ବ୍ଲକ ପରିସରରୁ ଶାଗୁଆନ ଗଛ ଚୋରି ଘଟଣା ସମିତି ଅଧ୍ୟକ୍ଷାଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ

ସତ୍ୟବାଦୀ ବ୍ଲକ ପରିସରରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ ଗଛ ଚୋରି ଘଟଣାରେ ସମିତି ଅଧ୍ୟକ୍ଷାଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି ସତ୍ୟବାଦୀ ପୋଲିସ I ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଆଇପିସିର ଧାରା ୩୭୯ ଓ ୩୪ ଅନୁଯାୟୀ ଏହି ମାମଲା ରୁଜୁ କରିଥିବା ଜଣାପଡିଛି। ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ବିରୋଧୀ ଏହି ସୁଯୋଗର ଫାଇଦା ଉଠାଇବାରେ ଲାଗିପଡିଛନ୍ତି। ଖବର ଅନୁଯାୟୀ 14/11/2019 ରେ ସତ୍ୟବାଦୀ ବ୍ଲକ ପରିସରରେ ଥିବା ବହୁ ପୁରାତନ ଦାମିକା ଶାଗୁଆନ ଗଛଟିକୁ ମୁନିନ୍ଦା ଗ୍ରାମର କିଛି ବ୍ୟକ୍ତି କାଟିବା ପରେ ବୋହି ନେବାପାଇଁ ଶଗଡ଼ରେ ଲଦୁଥିଲେ I ଯାହାକୁ ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଜନୈକ ସାମ୍ବାଦିକ ରାଜକିଶୋର ସେନାପତି ଦେଖିବା ପରେ ନିକଟରେ ଉପସ୍ଥିତ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କର ସ୍ଵାମୀ ଶଙ୍କର ପ୍ରଧାନଙ୍କୁ ଏ ସଂପର୍କରେ ପଚାରିଥିଲେ। ଏହି ଗଛଟି ବିଡ଼ିଓଙ୍କ ଅନୁମତିରେ ନିଲାମ ହୋଇଛି ଏବଂ ସେ ଏହାକୁ କ୍ରୟ କରିଥିବା କଥା ଜଣାଇଥିଲେ I

ତେବେ ସନ୍ଦେହ ଉପୁଜିବାରୁ ରାଜକିଶୋର ଏନେଇ ବିଡ଼ିଓଙ୍କୁ ପଚାରିବାରୁ ତାଙ୍କର ବଦଳି ହେଇଯାଇଥିବା ସହିତ ସେ ଏ ବିଷୟରେ କିଛି ଜାଣିନଥିବା କହିଥିଲେ ବୋଲି ରାଜକିଶୋର ତାଙ୍କ ଏତଲାରେ ଦର୍ଶାଇଛନ୍ତି I କିଛି ଦିନ ପରେ ଯେତେବେଳେ ନୂଆ ବିଡିଓ ଯୋଗଦେଲେ ତାଙ୍କୁ ପଚାରିବାରୁ, ଯେହେତୁ ସେ ନୂଆ ଘଟଣା ସମ୍ପର୍କରେ କିଛି କହିପାରିବେନି ବୋଲି କହିଥିଲେ। ତେଣୁ ଅନନ୍ୟୋପାୟ ହୋଇ ରାଜକିଶୋର ସ୍ଥାନୀୟ ସତ୍ୟବାଦୀ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ପୋଲିସ ଏତଲାକୁ ପଞ୍ଜିକରଣ ନକରିବା କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବାଧ୍ୟ ହୋଇ ସେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ୨୭.୧.୨୦୧୨୧ରେ ମାନ୍ୟବର ଅଦାଲତ ମାମଲାର ଶୁଣାଣି କରି ପୁରୀ ଏସପିଙ୍କୁ ତୁରନ୍ତ ଏତଲା ପଞ୍ଜିକୃତ କରିବା ସହ ଘଟଣାର ସବିଶେଷ ତଦନ୍ତ ପାଇଁ ନିର୍ଦେଶ ଦେଲେ I ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ୧୨.୨.୨୦୨୧ରେ ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ତାଙ୍କ ସ୍ୱାମୀ ସଙ୍କର ପ୍ରଧାନ ଏବଂ ଶଗଡିଆ ଲକ୍ଷ୍ମିଧର ପଣ୍ଡାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ସତ୍ୟବାଦୀ ପୋଲିସ। ଯେହେତୁ ଅଭିଯୁକ୍ତମାନେ ଶାସକଦଳର ତଥା ଅତ୍ୟନ୍ତ କ୍ଷମତାଶାଳୀ ଏପରିସ୍ଥଳେ ତଦନ୍ତ ଯେ କେତେ ନିରପେକ୍ଷ ହେବ ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏତଲା ପଞ୍ଜିକରଣ ପାଇଁ ଯଦି ଉଚ୍ଚ ନ୍ୟାୟାଳୟକୁ ହସ୍ତକ୍ଷେପ କରିବାକୁ ପଡିଲା ସେଠାରେ କିଭଳି ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । କେବଳ ବିଚାର ବିଭାଗୀୟ ତଦନ୍ତ କରାଗଲେ ହୁଏତ ଦୋଷୀଙ୍କ ବିରୁଦ୍ଧରେ ସଠିକ କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଏନେଇ ଶନିବାର ଅପରାହ୍ନରେ ପୁରୀ ଜିଲ୍ଲା ବିଜେପି ତରଫରୁ ସ୍ଥାନୀୟ ପାର୍ଟି ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପାଇଁ ଦାବି କରାଯାଇଛି।

ନଚେତ ବ୍ଳକ୍ ଅଫିସ ଆଗରେ ଦଳ ତରଫରୁ ଧାରଣା ଦିଆଯିବ ବୋଲି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଓମ ପ୍ରକାଶ ମିଶ୍ର ଚେତାବନୀ ଦେଇଛନ୍ତି। ଏହାଛଡା ଅନ୍ୟ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାଶ,ସତ୍ୟବାଦୀ ବ୍ଳକ୍ ତ୍ରିଲୋଚନ ରଥ, ଅଳଗୁମ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ସତ୍ୟବାଦୀ ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପ୍ରଧାନ, ଅଭିଯୋଗକର୍ତ୍ତା ରାଜକିଶୋର ସେନାପତି ଓ ରଞ୍ଜନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିକ୍ରିୟା ପାଇଁ ସମିତି ଅଧ୍ୟକ୍ଷାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ, ସମ୍ଭବ ହୋଇପାରିନାହିଁ।

Leave a Reply

Your email address will not be published. Required fields are marked *