ମୋଦୀଙ୍କ ଗସ୍ତର ଏପାଖ ସେପାଖ… କ’ଣ ପ୍ରଭାବ ପଡିଲା ଓଡ଼ିଶାରେ ଏବଂ କାର୍ଯ୍ୟକର୍ତ୍ତାଙ୍କ ମନରେ?

ଭୁବନେଶ୍ୱର(ଦେବଦତ୍ତ ରଥ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିଲେ।କଟକ ବାଲିଯାତ୍ରା ପଡ଼ିଆରେ “ଜନ କଲ୍ୟାଣ ସମାବେଶ”ରେ ନିଜର ଚାରି ବର୍ଷ ଶାସନର ଉପଲବ୍ଧି ଗୁଡ଼ିକୁ ଦେଶବାସୀଙ୍କ ଆଗରେ ରଖିଲେ, ତାହା ପୁଣି ଓଡ଼ିଶା ମାଟିରୁ।ତେବେ ମୋଦୀଙ୍କ ଗସ୍ତ କ’ଣ ପ୍ରଭାବ ପଡିଲା ଓଡ଼ିଶାରେ ଏବଂ କାର୍ଯ୍ୟକର୍ତ୍ତାଙ୍କ ମନରେ?

ଓଡ଼ିଶାରୁ କାହିଁକି?
ନିଜର ଚାରିବର୍ଷର ଉପଲବ୍ଧି ଗୁଡିକୁ ସମଗ୍ର ଦେଶବାସୀଙ୍କ ଆଗରେ ରଖିବା ପାଇଁ ମୋଦୀ ଓଡ଼ିଶା ମାଟିକୁ କାହିଁକି ବାଛିଲେ?ଏହାଦ୍ୱାରା ବିଜେପିକୁ କ’ଣ ଲାଭ ମିଳିଲା?ଏମିତିରେ ମୋଦୀଙ୍କ ଭାଷଣ ତ’ ସଂପୂର୍ଣ୍ଣ ନିଜ ସରକାରର ଉପଲବ୍ଧି ଗୁଡିକ ଜନତାଙ୍କ ଆଗରେ ରଖିବା ପାଇଁ ଉଦିଷ୍ଟ ଥିଲା।ତେବେ ଏଥିରେ ପୂର୍ବ ସରକାର ଗୁଡିକ ସହ ଏକ ତୁଳନାତ୍ମକ ତଥ୍ୟ ରହିବା ସ୍ୱାଭାବିକ।ପୂର୍ବ ସରକାରଙ୍କୁ ସମାଲୋଚନା ମଧ୍ୟ ସ୍ୱାଭାବିକ।ଏବଂ ଏହା ମୁଖ୍ୟତଃ କଂଗ୍ରେସ ବିରୋଧରେ ହିଁ ଯାଉଛି।ଏବଂ କିଛି ପରିମାଣରେ ୟୁପିଏ ସରକାରର ମେଣ୍ଟରେ ଥିବା ଅନ୍ୟ ଦଳ ଗୁଡିକ ବିରୋଧରେ ଯାଉଛି।ଯେଉଁଥିରେ କି ବିଜେଡି ଆଦୌ ନାହିଁ।ଏପରିକି ନିଜର ଉପଲବ୍ଧି ନେଇ ଭାଷଣ ଏବଂ ପୂର୍ବ ସରକାର ସହ ତୁଳନା ଭିତରେ କର୍ଣ୍ଣାଟକରେ ଅସାଧୁ ମେଣ୍ଟ ନେଇ ମୋଦୀ ଯେଉଁ ଆକ୍ଷେପ କଲେ ସେଥିରେ ବି ବିଜେଡି ନାହିଁ।ହଁ,ଯେହେତୁ ଏବେ ମହାନଦୀ ଓଡ଼ିଶାରେ ଏକ ମୁଖ୍ୟ ପ୍ରସଙ୍ଗ ହୋଇଛି ଏବଂ ଶାସକ ବିଜେଡି ଏହାକୁ ନେଇ ମହାସମାବେଶ କରୁଛି,ତେଣୁ ବାଧ୍ୟ ହୋଇ ବୋଧେ ମୋଦୀ ଏନେଇ ପଦେ ଅଧେ କହିଲେ।ବିଜେପି କହିବ ଏଠି ଓଡ଼ିଶା ପ୍ରସଙ୍ଗର କଥା ନଥିଲା କେବଳ ଚାରି ବର୍ଷର ଉପଲବ୍ଧି ଗୁଡିକ କହିବା ଉଦ୍ଦେଶ୍ୟ ଥିଲା।ତେବେ ଏଥିପାଇଁ ଓଡ଼ିଶା ମାଟିକୁ ବାଛିବା କେତେଦୂର ଠିକ୍ ହେଲା?ବରଂ ଏହି ସମାବେଶ କେରଳ ପରି କଂଗ୍ରେସ ଶାସିତ ରାଜ୍ୟରେ କରିବାର ଥିଲା,ଓଡ଼ିଶାରେ ନୁହଁ।ଓଡ଼ିଶାରେ ବରଂ ମୋଦୀଙ୍କର ଆଉ କେବେ କାର୍ଯ୍ୟକ୍ରମ କରାଯାଇ ପାରି ଥାଆନ୍ତା।

ସକାଳର ଉତ୍ସାହ ସନ୍ଧ୍ୟାରେ ନଥିଲା-
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଖୁବ୍ ଉତ୍ସାହିତ ଥିଲା।ଉତ୍ସାହ ରହିବା ବି ସ୍ୱାଭାବିକ।ମୋଦୀ ହିଁ ବିଜେପିର ସବୁଠାରୁ ପ୍ରିୟ ନେତା।କିନ୍ତୁ ପୂର୍ବଦିନ ତଥା ସେହିଦିନ ସକାଳେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଥିବା ଉତ୍ସାହ କାର୍ଯ୍ୟକ୍ରମ ସରିବା ପରେ ଆଉ ସେପରି ନଥିବା ପରି ଜଣା ପଡୁଥିଲା।ମନ୍ତ୍ରମୁଗ୍ଧ ଭାଷଣ ପାଇଁ ପରିଚିତ ମୋଦୀଙ୍କ ଭାଷଣର ଶବ୍ଦରେ ସେଦିନ କାଇଁ ସେପରି ଗୋଟେ ଚମତ୍କାର ନଥିଲା।ଯେତେବେଳେ କି ଠିକ୍ ତା’ ପରଦିନ ଉତ୍ତରପ୍ରଦେଶରେ ଆୟୋଜିତ ଏକ ସଭାରେ ମୋଦୀଙ୍କ ଭାଷଣରେ ସେହି ପୂର୍ବ ଚମତ୍କାରିତା ଦେଖିବାକୁ ମିଳିଲା।ଏହାବାଦେ କଟକରେ ଆୟୋଜିତ ସଭାରେ ଭାଷଣ ପାଇଁ ଉଦିଷ୍ଟ ସାଉଣ୍ଡ ସିଷ୍ଟମରେ ତୃଟି ଦେଖିବାକୁ ମିଳିଥିଲା।ଅନେକ ସମୟରେ ଭାଷଣ ଅସ୍ପଷ୍ଟ ଶୁଣାଯାଇଥିଲା।ସେହିପରି ମୋଦୀଙ୍କ ଭାଷଣ ଆରମ୍ଭ ବେଳକୁ ଲାଗିଥିବା ପ୍ରୋଜେକ୍ଟର/ପରଦା ସିଷ୍ଟମ କିଛି ସମୟ ବନ୍ଦ ହୋଇ ଯାଇଥିବା ନେଇ ଅଭିଯୋଗ ଉଠୁଛି।ଏପରି ତୃଟି ମୋଦୀଙ୍କ କାର୍ଯ୍ୟକ୍ରମରେ ଘଟିବା ସାଧାରଣତଃ ଦେଖାଯାଇ ନଥାଏ।ସେହିପରି ଟ୍ରାଫିକ ସମସ୍ୟା ଆଦି କାରଣରୁ ବହୁ କାର୍ଯ୍ୟକର୍ତ୍ତା ସଭାସ୍ଥଳୀ ନଆସି ପାରି ଫେରି ଯାଇଥିଲେ।ଏପରି ଟ୍ରାଫିକ ଜାମ କରିବା ବିରୋଧୀଙ୍କ ଷଢ଼ଯନ୍ତ୍ର ବୋଲି କେତେକ କହୁଛନ୍ତି।ତେବେ ଏହି ଧରଣର ସମସ୍ୟା ପୂର୍ବରୁ ମଧ୍ୟ ଘଟି ସାରିଥିବାରୁ ବିଜେପି ରାଜ୍ୟ ନେତୃତ୍ୱ ସତର୍କତା ମୂଳକ ପୂର୍ବରୁ ଏହାର ପ୍ରତିକାର ବ୍ୟବସ୍ଥା କରିବାର କ’ଣ ଉଚିତ୍ ନଥିଲା?

ମଞ୍ଚରେ ବଡ଼ ପରିବର୍ତ୍ତନ-
ଏଥର ମୋଦୀଙ୍କ କାର୍ଯ୍ୟକ୍ରମରେ ମଞ୍ଚରେ ଏକ ବଡ଼ ପରିବର୍ତ୍ତନ ଦେଖା ଦେଇଥିଲା।ପୂର୍ବେ ମଞ୍ଚ ଉପରେ ମାଳମାଳ ନେତାଙ୍କୁ ଟହଲ ମାରୁଥିବାର ଦେଖା ଯାଉଥିବା ବେଳେ ଏଥର ସେଥିରେ ବ୍ୟତିକ୍ରମ ଦେଖା ଦେଇଥିଲା।ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାନ୍ୟ ଅସହଜ ମନେ କରୁଥିବା ଜଣାପଡୁଥିଲା।ସବୁଥର ପରି ଧର୍ମେନ୍ଦ୍ର ଯେ ସବୁ କିଛି କରାଉଛନ୍ତି ବୋଲି ତ’ ନିଜକୁ ପ୍ରତୟମାନ କରୁଥିଲେ।କିନ୍ତୁ ଏଥର ସବୁକିଛି ସ୍ୱାଭାବିକ ନଥିଲା।ରିମୋର୍ଟରେ ଚାଲୁଥିବା କଥା କୁହା ଯାଉଥିବା ବସନ୍ତ ପଣ୍ଡାଙ୍କ ରିମୋର୍ଟ ଧର୍ମେନ୍ଦ୍ରଙ୍କ ହାତରେ ଥିଲେ ବି ବୋଧେ ତାହା ପୂରା କାମ କରୁନଥିଲା।

ମୋଦୀଙ୍କ ଡାହାଣ ପଟେ ତ’ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଦେଖିବାକୁ ମିଳିଥିଲା।କିନ୍ତୁ ସବୁଥର ପରି ଧର୍ମେନ୍ଦ୍ର ବାମ ପଟେ ନଥିଲେ।ବାମ ପଟେ ପ୍ରଥମେ ବସିଥିଲେ ରାଜ୍ୟ ସଭାପତି ବସନ୍ତ ପଣ୍ଡା।

ତା’ ପରେ ଯାଇ ଥିଲେ ଧର୍ମେନ୍ଦ୍ର।ସେଥିପାଇଁ ବୋଧେ ଧର୍ମେନ୍ଦ୍ରଙ୍କୁ ଅଧିକାଂଶ ସମୟ ନିଜ ଆସନରେ ବସି ରହିବାର ଦେଖାଯାଉ ନଥିଲା।ମୋଦୀଙ୍କୁ ଫୁଲମାଳା ପିନ୍ଧାଇବା ବେଳେ ଧର୍ମେନ୍ଦ୍ରଙ୍କ ମୁହଁ ମାଳ ଭିତରେ ନଥିଲା।ଯାହା କି ବିରଳ।ସେହିପରି ମୋଦୀଙ୍କ ମଞ୍ଚରେ ପୂର୍ବରୁ ଦେଖାଉଥିବା ଅନେକ ନେତାଙ୍କୁ ଦେଖିବାକୁ ମିଳିନଥିଲା।

କିଛି ଜଣଙ୍କ ପାଇଁ ଏକ ଦ୍ଵତୀୟ ମଞ୍ଚ କରା ଯାଇଥିଲା।ମୋଦୀଙ୍କ ମଞ୍ଚରେ ରାଜ୍ୟ ସଭାପତି,ଦୁଇ କେନ୍ଦ୍ରମନ୍ତ୍ରୀ,ପୂର୍ବତନ ରାଜ୍ୟ ସଭାପତି,ରାଷ୍ଟ୍ରୀୟ ପ୍ରବକ୍ତା ଡଃ: ସମ୍ବିତ ପାତ୍ର,ରାଜ୍ୟ ପ୍ରଭାରୀ ଅରୁଣ ସିଂ,ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ,ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବରେ ଗିରିଧର ଗମାଙ୍ଗ ଆଦିଙ୍କ ସମେତ ଏକ ମାତ୍ର ନେତ୍ରୀ ସୁରମା ପାଢ଼ୀ ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ଅନ୍ୟତମ ରାଜ୍ୟ ଉପସଭାପତି ବିଷ୍ଣୁ ସେଠିଙ୍କୁ ଦେଖିବାକୁ ମିଳିଥିଲା।ଯାହାକୁ ନେଇ ଦଳ ଭିତରେ ଏକ ଆଲୋଚନା ଜୋର ଧରିଛି।ଆଉ ଏକ କଥା ଲକ୍ଷ କରାଯାଇଥିଲା ମୋଦୀଙ୍କ ବାଦେ ଯଦି କାହାର ଭାଷଣ ବେଳେ କାର୍ଯ୍ୟକର୍ତ୍ତା ଭିତରେ ଅଧିକ ଉତ୍ସାହ ଏବଂ କରତାଳି ଦେଖିବାକୁ ମିଳିଥିଲା ସେ ଦୁଇ ଜଣ ହେଲେ ସମ୍ବିତ ପାତ୍ର ଏବଂ ପ୍ରତାପ ଷଡ଼ଙ୍ଗୀ।

ମହିଳା ମୋର୍ଚ୍ଚାକୁ ଉପେକ୍ଷା-
ଓଡ଼ିଶାରେ ବିଜେପିର ଭରଷା ମହିଳା ମୋର୍ଚ୍ଚା।ଏମିତିରେ ପ୍ରାୟ ସବୁ ଦଳରେ ମହିଳା,ଯୁବ ଏବଂ ଛାତ୍ର ଶାଖା ହିଁ ମୁଖ୍ୟ ଆୟୁଧ ହୋଇଥାଏ।କିନ୍ତୁ ଓଡ଼ିଶା ବିଜେପିରେ ତ’ ଯୁବ ମୋର୍ଚ୍ଚା ସଂପୂର୍ଣ୍ଣ ବିଫଳ।ଯୁବ ମୋର୍ଚ୍ଚା ସଭାପତି କେବଳ କାଠ କଣ୍ଢେଇ ହୋଇ ବସିଥିବାରୁ ରାଜ୍ୟର ବିଭିର୍ଣ୍ଣ ସ୍ଥାନରେ ଥିବା ଉତ୍ସାହି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଚାହିଁ ମଧ୍ୟ ସେତେଟା ସକ୍ରିୟ ହୋଇ ପାରୁ ନାହାଁନ୍ତି।ଯୁବ ମୋର୍ଚ୍ଚା ସଭାପତିଙ୍କୁ କେବଳ ମୋଦୀ,ଅମିତ ଶାହା କିମ୍ବା ଧର୍ମେନ୍ଦ୍ର ପ୍ରଧାନ ଆସିବାର ଥିଲେ ନହେଲେ ବିଜେପୁର ଉପ ନିର୍ବାଚନ ପରି ସମୟରେ ପୂରା ସକ୍ରିୟ ହୋଇ ଯିବାର ଦେଖାଯାଏ।କିନ୍ତୁ ଦେଖିବାକୁ ଗଲେ କିଛି ପରିମାଣରେ କୃଷକ ମୋର୍ଚ୍ଚା ଏବଂ ସବୁଠାରୁ ମହିଳା ମୋର୍ଚ୍ଚା ହିଁ ଏବେ ରାଜ୍ୟ ବିଜେପିର ସବୁଠାରୁ ସକ୍ରିୟ ଶାଖା।କୁନ୍ଦୁଲି ଠାରୁ ଆରମ୍ଭ କରି ଦାମ ରାଉତଙ୍କୁ ଘେରିବାରେ ମହିଳା ମୋର୍ଚ୍ଚା ଆଗରେ।ଏବେ ମଧ୍ୟ ରାଜ୍ୟରେ “ମହିଳା ସୁରକ୍ଷା ଯାତ୍ରା” ଚାଲିଛି।ମୋଦୀଙ୍କ ଗସ୍ତ ପାଇଁ ସ୍ଥଗିତ ରହି ପୁଣି ୨୯ରୁ ଯାତ୍ରା ଆରମ୍ଭ ହେବାର ଅଛି।ଖରା ତରାରେ ବିଜେପି ମହିଳା କାର୍ଯ୍ୟକର୍ତ୍ତା ମାନେ ବୁଲି ବୁଲି ସମାବେଶ କରୁଛନ୍ତି।ଏପରିକି ଘର ଛାଡ଼ି କାର୍ଯ୍ୟକ୍ରମ ପାଇଁ ଅନ୍ୟ ଜାଗାରେ ପ୍ରବାସ(ରହଣି) କରୁଛନ୍ତି।ଗୋଟେ ପ୍ରକାର କହିବାକୁ ଗଲେ ବିଜେଡିର “ମହାନଦୀ ସଂଗ୍ରାମ”କୁ ପ୍ରତିହତ କରିବା ପାଇଁ ଏବଂ ନାରୀ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ “ମହିଳା ସୁରକ୍ଷା ଯାତ୍ରା”ର ଆଶ୍ରା ନେଇଛି ବିଜେପି।

ବିଜେଡି ମହାନଦୀକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ବିଜେପି କରିଛି ମହିଳା ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ।ଠିକ୍ ଏହି ସମୟରେ ମୋଦୀଙ୍କ ଗସ୍ତ।ମୋଦୀ ତ’ ତାଙ୍କ ଭାଷଣରେ ଏନେଇ ପଦେ କହିଲେନି।କିନ୍ତୁ ମହିଳା ମୋର୍ଚ୍ଚା ପକ୍ଷରୁ ମଧ୍ୟ ନବୀନଙ୍କୁ ଟାର୍ଗେଟ କରିବାର କିମ୍ବା କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବାର ଭାଷଣ ମଧ୍ୟ ଶୁଣିବାକୁ ମିଳିଲାନି।ମୋଦୀଙ୍କ ମଞ୍ଚରେ ସୁରମା ପାଢ଼ୀ ଏବଂ ଦ୍ଵତୀୟ ମଞ୍ଚରେ ବିଧାୟିକା ରାଧାରାଣୀ ପଣ୍ଡା ଏବଂ ବିଜେପି ରାଜ୍ୟ ସଂପାଦିକା ଶୋଭନା ମହାନ୍ତିଙ୍କୁ କହିବାର ସୁଯୋଗ ମିଳିଥିବା ବେଳେ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କୁ ନଥିଲା କୋଉଠି ବି ସୁଯୋଗ।ଏପରିକି ମୋଦିଙ୍କୁ ସ୍ୱାଗତ କରିବା ଦାୟିତ୍ୱ ମଧ୍ୟ ମହିଳା ମୋର୍ଚ୍ଚା ହାତରେ ନଥିଲା।

ମୋଦିଙ୍କୁ ସ୍ୱାଗତ କଲା ଓଲିଉଡ?

ସାଧାରଣତଃ ମୋଦୀଙ୍କ ଗସ୍ତ ସମୟରେ ସ୍ୱାଗତ ଦାୟିତ୍ୱ ମହିଳା ମୋର୍ଚ୍ଚା କରିବାର ଦେଖାଯାଇଥାଏ।ଏଥର କିନ୍ତୁ ସେଥିରେ କିଛିଟା ଅଲଗା ଦେଖା ଯାଇଥିଲା।ଧର୍ମେନ୍ଦ୍ର ପ୍ରଧାନ,କୃଷ୍ଣ ଜଗଦେବ,ଗୋଲକ ମହାପାତ୍ର,ସଙ୍ଗୀତା ସିଂଦେଓ,ପିଙ୍କି ପ୍ରଧାନ ଭଳି କେତେଜଣଙ୍କ ବ୍ୟତୀତ ବିଜେପିରେ ନଗଦ ଯୋଗଦେଇ ଥିବା ମହେଶ୍ୱତା,ଅପରିଜିତା,ଅନୁ ଚୌଧୁରୀ,ମିହିର ଦାସ,ଶ୍ରୀତମ ଆଦି ସବୁ ଓଲିଉଡ କଳାକାରଙ୍କୁ ଦେଖିବାକୁ ମିଳିଥିଲା ମୋଦିଙ୍କୁ ସ୍ୱାଗତ କରିବାରେ ଆଗରେ।ଏହାକୁ ନେଇ ଦଳ ଭିତରେ ଭିତରେ ଏକ ଆଲୋଚନା ଚାଲିଛି ଯେ କ’ଣ ଆମର କାର୍ଯ୍ୟକର୍ତ୍ତା ନଥିଲେ ଯେ ନୂଆ ନୂଆ ଦଳରେ ଯୋଗ ଦେଇଥିବା କଳାକାର ମାନଙ୍କୁ ଦଳ ଭରଷା କଲା?

ମିହିରଙ୍କ ଜଗନ୍ନାଥ ତୁଳନା –

ବିଜେପିରେ ଏବେ ନୂଆ ନୂଆ ଯୋଗ ଦେଇଥିବା ଓଡିଆ ସିନେ ତାରକା ମିହିର ଦାସ ଜଗନ୍ନାଥଙ୍କୁ ଛୁଇଁବା ପରି ଇଚ୍ଛା ମୋଦିଙ୍କୁ ଛୁଇଁବାକୁ ହୁଏ ନେଇ ଦେଇ ଥିବା ଭାଷଣକୁ ବିରୋଧୀ ନାପସନ୍ଦ କରୁଛନ୍ତି।ଏହା ଜଗନ୍ନାଥଙ୍କୁ ଅପମାନ ବୋଲି କେତେକ କହୁଛନ୍ତି।ଏପରିକି କଂଗ୍ରେସ ଏବଂ ବିଜେଡିର କାର୍ଯ୍ୟକର୍ତ୍ତା ଏନେଇ ମିହିର କ୍ଷମା ନ ମାଗିଲେ ତାଙ୍କୁ ଅଣ୍ଡା ଏବଂ କାଳି ମାଡ଼ କରିବାକୁ ସୋସିଆଲ ମିଡିଆରେ ଧମକ ଦେଇଛନ୍ତି।

ବିଜୟ,ଦିଲ୍ଲୀପ ଅନୁପସ୍ଥିତ-

କିଛିଦିନ ହେଲା ଦଳଠାରୁ ନିଜକୁ ଦୂରେଇ ରଖୁଥିବା କିମ୍ବା ଦଳ ସେମାନଙ୍କୁ ଦୂରେଇ ଦେଇଥିବା ଦୁଇ ନେତା ବିଧାୟକ ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କୁ ଦେଖିବାକୁ ମିଳି ନଥିଲା।ଉଭୟ ନେତା ଆସୁଛନ୍ତି ନାଁ ନାହିଁ ତାକୁ ରାଜନୈତିକ ବିଶ୍ଳେଷକ ମାନେ ଚାହିଁ ରହିଥିଲେ।ଉଭୟ ତ’ ଆସିଲେନି ବରଂ ପରେ ବିଜୟ ମହାପାତ୍ର ମହାନଦୀ ପ୍ରସଙ୍ଗରେ ତେରଛା ବାଣ ମାରିବାର ଶୁଣାଗଲା।

Leave a Reply

Your email address will not be published. Required fields are marked *