ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉମାନଙ୍କ କାଳୀୟଦଲନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ।ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର କାଷ୍ଠ ନିର୍ମିତ ଶ୍ରୀଭୁଜ ଓ ଶ୍ରୀପୟର ଯୁକ୍ତ ହୋଇଥାନ୍ତି। ବେଶରେ ଲାଗି ହେଉଥିବା ସପ୍ତଫେଣୀଆ କାଳୀୟଦଲନ ସର୍ପ ୩୦ ଫୁଟ ଲମ୍ବ ର ହୋଇଥାଏ। ଏହା ଦର୍ଜି , ଚିତ୍ରକାର ଓ ସୋଲ କାରିଗର ଙ୍କ ଦ୍ଵାରା ସୂତା , ବେତ ଓ କନା ରେ ନିର୍ମିତ ହୋଇଥାଏ। ଏହି ସର୍ପ ୪ଟି ଭାଗରେ ବିଭକ୍ତ ହୋଇଥାଏ। ଯଥା ୨ଟି ଗଣ୍ଡି , ୧ଟେ ଅଂଶ ମୁଣ୍ଡ ଓ ୧ଟେ ଅଂଶ ଲାଞ୍ଜ । ସର୍ପଟିର ସମସ୍ତ ଶରୀର କଳା କନାରେ ଆବୃତ ହୋଇଥାଏ। ସର୍ପଟି ର ଏହି ୪ଅଂଶ ପୁଷ୍ପାଳକ ସେବକମାନଙ୍କ ଦ୍ଵାରା ରତ୍ନସିଂହାସନ ଉପରକୁ ଯାଇଥାଏ। ସେଠାରେ ସର୍ପ ର ସମ୍ପୂର୍ଣ୍ଣ ଶରୀର ଟିକୁ ଖଞ୍ଜା ଯାଇ ସପ୍ତ ଫେଣିଆ ମସ୍ତକଟି ଶ୍ରୀ ଜଗନ୍ନାଥଙ୍କ ଶ୍ରୀପୟର ତଳେ ରଖାଯାଇଥାଏ। ଅବଶିଷ୍ଟ ଅଂଶ ମହାପ୍ରଭୁଙ୍କ ସମଗ୍ର ଶ୍ରୀଅଙ୍ଗ କୁ ଆବୃତ କରି ଅର୍ଥାତ ଉପରେ ଦେଇ ବାମ ହସ୍ତରେ ଲାଞ୍ଜ ଟି ରହିଥାଏ। ମହାପ୍ରଭୁଙ୍କ ଡାହାଣ ହସ୍ତ ରେ ଅମୃତ ଲଡୁ ଧାରଣ କରିଥାନ୍ତି।
ଶ୍ରୀ ବଳଭଦ୍ର ଦଣ୍ଡାୟମାନ ଭଙ୍ଗୀରେ ରହି ବାମ ହସ୍ତରେ ସୋଲ ନିର୍ମିତ ପଦ୍ମ କଢି ଓ ଡାହାଣ ହସ୍ତରେ ଅମୃତ ଲଡୁ ଧରିଥାନ୍ତି। ସୂଚନାଯୋଗ୍ୟ ଯେ ଏହି ଅମୃତ ଲଡୁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ଯୋଗାଇଦିଆ ଯାଇଥାଏ। ମା ସୁଭଦ୍ରା ସାଧାରଣ ବେଶ ଧାରଣ କରିଥାନ୍ତି। ଶ୍ରୀ ବଳଭଦ୍ରଙ୍କ ଦୁଇ ପାର୍ଶ୍ଵରେ ଗୋଟିଏ ଲେଖାଏଁ ଗାଈ , ବାଛୁରୀ (କାଷ୍ଠ ନିର୍ମିତ) ଦଣ୍ଡାୟମାନ ରହିଥାନ୍ତି। ଏତଦବ୍ୟତୀତ ଶ୍ରୀଜୀଉମାନଙ୍କ ଶ୍ରୀମୁଖରେ କନାରେ ପ୍ରସ୍ତୁତ ପଦ୍ମ ବଳା , ମସ୍ତକ ଉପରେ ଚୂଳ ଖଞ୍ଜାଯାଇ ସୁବର୍ଣ୍ଣ କିଆ ଓ କେତେକ ସୁବର୍ଣ୍ଣ ଅଳଙ୍କାର ମଧ୍ୟ ଲାଗି ହୋଇଥାଏ।
ଏହି ବେଶ ସନ୍ଧ୍ୟଧୂପ ଶେଷ ହେବା ପର୍ଯ୍ୟନ୍ତ ରହିଥାଏ। କଥିତ ଅଛି ଏହି ବେଶରେ ଲାଗି ହେଉଥିବା ଲଡୁ ଖାଇଲେ ସର୍ପ ଦଂଶନ ଯୋଗଥିଲେ ତାହା କଟିଯାଏ।