ଉତ୍କଳମଣି ଗୋପବନ୍ଧୁଙ୍କ ନାତୁଣୀ ଜୟଶ୍ରୀଙ୍କୁ ବାହାରୁ ଚାବି ପକାଇଦେଲେ ଦୁର୍ବୁର୍ତ୍ତ

ନିଜର ସେବାମୂଳକ କାମ ପାଇଁ ସତ୍ୟବାଦୀ ମାଟିରେ ବେଶ୍ ପରିଚିତି ହାସଲ କରିପାରିଥିବା ସମାଜସେବୀ ତଥା ଉତ୍କଳମଣି ଗୋପବନ୍ଧୁଙ୍କ ଦାୟାଦ ଜୟଶ୍ରୀ ମହାପାତ୍ର ସବୁ ବର୍ଗର ଲୋକଙ୍କ ମଧ୍ୟରେ ବେଶ ଜଣା ଶୁଣା ହେଇପାରିଛନ୍ତି I ସଂପ୍ରତି ଏଠାରେ ଓଡିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ତାଙ୍କର ଅବଦାନ ଉଲ୍ଲେଖନୀୟ। ତେବେ ଗତକାଲି ସେ ବିଶ୍ଵବିଦ୍ୟାଳୟ ପାଇଁ ବକୁଳବନ ସଂଲଗ୍ନ ଜମି ଦେଖିବାକୁ ଆସିଥିବା ଉନ୍ନୟନ କମିସନରଙ୍କ ବୈଠକରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ତାଙ୍କୁ କିଛି ଦୁବୁର୍ତ୍ତ ମଦ୍ୟପାନ କରି ଗାଳିଗୁଲଜ କରିବା ସହିତ ଏକ କୋଠରୀ ମଧ୍ୟରେ ଚାବି ପକାଇଦେଇଥିବା ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି I

ଅଭିଯୋଗ ଅନୁଯାୟୀ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ରଚାଯାଇଥିଲା ଏବଂ ତାଙ୍କ ଗାଡିକୁ ସ୍ଥାନୀୟ ଡାକବଙ୍ଗଳା ମଧ୍ୟକୁ ଛଡା ନଯିବା ସହିତ ତାଙ୍କୁ ବୈଠକରେ ବସେଇ ନଦେବାକୁ ଅପଚେଷ୍ଟା କରାଯାଇଥିଲା I ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ସେହି ମଦ୍ୟପାନ କରିଥିବା ବ୍ୟକ୍ତି ମାନେ ଗାଳିଗୁଲଜ କରିଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି। ଜୟଶ୍ରୀଙ୍କ ମୁତାବକ ସେ ଡାକବଙ୍ଗଳା ଭିତରେ ବସିଥିବା ବେଳେ ଶେଷ ପର୍ଯ୍ୟନ୍ତ ବିଜୟ କୁମାର ମହାପାତ୍ର ଉପସ୍ଥିତ ଥିଲେ। ସେଠାରୁ ବିଜୟ ଆସିବାର କିଛି ସମୟ ପରେ ଜୟଶ୍ରୀ ଦ୍ୱାର ଖୋଲିବାକୁ ଚେଷ୍ଟା କରିବା ବେଳେ ଜଣାପଡିଥିଲା କି ଦ୍ୱାର ବାହାରୁ ଚାବି ପକାଯାଇଛି I

ତେବେ ସୂଚନା ଅନୁଯାୟୀ ଗତକାଲିର ବୈଠକରେ ଉପସ୍ଥିତ ଥିବା ବିଜୟ କୁମାର ମହାପାତ୍ର ହେଉଛନ୍ତି ସତ୍ୟବାଦୀ ବିଧାୟକଙ୍କ ଅତ୍ୟନ୍ତ ଘନିଷ୍ଠ I ଜୟଶ୍ରୀ ଏବଂ ବିଧାୟକଙ୍କ ମଧ୍ୟରେ କିଛିଦିନ ହେବ ତୁ ତୁ ମେଁ ମେଁ ଚାଲୁରହିଛି। ଏପରିକି ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ବିଧାୟକ ବିରୋଧ କରୁଥିବା ଜୟଶ୍ରୀ ଖୋଲାଖୋଲି ଏକ ଗଣମାଧ୍ୟମ ବିତର୍କରେ ପ୍ରକାଶ କରିଥିଲେ। ତାହା ପୁଣି ବିଧାୟକଙ୍କ ଉପସ୍ଥିତିରେ। ଜୟଶ୍ରୀଙ୍କ ଏଭଳି ଅଭିଯୋଗରେ ବିଧାୟକ ମହୋଦୟ ହଡବଡେଇ ଯିବା ସହ କୌଣସି ସନ୍ତୋଷଜନକ ଉତ୍ତର ରଖିପାରି ନଥିବା ଦେଖିବାକୁ ମିଳିଥିଲା I ଦୁହିଁଙ୍କର ତିକ୍ତ ସମ୍ପର୍କରୁ ପରୋକ୍ଷ ଭାବରେ ବିଧାୟକଙ୍କ ସମର୍ଥକ ମାନଙ୍କର ଏଥିରେ ହାତ ଥାଇପାରେ ବୋଲି ଜନସାଧାରଣ ସନ୍ଦେହ କରୁଥିବା ବେଳେ ଏହାକୁ କିନ୍ତୁ ବିଧାୟକଙ୍କ ସମର୍ଥକ ମାନେ ଖଣ୍ଡନ କରିଛନ୍ତି I

ଓଡିଶା Exclusive କୁ ହସ୍ତଗତ ହେଇଥିବା ସୂଚନା ଅନୁଯାୟୀ ଜୟଶ୍ରୀ ମହାପାତ୍ରଙ୍କ ଅଭିଯୋଗକୁ ଖୋଲାଖୋଲି ବିଜୟ ମହାପାତ୍ର ଖଣ୍ଡନ କରିଛନ୍ତି ଏବଂ ସୌଜନ୍ୟତା ଦୃଷ୍ଟିରୁ ସେ ଜୟଶ୍ରୀ ମାଡାମଙ୍କୁ ଏକ ପାଣି ବୋତଲ ଦେବା ସହିତ ସେଠାରୁ ଚାଲିଯାଇଥିଲେ ବୋଲି କହିଛନ୍ତି I ବାହାରପଟୁ ଦ୍ୱାରବନ୍ଦ କରିବା ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ପ୍ରକାଶ କରିବା ସହ ଡାକବଙ୍ଗଳା ସୁରକ୍ଷା କର୍ମୀଙ୍କୁ ପଚାରିଲେ ସତ୍ୟାସତ୍ୟ ଜାଣିହେବ ବୋଲି କହିଛନ୍ତି I I

Leave a Reply

Your email address will not be published. Required fields are marked *