ଟ୍ରେନ ଧକ୍କା ଖାଇଲା ସ୍କୁଲ୍ ଭ୍ୟାନ:୧୧ ଛାତ୍ର ଛାତ୍ରୀ ମୃତ,୮ ଆହତ

ଉତ୍ତର ପ୍ରଦେଶ ର କୁଶୀନଗର ଠାରେ ଟ୍ରେନ୍‌ ସହ ଏକ ସ୍କୁଲ୍‌ ଭ୍ୟାନ୍‌ ଧକ୍କା ଖାଇବାରୁ ୧୧ ଜଣ ପିଲାଙ୍କର ମୃତ୍ୟୁ ହେବା ସହ ଅନ୍ୟ ଆଠ ଜଣ ପିଲା ଗୁରୁତର ଭାବରେ ଆହତ ହୋଇଛନ୍ତି।

ଦେଖଣାହାରୀଙ୍କ କହିବା ଅନୁସାରେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ପିଲା ୧୦ ବର୍ଷ ଭିତରେ। ଆହତ ହୋଇଥିବା ଅନେକଙ୍କୁ ଡାକ୍ତରଖାନା ଅଣା ଯାଇ ନ ପାରିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇ ଯାଇଛି। ଅନ୍ୟ କେତେକ ଡାକ୍ତରଖାନାକୁ ଯିବା ବାଟରେ ମୃତ୍ୟୁ ବରଣ କରିଛନ୍ତି।

ଦୁର୍ଘଟଣା କୁଶୀନଗର ସହର ନିକଟବର୍ତ୍ତୀ ଦୁଧି ରେଲ୍‌ କ୍ରସିଙ୍ଗ୍‌ ନିକଟରେ ଘଟିଛି। ଜଗୁଆଳି ବିହୀନ ଫାଟକ ଯୋଗୁଁ ଦୁର୍ଘଟଣା ଘଟିଥିବାରୁ ଦେଖଣାହାରୀମାନେ ପ୍ରଶାସନକୁ ଦୋଷ ଦେଉଛନ୍ତି। ଡିଭାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ଏହି ଭ୍ୟାନ୍‌ରେ ୨୦ ରୁ ୩୦ ଜଣ ପିଲା ଥିଲେ ବୋଲି କୁହା ଯାଉଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ି ପାରେ।

ଦୁର୍ଘଟଣାରେ ଦୁଃଖ ପ୍ରକାଶପୂର୍ବକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୀଡ଼ିତଙ୍କ ପରିବାରବର୍ଗଙ୍କ ନିମନ୍ତେ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଘଟଣାର ତଦନ୍ତ ପାଇଁ ଗୋରଖପୁର କମିସନର୍‌ଙ୍କୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *