ବିଦ୍ୟୁତ୍‌ ସବ୍‌ଷ୍ଟେସନ ଉଦ୍‌ଘାଟନ ବେଳେ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଧସ୍ତାଧସ୍ତି :- ତଳେ ପଡିଗଲେ ଶକ୍ତି ମନ୍ତ୍ରୀ

ସାଲେପୁର ଥାନା ଅନ୍ତର୍ଗତ ରାଇସୁଙ୍ଗୁଡ଼ା ଠାରେ ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ  ୩୩/୧୧କେଭି ବିଦ୍ୟୁତ୍‌ ସବ୍‌ଷ୍ଟେସନର ଉଦ୍‌ଘାଟନ ଅବସରରେ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ ଉପସ୍ଥିତିରେ ବିଜେଡି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ମାଡପିଟ୍‌ ହୋଇଥିଲା। ଉଦ୍‌ଘାଟନୀ ସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ଏଥିରେ ୧୦ଜଣ କର୍ମୀ ଆହତ ହୋଇଥିଲେ।  ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ତଳେ ପଡ଼ିଯାଇଥିଲେ । ପୁଲିସ ଉପସ୍ଥିତ ଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରି ନ ଥିଲା। ସେଠାରେ ଉପସ୍ଥିତ ଥିବା ସେସୁ ଅଧିକାରୀମାନେ ମାଡପିଟ୍‌ ଦେଖି ଭୟଭୀତ ହୋଇଯାଇଥିଲେ।

ମଙ୍ଗଳବାର ଅପରାହ୍ଣ ୪ଟାରେ ରାଇସୁଙ୍ଗୁଡ଼ା ଠାରେ ରାଜ୍ୟ ଶକ୍ତିବିଭାଗ ପକ୍ଷରୁ ନିର୍ମିତ ବିଦ୍ୟୁତ୍‌ ସବ୍‌ଷ୍ଟେସନକୁ ଉଦ୍‌ଘାଟନ କରିବା ପାଇଁ ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ସାଲେପୁର ବିଧାୟକ ପ୍ରକାଶ ବେହେରା ଆସି ପହଞ୍ଚିଥିଲେ। ଏହି ସମୟରେ ଶତାଧିକ ବିଜେଡି ସମର୍ଥକ ଷ୍ଟ୍ରକଚର୍‌ ଗେଟ୍‌ ଖୋଲି ଭିତରକୁ ଧସେଇ ପଶିଆସିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା।


ସେଠାରେ ବିଧାୟକଙ୍କ ସମର୍ଥକ ଏବଂ ବିଜେଡିନେତା ପ୍ରଶାନ୍ତ ବେହେରାଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ମାଡପିଟ୍‌ ଆରମ୍ଭ ହୋଇଯାଇଥିଲା। କେତେକ ସମର୍ଥକ ଜୋର୍‌ ଜବରଦସ୍ତ ପଶିଆସି ଫଳକର ଫିତା କାଟି ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ପୂଜକ ଭୟରେ ସ୍ଥାନଛାଡ଼ି ଜୀବନ ବିକଳରେ ପଳାଇ ଯାଇଥିଲେ। 


ଷ୍ଟ୍ରକ୍‌ଚର୍‌ ମଧ୍ୟରେ ସାଲେପୁର ପୁଲିସ ଡ଼ିଏସ୍‌ପି ପ୍ରଦ୍ୟୁମ୍ନ କୁମାର ଜେନା, ଆଇଆଇସି ପ୍ରଶାନ୍ତ କୁମାର ମାଝି ଏବଂ ନିଶ୍ଚିନ୍ତକୋଇଲି ଆଇଆଇସି ଉପସ୍ଥିତ ରହି ପରିସ୍ଥିତିକୁ ଯେତେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିକଲେ ମଧ୍ୟ ସେମାନଙ୍କ ସମ୍ମୁଖରେ ଦୁଇପକ୍ଷ କର୍ମୀଙ୍କ ମଧ୍ୟରେ ମାଡପିଟ୍‌ ଜାରି ରହିଥିଲା। ଜନସାଧାରଣଙ୍କ ପାଇଁ ଥିବା ଚୌକି ଆଦି ଫିଙ୍ଗାଫୋପଡ଼ା, ଭଙ୍ଗାରୁଜା କରାଯାଇଥିଲା। ଷ୍ଟ୍ରକଚର୍‌ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ଶେଷରେ ସାଲେପୁର ବିଧାୟକ ଶ୍ରୀ ବେହେରାଙ୍କୁ ତାଙ୍କ ସମର୍ଥକ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ବିଜେଡି ନେତା ପ୍ରଶାନ୍ତ ବେହେରା ଓ ସମର୍ଥକମାନେ ସୁରକ୍ଷାଘେର ଭିତରେ ଆଣି ଫଳକ ଉନ୍ମୋଚନ କରିଥିଲେ। କିନ୍ତୁ ସେତେବେଳକୁ ଫଳକ ଉନ୍ମୋଚନ ଫିତା କଟା ସରିଥିଲା। ପୁଲିସ ସହାୟତାରେ ମନ୍ତ୍ରୀ ଏବଂ ବିଧାୟକଙ୍କୁ ସେଠାରୁ କଡ଼ାସୁରକ୍ଷା ମଧ୍ୟରେ ବାହାରକୁ ଅଣାଯାଇଥିଲା।

Leave a Reply

Your email address will not be published. Required fields are marked *