ସମ୍ପର୍କ ର ଶେଷ ଖିଅ ଛିଡିଗଲା ପରେ …… “ଶେଷ ଚିଠି “

ସମସ୍ତଙ୍କୁ ଭରଷା ଏବଂ ବିଶ୍ୱାସ କରାଯାଇପାରେ କିନ୍ତୁ ଏ ସମୟ ଟାକୁ କେଭେଁବି ନୁହେଁ I ବେଳେବେଳେ ଏ ସମୟ ଟା ଏମିତି ଖେଳ ଖେଳେ ଯେ ଯାହା ମଣିଷ ସ୍ୱପ୍ନରେ ମଧ୍ୟ ଭାଵୀନଥାଏ Iରାତି ପାହିଲେ ରାମଚନ୍ଦ୍ର ରାଜା ହେଇଥାନ୍ତେ ଏ ସମୟ ତ ସକାଳୁ ତାଙ୍କୁ ବନବାସ ପଠେଇଦେଲା , ସତରେ `ସମୟର ଖେଳ ବଡ ଜଟିଳ I ଏମିତି ଏକ ସମୟର ନିଚ୍ଛକ ସତ୍ୟ କାହାଣୀ କୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା I ଯେଉଁ ସମୟ ହଠାତ ତାକୁ ସମସ୍ତ ପାରିବାରିକ ବନ୍ଧନ ରୁ ମୁକ୍ତ କରି ଏକ ନୂଆ ଜୀବନ
ଦେଇଥିଲା I ଜୀବନ ଚକ୍ର ରେ ଏକ ନୂଆ ମୋଡ ର ସମୟରେ ଶେଷ ଚିଠି I
କହିବାକୁ ତ ଅନେକ କଥା ଥିଲା ,କଣ ବା ଲେଖିବି,ତଥାପି ବିନା କୌଣସି ସମ୍ଭୋଧନ ରେ ସଂକ୍ଷେପ ରେ ଲେଖୁଛି ,
ଜୀବନରେ କିଛି ସ୍ବପ୍ନ ସତ ହୁଏ ଆଉ କିଛି କେବଳ ସ୍ବପ୍ନ ପାଲଟିଯାଏ I ସବୁ ସ୍ବପ୍ନ ତ ଆଉ ସତ ହୁଏନି ନା I

ବୋଧହୁଏ ସେମିତି ଏକ ଦୁଃସ୍ବପ୍ନ ଥିଲା ମୋ ଭାଗ୍ୟ ଟା I କାହାକୁ ବା କାହିଁକି ଦୋଷ ଦେବି ? ଯଦି ଭଗବାନ ଙ୍କ ଏହାହିଁ ଇଛା ହସି ହସି ଗ୍ରହଣ କରିନେଉଛି ସେହି ଭଗବାନ ଙ୍କ ନିଷ୍ଠୁର ସତ୍ୟକୁ I ସମସ୍ତଙ୍କ ପରି ମୋର ବି ଇଛା ଥିଲା ଛୋଟ ଏକ ଖୁସି ର ପରିବାର ,ଯେଉଁଠି ମୋ ବାପା, ମା ,ଭାଇ ଭାଉଜ ,ଭଉଣୀ ଥିବେ I ସେଥିପାଇଁ ତ ସହର ର ଚାକଚକ୍ୟ ବିଳାଶପୂର୍ଣ୍ଣ ଜୀବନ ମତେ ବାନ୍ଧି ରଖିପାରିନଥିଲା ,କେଜାଣି ତମମାନଙ୍କ ଠାରୁ ଟିକେ ସ୍ନେହ ପାଇବା ପାଇଁ ସବୁ କିଛି ତୁଚ୍ଛ କରି ଚାଲିଆସିଥିଲି ଗାଁ କୁ I କୁହାଯାଏ ବାପା କୁଆଡେ ସ୍ୱର୍ଗଠୁ ବଡ ,କିନ୍ତୁ ସବୁବେଳେ ଭଗବାନ ଙ୍କୁ ଡାକେ ପ୍ରଭୁ ମତେ କାହିଁକି ଏପରି ବାପା ଦେଲ? ନା କେବେ ମୁଁ ବାପାର ସ୍ନେହ ପାଇପାରିଛି ନା ତାଙ୍କ ଆଖିରେ ମୋ ପାଇଁ ଟିକିଏ ଭଲପାଇବା ,ତଥାପି ଚେଷ୍ଟା କରିଛି ତାଙ୍କର ସବୁ ଦୁଃଖ କୁ ଦୁରେଇ ସୁଖ ଭରିଦେବାକୁ ,କାହିଁକିନା ସେ ପରା ବାପା ,ଆମକୁ ଜନ୍ମ ଦେଇଛନ୍ତି I ସବୁପରେ ବି ନିରାଶା ହେବାକୁ ପଡିଲା ,ବୋଧହୁଏ ବାପା କେବଳ ମୋ ପାଇଁ ଏକ ସବ୍ଧ ପାଲଟିଯିବ I ଆଉ ” ମା” !ପିଲାଦିନେ ଶୁଣିଥିଲି ସମସ୍ତେ କୁହନ୍ତି କୁଆଡେ ଦୁନିଆର ସବୁଠୁ ସୁଖ ମା ପାଖରେ ଥାଏ ,ମୁଁ କିନ୍ତୁ ଏମିତି ଅଭାଗା ଟାଏ ,ମା କେବଳ ମୋ ପାଇଁ ଏକ କାଳ୍ପନିକ ,ବହୁତ ଖୋଜିଛି ସେ ସବ୍ଧ ରେ ଟିକିଏ ସ୍ନେହ କିନ୍ତୁ କେଜାଣି ମରୁଭୂମିରେ ଯେପରି ଓଟ ପାଣି ଖୋଜି ଖୋଜି ସିଝୁ କଣ୍ଟା କୁ ଚୋବାଇ ଚୋବାଇ ନିଜର ତୃଷ୍ଣା ମେଂଟାଏ କିନ୍ତୁ ବିଚରା କୁ ଜଣାନଥାଏ ଯେ କଣ୍ଟା ସିଝୁ ର ସେ ମୁନିଆ କଣ୍ଟାରେ ତାର ପାଟି ରକ୍ତାକ୍ତ ହେଇ ନିଜ ରକ୍ତରେ ନିଜେ ହିଁ ଶୋଷ ମେଣ୍ଟାଇଥାଏ ,ବାସ ସେମିତି ହିଁ ମତେ ସନ୍ତୁଷ୍ଟ ହେବାକୁ ପଡିଲା I

“”ଭାଇ ଭାଉଜ”” ,କହନ୍ତି ବଡ ଭାଇ ବାପ ପରି ଆଉ ଭାଉଜ ମା ପରି ,ସେସବୁ କିନ୍ତୁ ସେଦିନ ମୋର ନିମିଷକେ ଉପଲବ୍ଧି ହେଇଗଲା ଯେଉଁଦିନ ମିଛ କୁହୁଡି ରେ ପହଁରିବା ଛାଡି ବାସ୍ତବତା କୁ ଅନୁଭବ କଲି I ବହୁତ ବିଶ୍ୱାସ ଏବଂ ଭଲପାଉଥିଲି ,ଭଲପାଇବାରେ ତ ରାଗ ,ଅଭିମାନ ସ୍ୱାଭାବିକ I ବୋଧହୁଏ ସେମିତି ଅଭିମାନ କରିଥିଲି , ଉପରେ ଉପରେ ହସୁଥିଲି କିନ୍ତୁ ସବୁଦିନ ଗୁମୁରି ଗୁମୁରି କାନ୍ଦୁଥିଲି ,ଭରଷା ଥିଲା କାଳେ ସେ ବୁଝିପାରିବେ ମୋ ରାଗ ଅଭିମାନ କୁ Iକିନ୍ତୁ ଅପେକ୍ଷାର ବି ଗୋଟେ ସୀମା ଥାଏ , ବୋଧହୁଏ ସେ ଧର୍ଯ୍ୟ ଭାଙ୍ଗିଯାଇଥିଲା ,ଦୋହଲିଯାଇଥିଲା ସମ୍ପର୍କ ର ସେତୁ I କାଚର ଆଇନା କୁ ଛୋଟ ଏକ ଟୁକୁଡା ପଥର ମାଡ଼ରେ ଖଣ୍ଡବିଖଣ୍ଡିତ ହେଇଯାଇଥିଲା ହୃଦୟଟା I ନା ସେ କେବେ ମତେ ବୁଝି ପାରିଛି ନା ବୁଝିବାକୁ ଚେଷ୍ଟା କରିଛି ,ସମ୍ପର୍କ ର ଡିଣ୍ଡିମ ପିଟି ବଡ ବଡ ଭାଷଣ ଦେଉଥିବା ବେଳେ ଏତିକି ବି ବୁଝିବା ଦରକାର ସବୁ କଥା କହିହୁଏନି ,କିଛି କଥା ମନରେ ରହିଯାଏ ଯାହାକି ଭାରି କଷ୍ଟ ଦିଏ ,କହନ୍ତି ନିଜର ଲୋକମାନେ କୁଆଡେ ମନକଥା ବୁଝିନିଅନ୍ତି ଯେମିତି ପିଲାକୁ ଭୋକ ଲାଗିଲେ ସେ ନକହିବା ପୂର୍ବରୁ ମା ତା ପାଇଁ ଖାଦ୍ୟ ବାଢିଦିଏ I ସେ କିନ୍ତୁ ସମ୍ପର୍କ କୁ ଟଙ୍କା ସହିତ ତଉଲିଦେଲା ,ମୁଁ ଯଦି ସ୍ୱାର୍ଥପର ହେଇଥାନ୍ତି କି ମୋ ମନରେ ଲୋଭ ଥାଆନ୍ତା ସହର ର ଚାକଚକ୍ୟ ଛାଡି ତମ ପାଖକୁ ଧାଇଁ ଆସିନଥାନ୍ତି କି ତମ ସ୍ବପ୍ନ କୁ ସାକାର କରିବାକୁ ଚେଷ୍ଟା କରିନଥାନ୍ତି I ଛାଡ, ଯେଉଁଠି ସମୟ ଏମିତି ଲୁଚକାଳି ଖେଳୁଛି ମୋ ସହିତ ସେଠି ତମ ଉପରେ ବା କାହିଁକି ରାଗିବି ? ସବୁପରେ ବି କେଜାଣି କାହିଁକି ଘର ଛାଡି ଆସିବା ବେଳକୁ ଭାବୁଥିଲି କାଳେ କେହିଜଣେ ପଛରୁ ଜାବୁଡି ଧରିବI କିନ୍ତୁ ନା ସେମିତି କିଛି ବି ହେଲାନି I ବୋଧହୁଏ ଭଗବାନ ଙ୍କ ନିଷ୍ପତି କିଛି ଅଲଗା ଥିଲା I

ଭଗବାନ ଙ୍କ ନିଷ୍ପତି କୁ ମୁଁ ଗ୍ରହଣ କରିନେଇଛି ,ତମେମାନେ କହୁଥିଲ ନା ମୁଁ ବହୁତ ଖୁଶିରେ ଅଛି ? ହଁ ମୁଁ ବହୁତ ଖୁସିରେ ଅଛି କେମିତି ବା ନହେବି ଏମିତି ଏକ ଅଭିଶପ୍ତ ଜୀବନ ନେଇ ଜନମ ହେଲି ଯେ ,ନା କେବେ ବାପାର ସ୍ନେହ ,ମା ର ଭଲପାଇବା ପାଇପାରିଲି ,ନା ମତେ କେହି ବୁଝିପାରିଲେ I ଭାରି ଡର ଲାଗୁଥିଲା ମରଣ କୁ ,ଆଜି କିନ୍ତୁ ଏ ଜୀବନଟା ଭାରି ଘୃଣା ଲାଗୁଛି I କାହା ଉପରେ ଅଭିମାନ ନାହିଁ କି କାହା ଉପରେ ରାଗ ବି ନାହିଁ I ଜୀବନ ଯୁଦ୍ଧ ରେ ଅଧାବାଟରେ ହାରିଗଲି ,ସମୟ ଟା ତ ମୋ ସହିତ ଏମିତି ଲୁଚକାଳି ଖେଳିଲା ,କାହାକୁ କାହିଁକି ଦୋଷ ଦେବି ? ଚଡେଇ ସିନା ଉଡିଗଲେ ସନ୍ଧ୍ୟା କୁ ଘରକୁ ଫେରିଆସେ ,କିନ୍ତୁ ନଦୀ ଥରେ ବୋହିଗଲେ ଆଉ ଫେରେନି ତାକୁ ବି ଜଣାନଥାଏ ଆଗରେ ତା ପାଇଁ ମିଶିବାକୁ ସମୁଦ୍ର ଅଛି ନା କେଉଁ ଏକ ପାହାଡ ର ଆଘାତ I ଆଉ କଣ ବା କହିବି ବହୁତ ଦୁରକୁ ଚାଲିଯାଉଛି, ସେହି ଅଫେରା ରାଜ୍ୟକୁ ଯେଉଁଠିକୁ ମଣିଷ ଥରେ ଗଲେ ଆଉ ଫେରେନା , ଜୀବନର ବାସ୍ତବତା କୁ ବୁଝିପାରିଲିଣି ଯେତେବେଳେ ଆଉ କାହିଁକି ସେ ମିଛ ମୋହ ମାୟା ସମ୍ପର୍କ ରେ ଘାଣ୍ଟିହେବି ? ତମେମାନେ ସମସ୍ତେ ଖୁସିରେ ରୁହ I ବୁଦ୍ଧ କହିଥିଲେ କାମନାର ବିନାଶ ରେ ଦୁଃଖ ର ବିନାଶ I ବାସ୍ ମୋକ୍ଷ ପାଇଁ ଏତିକି ହିଁ ମୋ ପାଇଁ ଯଥେଷ୍ଟ I

Leave a Reply

Your email address will not be published. Required fields are marked *