ସିକିମ ସରକାର ରାଜ୍ୟରେ ଏକ ଜନକଲ୍ୟାଣ ମୂଳକ ଯୋଜନା ଲାଗୁ କରିଛନ୍ତି।ଏହାର ନାମ ଗୋଟିଏ ପରିବାରକୁ ଗୋଟିଏ ଚାକିରି।ଏହି ଯୋଜନା ଅନୁସାରେ ପ୍ରତି ପରିବାରରେ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ।ସିକିମ ମୁଖ୍ୟମନ୍ତ୍ରୀ ପୱନ୍ କୁମାର ଚମଲିଙ୍ଗ ଏହା ଘୋଷଣା କରିଛନ୍ତି।
ଏହା ପୂର୍ବରୁ ସେ ଶୀତକାଳୀନ ଅଧିବେଶନରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ।ଏଭଳି ଯୋଜନା ଲାଗୁ ହେବାରେ ସିକିମ ହେଉଛି ଦେଶର ପ୍ରଥମ ରାଜ୍ୟ।ନିକଟରେ ଏକ ରୋଜଗାର ମେଳା ଆୟୋଜନ ହୋଇଥିଲା।ଏଥିରେ ୧୨ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥିଲା।ଯେଉଁ ପରିବାରରେ ବର୍ତ୍ତମାନ ସୁଦ୍ଧା କେହିବି ଚାକିରି ପାଇ ନାହାନ୍ତି ସେହିମାନଙ୍କୁ ହିଁ ଏହି ନିଯୁକ୍ତି ପତ୍ର ମିଳୁଛି।
ଗୋଟିଏ ପରିବାରକୁ ଗୋଟିଏ ଚାକିରି ଯୋଜନା ଉପଲବ୍ଧ କରିବା ଦାୟିତ୍ଵ ଶ୍ରମ ବିଭାଗକୁ ନିୟୋଜିତ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ଏହି ରୋଜଗାର ଯୋଜନାରେ ରାଜ୍ୟର ୨୫ ହଜାର ଅନିୟମିତ ସରକାରୀ କର୍ମଚାରୀଙ୍କୁ ମଧ୍ୟ ବରିଷ୍ଠତା ଭିତ୍ତିରେ ସ୍ଥାୟୀ କରିବା ଲାଗି ଘୋଷଣା କରିଛନ୍ତି।ରାଜ୍ୟ ସରକାର ଏଭଳି ଏକ ଯୋଜନା ଲାଗୁ କରୁଥିବାରୁ ତାହାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଉଛି।ଏହା ଦ୍ବାରା ରାଜ୍ୟରେ ବହୁ ବେରୋଜଗାର ଯୁବକ ଯୁବତୀ ସରକାରୀ ନିଯୁକ୍ତି ପାଇ ପାରିବେ।
ଫଳରେ ସେମାନଙ୍କ ପରିବାର ଗୁଡ଼ିକ ଆର୍ଥିକ ସକ୍ଷମ ହୋଇପାରିବ।ଏହି ଯୋଜନାରେ ଯେପରି କୌଣସି ବିଭ୍ରାଟ ଦେଖା ନ ଦିଏ ତାହାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ କରିଛନ୍ତି।