​ବଦଳିଯିବ ଓଡିଶା ବିଜେପିର ସମୀକରଣ! କେହି ଆଶାରେ, କେହି ଆଶଙ୍କାରେ..

ଭୁବନେଶ୍ୱର(ଦେବଦତ୍ତ ରଥ):ଯାହା କେବେ ଦେଖା ଯାଇ ନଥିଲା,ତାହା ଆଗକୁ ଜଳ ଜଳ ହେଇ ଦେଖା ଯାଉଛି। ଓଡିଶା ବିଜେପିର ସମୀକରଣ ପୂରା ବଦଳି ଯାଉଛି।ଦୀର୍ଘ ଦିନ ହେଲା ପଦ ପଦବୀ ମାଡ଼ି ବସି ରାଜ୍ୟ ବିଜେପିରେ ନିଜର ପତିଆରା ଜାହିର କରି ଆସିଥିବା ଏକ ଶକ୍ତିଶାଳୀ ଗୋଷ୍ଠି ଏବେ କ୍ଷମତା ଶୁନ୍ୟ ହେବାକୁ ଯାଉଛନ୍ତି।ବିଜେପି ତାର ବାସ୍ତବିକ ସଙ୍ଗଠନକୁ ଫେରି ଆସୁଛି।ଏବଂ ଏହି ପ୍ରକ୍ରିୟାରେ ସଭାପତି ସମେତ ଦଳରେ ଆମୂଳଚୂଳ ପରିବର୍ତ୍ତନ ହେବାର ସଙ୍କେତ ମିଳୁଛି।

    

ରାଜ୍ୟ ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ହୋଇ ସାରିଛନ୍ତି।ଏହାପରେ ସଭାପତି ପରିବର୍ତ୍ତନ।ସଭାପତି ଭାବରେ ପ୍ରତାପ ଷଢ଼ଙ୍ଗୀ ଦାୟିତ୍ୱ ଦେବା ପାଇଁ ସଂଘ ଏବଂ ସଙ୍ଗଠନ ସ୍ଥିର କରିଛନ୍ତି।କିନ୍ତୁ ଏହାକୁ ସହଜେ ହଜମ କରି ପାରୁ ନାହାଁନ୍ତି ଗାଦି ମାଡି ବସିଥିବା ଅନେକ ନେତା।ସେମାନେ ନିଜ ପସନ୍ଦର ଜଣେ ନେତାଙ୍କୁ ସଭାପତି କରିବାକୁ ଚାହୁଁଛନ୍ତି।କିନ୍ତୁ ସଂଘ ଆଦୌ ମାନିବାକୁ ନାରାଜ।ସେ ସଭାପତି ଯିଏ ଥାଉ ନାଁ କାହିଁକି, ଧର୍ମେନ୍ଦ୍ର ପ୍ରଧାନଙ୍କ ଇଶାରାରେ ହିଁ ରାଜ୍ୟ ବିଜେପି ଚାଲିଥିଲା।ବସନ୍ତ ପଣ୍ଡା ନାମକୁ ସଭାପତି ଥିଲେ ସିନା କିନ୍ତୁ ତାଙ୍କ ରିମୋର୍ଟ ଧର୍ମେନ୍ଦ୍ରଙ୍କ ହାତରେ ହିଁ ଥିଲା।ତାଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପିତ କରା ଯାଉଥିଲା।ଏବଂ ଏଥିପାଇଁ ରାଜ୍ୟ ବିଜେପିର ଅନେକ ନେତା ଅନ୍ୟତମ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଏକ ମାତ୍ର ନିର୍ବାଚିତ ସାଂସଦ ଜୁଏଲ ଓରାମଙ୍କୁ ଅଣଦେଖା କରୁଥିଲେ।ବିଭିର୍ଣ୍ଣ ପୋଷ୍ଟର/ବ୍ୟାନର ଏବଂ ସୋସିଆଲ ମିଡିଆ ପୋଷ୍ଟରେ ଧର୍ମେନ୍ଦ୍ରଙ୍କ ପାଖରେ ଆନୁଗତ୍ୟ ଦେଖାଇବାକୁ ଯାଇ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ଜୁଏଲ ଓରାମଙ୍କୁ ଫଟୋ,ପୋଷ୍ଟରେ ନଗଣ୍ୟ ଭାବରେ ଦେଖାଉଥିଲେ ଅବା ସଂପୂର୍ଣ୍ଣ ଗାଏବ କରି ଦେଉଥିଲେ।ମିଶନ ୧୨୦ ଯୋଜନା ହେଉ କିମ୍ବା ଦଳର ପ୍ରତିଷ୍ଠା ଦିବସ ପାଳନ ହେଉ,ଏହାକୁ ନଗଣ୍ୟ ଭାବରେ ପାଳନ କରି କେବଳ ଧର୍ମେନ୍ଦ୍ରଙ୍କୁ ସତ୍କାର କରିବାରେ ଲାଗି ପଡ଼ିଥିଲେ।ତାଙ୍କ ପାଇଁ ବିରାଟ ବିରାଟ ପଟୁଆର ଆୟୋଜନ ହେଉଥିଲା।କହିବାକୁ ଗଲେ ଧର୍ମେନ୍ଦ୍ର ଏଇ କିଛି ଦିନ ହେଲା ରାଜ୍ୟ ବିଜେପିର କେନ୍ଦ୍ରବିନ୍ଦୁ ଥିଲେ।

     ଓଡିଶା ବିଜେପି କେନ୍ଦ୍ର ବିଜେପିକୁ କିଛି ଦେଇ ପାରିଲା ନାହିଁ।କଷ୍ଟେ ମଷ୍ଟେ ମାତ୍ର ଗୋଟିଏ ସାଂସଦ ଜିତି ପାରିଲେ।କିନ୍ତୁ ହୁଏତ ମୋଦୀ ବଦାନ୍ୟତା ଦେଖାଇ ଦୁଇ ଜଣଙ୍କୁ କେନ୍ଦ୍ରମନ୍ତ୍ରୀ କରାଇଲେ।ଏବଂ ଏହା ପରେ ଓଡ଼ିଶାରେ ବିଜେପିର ଶକ୍ତି ବୃଦ୍ଧି ଆଶା କରା ଯାଉଥିଲା।କିନ୍ତୁ ସେପରି କିଛି ହେଲା ନାହିଁ।ଧର୍ମେନ୍ଦ୍ର ଏବଂ ତାଙ୍କ ଗୋଷ୍ଠି ବିଜେପିକୁ ଆଉ ଆଗକୁ ନେଇ ପାରିଲେ ନାହିଁ।ବିଜେପୁରରେ ବିଫଳ ହେଲେ।ଏଣେ ଅମିତ ଶାହା ଆସି ମିଶନ ୧୨୦+ କଥା କହୁଥିବା ବେଳେ ତେଣେ ପୌର ନିର୍ବାଚନରେ ବିଜେପି କଷ୍ଟେ ମଷ୍ଟେ ମାତ୍ର ଗୋଟିଏ ସିଟ ପାଇଲା।ପୂର୍ବରୁ ପଞ୍ଚାୟତ ଜିଲ୍ଲା ପରିଷଦ ନିର୍ବାଚନରେ ଅତ୍ୟନ୍ତ ଦୁର୍ବଳ କଂଗ୍ରେସଠାରୁ ଆଗକୁ ଯାଇ ୨ନମ୍ବରକୁ ଆସିଛି କହି ନିଜେ ନିଜର ପ୍ରଶଂସା କଲା । ତାହା ପୁଣି ଜିଲ୍ଲା ପରିଷଦ ପାଇଁ,ସରପଞ୍ଚ ପାଇଁ ନୁହେଁ।ଏଣେ ବିଜେଡି କଂଗ୍ରେସର ଦୁର୍ବଳ ସ୍ଥିତିର ଫାଇଦା ନେଇ ଜଣେ ପରେ ଜଣେ ପ୍ରଭାବୀ ନେତାଙ୍କୁ ଦଳରେ ସାମିଲ କରି ଚାଲିବା ଭିତରେ ବିଜେପି ଖାଲି ପ୍ରହସନ କଲା।ସେପରି କୌଣସି ପ୍ରଭାବୀ ନେତାଙ୍କୁ ଦଳରେ ତ’ ସାମିଲ କରାଇ ପାରିଲା ନାହିଁ ବରଂ ଦିଲ୍ଲୀପ ରାୟ,ବିଜୟ ମହାପାତ୍ରଙ୍କ ପରି ନେତାଙ୍କୁ ସାଙ୍ଗରେ ରଖି ପାରିଲା ନାହିଁ।

   ତେଣୁ ଏହାକୁ ସବୁ ଦେଖି ଦଳରେ ଏବେ ବଡ଼ ତଥା ଆମୁଳଚୁଳ ପରିବର୍ତ୍ତନ ହେବାକୁ ଯାଉଛି।ଏବଂ ଏହାପରେ ଖାସ ଧର୍ମେନ୍ଦ୍ରଙ୍କ କାରଣରୁ ବିଜେପିରେ ସାମିଲ ହୋଇ ପାରୁ ନଥିବା କିଛି ନେତା ଏବେ ଦଳରେ ଯୋଗ ଦେବା ସମ୍ଭାବନା ଦେଖାଦେଉଛି।ଆଜି କେନ୍ଦ୍ରାପଡାରେ କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ ବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ବୈଜୟନ୍ତ ପଣ୍ଡାଙ୍କୁ ଏକାଠି ଦେଖା ଯାଇଛି।ଉଭୟ ଜୁଏଲ ଏବଂ ବୈଜୟନ୍ତଙ୍କର ବଡି ଲାଙ୍ଗୁଏଜରୁ ଅନେକ କିଛି ବାରି ହେଉଛି। ଏହାପରେ ଆହୁରି ଅନେକ ନେତା ବିଜେପିରେ ସାମିଲ ହେବା ଏବଂ ବିଜୟ ମହାପାତ୍ର,ଦିଲ୍ଲୀପ ରାୟ ଭଳି ନେତା ବିଜେପିରେ ପୁଣି ସକ୍ରିୟ ହେବା ସମ୍ଭାବନା ନେଇ ଆଲୋଚନା ହେଉଛି।ସଂଘର ଯୋଜନା ଭିତରେ ରହି ସଙ୍ଗଠନ ସମେତ ଏହିପରି ଅନେକ ହେଭିୱେଟ ନେତାଙ୍କୁ ଦଳରେ ସାମିଲ କରାଇ ଏକ ନୂଆ ସମୀକରଣ ସହିତ ବିଜେପି ଓଡ଼ିଶାରେ ନିଜର କାୟା ବିସ୍ତାର ଯୋଜନାରେ ଥିବା ପ୍ରତୟମାନ ହେଉଛି।

Leave a Reply

Your email address will not be published. Required fields are marked *