ଜିଓ ପ୍ରଭାବ :-ଟେଲିକମ୍‌ ଶିଳ୍ପରେ ହେବ ବଡ ଛଟେଇ

ଏକଦା ଅନ୍ୟତମ ଦୀପ୍ତିମାନ ଶିଳ୍ପ ଭାବେ ପ୍ରତିପାଦିତ ହେଉଥିଲା ଦେଶର ଟେଲିକମ୍‌ ଶିଳ୍ପ। ନମ୍ବର ୧ ନିଯୁକ୍ତି ପ୍ରଦାନକାରୀ ଭାବେ ଏହା ପରିଗଣିତ ହେଉଥିଲା। କିନ୍ତୁ ଏବେ ଏହି ଶିଳ୍ପ ନିଜର ଚମକ ହରାଇଛି। ଅନିଶ୍ଚିତତା ମଧ୍ୟ ଦେଇ ଏହା ଗତି କରୁଛି। ଶିଳ୍ପରେ କାର୍ଯ୍ୟରତ ବୃହତ୍‌ ସଂଖ୍ୟକ କର୍ମଚାରୀ ନିୟମିତ ଭିତ୍ତିରେ ଚାକିରି ହରାଉଛନ୍ତି।ତେବେ ଆସନ୍ତା ୬ରୁ ୯ ମାସ ପର୍ଯ୍ୟନ୍ତ ଏହି ଶିଳ୍ପରେ ନିଯୁକ୍ତି ହ୍ରାସ ପ୍ରକ୍ରିୟା ଜାରି ରହିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ମୁତାବକ ଏହି ସମୟ ମଧ୍ୟରେ ଟେଲିକମ୍‌ ଶିଳ୍ପରେ ୮୦,୦୦୦ରୁ ୯୦,୦୦୦ ନିଯୁକ୍ତି ହ୍ରାସ ହୋଇପାରେ। ଶିଳ୍ପ କ୍ଷେତ୍ରରେ ପ୍ରତିଯୋଗିତା ବର୍ତ୍ତମାନ ତୀବ୍ରତର ହୋଇଛି। ତା’ସହିତ ମାର୍ଜିନ୍‌ କମ୍‌ ରହୁଥିବାରୁ କମ୍ପାନୀଙ୍କ ଲାଭ ପ୍ରଭାବିତ ହୋଇଛି। ଫଳରେ ଦେଶର ଟେଲିକମ୍‌ ଶିଳ୍ପରେ କିଛି ସମୟ ଧରି ଛଟେଇ ପ୍ରକ୍ରିୟା ଜାରି ରହିଛି। ଏହା ଆଉ ୬ରୁ ୯ ମାସ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସିଆଇଇଏଲ୍‌ ଏଚ୍‌ଆର୍‌ ରିପୋର୍ଟରେ କୁହାଯାଇଛି। ଗତ ବର୍ଷ ପର୍ଯ୍ୟନ୍ତ ଏହି ଶିଳ୍ପରେ ପାଖାପାଖି ୪୦,୦୦୦ କର୍ମଚାରୀ ନିଯୁକ୍ତି ହରାଇଥିଲେ। ଏହି ଧାରା ଜାରି ରହିଲେ ଶିଳ୍ପ କ୍ଷେତ୍ରରେ ମାନବ ସମ୍ବଳ ବହୁ ମାତ୍ରାରେ ସଙ୍କୁଚିତ ହେବ ବୋଲି ବାଙ୍ଗାଲୋରଭିତ୍ତିକ କମ୍ପାନୀ ସିଆଇଇଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦିତ୍ୟ ନାରାୟଣ ମିଶ୍ର ପ୍ରକାଶ କରିଛନ୍ତି। ବର୍ତ୍ତମାନର ଶିଳ୍ପ ଦୃଶ୍ୟପଟକୁ ନେଇ କର୍ମଚାରୀମାନେ ଅତ୍ୟନ୍ତ ଚିନ୍ତିତ ଅଛନ୍ତି। ମହଙ୍ଗା ଋଣ, ବଜାର ଅଂଶ ବୃଦ୍ଧି କରିବା ନେଇ କମ୍ପାନୀଗୁଡିକ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଏବଂ ମିଶ୍ରଣକୁ ନେଇ ଅନିଶ୍ଚିତତା ଯୋଗୁ ଟେଲିକମ୍‌ କମ୍ପାନୀଗୁଡିକର ନିବେଶ ଯୋଜନା ବାଧାପ୍ରାପ୍ତ ହେଉଛି। ଫଳରେ ନୂଆ ନିଯୁକ୍ତି ସୃଷ୍ଟି ହୋଇ ନ ପାରେ ଏବଂ ଛଟେଇ ଧାରା ଜାରି ରହିପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟ ଶିଳ୍ପଗୁଡିକ ତୁଳନାରେ ଟେଲିକମ୍‌ ଶିଳ୍ପରେ ବେତନ ବୃଦ୍ଧି ପରିମାଣ ନିମ୍ନ ରହିଛି। 

Leave a Reply

Your email address will not be published. Required fields are marked *