ଶାହଙ୍କୁ ହସି ଉଡ଼ାଇଦେଲେ ନବୀନ: ମିସନ ୧୨୦+ ଅତିରଂଜିତ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିସନ ୧୨୦+କୁ ଗତକାଲି ଅତିରଂଜନ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଗଣମାଧ୍ୟମ ଏ ସଂପର୍କରେ ପୁଣି ଥରେ ତାଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରତିକ୍ରିୟା ଲୋଡିଥିଲା। ହେଲେ ମୁଖ୍ୟମନ୍ତ୍ରୀ ଆଜି ଯେଭଳି ଢଙ୍ଗରେ ଉତ୍ତର ରଖିଲେ, ତାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶାହଙ୍କ ସ୍ୱପ୍ନକୁ ହସି ଉଡ଼ାଇ ଦେଇଥିଲେ। ତାତ୍ସଲ୍ୟ କରି କହିଥିଲେ, ଓଡ଼ିଶାରେ ବିଜେପି ୧୨୦+ ମିସନର କିଛି ଆଧାର ଥିବା ମୁଁ ଦେଖୁନାହିଁ।

ଉଲ୍ଲେଖଯୋଗ୍ୟ, ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଜେପି ଅଧ୍ୟକ୍ଷ ଶ୍ରୀ ଶାହ ଗୁରୁବାର ବଲାଙ୍ଗୀର ଯୁବ ସମାବେଶରେ କହିଥିଲେ, ୧୨୦+ ନୁହେଁ, ଏହାଠାରୁ ଢେର୍‌ ଅଧିକ ଆସନରେ ଜିତିବ ବିଜେପି। ଓ଼ଡ଼ିଶାରେ ସରକାର କରିବ। ତ୍ରିପୁରାଠୁ ବଡ ବିଜୟ ଦେଖିବ ଓଡ଼ିଶା। ଏକଥା ସେ ଦେଖିକି ଜାଣିପାରୁଛନ୍ତି। କେବଳ ସେତିକି ନୁହେଁ, ପଶ୍ଚିମ ଓଡ଼ିଶାକୁ ସରକାର ଅବହେଳା କରିଥିବା ନେଇ ମଧ୍ୟ ସଙ୍ଗିନ୍‌ ଅଭିଯୋଗ ଆଣିଥିଲେ।

ଆଜି ନବୀନ ୧୨୦+ ସ୍ୱପ୍ନର ଉତ୍ତର ଦେବା ସହିତ ଏ ସଂପର୍କରେ ପ୍ରତିକ୍ରିୟା ଦେଇ କହିଥିଲେ, ତାଙ୍କ ସରକାର କେବେ ବି ପଶ୍ଚିମ ଓଡିଶାକୁ ଅବହେଳା କରିନାହିଁ।

ଉଲ୍ଲେଖଯୋଗ୍ୟ, ଗତକାଲି ଯେଉଁ ସମୟରେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ମୁଖିଆ ଗର୍ଜନ ତର୍ଜନ କରୁଥିଲେ, ସେହି ସମୟରେ ବିଜେପିକୁ ରାଜ୍ୟର ଅତାବିରା ଓ ହିନ୍ଦୋଳ ଏନ୍‌ଏସି ଝଟ୍‌କା ଲାଗିଥିଲା। ବିଜେପୁର ଉପନିର୍ବାଚନ ପରେ ଦୁଇଟି ଏନ୍‌ଏସିରେ ବିପୁଳ ବିଜୟ ସ୍ୱାଭାବିକ ଭାବେ ବିଜେଡିର ମନୋଭାବ ବଢାଇ ଦେଇଛି। କେବଳ ସେତିକି ନୁହେଁ, ଯେଉଁଭଳି ଭାବେ କଂଗ୍ରେସ ସଂଗଠନ ବିଜେଡିରେ ବିଲୀନ ହେବା ପ୍ରକ୍ରିୟା ଜାରି ରହିଛି, ତାହା ମଧ୍ୟ ଏହି ଆଞ୍ଚଳିକ ଦଳ ସପକ୍ଷରେ ଜନମତ ସୃଷ୍ଟି କରିବାର ଆଧାର ସାଜିଛି। ଏପରିସ୍ଥଳେ ଶାହଙ୍କ ସ୍ୱପ୍ନ ରାଜନୈତିକ ମହଲକୁ ମଧ୍ୟ ଆଚମ୍ବିତ କରୁଛି।

ଅମିତ ଶାହଙ୍କ ମିସନ ୧୨୦+ରୁ ଅଧିକ ଆସନ ଜିତିବା ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀ ଗତକାଲି କହିଥିଲେ, ଏହା କେବଳ ଅତିରଞ୍ଜନ।

Leave a Reply

Your email address will not be published. Required fields are marked *