ଶୁଦ୍ଧ ବାୟୁ ଦିବସରେ ବିବାହ ବାର୍ଷିକୀ କୁ ନିଆରା ଢଙ୍ଗରେ ପାଳିଲେ ଦମ୍ପତି ,ମହାଦ୍ରୁମ ଲଗାଇ ସମାଜକୁ ଦେଲେ ବାର୍ତ୍ତା

ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଆଜି ମାନବସମାଜ ପାଇଁ ଚିନ୍ତା ବଢାଇ ଦେଇଛି ।ବିକାଶ ନାମରେ ଆଜି ପୃଥିବୀର ପରିବେଶ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚି ଗଲାଣି ।ଫଳରେ ପୃଥିବୀ ପୃଷ୍ଠରେ ଜୀବନ ଧାରଣ କରିବା କାଠିକର ପାଠ ଭଳି ଅନୁଭବ ହେଉଛି ।ଅସମୟରେ ଝଡ଼ ବାତ୍ୟା କେତେବେଳେ ତାଣ୍ଡବଲୀଳା ରଚୁଛି ତ କେତେବେଳେ ଭୂମିକମ୍ପ କିଛି ମୂହୁର୍ତ୍ତରେ ସଂସାରକୁ ଖିନଭିନ୍ କରିପକାଉଛି । ଆକାଶରୁ ବଜ୍ରପାତ ମୃତ୍ୟୁର ଦୂତ ହୋଇ ଖସୁଛି ତ କେତେବେଳେ ଗ୍ରୀଷ୍ମ ପ୍ରବାହ ତ୍ରାହି ତ୍ରାହି ଡାକିବା ପାଇଁ ବାଧ୍ୟ କରୁଛି । ପ୍ରଦୂଷଣ ଆଜି ଅନିୟନ୍ତ୍ରିତ ଭାବରେ ବଢ଼ିବାରେ ଲାଗିଛି ଯେ ଟିକିଏ ଶୁଦ୍ଧ ବାୟୁ ପାଇବା ପାଇଁ ସଂଘର୍ଷ କରିବା କେତେକ ପ୍ରାନ୍ତରେ ଦେଖାଦେଲାଣି ।ଆଜି ହେଲା ସେହି ” ଶୁଦ୍ଧ ବାୟୁ ଦିବସ ” । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳର ସେମାନଙ୍କ ଅଷ୍ଟମ ବିବାହ ବାର୍ଷିକୀ ଅବସରରେ ୮ ଟି ମହାଦୃମ ( ବରଗଛ ) ଆଜି ରୋପଣ କରିଛନ୍ତି ।ସେହି ଦମ୍ଫତ୍ତି ହେଲେ ଦିଲ୍ଲୀପ କୁମାର ସାହୁ ଓ ଅରୁନ୍ଧତି ବେହେରା । ସାଧାରଣତଃ , ବରଗଛ ଦୀର୍ଘସ୍ଥାୟୀ ଓ ପ୍ରଚୁର ପରିମାଣରେ ଅମ୍ଳଜାନ ପରିବେଶକୁ ଯୋଗାଇଥାଏ ।ଆଗାମୀ ଦିନରେ ସେହି ଦମ୍ଫତ୍ତି ୧୦୦ ବରଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।ବରଗଛ ଲଗାଇବ। ପ୍ରଣାଳୀ ଅତି ସହଜ ବୋଲି ସେମାନେ କହିଛନ୍ତି ।ବରଗଛ ଡାଳର କିଛି ଅଂଶ କାଟି ଫୁଟେ ଦେଢ ଫୁଟ ଗାତ ଖୋଳି ତହିଁରେ ପୋତି ଦିଆଯାଏ।

ଉପରି ଭାଗରେ କଞ୍ଚା ଗୋବର ଦ୍ବାରା ପଲିଥିନ୍ ଦେଇ ବନ୍ଦ କଲେ କଟା ଯାଇଥିବା ଅଂଶ କଞ୍ଚା ହୋଇ ରହିଥାଏ। ଖୁବ କମ ଦିନରେ ପତ୍ର କଁଅଳିବା ଆରମ୍ଭ ହୋଇଥାଏ ।ଗାଈଗୋରୁ ଓ ଛେଳି ମେଣ୍ଢା ପକ୍ଷରୁ କୌଣସି ଭୟ ନାହିଁ।
ତେଣୁ, ଆସନ୍ତୁ ଜନ୍ମଦିନ, ବିବାହ ବାର୍ଷିକୀ, ଭଳି ନିଜ ନିଜ ଘରୋଇ ଉତ୍ସବରେ ଖଣ୍ଡିଏ ଗଛ ଲଗାଇ ପ୍ରକୃତି ଋଣକୁ ଲାଘବ କରିବା।

Leave a Reply

Your email address will not be published. Required fields are marked *