ଆଉ ଟ୍ୟୁସନ କରିପାରିବେ ନାହିଁ ସରକାରୀ ଶିକ୍ଷକ:ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର କଡ଼ା ନିଷ୍ପତି

୨୦୧୭ ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ ଅନୁଯାୟୀ କୌଣସି ବେତନଭୋଗି ସରକାରୀ ଶିକ୍ଷକ , ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା କୌଣସି କୋଚିଂ ସେଣ୍ଟର୍ କିମ୍ବା କୌଣସି ଟ୍ୟୁସନ୍ ରେ ପଢାଇପରିବେ ନାହିଁ କିମ୍ବା ଏଥି ପାଇଁ କୌଣସି ଛାତ୍ରଛାତ୍ରୀ ମାନଙ୍କ ଉପରେ କୌଣସି ଚାପ ପକାଇ ପାରିବେ ନାହିଁ। ଯଦି କିଏ ଏହି ନିୟମ ଉଲଂଘନ କରେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ କିଛି ସରକାରୀ କର୍ମଚାରୀ ଙ୍କ ଅବହେଳା ହେତୁ ଏହା ଠିକ୍ ଭାବରେ କାର୍ଯ୍ୟ କରିପାରିନଥିଲା।

ବର୍ତ୍ତମାନ ମେଟ୍ରିକ୍ ସମେତ ଯୁକ୍ତ ଦୁଇ ପରୀକ୍ଷା ରେ ପିଲା ମାନଙ୍କର ପାସ୍ ହାର କମିବା କଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ବହୁତ୍ ବଡ଼ ଚିନ୍ତା ର କାରଣ ପାଲଟି ଯାଇଛି। ଏହି ଭଳି ନିରାଶାଜନକ ପରୀକ୍ଷା ଫଳ ପଛରେ ଥିବା କାରଣ କୁ ତର୍ଜମା କରାଯିବ ସହିତ ପୂର୍ବରୁ ହୋଇଥିବା ନିୟମ ଗୁଡ଼ିକ କିଭଳି କାର୍ଯ୍ୟକାରୀ ହେଉଛି ତାହାର ଅନୁଧ୍ୟାନ କରାଯାଉଛି ଏବଂ ସେଗୁଡ଼ିକ କିଭଳି କଡାକଡି ଭାବେ ପାଳନ କରାଯିବା ସେଥି ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେଇଛି ଗଣଶିକ୍ଷା ବିଭାଗ।

ଅନେକ କ୍ଷେତ୍ର ରେ ଦେଖାଯାଇଛି ଯେ ଅଧ୍ୟାପକ ଓ ଶିକ୍ଷକ ମାନେ ସ୍କୁଲ୍ ରେ କ୍ଲାସ୍ ନେବା ସମୟରେ କ୍ଲାସ୍ ନ ନେଇ କୋଚିଂ ସେଣ୍ଟର୍ ଯାଉଛନ୍ତି ପଢାଇବାକୁ। ଏହା ସହ ନିଜ କୋଚିଂ ସେଣ୍ଟର୍ କୁ ଗଲେ ପରୀକ୍ଷା ରେ ଭଲ ମାର୍କ ରହିବ ବୋଲି ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଲୋଭନ ଦେଖାଉଛନ୍ତି। ବିଶେଷ କରି ଗଣିତ ଓ ଇଂରାଜୀ ଶିକ୍ଷକ ମାନେ ଏଭଳି କରୁଥିବାର ଦେଖାଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ୩୦୧୭ – ୧୮ ଶିକ୍ଷା ବର୍ଷ ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଚିଠି ଲେଖାଯାଇ ଏହି ନିୟମ କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବଂ ଯଦି କୌଣସି କର୍ମଚାରୀ ଏହି ନିୟମ ଉଲଂଘନ କରନ୍ତି ତେବେ ଡିଇଓ ମାନେ କଡା ଆଭିମୁଖ୍ୟ ଗ୍ରହଣ କରିବା ଦରକାର। ଏଥିସହ ଯଦି କୌଣସି ଶିକ୍ଷକ ବିଳମ୍ବ ରେ ଆସିଥାନ୍ତି ତେବେ କାରଣ ଦର୍ଶାଇ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅନ୍ୟ ପକ୍ଷରେ ବେଆଇନ ଭାବରେ ଚାଲୁଥିବା କୋଚିଂ ସେଣ୍ଟର୍ ଉପରେ ଚଢାଉ କରିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଅଭିଯୋଗ ଆସିବା ପରେ ତାହାର ଯାଞ୍ଚ୍ କରାଯିବ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *