ରାଜ୍ୟ ବିଜେପି ରେ ଦ୍ୱିମତ : ପ୍ରତାପ ଷଡ଼ଙ୍ଗୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟରେ ଟଣାଟଣି

ଭୁବନେଶ୍ୱର(ଦେବଦତ୍ତ ରଥ): ରାଜ୍ୟ ବିଜେପି ଭିତରେ ସବୁ କିଛି ଠିକ ଥିଲା ପରି ଲାଗୁନି।ଉପରେ ଶାନ୍ତ ଦେଖାଯାଉଥିଲେ ମଧ୍ୟ ଭିତରେ ଭିତରେ ଗୋଷ୍ଠିବାଦ ବିଜେପିକୁ ଗ୍ରାସି ଚାଲିଛି।ମିଶନ ୧୨୦ ଆସନ ଏକ ମରୀଚିକା ସଦୃଶ ହୋଇଛି।ସଙ୍ଗଠନ ହିତ କଥା ଚିନ୍ତା ନକରି ନିଜ ପତିଆର,ନିଜ ସ୍ଥିତି ଭିତରେ ଡୁବି ରହି ଓଡିଶା ବିଜେପି ପୂରା ବ୍ୟକ୍ତି କେନ୍ଦ୍ରିକ ହେଇଯାଇଛି।ପ୍ରଭାବଶାଳୀ ସାଙ୍ଗଠନିକ ଦକ୍ଷତା ଥିବା ନେତାଙ୍କୁ ଅଣଦେଖା,କଣଠେସା କରାଯାଉଛି।ବିଜେପି ଭିତରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠି ଦଳ ତଥା ଦଳୀୟ କାର୍ଯ୍ୟାଳୟକୁ ପ୍ରାଇଭେଟ ଲିମିଟେଡ କମ୍ପାନୀ ପରି ଦେଖୁଛନ୍ତି।

ନିଜ ଅଞ୍ଚଳରେ ପ୍ରଭାବ ନଥିବା କିମ୍ବା କେବେ କୌଣସି ନିର୍ବାଚନ ଜିତି ପାରିନଥିବା କିଛି ନେତା କେବଳ ଚାଟୁକାରୀ କରି ଗୋଟେ ଗୋଟେ ସାଙ୍ଗଠନିକ ପଦବୀ ମାଡ଼ି ବସିଛନ୍ତି।ନିଜର ପ୍ରଭାବ ଦେଖାଇବାକୁ ତଥା ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖୁଥିବା ଜଣେ ନିର୍ଦ୍ଦିଷ୍ଟ ନେତାଙ୍କୁ ଆନୁଗତ୍ୟ ଦେଖାଇବାକୁ ଅନ୍ୟ ବରିଷ୍ଠ ନେତାଙ୍କୁ ନୀଚା ଦେଖାଉଛନ୍ତି।ଏହିପରି ଏକ ଉଦାହରଣ ଏବେ ପୁଣି ସମ୍ମାକୁ ଆସିଛି।
ରାଜ୍ୟ ବିଜେପିର ବରିଷ୍ଠ ନେତା ପ୍ରତାପ ଷଢ଼ଙ୍ଗୀଙ୍କ ଏକ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।ପ୍ରତାପ ଷଢ଼ଙ୍ଗୀ ଭୁଲ କହୁଛନ୍ତି ବୋଲି ସେ ସିଧା ସଳଖ କହିଛନ୍ତି।

ପ୍ରତାପ ଷଢ଼଼ଙ୍ଗୀ କହିଥିଲେ ଯେ, ରାଜ୍ୟରେ ଏକ ଭୟଙ୍କର ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି। ଏଭଳି ସରକାରଙ୍କୁ କିଭଳି ଲୋକମାନେ ବରଦାସ୍ତ କରିଛନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି।ନବୀନ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରି ୨୦ ବର୍ଷ ହେଲା ଶାସନ କରି ଆସୁଛନ୍ତି।ତେବେ ଏଥିପାଇଁ ସେ ଆମେମାନେ ଦାୟୀ କହି ନିଜକୁ ଓ ଦଳକୁ ଦାୟୀ କରିଛନ୍ତି ପ୍ରତାପ।ବିଜେଡ଼ିର ବିକଳ୍ପ ପ୍ରସ୍ତୁତ କରିବାରେ ଆମେ ବିଫଳ ହୋଇଛୁ ବୋଲି ଶ୍ରୀ ଷଢ଼ଙ୍ଗୀ କହିଛନ୍ତି।
ଅପରପକ୍ଷରେ ଏନେଇ ପୃଥ୍ୱୀରାଜ ସିଧାସଳଖ କହିଛନ୍ତି ଯେ,ପ୍ରତାପ ଷଢ଼ଙ୍ଗୀ ଭୁଲ୍ କହୁଛନ୍ତି।ଏବଂ ଏହା ତାଙ୍କର ବ୍ୟକ୍ତିଗତ ମତ।ଏକ ମାତ୍ର ବିରୋଧୀ ଦଳ ଭାବେ ବିଜେଡ଼ିର ବିକଳ୍ପ ଭାବେ ବିଜେପି ନିଜକୁ ଠିକ୍ ଭାବେ ଉପସ୍ଥାପିତ କରିପାରିଛି। ଯେଉଁଥିପାଇଁ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଛି।

୨୦୧୯ରେ ଦଳ ଭଲ ପ୍ରଦର୍ଶନ କରି ସରକାର ଗଢ଼ିବ ଏବଂ ଅସଜଡ଼ା ଶାସନ ବ୍ୟବସ୍ଥାକୁ ସଜାଡ଼ିବ ବୋଲି ପୃଥ୍ୱୀରାଜ କହିଛନ୍ତି ।ତେବେ ପ୍ରତାପ ଷଢ଼ଙ୍ଗୀଙ୍କ ପରି ବିଜେପିର ଜଣେ ବରିଷ୍ଠ ନେତା ପ୍ରତାପ ଷଢ଼ଙ୍ଗୀଙ୍କ ମନ୍ତବ୍ୟରେ ସେପରି କିଛି ତୃଟି ଥିଲା ପରି ଜଣାପଡୁନି।ସେ ବିଜେଡିକୁ କଠୋର ସମାଲୋଚନା କରିବା ସହ ନଜକୁ ତଥା ଦଳକୁ ଶକ୍ତିଶାଳୀ କରିବା ନେଇ ଏକ ବାର୍ତ୍ତା ରଖିଛନ୍ତି।ଏହାକୁ ନେଇ ପୃଥ୍ୱୀରାଜ ଖଣ୍ଡନ କରିବା ଏବଂ ସିଧା ସଳଖ ପ୍ରତାପ ଷଢ଼ଙ୍ଗୀ ଭୁଲ କହିଛନ୍ତି,ଏହା ତାଙ୍କର ବ୍ୟକ୍ତିଗତ ମତ କହିବା କେତେଦୂର ସମୀଚିନ ହୋଇଛି ବୋଲି ଆଲୋଚନା ହେଉଛି।ଏହାକୁ ଦେଖି ବିଜେପିର ମିଶନ-୧୨୦ ମରୀଚିକା ପରି ଲାଗୁଛି।

Leave a Reply

Your email address will not be published. Required fields are marked *