ମନ୍ତ୍ରୀ ହେବାପରେ ଯାଦବ ସମାଜ କୁ ଭୁଲିଗଲେ ପ୍ରଫୁଲ୍ଲ କୁହୁଳୁଥିବା ଅସନ୍ତୋଷ କୁ ଶାନ୍ତ କରିବାକୁ ଯୁବ ନେତା ତପନ ଙ୍କ ପ୍ରୟାସ

ରାଜ୍ୟ ରାଜନୀତିରେ କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀ ସର୍ବଦା ଚର୍ଚ୍ଚା ରେ ରହି ଆସିଛି । ବର୍ତମାନ ରାଜ୍ୟରେ ଯେଉଁ କେତେଜଣ ନେତା ତୃତୀୟ ମହଲାର ନିକଟବର୍ତ୍ତୀ ହୋଇ ନିଜକୁ କ୍ଷମତାଶାଳୀ ତାଲିକାରେ ଗଣଉଛନ୍ତି ସେମାନଙ୍କ ମଧ୍ୟରେ ବର୍ତ୍ତମାନର କାମାକ୍ଷାନଗର ବିଧାୟକ ତଥା ଖଣି, ଇସ୍ପାତ ଓ ପୂର୍ତ୍ତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ରେ ଥିବା ମନ୍ତ୍ରୀ ଶ୍ରୀ ପ୍ରଫୁଲ ମଲ୍ଲିକ ମଧ୍ୟ ଅଛନ୍ତି । ଏଠାକାର ଭୋଟ ରାଜନୀତି କୁ ଅନୁଶୀଳନ କଲେ ଦେଖାଯାଏ ଯେ ଏହି ନିର୍ବାଚନମଣ୍ଡଳୀରେ ୫୦ ହଜାରରୁ ଅଧିକ ଯାଦବ ଭୋଟ୍ ରହିଥିବା ବେଳେ ପୂର୍ବ ନିର୍ବାଚନ ଗୁଡ଼ିକ ରେ ଏହି ଭୋଟର ସିଂହଭାଗ ବିଜେଡ଼ି ଆଡ଼କୁ ଯାଉଥିଲା ।

ଗତ ନିର୍ବାଚନରେ ପ୍ରଫୁଲ ବାବୁ ବିଜେଡି ଟିକଟରେ ଲଢି ୬୪୧୬୩ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଭବାନୀ ମହାପାତ୍ର ୪୭୨୮୨ ଭୋଟ୍ ଓ ବିଜେପିରୁ ପ୍ରସନ୍ନ ପଟ୍ଟନାୟକ ୨୫୯୨୭ ଭୋଟ୍ ପାଇଥିଲେ । ଗତ ନିର୍ବାଚନ ରେ ପ୍ରମୁଖ ଦଳଗୁଡିକ ରୁ କେହି ଯାଦବ ନେତା ନଥିବାରୁ ଅଧିକ ଭାଗ ଭୋଟ୍ ବିଜେଡି ଅଡେ ଯାଇଥିଲା । ମାତ୍ର ଏଥର ଏଠାକାର ରାଜନୈତିକ ପରିସ୍ଥିତି ଭିନ୍ନ ଆଡେ ଗତି କରୁଥିବାର ଲକ୍ଷ କରାଯାଉଛି । ବିଜେପି ଯାଦବ ନେତା ଉପେନ୍ଦ୍ର ମହାକୁଡ଼ ନିଜ ଜାତିଆଣ ଭୋଟକୁ ଏକାଠି କରିବାକୁ ଗୋଟିଚାଳନା ଆରମ୍ଭ କରି ସାରିଲେଣି । ସେ ଏହା ମଧ୍ୟରେ ଭୂବନ, ତରଭା, ମହୁଲପାଳ ଓ ସାରୁଆଳୀ ଆଦି ସ୍ଥାନ ମାନଙ୍କରେ ଯାଦବ ସଭାମାନ ଆୟୋଜନ କରି ସେ ଭୋଟ୍ କୁ ବିଜେପି ଆଡେ ମୁହାଁଇବାର ପ୍ରଚଷ୍ଠା ଚାଲୁ ରଖିଛନ୍ତି । ଯାହାକି ଯାଦବ ଜାତିର ବିଜେଡି ସମର୍ଥକଙ୍କୁ ଶଙ୍କାରେ ପକାଇଛି । ଗତ ନିର୍ବାଚନରେ ପ୍ରଫୁଲ୍ଲ ବାବୁ ପାଖାପାଖି ୧୭ ହଜାର ଭୋଟ୍ ବ୍ୟବଧାନ ରେ ବିଜୟ ଲାଭ କରିଥିବା ବେଳେ ଯଦି ବିଜେପି ୨୦ ହଜାର ଯାଦବ ଭୋଟ୍ କାଟିବାରେ ସକ୍ଷମ ହୁଏ ତେବେ ବିଜେଡ଼ି ଆସନ ଟଳମଳ ନ ହେବ ବୋଲି କହିହେବନି । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କର ଖାସ୍ ଅନୁଗତ ତଥା ସଦ୍ୟ ଜିଲ୍ଲା ଯୁବ ବିଜେଡ଼ି ର ମଙ୍ଗ ଧରିଥିବା ଧର୍ମାନନ୍ଦ ପରିଡ଼ା ଯାଦବ ଜାତିର ହୋଇଥିଲେ ମଧ୍ୟ ସେ ନିଜକୁ କେବଳ ଦଳୀୟ ସଂଗଠନରେ ସୀମିତ ରଖିଛନ୍ତି । ଯାଦବ ଭୋଟ ହାତେଇବା ପାଇଁ ତାଙ୍କର ତଥା ମନ୍ତ୍ରୀ ଶ୍ରୀ ମଲ୍ଲିକ ଙ୍କର କୌଣସି ଅନ୍ତରିକତା ନାହିଁ ବୋଲି ବିଜେଡ଼ି ସମର୍ଥକ ଯାଦବ ଭାଇମାନେ ଅଭିଯୋଗ କରନ୍ତି । ଅତଏବ ସେମାନେ ବିଜେଡ଼ି ଯାଦବ ଭୋଟ କୁ ଏକାଠି କରିବାକୁ ନୂତନ ନେତା ସନ୍ଧାନରେ ଥିବାବେଳେ ଯୁବ ନେତା ତପନ କୁମାର ଦାସଙ୍କ ବିଜେଡିରେ ଯୋଗଦାନ ସେମାନଙ୍କ ମନରେ ଆଶା ସଂଚାର କରେଇଛି ।

ପୂର୍ବରୁ ପିସିସି ଓବିସି ସେଲ୍ ର ଆବାହକ ଥିବା ଓ ଭୂବନେଶ୍ବର ଯାଦବ ମହାସଭାର ସଂପାଦକ ପଦ ସମ୍ଭାଳି ଥିବା ତପନ ସଦ୍ୟ କଂଗ୍ରେସରୁ ଆସି ବିଜେଡ଼ି ରେ ମିଶିଥିଲେ ମଧ୍ୟ ତାଙ୍କ ସାଂଗଠନିକ ଅନୁଭୂତି ଉପରେ ଭରସା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜେଡ଼ିର ରାଜ୍ୟ ସଂପାଦକ ଦାୟିତ୍ୱ ପ୍ରଦାନ କରିଛନ୍ତି । ସେ ନିଜେ ଉଚ୍ଚଶିକ୍ଷିତ ଓ ଯାଦବ ସଂପ୍ରଦାୟର ହୋଇଥିବାରୁ ତାଙ୍କ ଉପରେ ଯାଦବ ଗୋଷ୍ଠୀ ର ଭରସା କରିବା ସ୍ବାଭାବିକ ଓ ଦଳୀୟ ସଂଗଠନ ସହ ଓତପ୍ରୋତ ଭାବେ ଜଡିତ ହୋଇସାରିଥିବାରୁ ସେ ଭାଙ୍ଗିଯାଉଥିବା ଯାଦବ ଭୋଟ କୁ ଚେକ୍ ଦେଇପାରିବା ସହ ବିଜେଡ଼ି ଯାଦବ ସଂଗଠନକୁ ମଜବୁତ କରିପାରିବେ ବୋଲି ଦଳୀୟ ସ୍ତରରେ ଆଲୋଚନା ଯୋର ଧରିଛି ।ନିର୍ବାଚନ ପାଖେଇ ଆସୁଥିବା ବେଳେ ଯାଦବ ମାନଙ୍କ ମନ ଜିଣିବାକୁ ବିଜେଡ଼ି ତପନଙ୍କୁ ବ୍ୟବହାର କରୁଛି କି ଉପେନ୍ଦ୍ରଙ୍କ ଜରିଆରେ ବିଜେପି ବାଜି ମାରିନେଉଛି ତାହା ଆଗାମୀ ଦିନରେ ଜଣାପଡିବ ।

Leave a Reply

Your email address will not be published. Required fields are marked *