ଏକ ଗ୍ରାମରେ ଜଣେ ସାଧୁ ରହୁଥିଲେ।ଲୋକଙ୍କୁ ଉପଦେଶ ଦେବାରେ ତାଙ୍କର ସମସ୍ତ ସମୟ ବିତୁଥିଲା।ସେହି ଗ୍ରାମରେ ଜଣେ ନର୍ତ୍ତକୀ ନୃତ୍ୟ ପରିବେଷଣ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରୁଥିଲା।ସଂଯୋଗ ବଶତଃ ଉଭୟଙ୍କ ମୃତ୍ୟୁ ଗୋଟିଏ ଦିନରେ ହେଲା।କର୍ମ ଓ ଭାବନା ଆଧାରରେ ସେମାନଙ୍କୁ ସ୍ବର୍ଗ କିମ୍ବା ନର୍କ ପଠାଇବା ବିଷୟରେ ବିଚାର ହେଲା।ସାଧୁ ମନେ ମନେ ଖୁସି ଥିଲେ ଯେ ସେ ସ୍ବର୍ଗ ଯିବେ କାରଣ ଜୀବନ ତମାମ ସେ ଲୋକଙ୍କୁ ସଦ୍ ଉପଦେଶ ଦେଇଥିଲେ।ନର୍ତ୍ତକୀ କିନ୍ତୁ ସେମିତି କିଛି ଚିନ୍ତା କରୁ ନ ଥିଲା।କେବଳ ନିଷ୍ପତିକୁ ଅପେକ୍ଷା କରିଥିଲା।
ଏହି ସମୟରେ ଘୋଷଣା ହେଲା ସାଧୁଙ୍କୁ ନର୍କ ଏବଂ ନର୍ତ୍ତକୀ ଙ୍କୁ ସ୍ବର୍ଗ ଦିଆଯାଉ।ଏହା ଶୁଣି ସାଧୁ କ୍ରୋଧରେ ଏଭଳି ଅନ୍ୟାୟ କାହିଁକି ହେଲା ବୋଲି ପ୍ରଶ୍ନ କଲା। ଯମରାଜ ଶାନ୍ତ ଭାବରେ ଉତ୍ତର ଦେଲେ ଏଇ ନର୍ତ୍ତକୀ ନିଜ ପେଟ ପାଇଁ ନୃତ୍ୟ କରୁଥିଲା।କିନ୍ତୁ ଈଶ୍ବରଙ୍କ ଚରଣରେ ନିଜର କଳାକୁ ସମର୍ପଣ କରିବାର ଭାବନା ତା ମନରେ ଥିଲା।ତୁମେ କିନ୍ତୁ ଉପଦେଶ ଦେବା ସମୟରେ ଚିନ୍ତା କରୁଥିଲ ମୋତେ ବି ଏହି ନର୍ତ୍ତକୀ ର ନୃତ୍ୟ ଦେଖିବାର ସୁଯୋଗ ମିଳନ୍ତା କି?ମନୁଷ୍ୟର କର୍ମ ଅପେକ୍ଷା କର୍ମ କରିବା ପଛରେ ଲୁକାୟତ୍ ଭାବନା ଅଧିକ ମୂଲ୍ୟବାନ।ଈଶ୍ବରଙ୍କ ଏହି ସନ୍ଦେଶ କୁ ବୋଧ ହୁଏ ତୁମେ ଭୁଲି ଯାଇଛ।ତେଣୁ ତୁମକୁ ନର୍କ ଏବଂ ନର୍ତ୍ତକୀ କୁ ସ୍ବର୍ଗ ଦିଆଯାଉଛି।
ଏଥିରୁ ଆମେ ଏହି ଶିକ୍ଷା ପାଇଲୁ ଯେ କର୍ମ କରିବା ପଛରେ ଭାବନା ସବୁବେଳେ ଉଚ୍ଚ ମନର ହେବା ଉଚିତ୍।
” ମନରେ ଆସୁ ମୋ ଭଲ ଭାବନା”