ଭୁବନେଶ୍ୱର(ଦେବଦତ୍ତ ରଥ): ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଆସିବେ ଓଡ଼ିଶା।କଟକର ବାଲିଯାତ୍ରା ପଡ଼ିଆରେ ସରକାରର ୪ ବର୍ଷ ପୂରଣର ଉପଲବ୍ଧି ଗୁଡିକ ଦେଶବାସୀଙ୍କ ଆଗରେ ରଖିବେ।ମୋଦୀ ଓଡ଼ିଶା ଆସୁଥିବାରୁ ରାଜ୍ୟ ବିଜେପିରେ ଏବେ ଏକ ଉତ୍ସାହ ଦେଖିବାକୁ ମିଳୁଛି।
ମୋଦୀଙ୍କ ଗସ୍ତକୁ ନେଇ ବିଜେପି ଯେତିକି ଉତ୍ସାହିତ ଜଣାପଡ଼ୁଛି,ବିଜେଡି ଶିବିର ସେତିକି ଭୟଭୀତ ହୋଇ ପଡ଼ିଥିବା କୁହାଯାଉଛି।ଓଡ଼ିଶାରେ ରାଜନୈତିକ ବିଶ୍ଳେଷକ ମାନେ ମଧ୍ୟ ମୋଦୀ କ’ଣ କହିବେ,ବିଜେଡି ବା ନବୀନଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ କ’ଣ ରହିବ ଅନାଇ ବସିଛନ୍ତି।ନିଜ ସରକାରର ୪ ବର୍ଷର ଉପଲବ୍ଧି ଗୁଡିକୁ କହିବା ତ’ ସ୍ୱାଭାବିକ।କିନ୍ତୁ ଏ ଭିତରେ ମହାନଦୀ ପରି ପ୍ରସଙ୍ଗରେ ବିଜେଡି ବିଜେପିକୁ ଟାର୍ଗେଟ କରିଛି।ମହାସମାବେଶର ଆୟୋଜନ କରୁଛି।ତେଣୁ ମୋଦୀ ଆସି କିଛି କାଉଣ୍ଟର କରିବେ କି?ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବେ କି?ସଭିଏଁ ଅନାଇ ବସିଛନ୍ତି।
ମେଣ୍ଟ ଭାଙ୍ଗିବା ପରଠାରୁ ରାଜ୍ୟରେ ବିଜେପି ନେତାମାନେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଆସୁଛନ୍ତି।ଏବଂ ମୋଦୀ ଆସିଲେ ନବୀନଙ୍କୁ ଟାର୍ଗେଟ କରିବେ ବୋଲି ରାଜ୍ୟ ବିଜେପି ନେତାମାନେ ଅନାଇ ବସୁଛନ୍ତି।କିନ୍ତୁ ସେପରି କିଛି ଦେଖିବାକୁ ମିଳୁନି।ମୋଦୀ ନବୀନଙ୍କୁ ଆକ୍ଷେପ କରିବାର ସେପରି କେବେ ଦେଖିବାକୁ ମିଳୁନି।ଏପରିକି ସମୟ ସମୟରେ କିଛି କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ବରଂ ନବୀନଙ୍କୁ ପ୍ରଶଂସା କରି ଯାଉଛନ୍ତି।ରାଷ୍ଟ୍ରୀୟ ସଭାପତି ଅମିତ ଶାହା ମଧ୍ୟ ନବୀନଙ୍କୁ ଟାର୍ଗେଟ କରିବାର ସେପରି କେବେ ଦେଖା ଯାଉନି।ଏନେଇ ସମୟ ସମୟରେ ପ୍ରଶ୍ନ ମଧ୍ୟ ଉଠୁଛି।ଦୀର୍ଘ ଦିନ ପରେ ଅମିତ ଶାହା ଆସି ମିଶନ ୧୨୦ କଥା କହିବା ଏବଂ ଏବେ ଥରେ ଦୁଇ ଥର ପୋଡ଼ା ଟ୍ରାନ୍ସଫର୍ମରକୁ ଫିଙ୍ଗିଦେବା କଥା କହିଛନ୍ତି।
କିନ୍ତୁ ଅନ୍ୟାନ୍ୟ ରାଜ୍ୟକୁ ଗଲେ ମୋଦୀ କିମ୍ବା ଅମିତ ଶାହା ସେଠାକାର ସରକାରଙ୍କୁ ଯେପରି ଟାର୍ଗେଟ କରନ୍ତି ଓଡ଼ିଶାରେ ସେପରି ଦେଖିବାକୁ ମିଳେନି।ଏବଂ ଏ ନେଇ ବିଜେପି-ବିଜେଡି ମେଣ୍ଟ ସମ୍ବାବନା କଥା ବାରମ୍ବାର ଉଠେ।ମେଣ୍ଟ ଭାଙ୍ଗିବା ପରେ ବିଜେପି ଦୂତ ଚନ୍ଦନ ମିତ୍ରଙ୍କୁ ନବୀନ ଅପମାନିତ କରି ଫେରାଇ ଥିବା ବେଳେ କେନ୍ଦ୍ର ବିଜେପି କିନ୍ତୁ ଆଶାରେ ଥିବା ପରି ଅନୁଭବ ହୁଏ।
ଅନ୍ୟାନ୍ୟ ରାଜ୍ୟରେ ବିଜେପି ବିରୋଧୀ ଦଳ ଗୁଡିକ ମୋଦୀଙ୍କୁ ପ୍ରତ୍ୟକ କଥାରେ ବିରୋଧ କରୁଥିବା ବେଳେ ନୋଟ ବନ୍ଦୀ ପରି କେତେକ ପ୍ରସଙ୍ଗରେ ବିଜେଡି ଟିକେ ନରମ ଜଣାପଡ଼େ।ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଜେଡି ବିଜେପିକୁ ସମର୍ଥନ ଦେଇ ସାରିଛି।ତେବେ ଏ ଭିତରେ ପୁଣି ଆଉ ଏକ ବଡ଼ ଘଟଣା ଘଟିଛି କର୍ଣ୍ଣାଟକ କ୍ଷେତ୍ରରେ।ଏନଡିଏରେ ନଥିବା ଦେଶର ବିଭିର୍ଣ୍ଣ ରାଜ୍ୟର ପ୍ରାୟ ପ୍ରତ୍ୟକ ଦଳ ଗୁଡିକ କର୍ଣ୍ଣାଟକ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି।ସମାଜବାଦ ପାର୍ଟି,ବହୁ ଜନ ସମାଜ ପାର୍ଟି ଏବଂ ତୃଣମୂଳ କଂଗ୍ରେସ,ବାମପନ୍ଥୀ ପରି ପରସ୍ପର ଘୋର ବିରୋଧୀ ଦଳ ଗୁଡିକ କେବଳ ମୋଦୀ ତଥା ବିଜେପିକୁ ବିରୋଧ କରିବା ଉଦ୍ଦେଶ୍ୟରେ ଏକାଠି ହୋଇଛନ୍ତି।ବିଜେପି ବିରୋଧରେ ଏକ ମେଣ୍ଟର ଶଙ୍କେତ ଦେଇଛନ୍ତି।କିନ୍ତୁ ବିଜେଡି ସେଥିରେ ନାହିଁ।
ବିରୋଧୀ ଦଳ ଗୁଡିକ ଭିତରେ କିଏ ନେତୃତ୍ୱ ନେବ ଏବଂ ଶେଷଯାଏଁ ମେଣ୍ଟ ଏପରି ଏକାଠି ରହିବା ନେଇ ପ୍ରଶ୍ନବାଚୀ ଅବଶ୍ୟ ରହୁଛି।କିନ୍ତୁ ଯେଉଁଠି ବି ଏକାଠି ରହିବେ ସେଠି ଉଭୟଙ୍କର ଭୋଟ ଶତକଡ଼ା ମିଶିଲେ ବିଜେପି ପାଇଁ ନିଶ୍ଚିତ ତାହା ଚିନ୍ତାର କାରଣ।କଂଗ୍ରେସ ଏବେ ଯେଣେତେଣେ ଉପାୟରେ ନିଜର ପଛକେ ଗୁରୁତ୍ୱ ନରହୁ କେବଳ ବିଜେପିକୁ ବିରୋଧ କରିବା ପାଇଁ କାହାରିକୁ ବି ସମର୍ଥନ ଦେବାକୁ, ମେଣ୍ଟ କରିବାକୁ ପ୍ରସ୍ତୁତ।ଏ ଦୃଷ୍ଟିକୋଣରୁ ନବୀନ ପଟ୍ଟନାୟକ କଂଗ୍ରେସ ପାଇଁ ଏକ ଆଶା।କିନ୍ତୁ ନବୀନ ଏବେ ଉଭୟ ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ରଖୁଛନ୍ତି।କର୍ଣ୍ଣାଟକ ଶପଥ ଗ୍ରହଣ ଉତ୍ସବରେ ଯୋଗ ନଦେବାର କାରଣ ମଧ୍ୟ ସେୟା ବୋଲି ବିଜେଡି କହୁଛି।
ଏଣେ ଓଡ଼ିଶାରେ ବିଜେପିର ସ୍ଥିତି କିଛି ନାହିଁ ବୋଲି ଅନୁଭବ ହେଉଛି।ରାଜ୍ୟ ବିଜେପି ନେତା ମାନେ ଯେ କେବଳ ବାହ୍ୟଷ୍ପୋଟ ମାରୁଛନ୍ତି।ବିଧାନସଭା କଥା ଛାଡ଼ନ୍ତୁ।ଅନ୍ୟାନ୍ୟ ରାଜ୍ୟରେ ବିଜେପି ଏମପି ଗୁଡିକ ଅଧିକ ଜିତିଥିବା ବେଳେ ଓଡ଼ିଶାରେ କଷ୍ଟେ ମଷ୍ଟେ ମାତ୍ର ଗୋଟିଏ ଜିତି ପାରିଛି।ତଥାପି ମୋଦୀ ବଦାନ୍ୟତା ଦେଖାଇ ଦୁଇ ଦୁଇ ଜଣଙ୍କୁ କେନ୍ଦ୍ରମନ୍ତ୍ରୀ କରାଇଲେ।କିନ୍ତୁ ଫଳାଫଳ ଶୁନ୍।ପଞ୍ଚାୟତ ଜିଲ୍ଲା ପରିଷଦ ନିର୍ବାଚନରେ ଜିଲ୍ଲା ପରିଷଦରେ କିଛିଟା ସଫଳତା ପାଇ ନିଜକୁ ନିଜେ ପ୍ରଶଂସା କରୁଥିବା ବେଳେ ସରପଞ୍ଚ କ୍ଷେତ୍ରରେ କିନ୍ତୁ ବିଜେପି ଫେଲ ହେଲା
।ସାରା ଦେଶରେ କଂଗ୍ରେସ ଏବେ ଅତ୍ୟନ୍ତ ଦୁର୍ବଳ ସ୍ଥିତରେ ଥିବା ବେଳେ କେବଳ ଜିଲ୍ଲା ପରିଷଦରେ ତାଠାରୁ କିଛି ଅଧିକ ଆସନ ପାଇ ବିଜେପି ଆତ୍ମହରା ହୋଇପଡ଼ିଲା।ବିଜେପୁର ନିର୍ବାଚନରେ ଦୁତୀୟ ସ୍ଥାନକୁ ଆସିଛି କହି ନିଜ ପିଠି ନିଜେ ଥାପୁଡ଼େଇଲା।ଏଣେ ଅମିତ ଶାହା ଆସି ବଲାଙ୍ଗୀରରେ ମିଶନ ୧୨୦ କଥା କହୁଥିବା ବେଳେ ଅତାବିରା ଏବଂ ହିନ୍ଦୋଳ ପୌର ନିର୍ବାଚନରେ ବିଜେପି ମାତ୍ର ଗୋଟିଏ ଆସନ ପାଇଲା,ବିଜେଡି ପ୍ରାୟ ସବୁ ପୋଛି ନେଇଗଲା।
ତେଣୁ ଏସବୁକୁ ଦେଖି ମୋଦୀ ବିଜେଡି ତଥା ନବୀନଙ୍କ ପ୍ରତି କେଉଁ ପ୍ରକାର ଆଭିମୁଖ୍ୟ ରଖୁଛନ୍ତି ତାହା ୨୬ ତାରିଖକୁ ଦେଖିବାକୁ ବାକି ରହିଲା।ଯଦି ମୋଦୀ ଆସି କେବଳ ୪ ବର୍ଷର ନିଜର ସଫଳତା କଥା କହି ଏବଂ ନବୀନଙ୍କୁ ଆଦୌ ଟାର୍ଗେଟ ନକରି ଚାଲି ଯାଆନ୍ତି, ତେବେ ଏହା ଯେ କେବଳ ବିଜେପିର ୪ ବର୍ଷର ସଫଳତାର ଗାଥା ଗାଇବାର କାର୍ଯ୍ୟକ୍ରମ ଥିଲା ବୋଲି ରାଜ୍ୟ ବିଜେପି ନେତା ମାନେ କହିବା ସ୍ବଭାବିକ।କିନ୍ତୁ ନବୀନଙ୍କୁ ଟାର୍ଗେଟ ନକରି କେବଳ ବିଜେପିର ୪ ବର୍ଷର ସଫଳତାର ଗାଥା ଗାଇଯିବା ଯେ ଗୋଟିଏ ଏମପି ଆସନରୁ କେତେ ଆଉ ଅଧିକ ଏମପି ଆସିପାରେ ତାହା ଆଲୋଚନାର ବିଷୟ ହୋଇପାରେ।କିନ୍ତୁ ବିଧାନସଭା କ୍ଷେତ୍ରରେ ମିଶନ ୧୨୦ର ମାନେ ଯେ କିଛି ରହିବ ନାହିଁ ଏହା ବୋଧେ ଜଣାପଡ଼ିବ।