ବିଜେପୁରକୁ ନେଇ ଆଗରୁ ରାଜନୈତିକ ବାତାବରଣ ବେଶ୍ ସରଗରମ ଥିବା ବେଳେ ବିଜେପୁର ଉପ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଜାନୁଆରି ୩୦ ତାରିଖରେ ଏଥିପାଇଁ ଗେଜଟ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ଦିନଠାରୁ ନାମାଙ୍କ ପତ୍ର ଦାଖଲ ଆରମ୍ଭ ହେବ । ଫେବୃଆରୀ ୬ ତାରିଖ ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ । ଫେବୃଆରୀ ୭ ତାରିଖରେ ପ୍ରାର୍ଥିପତ୍ର ଯାଂଚ କରାଯିବ । ଫେବୃଆରୀ ୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଫେବୃଆରୀ ୨୪ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଫେବୃଆରୀ ୨୮ ତାରିଖରେ ମତଗଣନା କରାଯିବ । ଏହି ନିର୍ବାଚନରେ ଇଭିଏମ୍ ସହ ଭିଭିପାଟ୍ ବ୍ୟବହାର କରାଯିବ ।
ସୁବଳ ସାହୁଙ୍କର ମୃତ୍ୟୁ ପରେ ଏହି ବିଧାନସଭା ଆସନ ଖାଲି ପଡିଛି । ରାଜ୍ୟରେ ସକ୍ରିୟ ଥିବା ବିଜେଡି , କଂଗ୍ରେସ ଓ ବିଜେପି ଏହି ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରି ନାହାନ୍ତି । ତେବେ ବିଜେପୁରକୁ ନେଇ ଗତ କିଛି ମାସ ହେବ ରାଜ୍ୟର ରାଜନୀତି ବେଶ ସରଗରମ ରହିଛି । ନିର୍ବାଚନକୁ ପ୍ରାୟ ଏକମାସ ବାକିଥିବା ବେଳେ ଏବେ ପ୍ରାର୍ଥୀ ଘୋଷଣା ସହ ନିଜ ସପକ୍ଷରେ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳମାନେ ବେଶ୍ ସକ୍ରିୟ ହେବେ । ସୁବଳ ସାହୁ କଂଗ୍ରେସର ବିଧାୟକ ଥିଲେ । ମାତ୍ର ତାଙ୍କର ମୃତ୍ୟୁ ପରେ ତାଙ୍କ ପତ୍ନୀ ଓ ପୁଅ ବିଜେଡିରେ ସାମିଲ ହୋଇଛନ୍ତି । ସେହପରି ବିଜେଡି ର ପୂର୍ବତନ ବିଧାୟକ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ପୂର୍ବତନ ଜିଲା ସଭାପତି ନାରାୟଣ ସାହୁ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।