଥିବା ବେଳେ ବିଜେପୁର ନିର୍ବାଚନ ପୂର୍ବରୁ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳରେ ସାମିଲ କରିବା ସହ ବିଜେପୁରରୁ ପାର୍ଥି କରାଇ ଏବଂ ଜିତାଇ ଏକ ମାଷ୍ଟର ଷ୍ଟୋକ ଖେଳିଲା।ଏହାର ତୁରନ୍ତ ବାଦ ଅଚ୍ୟୁତ ସାମନ୍ତ,ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳରେ ସାମିଲ କରାଇ ୮ ଘଣ୍ଟା ଭିତରେ ରାଜ୍ୟସଭା ପାର୍ଥି ଘୋଷଣା କଲା।ପୁଣି ନବୀନଙ୍କ ବ୍ରହ୍ମପୁର ଗସ୍ତ ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଏବଂ କଂଗ୍ରେସର ସାଧାରଣ ସମ୍ପାଦକ ତଥା କଂଗ୍ରେସର ଜଣେ ହେଭିୱେଟ ଯୁବ ନେତା ବିକ୍ରମ ପଣ୍ଡାଙ୍କୁ ଦଳରେ ସାମିଲ କରାଇଲା।ଏବଂ ଏବଂ ପୁଣି ଅନ୍ୟ ଜଣେ ପ୍ରଭାବୀ ନେତା ମାନସ ମଙ୍ଗରାଜ ବିଜେଡିରେ ଯୋଗ ଦେଲେ।

  କଂଗ୍ରେସର ଦୃବଳତାର ସୁଯୋଗ ନେଇ ବିଜେଡି ତାର ମିଶ୍ରଣ ପ୍ରକ୍ରିୟା ଜୋରଦାର କରି କାୟା ବିସ୍ତାର କରି ଚାଲିଥିବା ବେଳେ ବିଜେପି କିନ୍ତୁ ଏଥିରେ ପଛରେ ପଡିଯାଇଛି।ପୂର୍ବରୁ ଦଳରେ ମିଶିଥିବା ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କ ପରି ନେତା ଏବେ ବିଜେପିଠାରୁ ସଂପୂର୍ଣ ଦୂରେଇ ରହୁଥିବା ବେଳେ ବିଜେପିରେ ସେପରି କେହି ହେଭିୱେଟ ନେତାଙ୍କ ଯୋଗଦାନ ଦେଖିବାକୁ ମିଳୁନି।ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ଭିତରେ ନିଜ ଆଧିପତ୍ୟ ସଙ୍କୁଚିତ ହେବା ଭୟରେ ପ୍ରଭାବୀ ନେତାଙ୍କୁ ଦଳରେ ସାମିଲ କରାଇ ଦିଆଯାଉ ନାହିଁ ବୋଲି ଆଲୋଚନା ହେଉଛି।ଏଥିପାଇଁ ଏକ ଗୋଷ୍ଠି ରୀତିମତ ଯୋଜନା କରୁଛନ୍ତି ବୋଲି କଥା ଉଠୁଛି।

   ଏବଂ ଏବେ ଏହି ଯୋଜନା ଭିତରେ ରାଜ୍ୟ ସଭାପତି ପରିବର୍ତ୍ତନ ଏବଂ ଘୋଷଣାରେ ବିଳମ୍ବ ଘଟୁଛି।ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶା ବିଜେପି ଆଶାନୁରୂପ ସଫଳତା ପାଉ ନଥିବା ଅନୁଭବ କରି ରାଜ୍ୟ ସଙ୍ଗଠନରେ ଏକ ଆମୂଳଚୂଳ ପରିବର୍ତ୍ତନ ଯୋଜନା ହୋଇଛି।ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ପରେ ରାଜ୍ୟ ସଭାପତି ପରିବର୍ତ୍ତନ ଯୋଜନା ରହିଛି।ଏବଂ ଏ ନେଇ ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକଙ୍କ ଉପସ୍ଥିତିରେ ସଂଘ ଏବଂ ବିଜେପିର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଅମିତ ଶାହା ନେଇଥିବା ବୈଠକରେ ଦଳୀୟ ସଙ୍ଗଠନ ସ୍ଥିତିକୁ ନେଇ ଅସନ୍ତୋଷ ହୋଇ ଫେରିଛନ୍ତି।ସେ ଏଣେ ସଭାରେ ମିଶନ ୧୨୦ କଥା କହୁଥିବା ବେଳେ ତେଣେ ପୌର ନିର୍ବାଚନ ଫଳରେ ବିଜେପି କଷ୍ଟେମଷ୍ଟେ ଗୋଟିଏ ଜିତିଥିବା ବେଳେ ବିଜେଡି ପୋଛି ନେଇଛି।ପୂର୍ବରୁ ତ ବିଜେପୁର ପରିଣାମରୁ ମିଶନ ୧୨୦ ନୁହଁ ବରଂ କଂଗ୍ରେସକୁ ପଛରେ ପକାଇ ରାଜ୍ୟ ବିଜେପି ୨ନମ୍ବରକୁ ଆସିବାକୁ ଚେଷ୍ଟା କରୁଥିବା ଜଣାପଡ଼ୁଛି।ବାସ୍ତବରେ ଓଡ଼ିଶାରେ ବିଜେପି ଅତ୍ୟନ୍ତ ଦୃବଳ ସ୍ଥିତିରେ ଅଛି।ଏବଂ ଏହାର ଯେ ଏକ ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ ତାହା ସଂଘ ଏବଂ କେନ୍ଦ୍ରୀୟ ସଙ୍ଗଠନ ବୁଝି ସାରିଲାଣି।ସେହି ପ୍ରକ୍ରିୟାରେ ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ହୋଇ ସାରିଛନ୍ତି।ପୂର୍ବତନ ସଙ୍ଗଠନ ସମ୍ପାଦକଙ୍କ ସ୍ଥାନ କଟକ ବିଭାଗ ସଂଘ ପ୍ରଚାରକ ମାନସ ମହାନ୍ତି ନେବା ସ୍ଥିର ହୋଇ ସାରିଛି।ଆଜି ହିଁ ମାନସଙ୍କୁ ଆନୁଷ୍ଠାନିକ ଦାୟିତ୍ୱ ହସ୍ତାନ୍ତର କରାଯିବାର ଅଛି।ତେବେ ସଭାପତି ଘୋଷଣା ବିଳମ୍ବ ହେଉଛି।ଲଗାତାର ଭାବରେ ପଶ୍ଚିମ ଓଡିଶାରୁ ସଭାପତି ରହି ଆସୁଥିବା ବେଳେ ଏଥର ପୂର୍ବ ଓଡିଶାରୁ ଜଣଙ୍କୁ ସଭାପତି କରାଯିବା ଉଚିତ ବୋଲି ସଙ୍ଗଠନ ବିଚାର କରୁଥିବା ଜଣା ପଡ଼ିଛି।ପୂର୍ବରୁ କନକ ବର୍ଦ୍ଧନ ସିଂଦେଓ, ପ୍ରତାପ ଷଢଙ୍ଗୀ,ସମୀର ମହାନ୍ତି ଆଦିଙ୍କ ନାମ ଶୁଣା ଯାଉଥିବା ବେଳେ ପ୍ରତାପ ଷଢ଼ଙ୍ଗୀଙ୍କ ସପକ୍ଷରେ ସଂଘ ଏବଂ ତୃଣମୂଳ ସଙ୍ଗଠନ ରହୁଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନା ଭିତରେ ରହିଥିବା ରାଜ୍ୟ ବିଜେପିର ବଡ଼ ଗୋଷ୍ଠୀ ଯେ କୌଣସି ପରିସ୍ଥିତିରେ ପ୍ରତାପ ଷଢ଼ଙ୍ଗୀଙ୍କୁ ବିରୋଧ କରି ନିଜ ଡମି ସଭାପତି ଚାହୁଁଛନ୍ତି।ଏପରି ପରିସ୍ଥିତି ଓଡିଶା ବିଜେପିରେ ପୂର୍ବରୁ କେବେ ଦେଖା ଯାଇ ନଥିଲା।ଦଳ ଭିତରେ ଏପରି ସ୍ଥିତିକୁ ନେଇ ଅନେକ ନେତା ଆଶା ଆଶଙ୍କାରେ ରହିଛନ୍ତି।ଏକ ପ୍ରକାର ସଂଘ, ସଙ୍ଗଠନ ଏବଂ ରାଜ୍ୟ ବିଜେପିର ଏକ ବଡ଼ ଗୋଷ୍ଠି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।ସଂଘ ଏବଂ ସଙ୍ଗଠନ ନିଜ ଜିଦିରେ ଅଟଳ ଥିବା ଜଣାପଡୁଛି।ପୂର୍ବ ସଙ୍ଗଠନ ସମ୍ପାଦକ ଦକ୍ଷ ଥିଲେ ମଧ୍ୟ ସଭାପତିଙ୍କ ସହ ତାଳମେଳ ଅଭାବରୁ ଯେପରି ଅବସ୍ଥା ଘଟିଲା ସେପରି ଅବସ୍ଥାର ପୁନରାବର୍ତ୍ତି ସଂଘ ଚାହୁଁନି।ତେଣୁ ସଙ୍ଗଠନ ସମ୍ପାଦକ ପରେ ସଭାପତି ପରିବର୍ତ୍ତନ କରି ସଂଘ ନିଜର ପ୍ରଭାବ ରଖିବାକୁ ଚାହୁଁଛି।କିନ୍ତୁ ଏନେଇ ଏଣେ ଗୁପ୍ତ ଭାବରେ ୩/୪ ଦିନ ହେଲା ଥାକ ଥାକ ହୋଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀର କିଛି ନେତା ଦିଲ୍ଲୀ ଯାଇ ମେଳି କରୁଛନ୍ତି।ଓଡ଼ିଶା ମନ୍ତ୍ରଣା ଯାଇ ଦିଲ୍ଲୀରେ ଚାଲିଛି।ଯେ କୌଣସି ପରିସ୍ଥିତରେ ସେମାନେ ନିଜ ସମର୍ଥିତ ସମୀର ମହାନ୍ତିଙ୍କୁ କରାଯାଉ ଅବା ବସନ୍ତ ପଣ୍ଡାଙ୍କୁ ସେହପିରି ରଖାଯାଉ ବୋଲି ଜିଦି ଧରି ବସିଛନ୍ତି।କଂଗ୍ରେସ ସଭାପତି ପରିବର୍ତ୍ତନ ପାଇଁ ଏପରି ମନ୍ତ୍ରଣା କରି କରି ଆଜି ଯେପରି ପରିସ୍ଥିତି ବିଜେପିର ଏ ମନ୍ତ୍ରଣା ଭିତରେ ସଭାପତି ଘୋଷଣାରେ ବିଳମ୍ବ ପ୍ରକ୍ରିୟା ଯୋଗୁଁ ଯେ ନେଡ଼ି ଗୁଡ଼ କହୁଣୀକୁ ବୋହି ନଯାଉ।

Leave a Reply

Your email address will not be published. Required fields are marked *