​ବିଜେଡି ବଢୁଛି,କଂଗ୍ରେସ ଅଣ୍ଟା ସଳଖୁଛି , ବିଜେପି ଦୌଡ଼ିଛି ମରୀଚିକା ପଛରେ…

ଭୁବନେଶ୍ୱର(ଦେବଦତ୍ତ ରଥ):ରାଜ୍ୟରେ ଶାସନାଧୀନ ବିଜେଡି ତାର ଶକ୍ତି ଦିନକୁ ଦିନ ବଢ଼େଇବାରେ ଲାଗିଛି।ଏବେ ତ ଓଡ଼ିଶାରେ ବିଜେଡି ଏକ ନମ୍ବର ଦଳ ହୋଇ ରହିଛି,କିନ୍ତୁ ତଥାପି କୌଣସି ପ୍ରକାର ସୁଯୋଗକୁ ହାତ ଛଡ଼ା ନକରି ବିଜେଡି ତାର ଶକ୍ତି,ସଙ୍ଗଠନକୁ ଆହୁରି ବଢ଼େଇବାରେ ଲାଗିଛି।ବିଶେଷତଃ କଂଗ୍ରେସ ଭିତରେ ଥିବା ଗୋଳିଆ ପରିସ୍ଥିତି ସୁଧୁରିବା ପୂର୍ବରୁ ବିଜେଡି କଂଗ୍ରେସର ଅସନ୍ତୁଷ୍ଟ ତଥା ପ୍ରଭାବୀ ନେତାଙ୍କୁ ନିଜ ଦଳରେ ସାମିଲ କରାଇ ସାରିଛି।ନବୀନ ହିଁ ବିଜେଡିର ସର୍ବମାନ୍ୟ ନେତା ହୋଇଥିବାରୁ ଏବଂ ଦଳ ଉପରେ ତାଙ୍କର ଏକଚାଟିଆ ଅଧିକାର ରହି ଥିବାରୁ ଯେତେ ବଡ଼ ହେଭିୱେଟ ନେତା ହେଲେ ମଧ୍ୟ ବିଜେଡିରେ ନବୀନ ଅସୁରକ୍ଷିତ ନୁହଁନ୍ତି।ତେଣୁ ପ୍ରଭାବୀ ନେତାମାନେ ବିଜେଡିରେ ସାମିଲ ହେବାରେ କିଛି ଅସୁବିଧା ରହୁନି।


  କେନ୍ଦ୍ରରେ କଂଗ୍ରେସ ଅତ୍ୟନ୍ତ ଦୃବଳ ସ୍ଥିତିରେ ଥିବା ବେଳେ ଓଡ଼ିଶାରେ କଂଗ୍ରେସ ପରିସ୍ଥିତି ବହୁ ସଙ୍ଗୀନ ହୋଇ ପଡ଼ିଥିଲା।ଦଳ ଭିତରେ ଗୋଷ୍ଠି ବିବାଦ ଦାଣ୍ଡରେ ପଡି ହାଟରେ ଗଡିଲା।ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢି ଚାଲିଲା।ଏହାର ସୁଯୋଗ ନେଇ ବିଜେଡି ଯେତିକି ପାରିଲା ସେତିକି ଅସନ୍ତୁଷ୍ଟଙ୍କୁ ନିଜ ସାଙ୍ଗରେ ସାମିଲ କରାଇଦେଲା।ଏବେ ଡେରିରେ ହେଉ ପଛେ,କଂଗ୍ରେସ ସଭାପତି ପରିବର୍ତ୍ତନ କରି ପ୍ରସାଦଙ୍କ ସ୍ଥାନରେ ନିରଞ୍ଜନଙ୍କୁ ବସାଇଲା


।ଆଉ କିଛି ଅସନ୍ତୁଷ୍ଟ ତଥା ବରିଷ୍ଠ ନେତାଙ୍କୁ ପ୍ରମୁଖ ଦାୟିତ୍ୱ ପ୍ରଦାନ କଲା।ନିରଞ୍ଜନ ଦାୟିତ୍ୱ ନେବା ପରେ ତୁରନ୍ତ ସକ୍ରିୟ ହୋଇ ପଡିଛନ୍ତି।ଆଉ ଯେପରି କେହି ଅସନ୍ତୁଷ୍ଟ ଦଳ ଛାଡ଼ନ୍ତି ସେଥିପାଇଁ ପ୍ରୟାସ କରୁଛନ୍ତି।ଏପରିକି ଦଳ ଛାଡି ଦେଇଥିବା ଲୁଲୁଙ୍କ ସମର୍ଥକ(ଲୁଲୁ ସେନା)କାର୍ଯ୍ୟକର୍ତ୍ତାଙ୍କୁ ପୁଣି ଦଳକୁ ଫେରାଇ ନେବାକୁ ନିରଞ୍ଜନ ଯୋଜନା କରୁଥିବା ଜଣାପଡ଼ୁଛି।ତେବେ ଏଭିତରେ ବିଜେଡି ଯଥେଷ୍ଟ ଫାଇଦା ନେଇସାରିଛି।ସୌମ୍ୟଙ୍କୁ ବିଜେଡିରେ ସାମିଲ କରାଇ ରାଜ୍ୟସଭାକୁ ପଠାଇବା ପରେ ତାଙ୍କ ଭାଇ ନିରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ ସଭାପତି କରାଯିବାକୁ କେହି କେହି ଭିର୍ଣ୍ଣ ସମୀକରଣରେ ଦେଖୁଛନ୍ତି।ନିର୍ବାଚନ ପରେ ବହୁମତ ପାଇଁ ଯଦି କୌଣସି କାରଣରୁ ବିଜେଡିକୁ ସିଟର ଅଭାବ ପଡ଼ିଯାଏ ତେବେ ସେତେବେଳେ କଂଗ୍ରେସ କାମକୁ ଆସିପାରେ।ଏଣେ କଂଗ୍ରେସର ବିଜେପିକୁ ପ୍ରତିହତ କରିବା ପାଇଁ ନିଜ ଶକ୍ତି ନଥିବାରୁ କଂଗ୍ରେସ କେନ୍ଦ୍ର ଟିମ ଏବେ ଯେ କୌଣସି ଉପାୟରେ ବିଭିର୍ଣ୍ଣ ରାଜ୍ୟରେ ମେଣ୍ଟ ଖୋଜୁଛନ୍ତି।ଏମିତିରେ ଭବିଷ୍ୟତକୁ ବିଜେଡି କଂଗ୍ରେସ ପାଇଁ ଆଶ୍ରା ହୋଇପାରେ।ବିଜେପି ଉଭୟଙ୍କର ପ୍ରମୁଖ ବିରୋଧୀ ହୋଇଥିବାରୁ ଭବିଷ୍ୟତରେ ହୁଏତ ଏହି ପରି ଏକ ଭିର୍ଣ୍ଣ ସମୀକରଣର ଆବଶ୍ୟକତା ପଡିପାରେ।ଏବଂ ପଟ୍ଟନାୟକ ବ୍ରଦର୍ସ ଏହି ମେଣ୍ଟର ସୂତ୍ରଧର ହୋଇ ପାରନ୍ତି।ଏଭଳି ସ୍ଥିତରେ ଯେଉଁ ଦିଗରୁ ଦେଖିଲେ ବିଜେଡି ଏବଂ କଂଗ୍ରେସ ଲାଭବାନ ହେବାର ଦେଖାଯାଉଛି, ଏବଂ ବିଜେପି କ୍ଷତିଗ୍ରସ୍ତ ହେଉଛି।କାରଣ ଦେଶ ତଥା ଅନ୍ୟାନ୍ୟ ରାଜ୍ୟ କଥା ଭିର୍ଣ୍ଣ ଓଡ଼ିଶାରେ ବିଜେପି କିଛି ନିର୍ଦିଷ୍ଟ ଯୋଜନାରେ ଯିବା ପରି ଲାଗୁ ନାହିଁ। ବରଂ ମିଶନ ୧୨୦ ଭିତରେ ମିଶନ ମୁଖ୍ୟମନ୍ତ୍ରୀ ମରୀଚିକା ପଛରେ ଦୌଡୁଛି ଓଡିଶା ବିଜେପି।

    ଗତ ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ବିଜେପି ତୃତୀୟ ସ୍ଥାନରେ ଥିଲା।ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ନିର୍ବାଚନରେ କେବଳ ଜିଲ୍ଲା ପରିଷଦରେ କଂଗ୍ରେସଠାରୁ ଆଗୁଆ ରହି ନିଜକୁ ନିଜେ ଦୁଇ ନମ୍ବର ତଥା ବିଜେଡିର ବିକଳ୍ପ ବୋଲି ଦର୍ଶାଇଲା।କିନ୍ତୁ ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟରେ ବିଜେପି ଅତ୍ୟନ୍ତ ଦୃବଳ ଥିଲା।ପଞ୍ଚାୟତ ଜିଲ୍ଲା ପରିଷଦ ନିର୍ବାଚନ କେବଳ ଗ୍ରାମାଞ୍ଚଳ ମାନଙ୍କରେ ହୋଇଥାଏ।ଏବଂ ଏଠାରେ ସରପଞ୍ଚ ମାନେ ହିଁ ପ୍ରଭାବୀ ହୋଇ ଥାଆନ୍ତି।ତେଣୁ କେବଳ ଜିଲ୍ଲା ପରିଷଦରେ କିଛିଟା ସଫଳତାକୁ ନେଇ ବିଜେପି ନିଜକୁ ଦୁଇ ନମ୍ବର କହିବା ଗ୍ରହଣୀୟ ନୁହେଁ।ଏଣେ ମିଶ୍ରଣ ପ୍ରକ୍ରିୟାକୁ ଦେଖିଲେ ବିଜେଡିର ପ୍ରଭାବୀ ନେତା ମାନେ ଯୋଗ ଦେଇଥିବା ବେଳେ ବିଜେପିରେ ସେପରି କେହି ପ୍ରଭାବୀ ନେତା ଯୋଗ ଦେଇ ନାହାଁନ୍ତି।କାରଣ ନିଜକୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରାଉ ଥିବା ଧର୍ମେନ୍ଦ୍ର ଏବଂ ଧର୍ମେନ୍ଦ୍ରଙ୍କ ଗୋଷ୍ଠି କୌଣସି ହେଭିୱେଟ ନେତାଙ୍କୁ ନିଜର ପତିଆରା କ୍ଷୁର୍ଣ୍ଣ ହେବା ଭୟରେ ଦଳରେ ସାମିଲ କରାଇ ଦେଉ ନାହାଁନ୍ତି।ବରଂ ଦଳରେ ଯୋଗ ଦେଇଥିବା ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କ ପରି ନେତାଙ୍କୁ ଏହି କାରଣରୁ ଅଣଦେଖା କରାଯାଉଥିବା ନେଇ ଆଲୋଚନା ହେଉଛି।ବିଜେପୁର ଉପ ନିର୍ବାଚନ, ଅତାବିରା,ହିନ୍ଦୋଳ ପୌର ନିର୍ବାଚନରେ ଲଜ୍ଜା ଜନକ ପରାଜୟ ପରେ ମଧ୍ୟ ଏମାନଙ୍କର ବୁଦ୍ଧି ପସିନି।

   ତେବେ ଏ ଭିତରେ ବିଜେପି ରାଜ୍ୟ ସଭାପତି ସହ ଆମୂଳଚୂଳ ପରିବର୍ତ୍ତନ ନେଇ ଆଲୋଚନା ହେଉଛି।କିନ୍ତୁ ପରିବର୍ତ୍ତନ ହେଉନି।ବିଳମ୍ବରେ ହେଉ ପଛେ କଂଗ୍ରେସ ପରିବର୍ତ୍ତନ କରି ତା’ ଯୋଜନା କରି ସାରିଲାଣି।କିନ୍ତୁ ବିଜେପି ପାରୁନି।ନେତୃତ୍ୱ ପରିବର୍ତ୍ତନ କେବେ ହେବ ଏବଂ କିଏ ଦାୟିତ୍ୱ ନେବ ନେଇ ଦଳ ଭିତରେ ଏକ ସନ୍ଦେହ ହୋଇ ରହିଛି।କେହି କାହାରିକୁ ବିଶ୍ୱାସକୁ ନେଇ ପାରୁ ନାହାଁନ୍ତି କି ସଙ୍ଗଠିତ ହୋଇ ପାରୁ ନାହାଁନ୍ତି।ଅଧିକ ବିଳମ୍ବ ଯେ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇ ପାରେ।ପୌର ନିର୍ବାଚନ ପାଖେଇ ଆସୁଛି,ପୁଣି ଆଗକୁ ସାଧାରଣ ନିର୍ବାଚନ।ସମୟ ଖୁବ୍ କମ।ନେଡି ଗୁଡ଼ କହୁଣୀକୁ ବୋହି ସାରିଲାଣି।ସଂଘ ଏବଂ ସଙ୍ଗଠନ ଓଡ଼ିଶାରେ ବିଜେପିର ସ୍ଥିତିକୁ ଠିକ୍ ରୂପେ ଆକଳନ କରି ପାରିଛି।ତେଣୁ ଏକ ଆମୂଳଚୂଳ ପରିବର୍ତ୍ତନ ସହ ପ୍ରତାପ ଷଡ଼ଙ୍ଗୀଙ୍କୁ ସଭାପତି କରି ନୂଆ ରୂପରେ ମଜଭୁତ ସଙ୍ଗଠନ ଠିଆ କରିବାକୁ ଚାହୁଁଛି ସଂଘ।ତୃଣମୂଳ ସ୍ତରର ସଙ୍ଗଠନରେ ସେହି ଏକା ମତ।କିନ୍ତୁ ଧର୍ମେନ୍ଦ୍ର ଏବଂ ରାଜ୍ୟ ବିଜେପିର ଏକ ବଡ଼ ଗୋଷ୍ଠି ଯିଏ କି ନିଜ ନିଜ ଅଞ୍ଚଳରେ ପ୍ରତ୍ୟାକ୍ଷିତ ସେମାନେ ପ୍ରତାପ ଷଡ଼ଙ୍ଗୀଙ୍କୁ ସଭାପତି କରାଇ ନେଦେବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି।ବାରମ୍ବାର ଦିଲ୍ଲୀ ଯାଇ ମନ୍ତ୍ରଣା କରୁଛନ୍ତି।କିନ୍ତୁ ଧର୍ମେନ୍ଦ୍ର ଏବଂ ତାଙ୍କ ଗୋଷ୍ଠି ହୁଏତ ଭୁଲ ଚିନ୍ତା କରୁଛନ୍ତି।ଯଦି ଏତେ ଆଗ୍ରହ ବରଂ ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ି ଅନ୍ୟ ରାଜ୍ୟରୁ ଆଉ ରାଜ୍ୟସଭାକୁ ନଯାଇ ନିଜେ ବିଜେପି ରାଜ୍ୟ ସଭାପତି ହେବାର ଥିଲା।ଧର୍ମେନ୍ଦ୍ର ଦିଲ୍ଲୀରେ ରହି ଆଉ ଜଣଙ୍କୁ ସଭାପତି କରାଇ ନିଜେ ଗୋଟି ଚାଳନା କରିବା କେତେ ଦୂର ଅବା ଫଳପ୍ରଦ ରହିବ?ମିଶନ ୧୨୦ ଆଶା ଆଶାରେ ରହିଯିବ।ଏବଂ ଭାବି ମୁଖ୍ୟମନ୍ତ୍ରୀ ସ୍ୱପ୍ନରେ ଯେ କେବଳ ମରୀଚିକା ପଛରେ ଦୌଡ଼ିଲା ପରି ସାର ହେବ।

Leave a Reply

Your email address will not be published. Required fields are marked *