ଭାରତୀୟ ରେଳ ବିଭାଗ ଜଗନ୍ନାଥ ଙ୍କୁ ଦେଲା ଏମିତି ପରିଚୟ !! ଜଗନ୍ନାଥ ମନ୍ଦିର ସ୍ଥାନରେ  ଇସ୍କନ ମନ୍ଦିର

ଭାରତୀୟ ରେଳ ପର୍ଯ୍ୟଟନ ନିଗମ ପକ୍ଷରୁ ପ୍ରକାଶିତ ଭାରତ ଦର୍ଶନ ରଙ୍ଗୀନ ଚିତ୍ରକୁ ନେଇ ମୁଣ୍ଡ ଟେକିଛି ବିବାଦ ।  ଏନେଇ  ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିରୋଧର ସ୍ୱର ଉଠିଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାନରେ ପ୍ରସ୍ତାବିତ ଇସ୍କନ ମନ୍ଦିର । ରେଳ ବିଭାଗ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ସେବକ ଶମ୍ଭୁ ଖୁଣ୍ଟିଆ । ୨ଦିନ ତଳେ ସେ ମୁମ୍ବଇ ବୁଲିବାକୁ ଯାଇଥିଲେ। ସିଏସ୍‌ଟି ରେଳଷ୍ଟେସନର ପ୍ରତୀକ୍ଷା ଗୃହରେ ଆଇଆରସିଟିସି ପକ୍ଷରୁ ଲଗାଯାଇଥିବା ଭାରତ ଦର୍ଶନ ଚିତ୍ର ଉପରେ ତାଙ୍କ ନଜର ପଡ଼ିଥିଲା । ଯେଉଁ ସ୍ଥାନରେ ପୁରୀ ଜଗନ୍ନାଥ ମନ୍ଦିର ବୋଲି ଲେଖା ଯାଇଛି ସେଠାରେ ଇସ୍କନ ପ୍ରସ୍ତାବିତ ମନ୍ଦିର ଚିତ୍ର ରହିଛି। ଏ ନେଇ ସେ ରେଳ ବିଭାଗ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।  ପୁରୀ ଜଗନ୍ନାଥ ମନ୍ଦିର ଲେଖାଥିବା ସ୍ଥାନରେ ପ୍ରସ୍ତାବିତ ଇସ୍କନ ମନ୍ଦିରର ଛବି କିପରି ମୁଦ୍ରଣ କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। 


ପୁରୀ ସମୁଦ୍ରକୂଳ ନିକଟସ୍ଥ ଶିପସରୁବାଲି ମୌଜାରେ ଇସ୍କନର ବିକଳ୍ପ ଜଗନ୍ନାଥ ମନ୍ଦିର ନିମାଣକୁ ନେଇ ଗତବର୍ଷ ବିବାଦ ଦେଖାଦେଇଥିଲା। ରାଜ୍ୟସାରା ଏହା ବିରୋଧରେ ଆନ୍ଦୋଳନ ହେବାରୁ ପୁରୀ-କୋଣାର୍କ ଉନ୍ନୟନ ସଂସ୍ଥା ମନ୍ଦିର ନିର୍ମାଣ ଉପରେ ରୋକ୍ ଲଗାଇଥିଲେ। ପୁରୀ ନିକଟରେ ବିକଳ୍ପ ଜଗନ୍ନାଥ ମନ୍ଦିର ପ୍ରସ୍ତାବକୁ କେତେକ ଅନୁଷ୍ଠାନ ତୀବ୍ର ବିରୋଧ କରିଥିଲେ। କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିଲା। ଏଥିଯୋଗୁଁ ପୁରୀରେ ଇସ୍କନ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଇସ୍କନ ନକ୍ସାରେ ରହିଥିବା ମନ୍ଦିର ଚିତ୍ର ଆଇଆରସିଟିସି ପକ୍ଷରୁ ପ୍ରସ୍ତୁତ ଭାରତ ଦର୍ଶନ ରଙ୍ଗୀନ ପୋଷ୍ଟରରେ ସ୍ଥାନ ପାଇଛି। ଏଥିପାଇଁ ଆଇଆରସିଟିସି କତ୍ତୃପକ୍ଷ ସର୍ବସାଧାରଣରେ କ୍ଷମା ମାଗିବାକୁ ଶ୍ରୀ ଖୁଣ୍ଟିଆ ଦାବି କରିଛନ୍ତି। ଭାରତ ଦର୍ଶନ ତୀର୍ଥଯାତ୍ରା ନକ୍ସାରୁ ତୁରନ୍ତ ପ୍ରସ୍ତାବିତ ଇସ୍କନ ମନ୍ଦିର ଚିତ୍ର ପ୍ରତ୍ୟାହାର କରାଯାଇ ଶ୍ରୀଜଗନ୍ନାଥ ମନ୍ଦିର ରଖାଯିବାକୁ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *