ଭିର୍ଣ୍ଣ ଏକ ପ୍ରେମ-ଉପସ୍ଥାପନା ଗୋପାଳ ଚନ୍ଦ୍ର

OE ବ୍ୟୁରୋ (୯/୨ ): ସ୍ୱତନ୍ତ୍ର ଉପସ୍ଥାପନା: ଗୋପାଳ ଚନ୍ଦ୍ର ପତି

କୋହଲା ପାଗ କୁ ଶୀତୁଆ ସନ୍ଧ୍ୟା I ସମୟ ପ୍ରାୟ ସନ୍ଧ୍ୟା ୭ ଟା ପାଖାପାଖି ହେବ I ବସ ଷ୍ଟପେଜ ରେ ରାଉରକେଲା ରୁ ଢେଙ୍କାନାଳ ଅଭିମୁଖେ ବସ ଅପେକ୍ଷାରେ ଥାଏ ମୁଁ I ଭିଡ ଭିତର କୋଳାହଳ କୁ ଭଙ୍ଗ କରି କିଛି ସମୟ ଭିତରେ ପହଞ୍ଚିଲା ବସ I ତରତର ରେ ବସ ଭିତରକୁ ଚଢ଼ିଗଲି,ପୂର୍ବରୁ ଟିକେଟ କାଟିଥିବା ୧୮ ନମ୍ବର ସିଟ୍ ପାଖ ସିଟ୍ ରେ ଦେଖେ ତ ଜଣେ ଯୁବତୀ ,ନିଜକୁ ଅପ୍ରସ୍ତୁତ ମନେ କରୁଥିଲି ଜଣେ ଅଚିନ୍ହା ଯୁବତୀ ଙ୍କ ପାଖରେ ଏକାଠି ବସି ଯାତ୍ରା କରିବାକୁ ସଙ୍କୋଚ ଲାଗୁଥାଏ କିନ୍ତୁ ବାଧ୍ୟବାଧକତା ରେ ବସିବାକୁ ବାଧ୍ୟ ହେଲି I କ୍ଷଣିକ ପାଇଁ ଯୁବତୀ ଙ୍କ ଆଡକୁ ନିଜ ତୀର୍ଯ୍ୟକ ଚାହାଣି ରେ ଅନାଇବାକୁ ଚେଷ୍ଟା କଲି ,ବୟସ ୩୧ ପାଖାପାଖି ହେବ , ପ୍ରଥମେ ତ ମହିଳା ବୋଲି ଭାବୁଥିଲି କିନ୍ତୁ ମୁଁହରେ ମାସ୍କ ଥାଏ , ସିଂଥୀ ରେ ସିନ୍ଦୁର ,ମଥାରେ ବିନ୍ଦି କିମ୍ବା ହାତରେ ଶଙ୍ଖା ନାହିଁ,ପୁରା ସାଦା ସିଦା ଝିଅଟେ I ଝରକା ଆଡକୁ ମୁହଁ କରି ବସିରହିଥାନ୍ତି ଯୁବତୀ ଜଣଙ୍କ I ସାହସ କରି ପଚାରିଦେଲି ମାଡାମ କୋଉଠି ଓଲ୍ହେଇବେ ,ଏପର୍ଯ୍ୟନ୍ତ ସ୍ଥିର ଜଡ ଥିବା ଯୁବତୀ ଜଣଙ୍କ ଝରକା ଆଡ଼ୁ ମୁଁହ ଫେରେଇ ମୋ ଆଡକୁ ଚାହିଁଲେ ,ଅନ୍ୟମନସ୍କତା ଭିତରେ ଯେ କେତେବେଳେ ପାଖ ସିଟ୍ ରେ କେହିଜଣେ ବସି ସାରିଥିଲେ ବୋଧହୁଏ ମାଡାମ ଜଣଙ୍କୁ ଜଣା ନଥିଲା I ପୁଣିଥରେ ମୁଁ ଦୋହରେଇଲି ମାଡାମ କୋଉଠି ଓଲ୍ହେଇବେ I ଯୁବତୀ ଜଣଙ୍କ କହିଲେ ଢେଙ୍କାନାଳ ,କେଜାଣି ଏ ଆଖି ଭାରି ଚିନ୍ହା ଚିନ୍ହା ଲାଗୁଥାଏ ଜଣେ ଅପରିଚିତ ହେଲେ ମଧ୍ୟ ଖୁବ ପରିଚିତ ଲାଗୁଥିଲା ଏ ସ୍ୱର I କେଜାଣି ଛାତିର ସ୍ପନ୍ଦନ ତଡ଼ିତ ବେଗରେ କମ୍ପିତ ହେଉଥିଲା I କାହାର ଏ ସ୍ୱର ,ଏ ଆଖି ର ଚାହାଣି କୁ ଯେମିତି ବହୁ ଆଗରୁ ମୁଁ ଚିନ୍ହିଛି I ଭାବୁଥିଲି ପଚାରିଦେବି କି ନାଁ ଟା କିନ୍ତୁ ଜଣେ ଅପରିଚିତ ପୁଣି ଯୁବତୀ କାଳେ ଖରାପ ଭାବିବେ ତେଣୁ ଚୁପ ରହିଲି I ରାତ୍ରିର ନିର୍ଜନତା ବଢି ଚାଲିଥାଏ ବସ ବି ଦ୍ରୁତ ଗତିରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ମାଡି ଚାଲିଥାଏ I କେତେବେଳେ ଆଖି ଲାଗିଗଲା ଜଣା ବି ନଥିଲା କଣ୍ଡକ୍ଟର ର ଡାକ ରେ ଆଖି ପତା ଖୋଲି ଚାହିଁଲା ବେଳକୁ ରାତି ପାହିବା ପାହିବା ହେଉଛି ଢେଙ୍କାନାଳ ବାଇପାସ ହେଇସାରିଲାଣି ତରବର ହେଇ ଓଲ୍ହେଇ ପଡିଲି I ମାଡାମ ଜଣଙ୍କ ବି ଓଲ୍ହେଇଲେ I ତଳକୁ ଓଲ୍ହେଇଲା ଭିତରେ ମୁଁହରୁ ଖସିପଡିଲା ମାସ୍କ I

ଆରେ ଏ କଣ ମୁଁ ସ୍ବପ୍ନ ଦେଖୁଛି ନା ସତ ! ୟେ ତ ସ୍ୱପ୍ନା I ହଠାତ ପାଟିରୁ ବାହାରିପଡିଲା ସ୍ୱ..ପ୍ନା…! ନିଜ ନାମ ଶୁଣି ଚମକିପଡ଼ିଲେ ଯୁବତୀ ଜଣଙ୍କ ମୋ ଆଡକୁ ବିସ୍ମିତ ଭାବରେ ଚାହିଁ ରହିଲେ I ପୁଣି ଥରେ ଡାକିଲି ସ୍ୱପ୍ନା ମୁଁ ଆକାଶ I ନାଁ ଟା ଶୁଣି ମୋ ପାଖକୁ ଆସିଲା ସ୍ୱପ୍ନା ,ଓଃ ମାଇଁ ଗଡ଼ ଆକାଶ ତୁ,ଏତେଦିନ ପରେ ଏମିତି ଦେଖାହେବ ବୋଲି ଭାବି ନଥିଲି I ବହୁତ ଗପୁଥିଲା ସ୍ୱପ୍ନା କିନ୍ତୁ ମୁଁ କେବଳ ତା ମୁଁହ କୁ ବଲବଲ କରି ଚାହିଁଥାଏ ,ସେ ହଠାତ ପଚାରିଦେଲା ଏ ଆକାଶ ମୋ ମୁଁହ ଟାକୁ ହାଁ କରି କଣ ଚାହିଁଚୁ, ମୋ ପାଟିରୁ ବାହାରିପଡିଲା ତୋ ହାତ ଆଉ ମଥା କଣ ଖାଲି ତୋର ତ ବିବାହ ହେଇସାରିଥିଲା ୯ ବର୍ଷ ତଳେ I ଥପ କିନା ଝାଉଁଳି ଗଲା ସ୍ୱପ୍ନା ର ମୁଁହ I ଆଖି ବି ଛଳଛଳ ହେଇ ଆସୁଥିଲା କିନ୍ତୁ ନିଜ କୋହକୁ ଚାପି ରଖି ସ୍ୱପ୍ନା ପାଟିରୁ କେବଳ ପଦିଏ ବାହାରିଲା ସେ ଆଉ ନାହାନ୍ତି ,ବିବାହ ପରଦିନ ଏକ ଗାଡି ଦୁର୍ଘଟଣା ରେ ଚାଲିଗଲେ କିନ୍ତୁ ଏ ଅଲକ୍ଷଣୀ ଟାକୁ ଦହଗଞ୍ଜ କରିବାକୁ ଛାଡି ଗଲେ I ଅମାନିଆ ଲୁହ ଗୁଡିକ ବୋଧେ ଆଉ ବୋଲ ମାନିପାରିଲେନି ଚିବୁକ ଦେଇ ଭୂମି କୁ ସ୍ପର୍ଶ କରୁଥିଲେ କେଜାଣି ଅଜାଣତ ରେ ମୋ ଆଖି ବି ଓଦା ହେଇସାରିଥିଲା I ଦଶ ବର୍ଷ ପରେ ଏମିତି ଦେଖାହେବ ବୋଲି କିଏ କଣ ଜାଣିଥିଲା I ସେପଟୁ ସ୍ୱପ୍ନା ପରିସ୍ଥିତି କୁ ହାଲକା କରିବାକୁ କହିଲା ଛାଡ଼ ନା ତୋ ଖବର କଣ ? ଏବେ କଣ କରୁଛୁ ,ଭାଉଜ କୋଉଠି, ପୁଅ ଝିଅ କେତେବଡ ହେଲେଣି I ଫେଁ କିନା ହସିଦେଲି ମୁଁ କହିଲି ନାଇଁ ସ୍ୱପ୍ନା ସବୁ ସ୍ବପ୍ନ ସତ ହୁଏନି ,ସବୁ ପ୍ରେମ ଯେ ସିନ୍ଦୁର ରେ ଭରା ହୁଏ କିମ୍ବା ପ୍ରେମରେ ଗଢା ହେଉଥିବା ସବୁ ବାଲିଘର ଯେ ସତ ହୁଏ ସେମିତି ମାନେ ନାହିଁ I ଦୁଲୁକାଏ ପବନ ବି ବାଦଲ କୁ ବାଧ୍ୟ କରେ ଆକାଶ ଠାରୁ ଅଲଗା ହେଇ ଅସରାଏ ବର୍ଷୀଯିବାକୁ I ସ୍ୱପ୍ନା କହିଲା ଥାଉ ବହୁତ ଡାଇଲଗ ମାରୁଛୁ କବି କି ଲେଖକ ହେଇଜା ,ଏତେ ଗୌରଚନ୍ଦ୍ରିକା ନଦେଇ ସିଧାସିଧା କହ I ଭାଉଜ ଫୋଟୋ ଦେଖିଆ ! ମୁଁ କିନ୍ତୁ ସ୍ଥିର ଥିଲି ,ସ୍ମୃତିରେ ଫେରିଯାଉଥିଲି ଅତୀତ କୁ ଠିକ ୧୩ ବର୍ଷ ତଳକୁ I

XX XX X X X X X

ଶରୀରରେ ପ୍ରଥମ ଯୌବନ ଶିହରଣ, ନୂଆ ନୂଆ କଲେଜ ରେ ପାଦ ଥାପିଥାଏ ମୁଁ I କେଉଁ ତାରିଖରେ ସ୍ୱପ୍ନା ସହିତ ଦେଖାହୁଏ ମନେ ନାହିଁ କିନ୍ତୁ ତା ପ୍ରଥମ ଚାହାଁଣୀରେ ମୁଁ ଅସ୍ତବ୍ୟସ୍ତ ହେଇପଡ଼ିଥିଲି I ଶରୀର ରେ ନୂଆ ଏକ ଉନ୍ମାଦନା ସୃଷ୍ଟି ହେଇଥିଲା ,କେଜାଣି ଅହେତୁକ ଭାବେ ମୁଁ ତା ପ୍ରତି ଆକର୍ଷିତ ହେଇପଡ଼ିଥିଲି I ସେ ଦିନେ କଲେଜ ନଆସିଲେ ମୁଁ ଭାରି ଯନ୍ତ୍ରଣା ରେ ଛଟପଟ ହେଉଥିଲି I ଧୀରେ ଧୀରେ ଆମ ଦୁହିଁଙ୍କ ଭିତରେ ବନ୍ଧୁତା ବି ଆରମ୍ଭ ହେଇସାରିଥାଏ I ମୁଁ କିନ୍ତୁ ଏ ବନ୍ଧୁତା କୁ ସାରା ଜୀବନ ପାଇଁ ଏକ ପରିଚୟ ଦେବାକୁ ଚାଁହୁଥିଲି କିନ୍ତୁ ଡର ଲାଗୁଥିଲା ମୁଁହ ଖୋଲି କହିବାକୁ I ମୋ ପ୍ରେମକୁ ସ୍ୱପ୍ନା ଆଗରେ ପ୍ରକାଶ କରିବାକୁ I ସ୍ୱପ୍ନା ଦେଖିବାକୁ ଥିଲା ଖୁବ ସୁନ୍ଦରୀ କୋଉଠି ସ୍ୱପ୍ନା ଆଉ କୋଉଠି ମୁଁ ,ଡର ଲାଗୁଥିଲା କାଳେ ସ୍ୱପ୍ନା ମୋ ପ୍ରେମକୁ ପ୍ରତ୍ୟାଖାନ କରିବ ,ତାକୁ ହରେଇବାକୁ ମୁଁ ଚାଁହୁନଥିଲି ,ପ୍ରେମ ନହେଉ ବରଂ ବନ୍ଧୁତା ରେ ତା ସହିତ ପଦିଏ କଥା ମୋ ପାଇଁ ଐଶ୍ୱରୀୟ I ୟା ଭିତରେ ଇଞ୍ଜିନିୟରିଂ ଶେଷ ହେଇସାରିଥାଏ ,ଶୁଣିଲି ସ୍ୱପ୍ନା ର ବିବାହ ହେଇସାରିଛି I ପ୍ରେମ ଯେ ବିରହ ପାଲଟିଯିବ କେଭେ ଭାବିନଥିଲି , ବନ୍ଧୁତା ର ଡୋରି ଟା ବି ଧୀରେ ଧୀରେ କ୍ଷୀଣ ହେଇ କେତେବେଳେ ଛିଣ୍ଡି ଗଲା ଜଣାନଥିଲା I ୟା ଭିତରେ ତେର ବର୍ଷ ବିତିଗଲାଣି କିନ୍ତୁ ଏବେବି ମୋ ସ୍ୱପ୍ନରେ ତାଜା ହେଇ ରହିଛି ସ୍ୱପ୍ନା ର ସ୍ମୃତି I ତା ସହିତ ପ୍ରତିଟି ମୁହୂର୍ତ ମୋ ପାଇଁ ଅଭୁଲା ଜୀବନ୍ତ ,ଏସବୁ ଭାବନା ଭିତରେ ଅଚାନକ ତା ସ୍ୱର ଶୁଣି ପ୍ରକୁସ୍ତିତ ହେଲି I

ସ୍ୱପ୍ନା କହିଲା କିଛି କହିଲୁନି ଆକାଶ I ମୋ ପାଟିରୁ ବାହାରିଗଲା ସବୁ କଥା କହିହୁଏନି ବେଳେବେଳେ ସମୟ ପରିସ୍ଥିତି ଚୁପ କରିଦିଏ I ଏଇ ଦେଖୁନୁ ରାତିସାରା ଏକାଠି ପାଖାପାଖି ବସିଥିଲେ ମଧ୍ୟ ଆମ ଭିତରେ କେତେ ଦୂରତା ଥିଲା I ସେମିତି ଏ ସମୟଟା ,ବେଳେବେଳେ କିଛି ସ୍ବପ୍ନ ମରୀଚିକା ବି ପାଲଟିଯାଏ I ମୁଁ ବିବାହ କରିନି – ମୋ ମୁଁହରୁ ଏ ଛୋଟିଆ ବାକ୍ୟଟି ସ୍ଵପ୍ନା ପାଇଁ ଅନେକ ପ୍ରଶ୍ନ ଠିଆ କରେଇଦେଇଥିଲା I ସ୍ୱପ୍ନା କହୁଥିଲା କଲେଜ ସମୟରେ ତୁ ଯାହାକୁ ଭଲ ପାଉଥିଲୁ ବୋଲି ସବୁବେଳେ କହୁ ସେ କଣ ଧୋକା ଦେଲା ? ମୁଁ ଗମ୍ଭୀର ଥିଲି ନାଇଁ ରେ ସେ ତ ଧୋକା କଣ ଜାଣିନି ବୋଧହୁଏ ଭଗବାନ ଙ୍କ ଇଛା ଅଲଗା ଥିଲା ,ସବୁ ଭଲପାଇବା ଦେଖେଇ ହୁଏନି ମୁଁ ବି କହିପାରିଲିନି ବାସ ତା ସ୍ମୃତି ରେ ପୂଜାରୀ ହେଇ ନିଜକୁ ବଞ୍ଚାଇ ରଖିଛି I ଛାଡ଼ ତୁ ଆଉ ଥରେ ବିବାହ କଲୁନି କାହିଁକି ,ବିଧବା ବେଶରେ ତୋ ସହିତ ଏମିତି ସାକ୍ଷାତ ହେବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବିନଥିଲି I ଏକା ଲୟରେ ଚାହିଁଥାଏ ସ୍ୱପ୍ନା ,ହତ ଭାଗିନୀ ଟିଏ ବିବାହ ପରଦିନ ସ୍ୱାମୀ ଚାଲିଗଲେ ,ଦୁନିଆ ଆଖିରେ ମୁଁ ପାଲଟିଗଲି ଅଲକ୍ଷଣୀ I ମୋ ଛାଇ ପଡିଲେ ସବୁ ଅଶୁଭ ବିଧବା ମଥାରେ ସିନ୍ଦୁର ଏତେ ସହଜ ନୁହେଁ ଆକାଶ I

ମୁଁ କିନ୍ତୁ ଥିଲି ସ୍ଥିର ନିର୍ବିକାର ନିସବ୍ଧ ,ଭାବୁଥିଲି ଧାଇଁ ଯାଇ ସ୍ୱପ୍ନା କୁ କୁଣ୍ଢାଇ ପକାନ୍ତି ,ଛାତି ତଳେ ଜମାଟ ବାନ୍ଧିଥିବା ତା ପାଇଁ ସବୁ ପ୍ରେମ ବିରହ ବେଦନା କୁ ତା ସାମ୍ନାରେ ଉନ୍ମୁକ୍ତ କରିଦିଅନ୍ତି ,ହୃଦୟ ଖୋଲି କହିଦିଅନ୍ତି ପ୍ରେମ ସପ୍ତାହ ର ଏ ପ୍ରୋମିଜ ଡେ ରେ ମୁଁ ପ୍ରୋମିଜ କରୁଛି ତୁମ ସହିତ ସାରା ଜୀବନ ବିତେଇବାକୁ I ମୋ ସ୍ବପ୍ନ ର ନାୟିକା ଅନ୍ୟକେହି ନୁହେଁ ସେ ଥିଲ ତୁମେ ,କିନ୍ତୁ ମୁଁ ଅସହାୟ ହେଇ ପଡୁଥିଲି ଏ ଦୁନିଆ ସମାଜ ପରିବାର ଭୟରେ I ଗୋଟେ ପଟେ ମୋ ବିରହ ପ୍ରେମ ,ସ୍ୱପ୍ନା ମଥାର ଖାଲି ସିଂଥୀ ଅନ୍ୟପଟେ ମୋ ରକ୍ଷଣଶୀଳ ପରିବାର ର ମିଛ ଅହମିକା I କାହାକୁ ନିଜର କରିବି କାହାକୁ ଛାଡ଼ିବି ,ନା ସବୁଠୁ ଭଲ ବିରହ ବେଦନାରେ ଯେମିତି ଜଳୁଥିଲି ସେମିତି ଜଳୁଥିବି ! ଏଇ ବୋଧେ ପ୍ରେମ ,ସବୁ ପ୍ରେମର ଶେଷ ପାଇବା ରେ ନଥାଏ I କିଛି ପ୍ରେମ ଏମିତି ବି ଥାଏ ବୋଧେ ! ପ୍ରୋମିଜ ଡେ ରେ ବି ମୁଁ ପ୍ରୋମିଜ କରିପାରୁନଥିଲି ଅସହାୟତା ହେଉ କିମ୍ବା ସ୍ୱାର୍ଥପରତା ଭାବେ ଆପଣ ଚିତ୍ରଣ କରିପାରନ୍ତି କିନ୍ତୁ ମୁଁ ଯେ ନାଚାର I କ୍ରମଶଃ ……

ସ୍ୱତନ୍ତ୍ର ଉପସ୍ଥାପନା ଗୋପାଳ ଚନ୍ଦ୍ର Email ;[email protected]

Leave a Reply

Your email address will not be published. Required fields are marked *