Odishaexclusive ଭୁବନେଶ୍ୱର(ଦେବଦତ୍ତ ରଥ): ଡାକ୍ତରଙ୍କ ପାଖକୁ ଯିବା ଦରକାର ନାହିଁ।ଅପରେସନ ଦରକାର ନାହିଁ କି ଔଷଧ ଖାଇବାର ଆବଶ୍ୟକତା ନାହିଁ।କେବଳ ଛୁଇଁ ଦେଲେ ଭଲ ହୋଇଯିବ ରୋଗ!ଫୋନରେ ରୋଗ ଭଲ ହେଇ ଯା,, କହିଦେଲେ,ଭଲ ହେଇଯାଉଛି ରୋଗ?ତାହା ପୁଣି ପାରାଲେସିସ,ହାର୍ଟ ଫେଲ,କିଡନୀ ଫେଲ,କ୍ୟାନ୍ସର ପରି ଦୁରାରୋଗ୍ୟ!ଅର୍ଦ୍ଧ ମୃତ ରୋଗୀ ବାବାଙ୍କ ପାଖକୁ ଆସି ହୋଇ ଯାଆନ୍ତି ସଂପୂର୍ଣ୍ଣ ସୁସ୍ଥ!
ଏହିପରି ଦାବି କରୁଛନ୍ତି ଜଣେ ବାବା।ଦୁନିଆରର ଅନେକ ଭଣ୍ଡ,କେଳେଙ୍କାରୀ ବାବାମାନେ ଥିବା ବେଳେ ଏ ବାବା କିନ୍ତୁ ନିଜକୁ ମହାପୁରୁଷ ବୋଲି କହୁଛନ୍ତି।ବାବା ଜଣକ ହେଲେ ଜଗତସିଂପୁର ମଣ୍ଡାସାହି ନିକଟସ୍ଥ ବିଓଳ ଗ୍ରାମର ବାବା ଆର୍ତ୍ତତ୍ରାଣ।
ଚିକିତ୍ସା ବିଜ୍ଞାନ ଯେଉଁଠି ବିଫଳ ହେଉଛି ବାବା କିନ୍ତୁ ସେଠି ସଫଳ ହେଉଛନ୍ତି।କେବଳ ହାତ ଏବଂ ପାଦରେ ଛୁଇଁ ଦେଇ ବାବା ଭଲ କରିଦେଉଛନ୍ତି ବହୁ ବଡ଼ ବଡ଼ ଦୁରାରୋଗ୍ୟ।ଏହାକୁ ସେ ସ୍ପର୍ଶ ଚିକିତ୍ସା,ଦିବ୍ୟ ଚିକିତ୍ସା,ଡିଭାଇନ ଟ୍ରିଟମେଣ୍ଟ ଆଦି ନାଁ ଦେଇଛନ୍ତି।କେବଳ ଯେ ଛୁଇଁ କରି କି ଗୋଇଠା ମାରି ନୁହଁ,ଫୋନରେ ରୋଗ ଭଲ ହେଇ ଯା,,ବାବା କହିଦେଲେ କୁଆଡ଼େ ଭଲ ହେଇଯାଉଛି ରୋଗ।
କେବଳ ଓଡିଶା ନୁହଁ,ଓଡିଶା ବାହାରେ ଏପରିକି ରୁଷିଆ,ଇଟାଲୀ,ଜର୍ମାନୀ ପରି ଦେଶରେ ଫୋନ ମାଧ୍ୟମରେ ରୋଗ ଭଲ କରି ବିଦେଶରେ ମଧ୍ୟ ବାବାଙ୍କର ଭକ୍ତ ହୋଇ ଗଲେଣି ବୋଲି କୁହାଯାଉଛି।ତନ୍ତ୍ର,ମନ୍ତ୍ର,ଯନ୍ତ୍ର ଦ୍ୱାରା କବଳିତ ଲୋକଙ୍କୁ ମଧ୍ୟ ଉଦ୍ଧାରି ଦେଉଛନ୍ତି ଏ ବାବା।ଏପରିକି ସାପ କାମୁଡି ଦେଲେ ଫୋନରେ ଭଲ କରିଦେଉଛନ୍ତି ବାବା ଆର୍ତ୍ତତ୍ରାଣ!
ଚିକିତ୍ସା ବିଜ୍ଞାନ ବାବଦରେ ଅବଗତ ନଥିବାରୁ ଗାଁ ଗହଳିରେ,ଆଦିବାସୀ ଅଧ୍ୟୁଷିତ ତଥା ଅନୁନ୍ନତ ଅଞ୍ଚଳରେ ଅନେକ ଲୋକ ସଚେତନତା ଅଭାବ କାରଣରୁ ତନ୍ତ୍ରମନ୍ତ୍ର,ଝଡାଫୁଙ୍କା,ଗୁଣି ଗାରେଡି ଆଦି ଉପରେ ଭରଷା କରି ଥାଆନ୍ତି।
ଏହିଭଳି କାରଣରୁ ଅନେକ ସମୟରେ ଛୋଟ ଛୋଟ ଶିଶୁଙ୍କୁ ଚେଙ୍କ ଦିଆଯାଉଥିବା ପରି ଘଟଣା ସାମ୍ନାକୁ ଆସୁଛି।ସରକାର ତେଣୁ ଏନେଇ ସଚେତନତା ସୃଷ୍ଟି କରାଉଛନ୍ତି।ଏବେ ସାପ କାମୁଡ଼ାରେ ମୃତ୍ୟୁ ହାର ଓଡ଼ିଶାରେ ବୃଦ୍ଧି ପାଇଛି।ତେଣୁ ସାପ କାମୁଡ଼ିଲା ପରେ ତୁରନ୍ତ ଡାକ୍ତରଖାନା ନେବାକୁ ପରାମର୍ଶ ଦିଆଯାଉଛି।ଅନ୍ଧବିଶ୍ୱାସ ନାଁ ରେ ଗାଁ,ଗହଳିରେ କେହି ଏପରି ଗୁଣି, ଗାରେଡି,ଝଡାଫୁଙ୍କା କରିବାର ଜାଣିଲେ ପଦକ୍ଷେପ ନିଆଯାଉଛି।କିନ୍ତୁ ବାବା ଆର୍ତ୍ତତ୍ରାଣ ଗୁଣି, ଗାରେଡି,ଝଡାଫୁଙ୍କା ଆଦିକୁ “ଦିବ୍ୟ ଚିକିତ୍ସା”,”ଡିଭାଇନ ଟ୍ରିଟମେଣ୍ଟ” ପରି ଆଧୁନିକ ନାଁ ଦେଇ ଲୋକଙ୍କ ସରଳତା ଏବଂ ବିଶ୍ୱାସ ସହ ଖେଳୁଛନ୍ତି।ଏବଂ ଏହାକୁ ନେଇ ଖୁଲମ ଖୁଲା ପ୍ରଚାର କରାଉଛନ୍ତି।
ଆଶାରାମ,ସାରଥୀ ବାବା,ସୁର ବାବାଙ୍କ ପରି ବାବାମାନେ ଯେଉଁଦିନ ଯାଏଁ ଧରା ପଡ଼ନ୍ତି ନାହିଁ ସେ ପର୍ଯ୍ୟନ୍ତ ଏମାନଙ୍କ ସାମ୍ରାଜ୍ୟ ବିସ୍ତାର ହୋଇ ଚାଲିଥାଏ।ଯେବେ ଧରାପଡ଼ି ଯାଆନ୍ତି,ବାବା ଯାଆନ୍ତି ଜେଲକୁ।ତେବେ ଆର୍ତ୍ତତ୍ରାଣଙ୍କ ପରି ବାବା ଖୁଲମଖୁଲା ଏପରି ଅନ୍ଧ ବିଶ୍ୱାସର ପ୍ରଚାର କରାଉଛନ୍ତି।ଏଥିପାଇଁ ଦିବ୍ୟ ଚିକିତ୍ସା ଶିବିର କରୁଛନ୍ତି।ଛୋଟ ଛୋଟ ଶିଶୁଙ୍କ ହାତ ଗୋଡ଼ ମୋଡ଼ି ଦେଉଛନ୍ତି,ବୟସ୍କ ଲୋକଙ୍କ ଅଣ୍ଟାକୁ ଗୋଇଠା ମାରୁଛନ୍ତି।(Video)
ବାବାଙ୍କଠାରୁ ବୟସାଧିକ ପୁରୁଷ,ମହିଳା ଗୋଇଠା ଖାଇ ପୁଣି ବାବାଙ୍କ ପାଦ ସ୍ପର୍ଶ କରି ଫେରୁଛନ୍ତି।ଏବଂ ଏସବୁର ଭିଡିଓ କରି ପ୍ରଚାର କରାଉଛନ୍ତି ବାବା ଆର୍ତ୍ତତ୍ରାଣ।ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରୁଛନ୍ତି।ତେବେ ଏହାକୁ ନେଇ କୌଣସି ଅଘଟଣ ଘଟିବା ପୂର୍ବରୁ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନାହିଁ କାହିଁକି?ତାହା ଆଶ୍ଚର୍ଯ୍ୟ କରୁଛି।